Unknown

 

 

 

 

 

 

 

 

 

 

 

ଶେଷ ତିମିର

ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାଶ

 

ଅଧ୍ୟାପକ ଡକ୍ଟର କୃଷ୍ଣପ୍ରସାଦ ମିଶ୍ର

 

ମାନନୀୟେଷୁ,

 

ଏକଲବ୍ୟଭଳି ଆପଣଙ୍କ ମହନୀୟ ପ୍ରତିଭାପାଖରୁ ମୁଁ ଲେଖାଲେଖି କରିବାର ବଳ ସଂଗ୍ରହ କରିଥିଲି । ସେଇଥିପାଇଁ ମୋର ଏ ଆଦ୍ୟଅର୍ଘ୍ୟ ଆପଣଙ୍କୁ–ନିବେଦନ କରୁଛି ।

 

ପୂର୍ଣ୍ଣଚନ୍ଦ୍ର

Image

 

 

 

 

 

 

 

 

 

 

 

 

 

ପ୍ରଭାତ

 

ସୁଧାଂଶୁ ସହିତ ଗୀତିର ପରିଚୟ କୌଣସି ଔପନ୍ୟାସିକ ଢଙ୍ଗରେ ହୋଇ ନଥିଲା । ସୁଧାଂଶୁ ଥିଲା ବିଶ୍ଵବିଦ୍ୟାଳୟର କୃତିଛାତ୍ର–ଗୀତି ଏକ ସରଳା ପଲ୍ଲୀବାଳିକା । ଦୁହିଁଙ୍କର ଜୀବନଯାତ୍ରା ଦୁଇ ଯୋଜନ ବ୍ୟବଧାନରେ ହେଉଥିଲା ।

 

ଦୁହିଁଙ୍କର କଲେଜ ଲାଇବ୍ରେରିରେ କେବେ ସାକ୍ଷାତ ହୋଇ ନଥିଲା କି କଲେଜ ଡ୍ରାମାରେ ସୁଧାଂଶୁର ଅଭିନୟ ଦେଖି ଗୀତିର ଭୁଲିଯିବା ବା ଭଲପାଇବାର ସୁଯୋଗ ନଥିଲା ।

 

ଓଡ଼ିଶା ବେଷ୍ଟ୍ ଇଲେଭନ୍‍ରେ ସୁଧାଂଶୁ ବାରବାଟି ଷ୍ଟାଡ଼ିୟମ୍‍ରେ ଖେଳିଲାବେଳେ ଗୀତି ତା’ ଖେଳ ଦେଖି ଉତ୍‍ଫୁଲ୍ଲ ହୋଇ ନଥିଲା କି ଗୀତି କେବେ ସୁଧାଂଶୁର ନୋଟ୍‍ଖାତା ମାଗି ନେଇ ପରିଚୟର ସୂତ୍ରପାତ କରି ନଥିଲା ।

 

ଦୁହେଁ ଦୁହିଁଙ୍କର ପଡ଼ୋଶୀ ନଥିଲେ, ଯେଉଁଥିରେକି ପଡ଼ାଘରର ଖିଡ଼ିକି ଦେଇ ପ୍ରଥମେ ଆଖିର ପରିଚୟଠୁ ଆରମ୍ଭ କରି ପରସ୍ପରକୁ ପ୍ରେମ କରିଥାନ୍ତେ ।

 

ଉଭୟଙ୍କର ପରିଚୟ ଅତି ଆକସ୍ମିକ ଭାବରେ ହୋଇଥିଲା ।

 

ହେମନ୍ତର ଏକ ଶିଶିରସ୍ନାତ ପ୍ରଭାତ ।

 

ସୁଧାଂଶୁ ସେଦିନ ଘରୁ ଫେରୁଥାଏ । ଯାଜପୁର ରୋଡ଼୍‍ ଷ୍ଟେସନ୍‍ରେ ପହଞ୍ଚି ଦେଖିଲା ଷ୍ଟେସନ୍‍ରେ ଅସମ୍ଭବ ଧରଣର ଭିଡ଼ । ଟିକେଟ କରିବାକୁ ଯାଇ ବୁଝିଲା ବୁକିଙ୍ଗ୍ ବନ୍ଦ । ଧବଳେଶ୍ଵର ଯାତ୍ରୀଙ୍କପାଇଁ ଟ୍ରେନ୍‍ ଭଦ୍ରକଠୁ ପୂରା ପ୍ୟାକ୍ ହୋଇ ଆସୁଛି ।

 

ସୁଧାଂଶୁ ଏତକ ବୁଝି ପ୍ଲାଟ୍‌ଫର୍ମ୍‍କୁ ଫେରିଲା । ପ୍ଲାଟ୍‌ଫର୍ମ୍‍ରେ ଅସଂଖ୍ୟ ଯାତ୍ରୀ । ସମସ୍ତେ ସେହି ଗାଡ଼ିକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଧବଳେଶ୍ଵର ଯାତ୍ରୀ । ଏସବୁ ଦେଖି ସୁଧାଂଶୁ ବଡ଼ ଆଶ୍ଵସ୍ତି ବୋଧକଲା । ଏ କଥା ଜାଣିଥିଲେ ସେ ବରଂ ଆଜି ଘରୁ ଆସି ନଥାନ୍ତା । କଟକରେ ଦିନ ଏଗାରଟା ଭିତରେ ପହଞ୍ଚିବାର ସମ୍ଭାବନା ଥିବାରୁ ସେ ଅଗଧୁଆ ଘରୁ ବାହାରି ଆସିଛି । ଖୁବ୍ ସକାଳୁ ଗୁଡ଼େ ବାଟ ବସ୍‍ରେ ଆସିଥିବାରୁ ବଡ଼ କ୍ଳାନ୍ତି ଲାଗୁଥିଲା ତାକୁ । ଟିକିଏ ଭଲ ଲାଗିବା ଆଶାରେ ଷ୍ଟେସନ୍‍ କ୍ୟାଣ୍ଟିନ୍‍ରୁ ଚା’ ଟିକିଏ ସେ ଖାଇଲା ।

 

ବିଭିନ୍ନ ପ୍ରକାର ଯାତ୍ରୀଙ୍କ ପାଟିତୁଣ୍ଡରେ ପ୍ଲାଟ୍‌ଫର୍ମ୍‍ ମୁଖରିତ ହୋଇ ଉଠିଥାଏ । ବଡ଼ ବେଶି ବିରକ୍ତ ଲାଗିଲା ତାକୁ ସେ ପରିବେଶ । କ୍ୟାଣ୍ଟିନ୍‍ରୁ ବାହାରି ଚଟିହଳକ ଘୋଷାରି ଘୋଷାରି ପ୍ଲାଟ୍‌ଫର୍ମ୍‍ ବାହାରକୁ ଆସିଲା । ମଣିବନ୍ଧରୁ ସାର୍ଟ୍‍ ଟେକି ସମୟ ଦେଖିଲା । ଆଠଟା ବାଜିବାକୁ ମାତ୍ର ଦଶମିନିଟ ବାକି ଅଛି । ଶୀତ କୁହୁଡ଼ିର ଆବରଣତଳେ ନବବଧୂର ଲଜ୍ଜାନେଇ ସୂର୍ଯ୍ୟ କିନ୍ତୁ ସେ ପର୍ଯ୍ୟନ୍ତ ମୁହଁ ଲୁଚେଇଥାନ୍ତି । ପ୍ରକୃତିର ରୂପ ଅସ୍ଵାଭାବିକ ଦିଶୁଥାଏ । ମନୁଷ୍ୟ ନାମଧାରୀ ପ୍ରାଣୀମାନଙ୍କର କିନ୍ତୁ କୌଣସି ଆଡ଼େ ନଜର ନାହିଁ । ଯେ ଯାହା କାମ ନେଇ ବ୍ୟସ୍ତ ଥାନ୍ତି ।

 

ବିଭିନ୍ନ ଲୁହାଖଣି ଉଦ୍ଦେଶ୍ୟରେ ଶହ ଶହ ଟ୍ରକ୍‍ ରାସ୍ତା ଉପରେ ଧୂଳିଝଡ଼ ସୃଷ୍ଟିକରି ଚାଲିଥାନ୍ତି । ଇଞ୍ଜିନ୍‍ର ଗର୍ଜନ ଓ ହର୍ଣ୍ଣର ଶ୍ରୁତିକଟୁ ଶବ୍ଦ ବାୟୁମଣ୍ଡଳକୁ ଅଶାନ୍ତ କରୁଥାଏ । ଷ୍ଟେସନ୍‍ ବଜାରର ହୋଟେଲ ସବୁ ଚୁଲିରେ ନୂଆ କୋଇଲା ବୋଝେଇ କରିଥାନ୍ତି । ରେଳ ଇଞ୍ଜିନ୍‍ ଧୂଆଁଠୁ ବଳି ଧୂଆଁ ଝଡ଼ ଉଠୁଥାଏ ସେଠୁ । ହୋଟେଲ ପାଖ ରାସ୍ତା କଡ଼ରେ, ଯେଉଁଠି ଗଲାରାତିର ଅଇଁଠାପତ୍ର ଓ ବାସି ଶୁଖିଲା ଭାତ ତରକାରୀ ପଡ଼ି ସ୍ଥାନକୁ ଦୁର୍ଗନ୍ଧମୟ କରୁଥାଏ, ସେଠି କୁଆ ଆଉ କୁକୁରଙ୍କର ମେଳା ଲାଗିଥାଏ । ପାଖ ବରା ପିଆଜି ଦୋକାନରୁ ପଚା ବାଦାମ ତେଲର ଗନ୍ଧ ଉଠୁଥାଏ ।

 

ସବୁ ସବୁ ଆଡ଼ୁ ଆଖି ବୁଲେଇ ଆଣିଲା ସୁଧାଂଶୁ । ପ୍ଲାଟ୍‌ଫର୍ମ୍‍ର ପରିସ୍ଥିତିଠୁ ବାହାରର ଦୃଶ୍ୟ ତା’ ଦୃଷ୍ଟିକୁ ବେଶି କଟୁ ବୋଧ ହେଲା । ଯାହା ହେଉ, ଗାଡ଼ି ଆସିବା ପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବାକୁ ହେବ । ଏହା ସ୍ଥିର କରି ସାରିଲାପରେ ସେ ବାଧ୍ୟ ହୋଇ ପ୍ଲାଟ୍‌ଫର୍ମ୍‍କୁ ଫେରି ଆସିଲା ।

 

ଅବଶେଷରେ ଟ୍ରେନ୍‍ ଆସିଲା । ଟ୍ରେନ୍‍ ତ ନୁହେ, ଧଳା, କଳା, ନାଲି, ନୀଳ, ପ୍ରଭୃତି ବିଭିନ୍ନ ରଙ୍ଗର ବିରାଟ ଏକ ଫୁଲପରି ଦୂରକୁ ଦିଶୁଥାଏ ସେ । କେବଳ ଇଞ୍ଜିନ୍‍ ବ୍ୟତୀତ ଚାରିଆଡ଼େ ଲୋକ ଓହଳି ଥାଆନ୍ତି କୌଣସି ଡବାର ଦ୍ଵାର ଝରକା ବାରି ହେଉ ନଥାଏ । ସବୁଠି କେବଳ ମଣିଷ ।

 

ବହୁ ମଡ଼ାଚକଟା ଠେଲାପେଲା ପରେ ସେ ଗାଡ଼ି ଭିତରକୁ ପଶିଯାଇଥିଲା । ଡବା ଭିତରର ଅବସ୍ଥା ଯାହା ସେଥିରେ ନିଜ ସ୍ଥିତି ସମ୍ଭାଳିବା ବ୍ୟତୀତ ଅନ୍ୟ କାହା ଉପରେ ଦୃଷ୍ଟି ପକେଇବାର ଅବକାଶ କୌଣସି ଯାତ୍ରୀଙ୍କର ନଥାଏ । କେବଳ ‘ଆହା, ଉହୁ, ମୋଗୋଡ଼–ଆରେ ମଣିଷନା କ’ଣ–ଟିକିଏ ବାଗେଇ ଠିଆ ହୁଅନ୍ତୁ’ ପ୍ରଭୃତି ବିଭିନ୍ନ ଯନ୍ତ୍ରଣାପୂର୍ଣ୍ଣ ଶ୍ରୁତିକଟୁ ଶବ୍ଦରେ ଡବା ଭିତରଟା ପୂରିଥାଏ । ତା’ରି ଭିତରେ ବହୁ କଷ୍ଟରେ ସାତ ଆଠଇଞ୍ଚ୍‍ର ଜାଗା କରି ସୁଧାଂଶୁ ଏକଗୋଡ଼ିଆ ଠିଆହୋଇ ରହିଲା ।

 

ମହାପ୍ରାଣୀମାନଙ୍କୁ ଯଥାଶୀଘ୍ର ଏ ଯନ୍ତ୍ରଣାରୁ ରକ୍ଷାକରିବାକୁ ଗାଡ଼ି ଗତିଶୀଳ ହେଲା । ଗାଡ଼ି ଚାଲିବାପରେ ଅବଶ୍ୟ ଭିତରର ଅବସ୍ଥା ଟିକିଏ ଶାନ୍ତ ପଡ଼ିଗଲା । ଗାଡ଼ି ଦୋହଲିଗଲେ ଠିଆ ହୋଇଥିବା ଯାତ୍ରୀଙ୍କ ଭିତରୁ କିଏ କାହା ଉପରକୁ ଆଉଜି ପଡ଼ିଲେ ମଝିରେ ମଝିରେ ମୃଦୁ କଳହ ସୃଷ୍ଟି ହେଉଥାଏ । ଷ୍ଟେସନ୍‍ ପଡ଼ିଲେ ଗାଡ଼ି ଅଟକୁ ଥାଏ । ପୁଣି ବହୁ ପାଟିତୁଣ୍ଡ କୋଳାହଳର ଆରମ୍ଭ ହୁଏ । କେବଳ ସେହି ପାଟିତୁଣ୍ଡ ବ୍ୟତୀତ କୌଣସି ବାହାରର ଦୃଶ୍ୟ ଦେଖିବା କି କେଉଁ ଷ୍ଟେସନ୍‍ ଗଲା ବୁଝିବାକୁ କୌଣସି ଯାତ୍ରୀଙ୍କର ଶକ୍ତି ନଥାଏ ।

 

ସୁଧାଂଶୁ ଯେଉଁ ଡବାରେ ଉଠିଥାଏ ସେ ଡବାକୁ ଅନ୍ୟ କୌଣସି ଯାତ୍ରୀଙ୍କର ଚଢ଼ିବାର ଉପାୟ ନଥାଏ କି କୌଣସି ଯାତ୍ରୀ ସେଥିରୁ ଓହ୍ଲାଉ ନଥାନ୍ତି । ଦି’ତିନୋଟି ଷ୍ଟେସନ୍‍ ସେମିତି ଅବସ୍ଥାରେ ଗଲା ପରେ ଚତୁର୍ଥ ଷ୍ଟେସନ୍‍ଠି ଜଣେ ଭଦ୍ରଲୋକ ଗାଡ଼ିରୁ ଓହ୍ଲାଇବାର ଉପକ୍ରମ କରିଥିଲେ । ତାଙ୍କୁ ପଚାରି ବୁଝିଥିଲା ସୁଧାଂଶୁ ହରିଦାସପୁର ଷ୍ଟେସନ୍‍ ସେଇଟା । ଗାଡ଼ିରହିବ ମାତ୍ର ତିନି ମିନିଟ, ସେତିକି ସମୟ ଭିତରେ ଭଦ୍ରଲୋକଙ୍କୁ ତାଙ୍କର ଜିନିଷପତ୍ର ଓ ପିଲାପିଲିଙ୍କ ଶହ ଓହ୍ଲାଇବାକୁ ପଡ଼ିବ ।

 

ପ୍ରତି ଷ୍ଟେସନ୍‍ର ଅବସ୍ଥା ସମାନ । ସବୁଠି ଶହ ଶହ ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ବସିଛନ୍ତି । କୌଣସି ଡବାରୁ କେହି ଜଣେ ଓହ୍ଲେଇବାର ଦେଖିଲେ ପଚାଶ ଲୋକ ସେଠି ଉଠିବାକୁ ଚେଷ୍ଟା କରୁଥାନ୍ତି । ତା’ଫଳରେ ଗାଡ଼ିକୁ ଉଠିବା ଯେଉଁଭଳି ଯନ୍ତ୍ରଣାଦାୟକ ଗାଡ଼ିରୁ ଓହ୍ଲାଇବା ତା’ଠୁ କଷ୍ଟସାଧ୍ୟ ହୋଇ ପଡ଼ିଥାଏ । ଭଦ୍ରଲୋକଙ୍କର ବହୁତଗୁଡ଼ାଏ ଜିନିଷ ଥାଏ । କଲିକତାରୁ ଫେରୁଥାନ୍ତି ବୋଧହୁଏ । ସୋରିଷତେଲ ଟିଣ, ଛିଣ୍ଡାକନାଗୁଡ଼ା ନୂଆଛତା ଓ ତାଙ୍କର ପୁଡ଼ାପୁଟୁଳାସବୁ ସବୁ ମିଶି ଆଠ ଦଶଟା ବୋଝ । ନିଜ ସ୍ତ୍ରୀଙ୍କୁ ଆଗତଳକୁ ଛାଡ଼ିଦେଇ ଗୋଟି ଗୋଟି କରି ଜିନିଷ ସେ ବଢ଼େଇ ଦେଉଥାନ୍ତି । ତା’ରି ଭିତରେ ଲୋକଙ୍କର ପାଟିତୁଣ୍ଡ ଓ ଠେଲାପେଲା ଚାଲିଥାଏ । କୌଣସି ପ୍ରକାରେ ବିଚରା ଭଦ୍ରଲୋକ ସବୁ ଜିନିଷ ଓହ୍ଲେଇ ସାରି ଶେଷ ସୁଟ୍‍କେଶଟା ଦେଉ ଦେଉ ଗାଡ଼ି ଚାଲିବାକୁ ଆରମ୍ଭ କରିବା ଦେଖି ସୁଟ୍‍କେଶ ସହିତ ତଳକୁ ଡେଇଁ ପଡ଼ିଲେ । ତା’ ପରେ ପରେ ଗାଡ଼ି ଖୁବ୍ ବେଗରେ ଚାଲିବାକୁ ଆରମ୍ଭ କଲା ।

 

ନାରୀକଣ୍ଠର ଏକ ବିକଳ କ୍ରନ୍ଦନରେ ସୁଧାଂଶୁ ଡବା ଭିତରକୁ ଫେରି ଚାହିଁଥିଲା । ଚଉଦ ପନ୍ଦରବର୍ଷର ସୁଶ୍ରୀ ଝିଅଟିଏ ଅଧୀର ହୋଇ କାନ୍ଦୁଛି । ତା’ କ୍ରନ୍ଦନର କାରଣ କ’ଣ ସେକଥା ପରସ୍ପରକୁ ପଚାରିବାରେ ତା’ କାନ୍ଦ ଶବ୍ଦକୁ ବଳି ଡବାଭିତରର ଅନ୍ୟମାନଙ୍କ କଣ୍ଠ ସ୍ଵର ଉପରକୁ ଉଠିଥାଏ । ବହୁ କଷ୍ଟରେ ସୁଧାଂଶୁ ବୁଝିଲା ଯେଉଁ ଭଦ୍ରଲୋକଙ୍କର ଗଲା ଷ୍ଟେସନ୍‍ରେ ଓହ୍ଲେଇ ଗଲେ ତାଙ୍କର ଝିଅ ସେ । ସେ କୌଣସି ପ୍ରକାରେ ଓହ୍ଲେଇ ପାରିନି । ଏତିକି କହିବା ବ୍ୟତୀତ ଝିଅଟି ଅନ୍ୟ କିଛି କହି ନ ପାରି ଅଧୀର ହୋଇ କାନ୍ଦୁଥାଏ । ଯେ ଯେମିତି ତାକୁ ପ୍ରବୋଧ ଦେଲେ ମଧ୍ୟ ସବୁ ତା’ ପାଖରେ ନିଷ୍ଫଳ ହେଉଥାଏ ।

 

ସେହି ଝିଅଟି ବିଷୟରେ ପ୍ରତ୍ୟେକ ଯାତ୍ରୀ ଚିନ୍ତା କରିଥିଲେ; କିନ୍ତୁ ସେ କିମିତି ତା’ ବାପମା’ଙ୍କ ପାଖକୁ ଯିବ ସେ ବିଷୟରେ କେହି ସୁଚିନ୍ତିତ ମନ୍ତବ୍ୟ ଦେଇ ନଥିଲେ । ଆଉ କିଏବି କ’ଣ କହୁଛି ପାଟିତୁଣ୍ଡ ଭିତରେ କିଛି ଶୁଭୁ ନଥାଏ । ଅବଶେଷରେ ଚିତ୍କାର କଲାଭଳି ପାଟିକରି ସୁଧାଂଶୁ ସମସ୍ତଙ୍କୁ ଅନୁରୋଧ କରିଥିଲା–‘‘ଆପଣମାନଙ୍କ ଭିତରୁ କେହି ଝିଅଟିକୁ ଧରି ଆଗ ଷ୍ଟେସନ୍‍ରେ ଓହ୍ଲେଇ ଯାନ୍ତୁ । ଖୁବ୍ କମ୍ ସମୟ ଭିତରେ ଫାଇବ୍‍ଡ଼ାଉନ୍ ଆସିଯିବ । ସେଥିରେ ଝିଅଟିକୁ ନେଇ ହରିଦାସପୁରେ ଛାଡ଼ି ଅନ୍ୟଗାଡ଼ିରେ ଫେରି ଆସିବେ ।’’

 

ଏ ପ୍ରସ୍ତାବ ଅବଶ୍ୟ ଅନେକଙ୍କ ମନକୁ ପାଇଥିଲା; କିନ୍ତୁ ଯାଉଛି କିଏ ? ସମସ୍ତଙ୍କ ସାଙ୍ଗରେ ନିଜ ପିଲାଛୁଆ ଅଛନ୍ତି । ନିଜ ପିଲାଛୁଆଙ୍କୁ ଛାଡ଼ି ପରପାଇଁ ଯିବାକୁ କିଏ ବା ଇଚ୍ଛା କରିବ-। କାଳେ କିଛି ଆଲୋଚନାରେ ଭାଗନେଲେ ଏ ଦାୟିତ୍ଵ ନେବାକୁ ଅନ୍ୟମାନେ କହି ପାରନ୍ତି ଏହି ଆଶଙ୍କାରେ ସମସ୍ତେ ଚୁପ୍ ହୋଇଗଲେ ।

 

ସୁଧାଂଶୁ ଆହୁରି ଥରେ କିଏ ଯିବ ବୋଲି ପଚାରିଲା ପରେ ‘‘ହାମେ ଲେଇଯିବା” ବୋଲି ଶୁଣିଥିଲା । ସେ ଶବ୍ଦ ଅନୁକରଣରେ ତା’ ଦୃଷ୍ଟି ଯାହା ଉପରେ ପଡ଼ିଲା ତା’ ସହିତ ଏ ଝିଅଟିକୁ ଛାଡ଼ିବାକୁ ତା’ର ଇଚ୍ଛା ହେଲାନି । ସତେଇଶ ଅଠେଇଶବର୍ଷର ମୁସଲମାନ ଯୁବକଟିଏ । ତା’ ବେଶଭୂଷାରୁ କଟକର କୌଣସି ମାଂସ ଦୋକାନୀ ଭଳି ଦିଶୁଥାଏ । ତା’ର ଆରକ୍ତ ଚକ୍ଷୁ, ବାଘୁଆନିଶ ଓ ଗାଲ ଅଧ ପର୍ଯ୍ୟନ୍ତ ମାଡ଼ି ଆସିଥିବା ଗାଲମୁଛ ତା’ ମୁହଁକୁ ବଡ଼ ବେଶି ଭୟଙ୍କର କରିଥାଏ । ପରିଧାନ ଭିତରେ ଖଣ୍ଡେ ଅଧାମଇଳା ଲୁଙ୍ଗି ଓ ଖଣ୍ଡେ ମଇଳା ହାଫ୍‍ସାର୍ଟ । ମୁହଁରୁ ଇଞ୍ଜିନ୍‍ ଭଳି ବଡ଼ ଧୂଆଁ ବାହାରୁଥାଏ ।

 

ତା’ ଉପରୁ ଦୃଷ୍ଟିଫେରାଇ ସୁଧାଂଶୁ ନିଜ ବିଷୟରେ ଚିନ୍ତା କରିଥିଲା । ଗୋଟିଏ ଝିଅର ଏଭଳି ଅବସ୍ଥା ଦେଖିସାରିଲା ପରେ ତାକୁ ଛାଡ଼ିଯିବା ଅନ୍ୟାୟ ନିଶ୍ଚୟ ହେବ । ତା’ ବ୍ୟତୀତ ଗୋଟେ କଅଁଳା ମୃଗଶାବକକୁ ହିଂସ୍ର ବଣ୍ୟ ପଶୁ ଆଗରେ ଟେକି ଦେବାକୁ କିଏ ବା ଇଚ୍ଛା କରିବ ? ତା’ ଭିତରୁ ପୁରୁଷକାର ଚିତ୍କାର କରି ଉଠିଲା । ସେ ଦୃଢ଼କଣ୍ଠରେ କହିଲା, ‘‘ନା ମୁଁ ନେଇଯିବି ।”

 

ତା’ କଣ୍ଠର ଦୃଢ଼ତା ଦେଖି ଅନ୍ୟ କେହି କିଛି ଭାବି ନଥିଲେ; ବରଂ ଅନ୍ୟମାନେ ଧାନମଣ୍ଡଳଠି ତାଙ୍କୁ ଓହ୍ଲେଇବାରେ ସାହାଯ୍ୟ କରିଥିଲେ ।

 

ସେ ଷ୍ଟେସନ୍‍ରେ ଅନ୍ୟ ଷ୍ଟେସନ୍‍ମାନଙ୍କ ଭଳି ସେତେ ଭିଡ଼ ନଥିଲା । ଗାଡ଼ି ଚାଲିଯିବା ପରେ ଷ୍ଟେସନ୍‍ ପ୍ରାୟ ଫାଙ୍କା ହୋଇଗଲା । ଝିଅଟିକୁ ଗୋଟେ ବେଞ୍ଚ୍‍ ଉପରେ ବସେଇଦେଇ ସୁଧାଂଶୁ ଫେରନ୍ତା ଗାଡ଼ିପାଇଁ ଟିକଟ କରିବାକୁ ବାହାରିଲା । ତା’ର ହଠାତ୍ ଖିଆଲ ହେଲା, ଝିଅଟିର ବାପମା’ ବର୍ତ୍ତମାନ ଝିଅର ଅଦର୍ଶନରେ ନିଶ୍ଚୟ ଭୀଷଣ ବ୍ୟସ୍ତ ହେଉଥିବେ । କୌଣସି ପ୍ରକାର ତାଙ୍କୁ ଖବର ଦେଇଦବା ଉଚିତ । ତା’ପରେ ସେ ଝିଅଟି ପାଖକୁ ଆସି ପଚାରିଥିଲା–

 

ତୁମ ବାପାଙ୍କ ନାଁ କ’ଣ ?

 

“ଅଗଣି ତ୍ରିପାଠୀ–’’

 

ଆଉ ତୁମ ନାଁ ?

 

“ଗୀତି’’

 

ସଂକ୍ଷିପ୍ତ ପ୍ରଶ୍ନର ଯଥାର୍ଥ ଉତ୍ତର ଲୁହବତୁରା କଣ୍ଠରେ ଦେଇଥିଲା ଗୀତି । ତା’ପରେ ସୁଧାଂଶୁ ଷ୍ଟେସନ୍‍ମାଷ୍ଟରଙ୍କୁ ଭେଟି ସମସ୍ତ କଥା କହିଥିଲା ଏବଂ ଫୋନରେ ସେମାନେ ଏଇ ଗାଡ଼ିରେ ଫେରିଯାଉଛନ୍ତି ବୋଲି ସେଠାରୁ ଷ୍ଟେସନ୍‍କୁ ଜଣେଇ ଦେବାକୁ ଅନୁରୋଧ କରିଥିଲା । ତା’ ନହେଲେ ଝିଅ ମା’ଙ୍କର ହୁଏତ ହାଟ୍‍ ଫେଲ୍ କରିପାରେ ।

 

ସୁଧାଂଶୁର ଅନୁରୋଧରେ ଷ୍ଟେସନ୍‍ ମାଷ୍ଟର ଅନୁରୂପ ବ୍ୟବସ୍ଥା କରିଥିଲେ । ତା’ପରେ ସୁଧାଂଶୁ ନିଶ୍ଚିନ୍ତମନରେ ଟିକେଟ ଦୁଇଖଣ୍ଡ ଧରି ଗୀତି ପାଖକୁ ଫେରିଆସିଲା । ପାଖରେ ପହଞ୍ଚି ଦେଖିଲା ଗୀତି ତଳକୁ ମୁହଁ ପୋତି ଫୁଲିଫୁଲି କାନ୍ଦୁଛି । ତାକୁ ପ୍ରବୋଧ ଦେବାକୁ ଯାଇ ସୁଧାଂଶୁ କହିଲା–

 

‘ମୁଁ ତୁମ ବାପାଙ୍କ ପାଖକୁ ଫୋନ କରିଦେଇ ଆସିଛି । ଆମେ ଆଉ ଘଣ୍ଟାକ ଭିତରେ ଯାଇ ତାଙ୍କପାଖରେ ପହଞ୍ଚିଯିବା । ଏଥିରେ ଆଉ ମନକଷ୍ଟ କରିବାର କ’ଣ ଅଛି ?’

 

ଏତକ କହିସାରି ସୁଧାଂଶୁ ଗୀତିଠୁ ଟିକିଏ ଦୂରରେ ଆଉଗୋଟେ ବେଞ୍ଚ୍‍ ଉପରେ ଯାଇ ବସିଲା । ତା’ କଥାରେ ଗୀତି କାନ୍ଦ ବନ୍ଦକରିଛି କି ନାହିଁ ସେ କଥା ଦେଖିବାକୁ ତା’ର ପ୍ରବଳ ଆଗ୍ରହ ହେଲା; କିନ୍ତୁ ଅହେତୁକ ଲଜ୍ଜା ତାକୁ ସେଥିରୁ ନିବୃତ କଲା ।

 

ବହୁ ସହପାଠିନୀ ସୁଧାଂଶୁ ସହିତ ବନ୍ଧୁତା କରିବାକୁ ଇଚ୍ଛା କରିଛନ୍ତି । ବହୁ ବାନ୍ଧବୀଙ୍କ ସହିତ ବିଭିନ୍ନ ବିଷୟରେ ସେ ଘଣ୍ଟାଘଣ୍ଟାଧରି ଆଳାପ କରିଛି; କିନ୍ତୁ ଆଜିକାର ଏ ସାଧାରଣ ଝିଅଟି ସାଙ୍ଗରେ ସାମାନ୍ୟ ଟିକିଏ ଆଳାପ କରିବାକୁ ତାକୁ ଏତେ ସଂକୋଚ କାହିଁକି ଲାଗୁଚି ସେ ଜାଣିପାରିଲାନି । ତା’ଛଡ଼ା ତା’ର ବର୍ତ୍ତମାନର ଅବସ୍ଥା ଯାହା ସେଥିରେ ତା’ ସହିତ ବା କି ଗପ କରାଯାଇପାରେ ।

 

ତା’ପରେ ଅନ୍ୟମନସ୍କ ଭାବରେ ଖଣ୍ଡେ ସିଗାରେଟରେ ଅଗ୍ନିସଂଯୋଗ କଲା ସୁଧାଂଶୁ । ସେଥିରେ ମୃଦୁଟାଣ ଦେବା ସାଙ୍ଗେସାଙ୍ଗେ ପ୍ଲାଟ୍‌ଫର୍ମ୍‍ର ଅନ୍ୟ ଯାତ୍ରୀମାନଙ୍କ ଉପରେ ଆଖି ବୁଲେଇ ଆଣିଲା । ମାତ୍ର ଆଠ ଦଶଜଣ ଯାତ୍ରୀ ପ୍ଲାଟ୍‌ଫର୍ମ୍‍ରେ ଥାନ୍ତି । ସେମାନଙ୍କ ଭିତରୁ ଅଧିକାଂଶଙ୍କର ଅଶ୍ଳୀଳ ଦୃଷ୍ଟି ଗୀତି ଉପରେଇ ପଡ଼ିଥାଏ । ନିଜ ଚପଲରେ ସେମାନଙ୍କ ସହିତ ସମ୍ଭାଷଣ କରିବାକୁ ତା’ର ଇଚ୍ଛା ହେଲା ।

 

ତା’ର ସମସ୍ତ ଭବନରେ ପୂର୍ଣ୍ଣଚ୍ଛେଦ ଦେଇ ଟ୍ରେନ୍‍ ଆସି ପହଞ୍ଚିଲା । ସେ ଗୀତିକୁ ଗୋଟେ ଲେଡ଼ିଜ୍ କମ୍ପାଟ୍‍ମେଣ୍ଟରେ ଉଠେଇ ଦେଇ ନିଜେ ଅନ୍ୟତ୍ର ଉଠିଗଲା ।–

 

ମାତ୍ର ଆଠମିନିଟ ପରେ ସେମାନେ ଆସି ହରିଦାସପୁରରେ ପହଞ୍ଚିଲେ । ଗାଡ଼ି ନରହୁଣୁ ଗୀତିବାପଙ୍କର କଣ୍ଠଫଟା ‘ଗୀତି’ ଡାକ ସୁଧାଂଶୁ କାନରେ ବାଜିଲା । ଯାହାହେଉ ତାକୁ ଆଉ କଷ୍ଟକରି ତାଙ୍କୁ ଖୋଜିବାକୁ ହେଲାନି । ସ୍ୱାମୀସ୍ତ୍ରୀଙ୍କ ଅଧୀରତାହିଁ ସେମାନଙ୍କୁ ଗୀତିର ବାପାବୋଉ ବୋଲି ଚିହ୍ନେଇ ଦେଉଥିଲା । ଗୀତିକୁ ପାଇଲା ପରେ ସେମାନେ ଯେଉଁ ଦୃଶ୍ୟ ସେଠି ସୃଷ୍ଟିକଲେ ତାହା ପ୍ରତ୍ୟେକ ଦର୍ଶକ ହୃଦୟରେ ଭାବାବେଗ ଆଣିଥିଲା । ସୁଧାଂଶୁ ଦୂରରେ ଠିଆହୋଇ ସେ ଅପୂର୍ବ ମିଳନ ଦୃଶ୍ୟକୁ ଉପଭୋଗ କରୁଥାଏ ।

 

କିଛି ସମୟ ପରେ ସମସ୍ତେ ପ୍ରକୃତିସ୍ଥ ହେଲେ । ସେତେବେଳକୁ ପ୍ଲାଟ୍‌ଫର୍ମ୍‍ ପ୍ରାୟ ଶୂନ୍ୟ ହୋଇଯାଇଥାଏ । ଗୀତି ବାପା ଗୀତିକୁ ପଚାରିଲେ–

 

–‘‘ତୁ କେଉଁ ବାବୁଙ୍କ ସାଙ୍ଗରେ ଆସିଲୁ ମା’ ?”

 

ସୁଧାଂଶୁ ଚାହିଁଥାଏ । ଗୀତି ଲଜ୍ଜାବନତ ମୁଖରେ ତା’ରି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ତା’ ମା’ କାନରେ କ’ଣ କହିଲା ।

 

ତା’ପରେ ଆରମ୍ଭ ହୋଇଥିଲା ସୁଧାଂଶୁ ଉପରେ ଅତ୍ୟାଚାର । ଗୀତିର ବାପା ବୋଉ ଦୁହେଁଯାକ ତାକୁ ଏକପ୍ରକାର କୁଣ୍ଢେଇ ଧରିଥା’ନ୍ତି । ବୁଢ଼ା ଖାଲି ଶ୍ଳୋକଗୁଡ଼େ ବୋଲି ଆଶୀର୍ବାଦ କରି ଯାଉଥାନ୍ତି, ବୁଢ଼ୀ ତା’ ସର୍ବାଙ୍ଗ ଆଉଁଷି ପକଉଥାନ୍ତି ।

 

–‘‘ବାପା ମୋର, ତୁ ଆଜି ମୋ ଜୀବନ ରଖିଲୁ । ବଡ଼ ଅଭାଗୀ ଆମେରେ ବାପା । ଆମର ସେଇ ଗୋଟିକ ବୋଲି ଆଖି । ଆଉ ଟିକିଏ ଖବର ପାଇବାରେ ବିଳମ୍ବ ହୋଇଥିଲେ ମୁଁ ମୁଣ୍ଡପିଟି ମରି ଯାଇଥାନ୍ତି । ଭଗବାନ ମତେ ପୁଅ ଦେଇ ନାହାନ୍ତି । ହେଲେ ବାପା ତୁ ଆଜି ମୋର ସାତୁଟା ପୁଅର କାମ କରିଛୁ । ତୁ ଆଜିଠୁ ମୋର ଆଗ, ଗୀତି ପଛ ।’’

 

ବୁଢ଼ା ପଛରୁ ଆସି ପାଟିକଲେ–

 

“ଆସ ଏଠି ଆଉ ଏ ଅଭିନୟ କରନି । ମୁଁ ଶଗଡ଼ ଠିକ୍ କରି ଆସିଲିଣି ।’’

 

“ମୁଁ କିନ୍ତୁ ପୁଅକୁ ଛାଡ଼ି ନଯାଏ । ସେ ଗଲେ ଯାଇଁ ମୁଁ ଯିବି ।’’

 

“ବାବୁ କ’ଣ ଏଠି ଆଉ ରହନ୍ତେ ନା କ’ଣ ? କଟକ ଗାଡ଼ି ଆସୁ ଆସୁ ପୁଣି ଯାଇ ସନ୍ଧ୍ୟା । ବାବୁଙ୍କର ସ୍ନାନ ପର୍ଯ୍ୟନ୍ତ ହୋଇନି ପ୍ରାୟ ।’’

 

ସୁଧାଂଶୁର ମତ ନ ନେଇ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଆଲୋଚନା ଚାଲିଥାଏ । ସେ ନିଜେ ଯିବ କି ନଯିବ କିଛି ଠିକ୍ କରି ପାରୁ ନଥାଏ । କେତେ ବାଟ, କୁଆଡ଼େ ଯିବାକୁ ହେବ । ସନ୍ଧ୍ୟା ପୂର୍ବରୁ ଫେରି ଆସି ହବକି ନାହିଁ ପ୍ରଭୃତି ବିଭିନ୍ନ ଚିନ୍ତା ଭିତରେ ବୁଡ଼ି ରହିଥାଏ ସେ । ଯଦି ନ ଯାଏଁ ତେବେ ଆଜି ଦିନକ ତା’ର ଗାଧୁଆ ଖିଆ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ହେବ ।

 

ତା’ର ସମସ୍ତ ଭାବନାରେ ବାଧା ଦେଇ ଗୀତି ବୋଉ ଆସି ତା’ ହାତରୁ ହାଣ୍ଡବ୍ୟାଗ୍‍ଟା ଟାଣିନେଇ କହିଲେ–

 

“ମୋରାଣ ବାପା, ଆସ, ବାଟ ମାଇଲିଏ ହବକି ନାହିଁ । ଚାରିଟାବେଳକୁ ତୁମ ମଉସା ଆଣି ଛାଡ଼ି ଦେଇଯିବେ ।”

 

ବୁଢ଼ୀଙ୍କ ଅନୁରୋଧରେ ସୁଧାଂଶୁ ଯିବାପାଇଁ ନିଶ୍ଚିତ କଲା । ତା’ର ଗୀତିଙ୍କ ଘରକୁ ଯିବାରେ ଗୀତିର ମନୋଭାବ କ’ଣ ଜାଣିବାକୁ ଇଚ୍ଛାକରି ସୁଧାଂଶୁ ଗୀତି ମୁହଁକୁ ଚାହିଁଲା । ଗୀତି ଅନେକବେଳୁ ସୁଧାଂଶୁକୁ ଚାହିଁ ଠିଆ ହୋଇଥାଏ । ଚାରିଆଖି ଏକାଠି ହେବାମାତ୍ରେ ଗୀତି ମୁହଁରେ ସଲ୍ଲଜ ହସ ଧାରେ ଟାଣି ହୋଇଗଲା । ସାଙ୍ଗେ ସାଙ୍ଗେ ଆଖି ଦି’ଟା ତଳକୁ ହୋଇଥିଲା ତା’ର ।

 

ସେ ହସରେ କି ଆକର୍ଷଣ ଥିଲା କେଜାଣି ତା’ ପରେ ପରେ ସୁଧାଂଶୁ ନିଜକୁ ପର୍ଯ୍ୟନ୍ତ ଭୁଲିଗଲା । ଟିକିଏ ଆଗରୁ ଗୀତି ଘରକୁ ଯିବାକୁ ତା’ର ଦ୍ଵିଧା ଥିଲା । ବର୍ତ୍ତମାନ କିନ୍ତୁ ତାଙ୍କ ଘରକୁ ଯିବାରେ ତା’ର ପୂର୍ଣ୍ଣ ଆଗ୍ରହ ହେଲା । ସେମାନଙ୍କ ସହିତ ସେ ପ୍ଲାଟ୍‌ଫର୍ମ୍‍ ବାହାରକୁ ଆସିଲା । ଖଣ୍ଡିଏ ଶଗଡ଼ରେ ତାଙ୍କର ଜିନିଷପତ୍ର ସବୁ ଲଦାସରିଥାଏ । ଗୀତି ଓ ବୁଢ଼ୀ ଯାଇ ଶଗଡ଼ରେ ବସି ସାରିଲା ପରେ ସୁଧାଂଶୁକୁ ସେଠିକି ଯିବାକୁ ଡାକିଥିଲେ । ସେ କିନ୍ତୁ ଶଗଡ଼ରେ ବସି ଯିବାକୁ ନାହିଁ କରିଥିଲା । କେତେ ବା ବାଟ । ସେ ଖୁସିରେ ଚାଲି ଯାଇପାରିବ ।

 

ଶେଷକୁ ସୁଧାଂଶୁ କଥାହିଁ ରହିଲା । ଶଗଡ଼ରେ କେବଳ ଗୀତି ଓ ବୁଢ଼ୀ ବସିଲେ । ବୁଢ଼ା ଓ ସୁଧାଂଶୁ ପଛେ ପଛେ ଚାଲିଲେ ।

 

କିଛି ବାଟ ଗଲାପରେ ଶଗଡ଼ ପକ୍କା ସଡ଼କ ଛାଡ଼ି କଚ୍ଚା ସଡ଼କକୁ ଗଡ଼ିଲା । ରାସ୍ତା ମଝିଟି କେବଳ ଟିକିଏ ଉଚ୍ଚ ଥାଏ । ଦି’ଧାର ଶଗଡ଼ ଯାଇ ଯାଇ ଫୁଟେ ଲେଖେ ଗହିଡ଼ା ହୋଇଥାଏ । ସେହି ଗୁଳା ଭିତରେ କେଁକଟର ହେଇ ଶଗଡ଼ ଚାଲୁଥାଏ । ବଳଦଗୁଡ଼ା ଭଲ ଚାଲୁ ନଥାନ୍ତି । ମଝିରେ ଶଗଡ଼ିଆ ଦି’ଚାରି ପାହାର ବଳଦଙ୍କ ପିଠିରେ ବସେଇଦେଇ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥାଏ ।

 

ଶଗଡ଼ର ଗତି ବେଗ ସହିତ ତାଳରଖି ସୁଧାଂଶୁ ଧୀରେ ଧୀରେ ବୃଦ୍ଧଙ୍କ ସହିତ ଚାଲୁଥାଏ । ତା’ରି ଭିତରେ ବୃଦ୍ଧ ତାକୁ ନାନା ପ୍ରଶ୍ନ ପଚାରି ତା’ର ସମସ୍ତ ଖବର ବୁଝୁଥାନ୍ତି । ବୃଦ୍ଧଙ୍କର ସ୍ନେହାତିଶଯ୍ୟ ଯୋଗୁଁ ହେଉ ଅବା ଅନ୍ୟ କୌଣସି ଆକର୍ଷଣରେ ହେଉ ସୁଧାଂଶୁ ପୂର୍ଣ୍ଣପ୍ରାଣରେ ସେମାନଙ୍କ ପରିବାର ସହିତ ମିଶିଯିବାକୁ ଇଚ୍ଛା କରୁଥାଏ । ବୃଦ୍ଧଙ୍କ ପ୍ରଶ୍ନରେ ତେଣୁ ସେ ନିର୍ବିକାର ଭାବରେ ନିଜର ଘରକଥା ସବୁ ଗପି ଚାଲିଥାଏ ।

 

ତାଙ୍କ ଘର ଯାଜପୁର ଟାଉନ୍‍ଠୁ ଅଳ୍ପଦୂର ସିଦ୍ଧେଶ୍ଵରପୁର ଗ୍ରାମରେ । ଘରେ ତା’ର ବାପା ବୋଉ ଓ ସାନ ଭଉଣୀଟିଏ ଅଛନ୍ତି । କାନ୍ୟକୁବଜୀ ବ୍ରାହ୍ମଣ ସେ । ବାପା ତା’ର ଡେପୁଟି କଲେକ୍‍ଟର ଥିଲେ । ବର୍ତ୍ତମାନ ପେନ୍‍ସନ୍ ନେଇ ଘରେ ଜମିବାଡ଼ି ଖବର ବୁଝୁଛନ୍ତି । ସେ ରେଭେନ୍‍ସା କଲେଜରେ ପଢ଼େ । ତା’ର ଏବର୍ଷ ବି.ଏ. ଫାଇନାଲ୍ । ବାପାଙ୍କ ଚାକିରି ଅମଳରୁ କଟକରେ ଖଣ୍ଡେ ଘର କରିଥିଲେ । ସେଇଥିରେ ସେ ରହେ । ବସାରେ ଚାକର ଟୋକାଟିଏ ଅଛି.....ଇତ୍ୟାଦି ।

 

ଶଗଡ଼ିଆ ଡାକ ଛାଡ଼ିଲା, ‘ବୁଢ଼ାବାବୁ ଟିକିଏ ଆଗକୁ ଆସ । ତୁମେ ଟିକେ ଝୁରା ଓପରେ ବସି ଅଡ଼ଉଥାଅ । ମୁଁ ଆଗରେ ଚାଲୁଛି । ଆଗ ପୋଲ ପାଖରେ ଦାମୁରିଟା ହୁରୁଡ଼ୁଛି । ଟିକିଏ ତା’ କଡ଼ରେ ନ ରହିଲେ ହେବନି ।’

 

ଶଗଡ଼ ଠିଆ କରି ଶଗଡ଼ିଆ ତଳକୁ ଡେଇଁ ପଡ଼ିଲା । ବୃଦ୍ଧ ଶଗଡ଼ ଉପରକୁ ଉଠୁ ଉଠୁ ଗୀତି ଉଦ୍ଦେଶ୍ୟରେ କହିଲେ–

 

–‘‘ତୋ ବୋଉ ଶୋଇ ପଡ଼ିଲେଣି କି ।”

 

“ଷ୍ଟେସନ୍‍ଠୁ ଶୋଇଲାଣି ନା ।”

 

ଶଗଡ଼ ତାଟିଭିତରୁ ଗୀତି ଉତ୍ତର ଦେଇଥିଲା । ‘‘ହଉ ରାତିଯାକ ଚାହିଁଥିଲେ, ଶୁଅନ୍ତୁ ।” କହି ବୃଦ୍ଧ ବଳଦ ଅଡ଼େଇବାରେ ଲାଗିଗଲେ । ପୂର୍ବ ତାଳରେ ଶଗଡ଼ ହଲିହଲି ଚାଲିବାକୁ ଆରମ୍ଭ କଲା । ଶଗଡ଼ ପଛରେ ଏକା ସୁଧାଂଶୁ ଅନ୍ୟମନସ୍କ ଭାବରେ ଧୀରେ ଧୀରେ ଚାଲୁଥାଏ ।

 

ଶଗଡ଼ ତାଟ ପଛରେ ପବନ ଯିବାକୁ ଛୋଟ ଜଳାଟିଏ ଥାଏ । କିଛି ବାଟ ଗଲାପରେ ସୁଧାଂଶୁର ଦୃଷ୍ଟି ସେଇଠି ପଡ଼ିଥିଲା । ସେ ଲକ୍ଷ୍ୟ କଲା, ସେ ଚାହିଁଲାମାତ୍ରେ ଗୀତିର ସଲ୍ଲଜ ଆଖି ଦିଓଟି ସେ ଜଳା ପାଖରୁ ଘୁଞ୍ଚିଗଲା । ଜୋରକରି ନିଜ ଆଖିକୁ ସେଠୁ ଫେରେଇ ଆଣିଲା ସୁଧାଂଶୁ; କିନ୍ତୁ ବେଶି ସମୟ ସେ ଧୈର୍ଯ୍ୟ ରଖିପାରିଲାନି । ଆଖି ଦି’ଟା ତା’ର ସ୍ଵତଃ ସେ ଜଳା ପାଖକୁ ଟାଣି ହୋଇଗଲା । ଏଥର ମଧ୍ୟ ସେହି କଳାଆଖି ଦିଓଟି ତା’ ଆଖିରେ ପଡ଼ିଲା । ଏଥର କିନ୍ତୁ ସେ ଆଖି ଆଉ ସେଠୁ ଘୁଞ୍ଚିଲାନି । ଉଭୟ ଉଭୟଙ୍କ ଆଖିଦେଇ ହୃଦୟକୁ ଅଧ୍ୟୟନ କରିବାକୁ ଲାଗିଲେ । ଗୀତି ଆଖିରେ ଥିଲା ଆତ୍ମସମର୍ପଣର ନିମନ୍ତ୍ରଣ । ସାଗର ବକ୍ଷରେ ମିଶିଯିବା ପାଇଁ କ୍ଷୁଦ୍ରତଟିନୀର ଗଭୀର ଆକୁଳତା ।

 

ହଠାତ୍ ଗୋଟେ ହିଡ଼ ଖୁଣ୍ଟି ସୁଧାଂଶୁ ଶଗଡ଼ ଦଣ୍ଡା ଉପରେ ଝୁଙ୍କି ପଡ଼ିଲା । ସେଥିରେ ତା’ର ଧ୍ୟାନ ଭଙ୍ଗହେଲା । ସେ ଦେଖିଲା ଶଗଡ଼ ସଡ଼କଛାଡ଼ି ଗାଁ ଦାଣ୍ଡକୁ ଗଡ଼ୁଛି । ଗୀତିଙ୍କ ଘର ଯେ ନିକଟ ହେଲାଣି ଜାଣି ସେ ନିଜକୁ ସଜାଡ଼ି ନେଲା । ଅପରିଚିତ ଜାଗା, କେତେ ନୂଆ ମୁହଁ ଦିଶିବ । ତାକୁ କିଏ କେତେ ପ୍ରକାରର ପ୍ରଶ୍ନ ପଚାରି ପାରନ୍ତି । ସବୁ ସବୁ କଥା ଚିନ୍ତା କରି ତାକୁ ସଂକୋଚ ଲାଗିଲା ।

 

ଶଗଡ଼ କିନ୍ତୁ ଗାଁ ଭିତରକୁ ପ୍ରବେଶ ନକରି ଗାଁର ପ୍ରଥମମୁଣ୍ଡ ଘର ଆଗରେଇ ରହିଲା । ତଥାପି ସ୍ତ୍ରୀ, ପୁରୁଷ ହୋଇ ଦଶ ପନ୍ଦର ଜଣପର୍ଯ୍ୟନ୍ତ ଆସି ଶଗଡ଼କୁ ଘେରି ଯାଇଥିଲେ । ସମସ୍ତଙ୍କର ଜିଜ୍ଞାସୁ ଦୃଷ୍ଟି ତା’ରି ଉପରେ ପଡ଼ିଥିଲା । ଗୀତି ବାପା ସୁଧାଂଶୁର ପରିଚୟ ଅନ୍ୟମାନଙ୍କ ସହ କରେଇ ଦେଇ, ସୁଧାଂଶୁ ତାଙ୍କ ଘରକୁ ଆସିବାର ସମସ୍ତ କାରଣ ଅନ୍ୟମାନଙ୍କୁ ବୁଝେଇ ଦେଇଥିଲେ ।

 

ଗାଁ ଲୋକଗୁଡ଼ିକ ଅତି ସରଳ ଏବଂ ଭଦ୍ର । ସୁଧାଂଶୁକୁ ସମସ୍ତେ ସମ୍ଭ୍ରମର ସହିତ ସମ୍ମାନ ଦେଖେଇଥିଲେ । ନିଜ ପରିବାରର ପୁଅଭଳି ଆଦର କରିଥିଲେ ତାକୁ । କିଛି ସମୟ ପରେ ଗୋଟି ଗୋଟି ହୋଇ ସମସ୍ତେ ବିଦା ହୋଇଯାଇଥିଲେ । ତାଙ୍କୁ କେବଳ ଘେରି ରହିଥିଲେ ହାଫ୍‍ପ୍ୟାଣ୍ଟପିନ୍ଧା ପୁଅ ଓ ଫ୍ରକ୍‍ପିନ୍ଧା ଝିଅ କେଇଜଣ ।

 

ସୁଧାଂଶୁ ଗୋଡ଼ ହାତଧୋଇ ଗୀତିଙ୍କ ଦାଣ୍ଡଘରେ ବିଶ୍ରାମ ନେଲା । ଚାଳଘର ହେଲେ ମଧ୍ୟ ଘରଗୁଡ଼ିକ ବେଶ୍ ପରିଷ୍କାର ପରିଚ୍ଛନ୍ନ । ଘରଗୁଡ଼ିକର ସାଜସଜ୍ଜା ଗୃହକର୍ତ୍ତାଙ୍କର ଉନ୍ନତ ରୁଚିର ପରିଚୟ ଦେଉଛି । ଆସିଲାବେଳେ ବାଟରେ ବୃଦ୍ଧଙ୍କ କଥାବାର୍ତ୍ତାରୁ ସୁଧାଂଶୁ ଯାହା ସଂଗ୍ରହ କରିଛି, ସେଥିରୁ ଜାଣିଛି, ବୃଦ୍ଧ ଜୀବନର ଅଧିକାଂଶ ସମୟ ପ୍ରବାସରେଇ କଟେଇଛନ୍ତି । ଘରେ ଗୀତି ଓ ତା’ ବୋଉ ଏବଂ ଚାକରଟିଏ ବ୍ୟତୀତ ଅନ୍ୟ କେହି ନଥାନ୍ତି । ବୁଢ଼ୀ ଚାକରଟିଦ୍ଵାରା ଚାଷବାସ କରେଇ ନିଅନ୍ତି । ଗୀତି ଗାଁ ମାଇନର୍ ସ୍କୁଲରେ ପାସ୍ କରିଛି । ଅଧିକ ପଢ଼େଇବାକୁ ଇଚ୍ଛାଥିଲେ ମଧ୍ୟ ପାଖରେ କେଉଁଠି ହାଇସ୍କୁଲ ନାହିଁ । ଦୂର ବାଟକୁ ଝିଅପିଲାଙ୍କୁ ପଠେଇବାକୁ ମା’ଙ୍କର ଇଚ୍ଛା ନୁହେଁ ।

 

ବୃଦ୍ଧ କଲିକତାରୁ ଏଥର ଶେଷ ବିଦାୟ ନେଇ ଆସିଛନ୍ତି । ସେଇଥିପାଇଁ ଗଲା ଦୁର୍ଗା ପୂଜାକୁ ପିଲାମାନଙ୍କୁ କଲିକତା ନେଇ ଯାଇଥିଲେ । ମାସେ ଖଣ୍ଡେ କଲିକତାରେ ରହି ଆଜି ଫେରିଲେ ।

 

ସୁଧାଂଶୁ ଘରର ଚାରିଆଡ଼ୁ ଆହୁରିଥରେ ଦୃଷ୍ଟି ବୁଲେଇ ଆଣିଲା । ଦକ୍ଷିଣମୁହାଁ ଘର, ଦାଣ୍ଡ ଦରଜାକୁ ଛାଡ଼ି ଦାଣ୍ଡ କଡ଼କୁ ଖୁବ୍ ବଡ଼ବଡ଼ ଝରକା ଦି’ଟା, ଝରକାରେ ହାତକାମକରା ପରଦା ଦିଖଣ୍ଡ ଝୁଲୁଛି । ଝରକା ଉପରେ ସୁନ୍ଦର ସିନେରିର ଦୁଇଖଣ୍ଡ ବନ୍ଧେଇ ଫଟୋ । ସେ ସବୁ ଯେ ଗୀତିର କୃତିତ୍ଵ ଏତକ ବୁଝିବାକୁ ବାକିରହିଲାନି ତା’ର । ତା’ ଚିନ୍ତାରେ ବାଧାଦେଇ ବୃଦ୍ଧ ଆସି ସେ ଘରେ ବସିଲେ । ତା’ପରେ ତା’ ଉଦ୍ଦେଶ୍ୟରେ ଆରମ୍ଭ କଲେ–

 

–‘‘ଆମ ଗରିବ ଘର କ’ଣ ଦେଖୁଛ ବାବୁ ? ମାଇପି ଘର, ମୁଁ ତ ସବୁଦିନେ ବିଦେଶରେ, ବର୍ଷକରେ ମାସଟିଏ ଘରେ ରହିଲେ ଖୁବ୍ ।”

 

ତାଙ୍କ କଥାଭିତରେ ଭିତର ପଟ କବାଟ କଡ଼କୁ ଚାହିଁ କହିଲେ,–

 

“ଲାଜ କାହାକୁ କରୁଛୁ ମା’; ତେଲ ଏଇଠିକି ଆଣ । ସେ ତ ତୋର ବଡ଼ ଭାଇ ପରି । ତାଙ୍କୁ ଲାଜ କ’ଣ ?”

 

ତା’ପରେ ଲାଜ ଲାଜ ହୋଇ ଗୀତି ଗୋଟେ କାଚଗିନାରେ ତେଲ ଆଣି ତା’ ଆଗରେ ଥୋଇଲା । ସେ କିନ୍ତୁ ସେ ପର୍ଯ୍ୟନ୍ତ ନିଜର ଲୁଗା ବଦଳି ନଥାଏ । ନିଜର ବ୍ୟାଗ୍‍ଟା ତାଙ୍କ ଜିନିଷ ସହିତ ଘର ଭିତରକୁ ଚାଲି ଯାଇଛି । ସେ କଥା ବୁଝିପାରି ସୁଧାଂଶୁ କହିବା ଆଗରୁ ଗୀତି ଘରଭିତରକୁ ଯାଇ ତା’ ଲୁଙ୍ଗି ଆଉ ଟାୱେଲ ଆଣି ତା’ ହାତକୁ ବଢ଼େଇ ଦେଲା । ସୁଧାଂଶୁ ଲକ୍ଷ୍ୟକଲା ଗୀତିର ସଂକୋଚ ଆସ୍ତେ ଆସ୍ତେ କମି ଆସୁଛି ।

 

ତା’ପରେ ବୃଦ୍ଧଙ୍କ ନିର୍ଦ୍ଦେଶରେ ଗୀତି ସୁଧାଂଶୁକୁ ନେଇ ତାଙ୍କ ବାଡ଼ିପଟ ପୋଖରୀ କୂଳକୁ ଗଲା । ମଧ୍ୟ ଭଳି ପୋଖରୀଟିଏ । ପାଣି ପରିଷ୍କାର ଥାଏ, କୂଳରେ ପଥର ବନ୍ଧା ହୋଇ ପାହାଚ ତିଆରି କରାହୋଇଛି । ପୋଖରୀକୁ ଯିବା ବାଟ ଦି’କଡ଼ରେ ବିଭିନ୍ନ ଜାତିଫୁଲର ଛୋଟ ବଗିଚା ଦିଖଣ୍ଡ । ଅନ୍ୟ ତିନିପାଖରୁ ଗୋଟେ ପାଖରେ ଛୋଟ ଆମ୍ବ ବଗିଚାଟିଏ । ଅନ୍ୟ ଦୁଇପାଖରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାହୋଇଛି । ବାଡ଼ିର ଚାରିପାଖ ନିବୁଜ ବାଡ଼ ବୁଜା ହୋଇଛି । ତେଣୁ ଏପାଖଟି ଖୁବ୍ ନିରୋଳା ଥାଏ ।

 

ପୋଖରୀକୂଳରେ ପହଞ୍ଚିଲା ପରେ ଗୀତି ସୁଧାଂଶୁକୁ କହିଥିଲା–

 

–‘‘ସିଗାରେଟ ଖାଇବେ !”

 

ପ୍ରକୃତରେ ସୁଧାଂଶୁର ସିଗାରେଟ ଖାଇବାକୁ ପ୍ରବଳ ଆଗ୍ରହ ହେଉଥିଲା । କିନ୍ତୁ କ’ଣ ଭାବି ସେ କହିଲା–

 

–‘‘ମୁଁ ତ ସିଗାରେଟ ଖାଏନି–’’

 

–‘‘ଯେଉଁ ଷ୍ଟେସନ୍‍ରେ ଆମେ ଓହ୍ଲେଇଲେ ସେଠି ଖାଉ ନଥିଲେ ?”

 

–‘‘ଏମିତି ଇଚ୍ଛାହେଲା ଖଣ୍ଡେ କିଣି ଖାଇ ଦେଇଥିଲି । ସିଗାରେଟ ପାଖରେ ରଖି ସବୁବେଳେ ଖାଇବାର ଅଭ୍ୟାସ ମୋର ନାହିଁ ?”

 

–‘‘ହଉ ନଥାଉ, ତୁମ ବ୍ୟାଗ୍‍ରେ କେଉଁ ବଦମାସ ଗୋଟେ ସିଗାରେଟ ପ୍ୟାକେଟ୍ ଆଉ ଡିଆସିଲି ରଖି ଦେଇଥିଲା । ଫିଙ୍ଗିଦେବ କାହିଁକି, ଗୋଟେ ଖାଇଦିଅ ।” ଏତକ କହି ନିଜ ଲୁଗାକାନି ଭିତରୁ ସିଗାରେଟ ଆଉ ଡିଆସିଲି କାଢ଼ି ସୁଧାଂଶୁ ହାତକୁ ଗୀତି ବଢ଼େଇ ଦେଇଥିଲା ।

 

ସୁଧାଂଶୁ ସିଗାରେଟ ଲଗେଇବାକୁ ଇତସ୍ତତଃ ହେଉଥିଲା । ଗୀତି ତାକୁ ନିର୍ଭୟ ଦେଇ ପୁଣି କହିଲା–

 

–‘‘ଭୟ ନାହିଁ, ଏ ପାଖକୁ ବର୍ତ୍ତମାନ ଆଉ କେହି ଆସିବେନି ।”

 

ଗୀତି କଥା ଭିତରେ ସୁଧାଂଶୁକୁ ଆପଣ ଛାଡ଼ି ତୁମେ କହିବାର ଦେଖି ସୁଧାଂଶୁ ଆନନ୍ଦିତ ହୋଇଥିଲା । ଆତ୍ମୀୟତା ନଥିଲେ ଏଇ ‘ତୁମେ’ କେଉଁଠୁଁ ମିଳେନି । ତା’ପରେ ସେ ପାଣିରେ ପଶି ଗାଧୋଇବାକୁ ଆରମ୍ଭ କଲା । ତା’ର ଶୁଭ୍ରତନୁ, ପ୍ରଶସ୍ତ ବକ୍ଷସ୍ଥଳ, ସୁଦୀର୍ଘ ବାହୁଯୁଗଳ, କମନୀୟ ମୁଖଶ୍ରୀ ଗୀତିର ସର୍ବାଙ୍ଗରେ ପୁଲକ ଆଣୁଥାଏ । ସୁଧାଂଶୁର ଆବରଣହୀନ ବକ୍ଷସ୍ଥଳରେ ଶୁଭ୍ର ଯଜ୍ଞୋପବୀତ ତାକୁ ଆହୁରି ସୁନ୍ଦର କରି ତୋଳୁଥାଏ । ଗଛ ଉଢ଼ାଳରେ ରହି ସତୃଷ୍ଣ ନୟନରେ ଗୀତି ତା’ର ସ୍ନାନକୁ ଲକ୍ଷ୍ୟ କରୁଥାଏ ।

 

ଖାଇବା ପାଖରେ ସୁଧାଂଶୁ ବସି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏତେ କମ୍ ସମୟ ଭିତରେ ଏତେ ପ୍ରକାର ଭଜା ତରକାରୀ କିପରି ହେଲା ସେ ସେହିକଥା ଚିନ୍ତା କରୁଥାଏ, ଗୀତି ଘିଅ ଆଣିକରି ସେ ଘରକୁ ଆସିଲା । ସୁଧାଂଶୁ ଚାରି ଆଡ଼କୁ ଲକ୍ଷ୍ୟ କଲା–ପାଖରେ କେହି ଆଉ ନାହାନ୍ତି-। ତା’ପରେ ଗୀତି ଉଦ୍ଦେଶ୍ୟରେ କହିଲା–

 

–‘‘କ’ଣ ଖୁବ୍ ଚର୍ଚ୍ଚା କରୁଚ ।”

 

–‘‘ହୁଁ–’’ କହି ଟିକିଏ ଅର୍ଥପୂର୍ଣ୍ଣ ହସ ହସି ଗୀତି ସେଠୁ ଚାଲି ଯାଇଥିଲା–

 

ସୁଧାଂଶୁ ଖାଇସାରି ବାଡ଼ିପଟକୁ ହାତ ଧୋଇବାକୁ ଗଲା । ସାଙ୍ଗରେ ଟାୱେଲ ଧରି ଗୀତି ଯାଉଥାଏ । ବାଡ଼ିପଟରେ ବୃଦ୍ଧ ତ୍ରିପାଠୀ ଖାଇସାରି ମଧ୍ୟ ହାତ ଧୋଉଥାନ୍ତି । ସୁଧାଂଶୁ ହାତଧୋଇସାରି ହାତ ପୋଛୁ ପୋଛୁ କହିଲା–

 

–‘‘ବଡ଼ ସୁନ୍ଦର ଆପଣଙ୍କର ଏ ଗାଁଟି, କେତେ ସମୟ ମୁଁ ବା ଏଇଠି ରହିଲି, ମତେ କିନ୍ତୁ ଭାରି ଖୁସି ଲାଗୁଛି । ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର ଏଇଟା । ଗାଁ ଚାରିପଟେ ସବୁଜ ଧାନକିଆରି, ତାକୁ ପ୍ରାଚୀର ପରି ଚାରିପାଖରୁ ଘେରିରହିଛି ସବୁଜ ପାହାଡ଼ ସବୁ, ପାହାଡ଼ ପାଦ ପାଖରୁ ଗୋପାଳ ବାଳକଙ୍କର ବଂଶୀଧ୍ୱନି ପବନ ସାଥିରେ ଭାସି ଆସୁଛି । ଏ ସବୁ ଦୃଶ୍ୟ ସହରରେ ଦୁର୍ଲ୍ଲଭ-।”

 

“ମୁଁ କିନ୍ତୁ ବଡ଼ ହତଭାଗ୍ୟ, ସୁଧାଂଶୁବାବୁ ! ସାରା ଜୀବନ ମୁଁ ମୋର ଏ ପବିତ୍ର ଜନ୍ମ ମାଟିକି ଛାଡ଼ି ପ୍ରବାସରେ କଟେଇ ଦେଇ ଆସିଲି ।” ଗଭୀର ଦୁଃଖରେ ଉତ୍ତର ଦେଇଥିଲେ ବୃଦ୍ଧ ତ୍ରିପାଠୀ ।

 

ତା’ପରେ ଗୋଟେ ପାହାଡ଼କୁ ନିର୍ଦ୍ଦେଶ କରି ସୁଧାଂଶୁ ପଚାରିଲା–

 

–‘‘ଏ ପାହାଡ଼ର ନାଁ କ’ଣ ?”

 

“ପ୍ରସିଦ୍ଧ ଚଣ୍ଡୀଖୋଲ ପରା ସେ ବାବୁ । ଆପଣ କ’ଣ କେବେ ସେଠିକି ଆସିନାହାନ୍ତି ।”

 

ଅନୁତାପ କଲାଭଳି ସୁଧାଂଶୁ ଉତ୍ତର ଦେଲା–

 

–‘‘ମୋ ଭାଗ୍ୟରେ କେବେ ସେ ସୁଯୋଗ ଯୁଟିନି । କେବଳ ପଢ଼ା ବହିଭିତରେ ଚଣ୍ଡୀଖୋଲ ସହିତ ଆମର ପରିଚୟ ।”

 

–‘‘ତାହାହେଲେ ଆଜି ଦିନକ ଆପଣ ଏଠି ରହନ୍ତୁ । ଚାରିଟାବେଳେ ଚାଲିଯିବେ । ବାଟପାଏ ଖଣ୍ଡେ ହେବକି ନାହିଁ । ଛ’ଟା ଭିତରେ ଫେରି ଆସିବେ ଯେ ।

 

ଯାଆନ୍ତୁ ଟିକେ ବିଶ୍ରାମ କରନ୍ତୁ–ଖରା ଗଡ଼ିଗଲେ ଚଣ୍ଡୀଖୋଲ ଯିବେ ।”

 

ତାଙ୍କ କଥାରେ ପ୍ରତିବାଦ କରି ସୁଧାଂଶୁ କହିଲା–

 

–‘‘ଆଚ୍ଛା ମଉସା ! ମୁଁ ତ ଆପଣଙ୍କ ପୁଅପରି । ମତେ ଆପଣ, ତୁମେ ନକହି ତୁ କହିଲେ ବରଂ ମୁଁ ଖୁସିହୁଅନ୍ତି ।”

 

ଉଚ୍ଛ୍ୱସିତ ଆନନ୍ଦ ଭିତରେ ବୃଦ୍ଧ ହୋହୋ କରି ହସି ଉଠିଲେ । ତା’ପରେ ଗୀତିକୁ ଡାକି କହିଥିଲେ–

 

–‘‘ଆରେ ଗୀତି ! ତୋ ଭାଇନାକୁ ଡାକିନେ, ସେ ଟିକିଏ ବିଶ୍ରାମ କରୁ ।

 

ଦାଣ୍ଡଘରକୁ ଲାଗି ଆଉ ଗୋଟିଏ ବଖରା ଘର । ସେହି ଘରଭିତରକୁ ସୁଧାଂଶୁକୁ ଗୀତି ଡାକି ନେଲା । ଘର ଭିତରେ କାନ୍ଥକଡ଼କୁ ଲାଗି ଖଣ୍ଡେ ସାଦା ଖଟ ଉପରେ ପରିଷ୍କାର ବିଛଣା ବିଛାଯାଇଛି । ମୁଣ୍ଡଉପରେ ସୁନ୍ଦର ତକିଆଟିଏ । ତକିଆଖୋଳରେ ହାତକାମ କରାହୋଇ ଲେଖାଯାଇଛି–‘‘ଭୁଲିବନି”–ତା’ ତଳକୁ ଛୋଟ ଅକ୍ଷରରେ ‘ଗୀତି’ ବୋଲି ଲେଖାଯାଇଛି । ଗୋଟେ ପାଖକୁ ଗୋଟେ ଆଲମିରା । ଆଲମିରା କଡ଼କୁ ଖଣ୍ଡେ ଆଲଣା ଉପରେ କେତେଖଣ୍ଡ ଶାଢ଼ି ଆଉ ବ୍ଲାଉଜ୍ ସଜଡ଼ାହୋଇ ଥୁଆହୋଇଛି । ତା’ପାଖକୁ ଗୋଟେ କାଠ ଷ୍ଟାଣ୍ଡ ଉପରେ ମଧ୍ୟଭଳି ଗୋଟେ ଟ୍ରଙ୍କ୍ । ଟ୍ରଙ୍କ୍ ଉପରେ କେତେଗୁଡ଼େ ବହି ସଜା ହୋଇ ଥୁଆ ହୋଇଛି ।

 

ଘରର ଚାରିପାଖରୁ ଥରେ ଆଖି ବୁଲେଇ ଆଣିଲା ସୁଧାଂଶୁ । ତା’ପରେ ବିଛଣା ଉପରେ ଯାଇ ବସିଲା । ଗୀତି ଟ୍ରଙ୍କ୍ ଫିଟେଇ ଗୋଟେ କାଚ ଥାଳିଆରେ ଲବଙ୍ଗ ଗୁଜୁରାତି ଆଣି ସୁଧାଂଶୁ ପାଖରେ ଥୋଇଲା । ସୁଧାଂଶୁ କହିଲା–

 

–‘‘ମୋର ତ ଏସବୁ କିଛି ଦରକାର ନଥିଲା ।”

 

–‘‘ଆଉ କ’ଣ ସିଗାରେଟ ?”

 

–‘‘ହେଲେ ଭଲ ହୋଇଥାନ୍ତା ।”

 

–‘‘କିନ୍ତୁ ଘରଭିତରେ ସିଗାରେଟ ଖାଇଲେ, ବାପାଙ୍କୁ କହିଦେବି ।” ଅନୁଚ୍ଚ ସ୍ଵରରେ ଦୁଷ୍ଟାମି କରି ଗୀତି କହିଲା ।

 

ପ୍ରକୃତରେ ତା’ କଥାରେ ନରମି ଯାଇ ସୁଧାଂଶୁ ସିଗାରେଟ ଖାଇବା ଆଶା ମନରୁ ଛାଡ଼ିଦେଲା । ସୁଧାଂଶୁ ଶୋଇବାକୁ ଯାଉଛି ଦାଣ୍ଡଦୁଆର ଆଡ଼େ କାହାର ପାଟି ଶୁଭିଲା ।

 

–‘‘ତୁ କୁଆଡ଼େ ସାଙ୍ଗରେ ଗୋଟିଏ ଜୋଇଁ ଆଣିଛୁ ଗୀତି ମା’ ?”

 

ତା’ ସାଙ୍ଗେ ସାଙ୍ଗେ ଗୀତି ମା’ଙ୍କର ଅନୁଚ୍ଚ କଣ୍ଠସ୍ଵର–

 

–‘‘ଛିଃ ଖୁଡ଼ୀ, ଭଦ୍ରଲୋକର ପୁଅ ମନରେ କ’ଣ ଭାବିବେ କହିଲ ? ତୁମର ସବୁଥିରେ ଏଇକଥା ।”

 

–‘‘କାହିଁକି କ’ଣ ହେଲା କି, ଆମର ଜାତି ପୁଅ ତ । ହେଲା ସେ ବଡ଼ଲୋକ, ଆମେ ଗରିବ, କିନ୍ତୁ ଗୀତି ଭଳି ଝିଅଟିଏ ଭଲା ସେ କେଉଁଠୁଁ ପାଇବେ ?”

 

ଆଗନ୍ତୁକ ଜଣକ ସୁଧାଂଶୁ ଶୋଇଥିବା ଘର ଆଡ଼କୁ ଆସିଲେ । ତାଙ୍କ ପାଦଶବ୍ଦ ତ୍ରସ୍ତା ହରିଣୀ ଭଳି ଗୀତି କବାଟ କଣରେ ଲୁଚି ଯାଉ ଯାଉ କହିଲା–

 

–‘‘ତୁମକୁ ମୋ ରାଣ, ମୁଁ ଏଠି ଥିବାକଥା ବୁଢ଼ୀକୁ ଜମା କହିବନି, ବୁଢ଼ୀ ମୁହଁରେ ଏଇନେ ବାଡ଼ବତା ରହିବନି ।”

 

ତା’ ଅବସ୍ଥା ଦେଖି ସୁଧାଂଶୁ ନ ହସି ରହିପାରିଲାନି । ବୁଢ଼ୀଟି ଆସି ତା’ ଘର ଦ୍ଵାରମୁହଁରେ ଠିଆହୋଇ ବହୁ ସମୟ କଥାବାର୍ତ୍ତା ହେଲେ । ଗଲାବେଳକୁ ସୁଧାଂଶୁକୁ ଶୁଣେଇ ଶୁଣେଇ କହିଗଲେ–

 

–‘‘କନିଆଁଟିକି ଯେତେବେଳେ ବିପଦ ଭିତରୁ ଉଦ୍ଧାର କରିଛ, ତାକୁ ଆଉ ଛାଡ଼ନା । ଟୋକୀଖଣ୍ଡ କୁଆଡ଼େ ଗଲା ଦେଖେ ।”

 

ବୁଢ଼ୀ ବାରିପଟକୁ ଚାଲିଗଲାରୁ ଦୀର୍ଘନିଃଶ୍ଵାସ ପକେଇ ଗୀତି କବାଟ କଣରୁ ବାହାରିଲା-। ତା’ର ଅବସ୍ଥା ଦେଖି ହସିହସି ସୁଧାଂଶୁ କହିଲା–

 

–‘‘ଏଇନେ ସିଗାରେଟ କଥାରେ ମତେ ଡରଉଥିଲ । ମୁଁ ଯଦି ବୁଢ଼ୀକି କହିଦେଇଥାନ୍ତି-।”

 

–‘‘କହିଲନି, ବୁଢ଼ୀ କ’ଣ ଏକା ମତେ କହିଥାନ୍ତା କି, ତୁମେ କ’ଣ ବାଦ ଯାଇଥାନ୍ତ ?”

 

–କ’ଣ ସେଇଠୁ ହୋଇଥାନ୍ତା, ମୋର ସେଥିରେ ଲାଭ ବ୍ୟତୀତ କ୍ଷତି ତ ହୋଇ ନଥାନ୍ତା”–

 

ତା’ କଥାରେ ଛଳ କୋପ କରି ସେଠୁ ଯାଉ ଯାଉ ଗୀତି କହିଥିଲା–

 

–‘‘ସେମିତି କଥା କହିଲେ ଜମା ତୁମ ପାଖକୁ ଆସିବିନି ।”

 

ବାସ୍ତବତା ପାଖରେ କଳ୍ପନା ଯେ କେତେ କ୍ଷୀଣ ଆଉ ନ୍ୟୂନ ସେକଥା ଚଣ୍ଡୀଖୋଲରେ ପହଞ୍ଚି ସୁଧାଂଶୁ ଚିନ୍ତା କରିଥିଲା । ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତ କିରଣ ଚଣ୍ଡୀଖୋଲର ନୀଳକଳେବର ଉପରେ ପଡ଼ି ଅପୂର୍ବ ଶୋଭା ଧାରଣ କରିଥାଏ । ଛୋଟ ଛୋଟ ଝରଣାଗୁଡ଼ିକ କିଶୋରୀ ବାଳିକାଙ୍କ ପରି କଳକଳ ନାଦରେ ବହି ଯାଉଥାନ୍ତି । ବିଭିନ୍ନ ଅଜଣା ଅଶୁଣା ପକ୍ଷୀଙ୍କ କଳରବ ସ୍ଥାନଟିକୁ ସଙ୍ଗୀତ ମୁଖର କରୁଥାଏ । ଶ୍ୟାମ ବନାନୀର ଅପୂର୍ବ ସୌନ୍ଦର୍ଯ୍ୟ ପାଷାଣ ପ୍ରାଣରେ ମଧ୍ୟ କବିତାର ଛନ୍ଦ ସୃଷ୍ଟି କରୁଥାଏ ।

 

ସୁଧାଂଶୁ ମୁଗ୍ଧ ନେତ୍ରରେ ସବୁଆଡ଼େ ଥରେ ଥରେ ଆଖି ବୁଲେଇ ଆଣିଲା । ପଥର ଉପରେ ଉଠୁ ଉଠୁ ଅନ୍ୟମନସ୍କ ହୋଇ କେଉଁଠି ଗୋଡ଼ ଖସିଗଲେ ଗୀତି ତାକୁ ପାଖେପାଖେ ରହି ସତର୍କ କରେଇ ଦେଉଥାଏ । ଲୋକାଚାରକୁ ଭୟକରି ଗୀତିବୋଉ ସୁଧାଂଶୁ ସହିତ ଏକା ଗୀତିକୁ ପଠେଇ ନଥିଲେ । ସାଇର ଚାରି ପାଞ୍ଚଟି କିଶୋର, କିଶୋରୀଙ୍କୁ କହିବୋଲି ତାଙ୍କ ସହିତ ପଠେଇଥିଲେ ସେ; କିନ୍ତୁ ପାହାଡ଼ର ପାଦପାଖରୁ ସେମାନେ ସୁଧାଂଶୁ ଆଉ ଗୀତିଙ୍କୁ ପୂର୍ଣ୍ଣ ସୁଯୋଗଦେଇ ଅଲଗା ହୋଇ ଯାଇଛନ୍ତି । ସନ୍ଧ୍ୟା ପୂର୍ବରୁ ସମସ୍ତେ ବାବାଜିଙ୍କ ମଠପାଖରେ ଏକତ୍ର ହେବାକୁ ଗୀତି ତାଙ୍କୁ ତାଗିଦ କରିଦେଇଥାଏ ।

 

କିଛି ବାଟ ଗଲା ପରେ ସୁଧାଂଶୁ ଗୋଟେ ପଥର ଉପରେ ବସିପଡ଼ି କହିଥିଲା–

 

–‘‘ମୁଁ ଆଉ ଚାଲି ପାରିବିନି ।”

 

ଗୀତି ତା’ କଥାରେ ପ୍ରତିବାଦ ନ କରି ତା’ ପାଖରେ ବସି ପଡ଼ିଲା । ଉଭୟେ ନୀରବରେ ଅନେକକ୍ଷଣ ବସି ରହିଥିଲେ । କାହାରି ମୁହଁରେ କିଛି କଥା ନଥାଏ । ପାହାଡ଼ ପାଦ ପାଖରେ ପହଞ୍ଚିବାବେଳର ଚଞ୍ଚଳତା ଉଭୟଙ୍କ ପାଖରୁ ହଜି ଯାଇଥାଏ ।

 

ସୁଧାଂଶୁର ଶୂନ୍ୟ ଦୃଷ୍ଟି ଦିଗ୍‍ବଳୟ ଉପରେ ଥାଏ; ମନ କିନ୍ତୁ କେଉଁ ଭାବରାଜ୍ୟରେ ଭାସି ବୁଲୁଥାଏ । ସେ ଗୀତିକୁ ଅନେକ କିଛି କହିବାକୁ ଇଚ୍ଛା କରୁଥାଏ; କିନ୍ତୁ କିମିତି କଥା ଆରମ୍ଭ କରିବ ଠିକ୍ କରି ପାରୁ ନଥାଏ ।

 

ଗୀତିର ମଧ୍ୟ ସେହି ଅବସ୍ଥା । ସେ ଉଦାସ ଦୃଷ୍ଟିରେ ତଳକୁ ଚାହିଁ ଅନ୍ୟମନସ୍କ ଭାବରେ ଟିକିଟିକି ବାଲିଗରଡ଼ାକୁ ସଜେଇ ଗୋଟେ ଘର ତୋଳୁଥାଏ ।

 

କ୍ରମେ ନୀରବତା ଅସହ୍ୟ ହେଲା । ସୁଧାଂଶୁର ଏକ ଦୀର୍ଘଶ୍ୱାସରେ ଗୀତି ମୁହଁ ତୋଳି ତାକୁ ଚାହିଁଥିଲା । ଚାରିଚକ୍ଷୁ ଏକାଠି ହେଲାପରେ ଉଭୟେ ଦୃଷ୍ଟି ଆନତ କରିଥିଲେ । ଥରିଲା କଣ୍ଠରେ ସୁଧାଂଶୁ ଡାକିଲା–

 

–‘‘ଗୀତି” !

 

–‘‘ଉଁ–’’ ଅନ୍ୟମନସ୍କ ରହି ଗୀତି ଉତ୍ତର ଦେଇଥିଲା ।

 

ଥରିଲାହାତରେ ସୁଧାଂଶୁ ଗୀତିର ଗୋଟେ ହାତ ଧରି ପଚାରିଲା–

 

–‘‘ତୁମେ କ'ଣ ଆଜିର ସ୍ମୃତିକୁ ଭୁଲିଯିବ ?

 

ବେଦନାବତୁରା କଣ୍ଠରେ ଗୀତି କହିଥିଲା–

 

“ଜୀବନର ପ୍ରଥମ ଅନୁଭୂତି ମୋର ଏ । ଭବିଷ୍ୟତ ବିଧାତା ମୋ ଭାଗ୍ୟରେ କ'ଣ ଲେଖିଛି କେଜାଣି ? ମୋର ବୁଦ୍ଧି ହେଲା ଦିନଠୁ ମୁଁ କୌଣସି କ୍ଷେତ୍ରରେ ମନକୁ ମୋର ଦୁର୍ବଳ କରି ନଥିଲି । ଏ ସହର ନୁହେଁ । ନିରାଟ ମଫସଲରେ ଆମଘର । ବାପା ସବୁଦିନେ ବିଦେଶରେ । ମାଇପିଘର । ଟିକିଏ ଦୁର୍ବଳତା କେଉଁଠି ଦେଖିଲେ ତିଳକୁ ତାଳ କଲାଭଳି ଲୋକ ଆମ ଗାଁରେ ଅଭାବ ନାହାନ୍ତି । ସେଇଥିପାଇଁ ବୋଉର ଶାସନ, ଆଉ ଅପବାଦର ଭୟରେ ଋଷିକୁମାରୀର ଜୀବନ ମୁଁ ବିତେଇ ଆସିଛି ଆଜି ପର୍ଯ୍ୟନ୍ତ । କିନ୍ତୁ ତୁମ ଦର୍ଶନ ଆଜି ମୋର ତପସ୍ୟାରେ ବାଧାସୃଷ୍ଟି କରିଛି । ମୁଁ ଜାଣେ ମୁଁ ଭୁଲ କରୁଛି । ବଡ଼ଲୋକ ତୁମେ । ଭୁଲିଯିବା ତୁମର ଅଭ୍ୟାସ । ବାଟ ମଝିରେ ବନ୍ଧୁ ତୁମେ । ତୁମ ବାଟସରିଲେ ତୁମେ ଚାଲିଯିବ । ସବୁ ଜାଣି ମୁଁ ବିଷ ପିଉଛି । ନା ନା ମତେ ଆଶୀର୍ବାଦ କର ମୁଁ ଯେମିତି ଆଜିର ଏ ଘଟଣା ଭୁଲିଯାଏ ।”

 

ଏକାନିଃଶ୍ଵାସକେ ଏତକ କହି କଇଁକଇଁ ହୋଇ ଗୀତି କାନ୍ଦି ଉଠିଲା । ତାକୁ ପ୍ରବୋଧ ଦେବାକୁ ଯାଇ ସୁଧାଂଶୁ କହିଲା–

 

“–ତୁମେ ବିଶ୍ଵାସ କର ବା ନକର, ମୋର ମଧ୍ୟ ଆଜି ସେଇଭଳି ଅବସ୍ଥା, ଅସଂଖ୍ୟ ସହପାଠିନୀ ମୋ ସହିତ ବନ୍ଧୁତା କରିବାକୁ ଆଗେଇ ଆସିଛନ୍ତି । ସମସ୍ତଙ୍କ ମନରେ ମତେ ଆପଣାର କରିନେବାର ଇଚ୍ଛା ସ୍ପଷ୍ଟହୋଇ ଉଠିଛି । କିନ୍ତୁ ମୁଁ ପାରିନି, କାହାରି ଅଭିନୟ ମୋ ପ୍ରାଣରେ ଜୁଆର ସୃଷ୍ଟି କରିପାରିନି । ସମସ୍ତଙ୍କ ଚେଷ୍ଟା ବିଫଳ ହୋଇଛି; କିନ୍ତୁ ଆଜି ମୁଁ ହାରି ଯାଇଛି । ମୁଁ ନିଜେ ନିଜେ ତୁମ ହାତରେ ଧରାଦେବାକୁ ଇଚ୍ଛା କରିଛି । ତଥାପି ଆମ ଉପରେ ଏକ ନିଷ୍ଠୁର ସମାଜ ଅଛି । ତାକୁ ଭୁଲିଯିବା ଆମର ଉଚିତ ନୁହେଁ । ଆମେ ଆପ୍ରାଣ ଉଦ୍ୟମ କରିବା, ମୋର ବିଶ୍ଵାସ ଆମେ ନିଶ୍ଚୟ ଜୟୀ ହେବା ।”

 

ତା’ପରେ ସୁଧାଂଶୁ ଗୀତିର ହାତଧରି କହିଲା–

 

–‘‘ଏ ହାତ ଆଜିଠୁ ମୁଁ ଧରିଲି ଗୀତି । ଆମର ସାକ୍ଷୀ ଏଇ ଅସ୍ତଗାମୀ ସୂର୍ଯ୍ୟ ।”

 

ତା’ପରେ ଭାରାକ୍ରାନ୍ତ ମନରେ ହାତ ଧରାଧରି ହୋଇ ଦୁହେଁ ଆସି ମନ୍ଦିର ପାଖରେ ପହଞ୍ଚିଲେ । ବାବାଜିଙ୍କ ପାଦତଳେ ଉଭୟେ ନମସ୍କାର କଲାବେଳେ ସେ ଆଶୀର୍ବାଦ କରିଥିଲେ–

 

“ତୁମର ଦାମ୍ପତ୍ୟ ଜୀବନ ସୁଖମୟ ହେଉ ।”

 

ଗୀତି ଚାହିଁଥିଲା ସୁଧାଂଶୁ ମୁହଁକୁ ଆଉ ସୁଧାଂଶୁ ଚାହିଁଥିଲା ଗୀତିକୁ । ସୁଧାଂଶୁ ମୁହଁରେ ଥିଲା ଦୁଷ୍ଟହସ ଆଉ ଗୀତି ଆଖି କଣରେ ମୁକ୍ତା ଫଳିଥିଲା ।

 

“ନିର୍ବୋଧ ଦୃଷ୍ଟିରେ ବାବାଜି ଚାହିଁ ରହିଥିଲେ ଉଭୟଙ୍କୁ ।”

 

ଫେରିଲାବାଟରେ ଗୀତିର ଜଡ଼ତା କେତେକ ପରିମାଣରେ କମିଯାଇଥିଲା । ସେ ସୁଧାଂଶୁକୁ ପଚାରିଲା ।

 

–‘‘ଖୁବ୍ କ୍ଳାନ୍ତ ହୋଇପଡ଼ିଛ । ନା–’’

 

“ହୁଁ–’’

 

“ଗୋଟେ ସିଗାରେଟ ଖାଅ–’’

 

–‘‘କେଉଁଠୁଁ ମିଳିବ । ତୁମେ ତ ଆଣିଲନି ।”

 

“–ଆଣିଛି ଯେ, ଦବାକୁ ମନେ ନଥିଲା ।” ରବି ପକେଟରୁ ଗୀତି ସିଗାରେଟ ପ୍ୟାକେଟ୍ ଆଣି ସୁଧାଂଶୁହାତକୁ ବଢ଼େଇଦେଲା ।

 

ତା’ପରେ ଗୀତି ଆରମ୍ଭ କଲା–

 

“–ଆଚ୍ଛା ତୁମେ କାହିଁକି ମତେ ଛାଡ଼ିବାକୁ ଆସିଲ ?”

 

“–ଆଉ କ'ଣ ସେ ପଠାଣ ଟୋକାକୁ ପଠେଇଥାନ୍ତି ?”

 

“–ବିଚରା କିନ୍ତୁ ବଡ଼ ନିରାଶ ହେଲା ।” କହି ହସି ହସି ଲୋଟିଗଲା ଗୀତି ।–ତା’ପରେ ଗମ୍ଭୀର ହୋଇ ପୁଣି ଆରମ୍ଭ କଲା–

 

“ତମେ ମ, ତା’ରି ସକାଶେ ମୁଁ ଓହ୍ଲେଇ ପାରିଲିନି । ଅଣ୍ଟାରେ ହାତଦେଇ କହୁଣିକୁ ଟେକି, ମୋ ବାଟପରା ବନ୍ଦକରି ସେ ଠିଆ ହେଲା । ବିଡ଼ିଗୁଡ଼ାକ ଖାଇ ମୋ ମୁହଁକୁ ଧୂଆଁ ଛାଡ଼ୁଥାଏ । କ'ଣ ବା ମୁଁ କରିବି । ମୁଁ ଭାବିଥିଲି ବାପା ଓହ୍ଲେଇଲା ପୂର୍ବରୁ ନିଶ୍ଚୟ ମୋତେ ସାଙ୍ଗରେ ନେଇ ଯିବେ; କିନ୍ତୁ ସେ ବୋଧେ ଭାବିଲେ ମୁଁ ବୋଉ ସାଙ୍ଗରେ ଚାଲି ଆସିଛି ବୋଲି ।”

 

କଥାମଝିରେ ବାଧାଦେଇ ସୁଧାଂଶୁ କହିଲା–‘‘ତା’ ନ ହୋଇଥିଲେ କ'ଣ ତୁମ ସହିତ ପରିଚିତ ହେବା ଭାଗ୍ୟ ମୋର ହୋଇଥାନ୍ତା–ନା ମୁଁ ଆସି ତୁମ ଘରେ ଜୋଇଁ ଚର୍ଚ୍ଚା ପାଇଥାନ୍ତି ।”

 

“–ଥାଉ ଥାଉ, ବାହାଦୁରି ବନ୍ଦକର । ଗାଁପାଖ ହେଲାଣି ।”

 

ରାତ୍ରିଭୋଜନ ଯଥାରୀତି ଶେଷକରି ସୁଧାଂଶୁ ବିଛଣାକୁ ଯାଇଥିଲା । ଆଜିଦିନଟି ଥିଲା ତା’ ଜୀବନର ଏକ ନୂତନ ଅନୁଭୂତିର ଦିନ, କିନ୍ତୁ ରାତ୍ରି ତା’ ପାଖରେ ଗଭୀର ଯନ୍ତ୍ରଣାଦାୟକ ହୋଇଥିଲା । ଯେତେ ଚେଷ୍ଟା କଲେବି ଆଖିକୁ ତା’ର ନିଦ ଆସିଲାନି । ଗୀତିର ସରଳ କମନୀୟ ମୁହଁଟି ତା’ ଆଖି ଆଗରେ ନାଚିବାକୁ ଲାଗିଲା ।

 

ସେ ଜାଣେ ଗୀତି ବିଛଣାରେ ସେ ଶୋଇଛି; ଅଥଚ ସେଥିରେ ଗୀତି ନାହିଁ । ଗୀତିକୁ ଅତିନିକଟରେ ପାଇବାକୁ ତା’ ହୃଦୟ ବିଳପି ଉଠିଲା । ଶାଳୀନତା ଭୁଲି କୌଣସି କାମ ବାହାନାରେ ଗୀତିକୁ ଡାକିବାକୁ ସେ ବାହାରକୁ ଆସିଲା ।

 

ରାତ୍ରି ସେତେବେଳକୁ ଅନେକ ହେଲାଣି । ଦାଣ୍ଡଘରେ ଏକା ବୁଢ଼ା ଶୋଇଥାନ୍ତି । ତଳଘରେ ଗୀତି ତା’ ବୋଉ ଶୋଇଛନ୍ତି । ସବୁଆଡ଼େ ନିଘୋଡ଼ ଅନ୍ଧାର । କେବଳ ତଳଘର କବାଟ ଫାଙ୍କ ବାଟେ ଧାରେ ଆଲୁଅ ବାରଣ୍ଡାରେ ଆସି ପଡ଼ିଛି । ସୁଧାଂଶୁ ଭାବିଲା ତା’ରିଭଳି ଗୀତି ଆଖିକି ଆଜି ବୋଧହୁଏ ନିଦ ନଥିବ । ସେ ଗୀତିକୁ ଡାକିବା ଉଦ୍ଦେଶ୍ୟରେ ଦି'ତିନିଥର କାଶିଲା ।

 

ଗୀତି ଆଖିକୁବି ସେ ପର୍ଯ୍ୟନ୍ତ ପ୍ରକୃତରେ ନିଦ ଆସି ନଥାଏ । ସେ ଲଣ୍ଠନ ପାଖରେ ବସି ଖଣ୍ଡେ ରୁମାଲରେ ଫୁଲ ପକଉଥାଏ । ସୁଧାଂଶୁ ବାହାରକୁ ଆସିବା ସେ ଜାଣିଛି । ତା’ର କାଶର ଉଦ୍ଦେଶ୍ୟବି ବୁଝିପାରି ମନେମନେ ହସିଲା । ଲଣ୍ଠନଟା ଧରି ବାହାରକୁ ଆସିଲା । ମଝିରେ ଛୋଟ ଅଗଣାଟିଏ । ଦି'ପାଖ ବାରଣ୍ଡାରେ ଗୀତି ଆଉ ସୁଧାଂଶୁ । ପହିଲେ ଗୀତି ମୁହଁ ଖୋଲିଲା–

 

–‘‘ନିଦ ହଉନିକି–’’

 

–‘‘ନା–’’ ଥରିଲା କଣ୍ଠରେ ସୁଧାଂଶୁ ଉତ୍ତର ଦେଇଥିଲା ।

 

–‘‘ଝରକା ଉପରେ ଥଣ୍ଡାପାଣି ରଖିଦେଇଥିଲି । ପିଇକରି ଶୋଇପଡ଼ । ଅଯଥା ଚିନ୍ତା କଲେ ଦେହ ଗରମ ହେଇ ନିଦ ହେବନି ।” ଥଟ୍ଟାଳିଆ ହସଟିକେ ହସି ଗୀତି ଘରେ ପଶି କବାଟ ବନ୍ଦକଲା ।

 

–ବଡ଼ ଅପଦସ୍ତ ହେଲା ସୁଧାଂଶୁ । ବାଧ୍ୟ ହୋଇ ନିଜ ବିଛଣାକୁ ଫେରି ଆସିଲା; କିନ୍ତୁ ଯେତେ ଚେଷ୍ଟାକଲେ ମଧ୍ୟ ଆଖିକୁ ତା'ର ନିଦ ଆସିଲାନି । ଗୀତି ଦେହର ଗନ୍ଧ ବିଛଣାରେ ପ୍ରତି କଣରେ ଭରି ରହିଛି । ସେହି ଆମୋଦରେ ସୁଧାଂଶୁ ମନରେ ନିଶା ଧରିଛି । ନାରୀ ଦେହର ଗନ୍ଧରେ ଯେ ଏଭଳି ମାଦକତା ଅଛି ସେ ଧାରଣା ତା’ର ନଥିଲା । ନାରୀକୁ ସେ ଆଜିପର୍ଯ୍ୟନ୍ତ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିଆସିଥିଲା । ଜାୟାରୂପର ନାରୀ ଯେ ଏଭଳି ଲୋଭନୀୟ ଆଉ ଆକର୍ଷଣୀୟ ତାହା ତା’ର କଳ୍ପନାରେ ସୁଦ୍ଧା ନଥିଲା ।

 

ସେ ବିଛଣାରେ ପୁଣି ଉଠି ବସିଲା । ଦ୍ଵାଦଶୀ ଚନ୍ଦ୍ର ଚଣ୍ଡୀଖୋଲତଳେ ମୁହଁ ଲୁଚଉଚି । ରାତ୍ରି ସରି ଆସିଲାଣି, ପାହାନ୍ତିଆ ଥଣ୍ଡା ପବନ ଝରକା ଦେଇ ଘରଭିତରକୁ ଆସୁଛି । ସେ ଝରକା ଉପରୁ ପାଣି ଗ୍ଲାସ୍‍କ ଆଣି ପିଇଲା । ପିଞ୍ଜରାଭିତରର ବାଘ ବହୁ ସମୟ ଗର୍ଜନ କରି କରି ଘୁମେଇ ପଡ଼ିଲାଭଳି ତା’ ମନ ଅବଶ ହୋଇ ଆସିଲା । ଥଣ୍ଡା ପବନ ବାଜି ଆଖିପତା ତଳେ ନିଦ ଜମାଟ ବାନ୍ଧିଲା । ବିଛଣାକୁ ଫେରିଗଲା ସେ ।–

 

ସେ ରାତିରେ ଗୀତି ମନତଳେ ଯେ ଜୁଆର ନ ଉଠିଛି ନୁହେଁ; କିନ୍ତୁ ତା’ର ଧୈର୍ଯ୍ୟ ଓ ଲୋକାପବାଦର ଭୟ ତାକୁ ସ୍ଥିର କରି ରଖିଥିଲା । ଯାହାଲାଗି ତା’ ମନତଳେ ଜୁଆର ଉଠିଛି ତାକୁ ପାଖରେ ପାଇ ଯେତିକି ଆନନ୍ଦିତ ହେବାର କଥା ଗୀତି ତା’ ହୋଇ ପାରି ନଥିଲା । ରାତି ପାହିଲେ ସୁଧାଂଶୁ ତା’ ପାଖରୁ ଚାଲିଯିବ ଏହି ଦୁଃଖରେ ନରମ ଛାତିତଳ ତା’ର ଥରି ଉଠିଥିଲା । ଆଖିକୁ ତା’ର ନିଦ ଆସି ନଥିଲା ସେ ରାତିରେ । ବୋଉ ତା’ର ଶୋଇପଡ଼ିଲା ପରେ ସେ ଲଣ୍ଠନ ତେଜି ରୁମାଲ ତିଆରି କରିବାରେ ଲାଗିଥିଲା । ତା’ର ପ୍ରିୟତମକୁ ଜୀବନର ପ୍ରଥମ ଉପହାର ଦେବାପାଇଁ ନିଜର ସମସ୍ତ ସ୍ନେହ ଦେଇ ରୁମାଲଟି ସାରିଥିଲା ସେ । ତା’ରି ଭିତରେ ସୁନ୍ଦର ଅକ୍ଷରରେ ନାଲି ସୂତାରେ ସେ ଲେଖିଥିଲା–‘‘ମନେରଖିବ ।” ତା’ ତଳକୁ ଗୋଟିଏ ଅର୍ଦ୍ଧ ପ୍ରସ୍ଫୁଟିତ ଗୋଲାପ ଫୁଲ ଉପରେ ଗୋଟିଏ ଭଅଁର କରିଥିଲା ।

 

ସବୁ ସରିଲାବେଳକୁ ରାତି ସରିଆସିଲାଣି । ବାପା କି ବୋଉ ତା’ର କେହି ଉଠି ନଥାନ୍ତି-। ସମସ୍ତଙ୍କ ଆଗରେ ସେ ରୁମାଲଟି ଦେଇପାରିବନି । ତେଣୁ ସନ୍ତର୍ପଣରେ ସୁଧାଂଶୁ ଘରକୁ ଯାଇଥିଲା ସେ ।

 

ପାହାନ୍ତିଆ ଫିକା ଆଲୁଅରେ ସୁଧାଂଶୁ ମୁହଁଟି ତାକୁ ଆହୁରି ସୁନ୍ଦର ଦିଶିଲା । ସ୍ଵପ୍ନରେ ବୋଧେ ସେ ଗୀତିକୁ ଖୁବ୍ ପାଖରେ ତା’ର ପାଇଛି । ଓଠ କଣରେ ହସ ଫୁଟିଛି ତା’ର । ତାକୁ ଦେଖି ପ୍ରତିବିମ୍ବ ଭଳି ଗୀତି ମୁହଁରେବି ହସ ଉକୁଟିଲା ।

 

କ’ଣ ଭାବି ସୁଧାଂଶୁ ପାଦତଳେ ଗୀତି ମୁଣ୍ଡ ନୋଇ ନମସ୍କାର କଲା । ସୁଧାଂଶୁର ପାଦ ଦିଓଟିକୁ ଛାତିରେ ଭିଡ଼ିଧରିବାକୁ ତା’ର ପ୍ରବଳ ଆଗ୍ରହ ହେଲା । ନିଦ ଭାଙ୍ଗିଯିବା ଭୟରେ ସେଥିରୁ ସେ ନିବୃତ୍ତ ହେଲା ।

 

ତା’ପରେ ନିଜ ବ୍ଲାଉଜ୍‍ତଳୁ ରୁମାଲଟି କାଢ଼ି ସୁଧାଂଶୁର ପାଦତଳେ ରଖି ସେ ଘରୁ ଫେରିଯାଇଥିଲା ଗୀତି ।

 

ଗଲାବେଳେ ତା’ ଗଣ୍ଡପ୍ଳାବି ଦି’ଧାର ଲୁହ ବହି ଯାଉଥିଲା ।

 

ଅବାଞ୍ଛିତ ବିଦାୟ ମୁହୂର୍ତ୍ତ ଅବଶେଷରେ ଆସି ପହଞ୍ଚିଲା । ଗାଡ଼ି ସମୟ ଆଠଟାରେ; କିନ୍ତୁ ସାତଟାରୁ ନ ବାହାରିଲେ ଠିକ୍ ସମୟରେ ପହଞ୍ଚି ହେବନି । ସୁଧାଂଶୁ ନିଜର ନିତ୍ୟକର୍ମ ସବୁ ସାରିନେଲା; ମାତ୍ର କୋଡ଼ିଏ ଘଣ୍ଟାତଳେ ଯେଉଁଠିକି ଆସିବାକୁ ସେ ଦ୍ଵିଧା ବୋଧ କରିଥିଲା ସେଠୁ ଆଜି ଛାଡ଼ି ଯିବାକୁ ତା’ର ମୋଟେ ଇଚ୍ଛା ନଥାଏ; କିନ୍ତୁ କ’ଣ ବା ସେ କରିବ । ବାଧ୍ୟ ହୋଇ ସବୁ କାମ ଶେଷ କରୁଥାଏ ।

 

ତା’ର ଖାଇବାର ଇଚ୍ଛା ନଥିଲେବି ବୁଢ଼ୀ ବାଧ୍ୟ କରି ବସି ବସି ତାକୁ ଜଳଖିଆ ଖୋଇଲେ । ବାହାରିବା ପୂର୍ବରୁ ବୁଢ଼ୀଙ୍କ ପାଦତଳେ ମୁଣ୍ଡ ନୋଇଁଥିଲା ସୁଧାଂଶୁ । ପାଦତଳୁ ଉଠେଇ ବୁଢ଼ୀ ତା’ର କପାଳ ଚୁମ୍ବନ କରିଥିଲେ । ବୁଢ଼ୀଙ୍କର ଅଶ୍ରୁ ବାଧା ମାନି ନଥିଲା । ସେ କହିଲେ–

 

“–ମୋ ବାପାଟା ପରା, ଆମକୁ ଭୁଲି ଯିବୁନି । ଗଲାଅଇଲାବେଳେ ଏଇବାଟେ ଟିକିଏ ମୁହଁ ମାରିଯାଉଥିବୁ । ତୋ ମା’ ସାଙ୍ଗରେ ମୁଁ କ’ଣ ସମାନ ହୋଇପାରିବି ? ତଥାପି ଏ ଗରିବ ମା’କୁ ଭୁଲିବୁନି ବାପା । ମଝିରେ ମଝିରେ ମୁଁ ଯେମିତି ତତେ ଦେଖି ଆଖି ପବିତ୍ର କରେ ।”

 

ବୁଢ଼ୀଙ୍କ କଥାରେ ସୁଧାଂଶୁର ଆଖିତଳ ଓଦା ହୋଇ ଆସିଲା । ସେ ପୁଣି ନଇଁପଡ଼ି ବୁଢ଼ୀଙ୍କ ପାଦଧୂଳି ନେଇ ବାହାରିଲା । ବୁଢ଼ୀବି ତା’ ସାଙ୍ଗେ ସାଙ୍ଗେ ଯାଉଥାନ୍ତି । ବୁଢ଼ା ବ୍ୟାଗ୍‍ଟା ଧରି ସେତେବେଳକୁ ଦାଣ୍ଡକୁ ବାହାରିଗଲେଣି । ଦାଣ୍ଡଘରେ ପର୍ଯ୍ୟନ୍ତ ଗୀତିକୁ ନଦେଖି ସୁଧାଂଶୁ ଖୋଜିଲା ଆଖିରେ ଚାରିଆଡ଼କୁ ଚାହିଁଲା । ତା’ପରେ କଲମଟା ଛାଡ଼ି ଆସିବା ଛଳନାରେ ଗୀତି ଶୋଇବା ଘରକୁ ସୁଧାଂଶୁ ଫେରି ଆସିଲା ।

 

ଗୀତିର ସେତେବେଳର ଅବସ୍ଥାରେ ଯେ କେହି ଦେଖିଲେବି ଧୈର୍ଯ୍ୟ ରଖିପାରିବନି । ଦାଣ୍ଡପଟ ଝରକାକୁ ଧରି ଗୀତି ଠିଆ ହୋଇଥାଏ । ଆଖି ଫଟେଇ ଅବିଶ୍ରାନ୍ତ ଲୁହଧାରା ବୋହିଯାଉଥାଏ ତା’ର । ସେ ବାହ୍ୟ ଜ୍ଞାନଶୂନ୍ୟ ହୋଇପଡ଼ିଥାଏ ।

 

ସୁଧାଂଶୁ ଯାଇ ତା’ପଛରେ ଠିଆହେଲା; କିନ୍ତୁ ତା’ ଉପସ୍ଥିତି ଗୀତି ଲକ୍ଷ୍ୟ କରିପାରିଲାନି-। ସେ ଭଙ୍ଗା କଣ୍ଠରେ ଡାକିଲା–

 

–‘‘ଗୀତି !”

 

ସେଇ ପଦୁଟିଏ ଡାକରେ ଗୀତି ଲୋଟି ଯାଇଥିଲା ସୁଧାଂଶୁର ପାଦତଳେ । ତାକୁ ଆଶ୍ଵାସନା ଦେବାକୁ ଯାଇ ସୁଧାଂଶୁର ଆଖି ଲୁହବି ବାଧା ମାନି ନଥିଲା । ଗୀତିବାପା ଡାକଛାଡ଼ିଲେ–ଗାଡ଼ିପାଇବନି ବାବୁ ! ଚଞ୍ଚଳ ଆସ ।–

 

ତାଙ୍କ ଡାକରେ ଦୁହେଁ ପ୍ରକୃତିସ୍ଥ ହୋଇଥିଲେ । ଗୀତି ଚାରିଖଣ୍ଡ ପାନ ସୁଧାଂଶୁ ହାତରେ ଦେଇ କହିଲା–

 

“ତୁମକୁ ଶହେଥର ମୋରାଣ, ଚିଠି ଦେବ ।”

 

ତା’ପରେ ସୁଧାଂଶୁ ଏକମୁହାଁ ହୋଇ ଘରୁ ବାହାରି ଯାଇଥିଲା । ସେ ଆଖି ଆଗରୁ ଲୁଚିଯିବା ପର୍ଯ୍ୟନ୍ତ ଗୀତି ଝରକା ରେଲିଂଧରି ତା’ ଗତିପଥକୁ ଚାହିଁ ରହିଥିଲା–

 

ବାଟରେ ସୁଧାଂଶୁ ମୁହଁରେ କିଛି କଥା ନଥାଏ । ଗୀତିର ସ୍ନେହ ତାକୁ ମୂକ କରି ଦେଇଛି-। ଟ୍ରେନ୍‍କୁ ଉଠିବା ପୂର୍ବରୁ ସେ ବୃଦ୍ଧଙ୍କର ପାଦଧୂଳି ନେଲା ।

Image

 

 

 

 

 

 

 

 

 

 

 

 

 

ମଧ୍ୟାହ୍ନ

 

ସୁଧାଂଶୁ କିମିତି ଆସି ଘରେ ପହଞ୍ଚିଲା ତା’ ଜାଣିନି । ବାଟଯାକ କେବଳ ଗୀତି ଚିନ୍ତାରେଇ କଟିଛି । ସଂସାର ତାକୁ ଗୀତିମୟ ଦିଶୁଥାଏ । ସେହିଭଳି ଅବସ୍ଥାରେ ସେ ଟ୍ରେନ୍‍ରୁ ଓହ୍ଲେଇ ରିକ୍ସାରେ ଉଠିଛି । ରିକ୍ସାବାଲା ଦି’ତିନି ଥର ପଚାରିଲା ପରେ ସେ ଥରଟିଏ କାଠଗଡ଼ା ସାହି ବୋଲି କେବଳ କହିଦେଇ ଗୀତି ଚିନ୍ତାରେ ପୁଣି ନିମଗ୍ନ ହୋଇଥିଲା । ଘରେ ପହଞ୍ଚିଲା ପରେ ଚାକରର ପ୍ରଶ୍ନରେ ତା’ର ଧ୍ୟାନ ଭାଙ୍ଗିଗଲା ।–

 

ଚିରପ୍ରଫୁଲ୍ଲ ସୁଧାଂଶୁର ଚିନ୍ତାକୁଳ ମୁହଁ ଦେଖି ଚାକର ନଟ ଡରିଯାଇଥିଲା । ସେ ଭୟମିଶ୍ରିତ ସ୍ଵରରେ ପଚାରିଥିଲା–

 

–‘‘ଆପଣଙ୍କର କ’ଣ ହୋଇଛି ବାବୁ ?”

 

ତା’ କଥାରେ ଚମକି ପଡ଼ି ସୁଧାଂଶୁ ନିଜକୁ ସଜାଡ଼ି ନେଇଥିଲା–

 

“କାହିଁ କ’ଣ ? କିଛି ତ ହୋଇନି ।”

 

“ବୁଢ଼ାବାବୁ ଆଉ ମା’ ପ୍ରଭୃତିଙ୍କ ଦେହ ଭଲ ଅଛି ତ ?”

 

–‘‘ହଁ”

 

ତା’ପରେ ତାକୁ ଆଉ ପ୍ରଶ୍ନ ପଚାରିବାର ସୁଯୋଗ ନଦେଇ ସୁଧାଂଶୁ ନିଜ ଶୋଇବା ଘରକୁ ଚାଲିଗଲା । ଦେହରୁ କାମିଜ କାଢ଼ି ଦେଇ ଖଟ ଉପରେ ଲମ୍ବି ଯାଇଥିଲା ସେ । ସେ ଶଯ୍ୟା କିନ୍ତୁ ତାକୁ ଶାନ୍ତି ଦେଲାନି । ଗଲାଦିନର ବିଛଣାକୁ ଝୁରି ହେଲା ସେ । ନିଜର ତକିଆଟାକୁ ଆଣି ପାଖରେ ସେ ଧରିଲା । ସେଥିରୁ ତା’ରି ଝାଳ ଗନ୍ଧ ବାହାରୁଛି । ‘ଧେତ୍’ କହି ତଳକୁ ଫିଙ୍ଗିଦେଲା ତାକୁ ସେ । ଯେଉଁ ତକିଆରେ ଗୀତି କବରୀର ଗନ୍ଧ ବାଜିନି ତାକୁ ସେ ଆଉ ଶାନ୍ତି ଦେଇ ପାରିବନି-

 

ତା’ପରେ ସେ ଉଠି ଗୀତିଦିଆ ରୁମାଲଟା ପକେଟରୁ ଆଣିଲା । ତାକୁ ଖୋଲି ନିଜ ମୁହଁ ଉପରେ ପକେଇ ଚିତ୍ ହୋଇ ଖଟ ଉପରେ ଶୋଇ ପଡ଼ିଲା ।–

 

ଅପରାହ୍‍ଣରେ ତା’ର ଚେତନା ଆସିଲା–ମୁଣ୍ଡ ଉପରେ ଟେଷ୍ଟ ପରୀକ୍ଷା–ସେ ଯଦି ଏମିତି ହେବ ତା’ ସୁନାମରେ କଳଙ୍କ ଲାଗିବ ନିଶ୍ଚୟ । ବାଧ୍ୟକରି ଗୀତି କଥାକୁ ମନରୁ ପୋଛି ଦେବାକୁ ସନ୍ଧ୍ୟାବେଳେ ସେ କାଠଯୋଡ଼ି କୂଳକୁ ଗଲା । ସେଠି କିନ୍ତୁ ତାକୁ ଶାନ୍ତି ମିଳିଲାନି । ଗଲାଦିନର ସନ୍ଧ୍ୟାଭ୍ରମଣର ପ୍ରତ୍ୟେକ ଦୃଶ୍ୟ ତା’ ଆଖି ଆଗରେ ନାଚି ଉଠିଲା । ଗୀତିର ଲୁହଧୁଆ ମୁହଁରେ ଶେଷସୂର୍ଯ୍ୟର ରକ୍ତ କିରଣ ଯେଉଁ ରଙ୍ଗ ରଚିଥିଲା ତାକୁ ଆହୁରି ଥରେ ଦେଖିବାକୁ ସେ ଚାରିଆଡ଼କୁ ଆଖି ଫେରେଇଲା ।

 

ସେଥିରେ ମଧ୍ୟ ତାକୁ ନିରାଶ ହେବାକୁ ପଡ଼ିଲା । ଟିକେ ଭଲ ଲାଗିବ ବୋଲି ପାଖ ପାନ ଦୋକାନରୁ ସିଗାରେଟ ଖଣ୍ଡେ ଆଣି ଓଠରେ ଧରିଲା । ସେଥିରେ ନିଆଁ ଧରଉଛି ତା’ କାନ ପାଖରେ ଶୁଭିଲା–‘‘ମୋରାଣ, ଆଉ ସିଗାରେଟ ଖାଇବନି ।”

 

ତା’ପରେ ସିଗାରେଟଟା ଫୋପାଡ଼ି ଦେଇ ସେ ସେଠୁ ଚାଲି ଆସିଲା । ଦୋକାନୀ ଆଶ୍ଚର୍ଯ୍ୟ ହୋଇ ତା’ ଚଲାବାଟକୁ ଚାହିଁଥାଏ ।

 

ରାତିରେ ପଢ଼ା ବହି ଖୋଲି ସେ ପଢ଼ି ପାରିଲାନି । ବହିର ପ୍ରତି ପୃଷ୍ଠାରେ ଗୀତିର କଳା କଳା ଆଖି ଦିଓଟି ଭାସି ଉଠିଲା । ସେ ବାଧ୍ୟହୋଇ ବହି ବନ୍ଦ କରି ରଖିଦେଲା ।–ତା’ପରେ ପ୍ୟାଡ଼୍ ଆଉ କଲମ ଧରି ଚିଠି ଲେଖି ବସିଲା ସେ–

 

ଚିଠିଟି ଅଧାଅଧି ଲେଖି ସରିଲା ପରେ ଚିଠି ବନ୍ଦ କରି ଚିନ୍ତାକଲା ସୁଧାଂଶୁ । ଏ ଧରଣର ଚିଠି ଯଦି ଅନ୍ୟ କାହା ପାଖରେ ପହଞ୍ଚେ, ତେବେ ଗୀତିର ବଦନାମ ଯଥେଷ୍ଟ ହେବ । ସେ ତାକୁ ଭଲପାଇ ତା’ର ସର୍ବନାଶ କରିପାରିବନି । ବରଂ ପ୍ରଥମେ ତା’ଠୁ ଚିଠି ପାଇସାରି ସେ ନିଜର ସମସ୍ତ ଅବସ୍ଥା ଗୀତିକୁ ଜଣେଇ ଦେବ । ତା’ପରେ ମାମୁଲିଚିଠି ଖଣ୍ଡେ ସେ ଗୀତି ପାଖକୁ ଲେଖିଥିଲା ।

 

ସ୍ନେହର ଗୀତି,

 

ମୁଁ ଆସି ଆଜି ଭଲରେ କଟକରେ ପହଞ୍ଚିଲି । କାଲି ଭଳି ଆଜି ଗାଡ଼ିବେଶି ଭିଡ଼ ନଥିଲା । ମୁଁ ଆସିଲା ପରଠାରୁ ତୁମମାନଙ୍କ କଥା ସବୁବେଳେ ମୋ ମନରେ ପଡ଼ୁଛି । ତୁମ ଘରେ ମୁଁ କ’ଣ ଛାଡ଼ି ଆସିଲା ଭଳି ଲାଗୁଛି । ମଉସା ମାଉସୀଙ୍କ ସ୍ନେହ ସାରା ଜୀବନରେ ମୁଁ ଭୁଲି ପାରିବିନି । ତାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଦେବ । ଆଉ କହିବ ମଉସା କଟକ ଆସିଲେ ଆମ ଘରକୁ ଯେମିତି ନିଶ୍ଚୟ ଆସିବେ ।

 

–ଆଉ ତୁମ କଥା ବେଶି କିଛି ଲେଖିପାରୁନି । ମୋ ଚିଠି ତୁମେ ଠିକ୍ ପାଉଛ କି ନା ଲେଖିବ । ତାହାହେଲେ ଆଉ ଚିଠି ଦେବି । ନହେଲେ ଏତିକି ।

 

ଚିଠି ପାଇ ଚିଠି ଦେବ–ମୋର ସ୍ନେହ ନେବ । ଇତି ।

 

ତୁମର

ସୁଧାଂଶୁ

 

ତା’ପରେ ତା’ର ଗଲାଦିନର ଅନୁଭୂତିରୁ ଯାହା ଲେଖିହେବ ଲେଖି ତା’ ସାନ ଭଉଣୀ ମିନି ପାଖକୁ ଖଣ୍ଡେ ଚିଠି ସେଦିନ ସେ ଲେଖିଲା । ସେଥିରେ ଗୀତିର ରୂପଗୁଣର ପ୍ରଶଂସା ସେ ଯଥେଷ୍ଟ କରିଥିଲା–

 

ତା’ ପରଦିନ କଲେଜରେ ସେ ବଡ଼ ଅପଦସ୍ତ ହେଲା । ପ୍ରଫେସର୍‍ ନାୟକଙ୍କ ଟିଉଟରିଆଲ କ୍ଲାସ୍‍ରେ ବସିଥାଏ ସେ । କ’ଣ ଗୋଟେ ବିଷୟ ନେଇ ଅନ୍ୟମାନେ ପ୍ରଫେସର୍‍ଙ୍କ ସହିତ ଆଲୋଚନା କରୁଥାନ୍ତି । ସୁଧାଂଶୁ କାନରେ କିନ୍ତୁ ସେ ସବୁ କିଛି ପଶୁ ନଥାଏ । ସେ ଅନ୍ୟମନସ୍କ ଭାବରେ ଖାତାଉପରେ ପେନ୍‍ସିଲ୍ ଧରି ଗୁଡ଼େ ଅର୍ଥହୀନ ଚିତ୍ର ଆଙ୍କିଯାଉଥାଏ । ଆଲୋଚନା ଭିତରେ ପ୍ରଫେସର୍‍ ସୁଧାଂଶୁର ମତ ଲୋଡ଼ିଥିଲେ; କିନ୍ତୁ ସେ ତାକୁ ତିନି ଚାରି ଥର ଡାକିଲା ପରେ ତା’ର ଧ୍ୟାନ ଭାଙ୍ଗିଥିଲା ।

 

ଆଶ୍ଚର୍ଯ୍ୟ ହୋଇଥିଲେ ପ୍ରଫେସର୍‍ । ସୁଧାଂଶୁକୁ ସେ ଭଲକରି ଜାଣନ୍ତି, ତା’ର ଏ ପରିବର୍ତ୍ତନରେ ସେ ଦୁଃଖିତ ହୋଇଥିଲେ । ତା’ର ଶରୀର ଅସୁସ୍ଥ ହୋଇନି ତ ବୋଲି ପଚାରିଥିଲେ ତାକୁ ।

 

ତାଙ୍କ କଥାରେ ସୁଧାଂଶୁ ନରମି ଯାଇଥିଲା । ସେ ନିଜ ସିଟ୍‍ରୁ ଉଠି ପଡ଼ି ଠିଆ ହୋଇ କହିଲା–

 

–‘‘ନାହିଁ ସାର୍, ଦେହ ଭଲ ଅଛି–ମନଟିକେ ଭଲ ନଥିଲା ।”

 

ପାଖ ସିଟ୍‍ରେ ତା’ର ଜଣେ ତରୁଣୀ ବସିଥିଲେ । ସୁଧାଂଶୁର ଆଜିର ଅବସ୍ଥାରେ କୌତୁକ କରି ଚାପା କଣ୍ଠରେ କହିଲେ–

 

“–ବିଚରା କେଉଁଠୁଁ ଠୋକର ଖାଇଛନ୍ତି–’’

 

ତାଙ୍କ କଥାରେ ଅନ୍ୟମାନେ ହସି ଉଠିଥିଲେ । କ’ଣ ହେଲା ବୋଲି ପ୍ରଫେସର୍‍ ସେଠିକୁ ଚାଲି ଆସିଥିଲେ । ସୁଧାଂଶୁ ମୁହଁ ଲାଜରେ କଳା ପଡ଼ିଗଲା–ସେ ପ୍ରଫେସର୍‍ଙ୍କୁ କହି କ୍ଲାସ୍ ବାହାରକୁ ଚାଲି ଆସିଲା–

 

ତା’ ପଛରେ ଏକ ଚାପାହସର ଲହରୀ କ୍ଲାସ୍‍ସାରା ଖେଳେଇ ହୋଇଯାଇଥିଲା ।

 

ସେହି ଘଟଣା ପରଠାରୁ ସୁଧାଂଶୁ ନିଜକୁ ଯଥେଷ୍ଟ ସଂଯତ କରି ନେଇଥିଲା । ପଢ଼ାପଢ଼ି ଭିତରେ ନିଜକୁ ଅଧିକାଂଶ ସମୟ ବୁଡ଼େଇ ରଖିଥିଲା ସେ । କିନ୍ତୁ ତା’ର ଧୈର୍ଯ୍ୟ ବେଶିଦିନ ସେ ରଖିପାରିଲାନି, ଗୀତି ପାଖରୁ ଯେଉଁଦିନ ଚିଠି ପାଇଲା ତା’ର ସମସ୍ତ ପ୍ରତିଜ୍ଞା ପାଣି ଫାଟି ଯାଇଥିଲା ।

 

ଗୀତି ଲେଖିଥିଲା–

 

ସ୍ନେହର ରାଜକୁମାର–

 

ହୃଦୟର ଆବେଗକୁ ସମ୍ଭାଳି ନପାରି ଏ ଧରଣର ସମ୍ବୋଧନ କରିଛି । ସେଥିପାଇଁ ପ୍ରଥମେ କ୍ଷମାଦେବ । ତୁମେ ଲେଖିଛ ମୋ କଥା ସବୁବେଳେ ତୁମ ମନେ ପଡ଼ୁଛି ବୋଲି । ତା’ ଯଦି ସତ ହୋଇଥାଏ ତେବେ ମୋ ଭଳି ଭାଗ୍ୟବତୀ ବୋଧହୁଏ ଆଉ କେହି ନଥିବେ । କିନ୍ତୁ ମୋର ଆଶଙ୍କା ହୁଏ ତୁମର ଏ ମନୋଭାବ କେଇଦିନ ରହିବ, ସେହିକଥା ଚିନ୍ତାକରି । ଆଉ ମୋ କଥା ତୁମକୁ କ’ଣ ଲେଖିବି । ବିଶ୍ଵାସ କରିବ ନାହିଁ । ସେଦିନ ଚଣ୍ଡୀଖୋଲରେ ମୁଁ ତୁମକୁ କହିଥିଲି–ମୁଁ ବିଷ ପିଉଛି ବୋଲି, କିନ୍ତୁ ପ୍ରକୃତରେ ବିଷ ପିଉଥିବା ଲୋକ ଏତେ ଯନ୍ତ୍ରଣା ଜୀବନରେ କେବେ ଭୋଗି ନଥିବ । ତୁମ ସହିତ ମୋର ସାକ୍ଷାତ କେବଳ ଭଗବାନଙ୍କ ଉପହାସ ବ୍ୟତୀତ ଆଉ କିଛି ନୁହେଁ । କାରଣ ଅଧିକ ଦୂରକୁ ମୁଁ ଆଶାକରି ପାରୁନି, ମୋ ସାହସ ହେଉନି ।

 

ବାପା ବୋଉଙ୍କର ଆଶୀର୍ବାଦ ନେବ ଓ ମୋର ବେଦନା ବତୁରା ନମସ୍କାର ଗ୍ରହଣ କରିବ ।

 

ଶେଷ ମିନତି, ଦେବତା ମୋର, ଟିକେ ଦର୍ଶନ ଦେବ ।

 

ରହିଲି ।

 

ଗୀତି

 

ସେହିଦିନ ସୁଧାଂଶୁ ମିନିଠୁ ମଧ୍ୟ ଖଣ୍ଡେ ଚିଠି ପାଇଥିଲା ।

 

ଭାଇନା,

 

ଯେଉଁ ଗୀତି କଥା ଲେଖିଥିଲା ତାକୁ ଥରେ ମୋର ଦେଖିବାକୁ ଭାରି ଇଚ୍ଛା ହେଉଛି । ବୋଉ ତ ବୋହୂ ବୋହୂ ବୋଲି ପାଗଳ ହେଉଛି । ସେହି ଗୀତିକୁ ନୂଆବୋଉ କରିବା କି ?

 

ଯଦି ଲେଖିବ ତେବେ ବୋଉ ଆଗରେ କଥା ପକେଇବି । ଭୟ କରିବନି । ମୁଁ କେବେ ଫେଲ୍ ହେବିନି, କିନ୍ତୁ ମତେ କ’ଣ ପୁରସ୍କାର ଦେବ ଆଗ ଲେଖିବ ।–

 

ସୁଧାଂଶୁ ଦୁଇଖଣ୍ଡଯାକ ଚିଠି ବାରମ୍ବାର ପଢ଼ିଲା–ମିନି ପାଖକୁ ଉତ୍ତର ଦେଲା–‘‘ଏତେ ଚଞ୍ଚଳ ହେବୁନି, ମୁଁ ବଳେ ତୋ ପାଖକୁ ଲେଖିବି ।”

 

ତା’ପରେ–ଗୀତି ପାଖକୁ ଲେଖିଲା–

 

–‘‘ତୁମେ ମୋ ଦର୍ଶନପାଇଁ ବ୍ୟାକୁଳ ହେଉଛ । କିନ୍ତୁ ମୁଁ ସବୁ ସମୟରେ ତୁମରି ମୁହଁକୁଇ ଦେଖୁଛି । ତୁମ ମୁହଁ ବ୍ୟତୀତ ମତେ ଆଉ କିଛି ଦିଶୁନି । ପଢ଼ି ପଢ଼ି ମୁଁ ପ୍ରାୟ ଛାଡ଼ି ସାରିଲିଣି । –ତୁମେ ସତକଥା ଲେଖିଛ, ତୁମର ମୋର ପରିଚୟ ଭଗବାନଙ୍କ ଉପହାସ ବ୍ୟତୀତ ଆଉକିଛି ନୁହେଁ । ସୁବିଧା ହେଲେ ମୁଁ ନିଶ୍ଚୟ ତୁମ ଘରକୁ ଯିବି । ଦୁଃଖ କରିବନି ।”

 

ଗୀତି ଉତ୍ତର ଦେଇଥିଲା–

 

‘‘ମୋ କଥା ଚିନ୍ତାକରି ପଢ଼ାପଢ଼ି କରିପାରୁନ ବୋଲି ଲେଖିଛ–ମୋ ସୁନାଟି ପରା–ତୁମକୁ ମୋରାଣ, ଏତେ ଚିନ୍ତା କରିବନି, ଯଦି ତୁମ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ, ତେବେ ମୁଁ ଆଉ ଚିଠି ଦେବିନି ।”

 

ଗୀତି ଚିଠିର ଧମକରେ ହେଉ ଅବା ନିଜର ବଦନାମ ହେବା ଭୟରେ ହେଉ ଫାଇନାଲ୍ ପରୀକ୍ଷା ପୂର୍ବରୁ ସୁଧାଂଶୁ ନିଜକୁ ସଜାଡ଼ି ନେଲା । ସେ ଜାଣିପାରିଲା ଚିଠିପତ୍ର ନେଇ ବ୍ୟସ୍ତ ରହିଲେ ସେ ଫେଲ୍ ହେବ ନିଶ୍ଚୟ । ଗଲା ଦି’ମାସ ଧରି ତା’ର ପଢ଼ାପଢ଼ି ହୋଇନି । ତେଣୁ ବାଧ୍ୟ ହୋଇ ସେ ପ୍ରତିଜ୍ଞା କଲା ପରୀକ୍ଷା ସରିବା ପର୍ଯ୍ୟନ୍ତ ଯାହାପାଖରୁ ଯାହାଚିଠି ଆସିବ ତାକୁ ସେ ପଢ଼ିବନି କି କାହାର ଉତ୍ତର ଦେବନି ।

 

ସେହି ପ୍ରତିଜ୍ଞା ଅନୁସାରେ ତା’ ପାଖକୁ ଆସୁଥିବା କୌଣସି ଚିଠି ସେ ପଢ଼ିନି । ଯେକୌଣସି ଚିଠି ଆସିଲାମାତ୍ରେ ତା’ ଟ୍ରଙ୍କ୍‍ତଳେ ରଖି ଦେଉଥିଲା । ଦୀର୍ଘ ପନ୍ଦରଦିନ ଭିତରେ ତା’ ପାଖକୁ ମାତ୍ର ତିନିଖଣ୍ଡ ଚିଠି ଆସିଥାଏ ।

 

ପରୀକ୍ଷା ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରିଥିଲା ସୁଧାଂଶୁ । ପରୀକ୍ଷା ପରେ ତା’ ମୁଣ୍ଡରୁ ଏକ ବୋଝ ଓହ୍ଲେଇ ଗଲାଭଳି ଲାଗିଲା । ଯାହାହେଉ ନିଜ ଉତ୍ତର ଦେବାରେ ସେ ନିଜେ ସନ୍ତୁଷ୍ଟ ହୋଇଛି । ତା’ର ପୂର୍ବ ସୁନାମରେ ଆଞ୍ଚ ଆସିବନି । ସେ ନିଶ୍ଚୟ ଫାଷ୍ଟ ଡିଭିଜନ୍ ପାଇବ ।

 

ସେଦିନ ବସାକୁ ଫେରି ପ୍ରଥମେ ସେ ଚିଠି ତିନିଖଣ୍ଡ ବାହାର କରିଥିଲା, ସେଥିରୁ ଖଣ୍ଡେ ଚିଠି ଗୀତିର ଥିଲା । ଅନ୍ୟ ଦୁଇଖଣ୍ଡ ଚିଠି ମିନି ଦେଇଥିଲା । ପ୍ରଥମେ ସେ ଗୀତି ଚିଠି ପଢ଼ିଥିଲା । ଗୀତି ପରୀକ୍ଷାପରେ ତାଙ୍କ ଘରକୁ ଯିବାକୁ ନିମନ୍ତ୍ରଣ କରିଛି । କେତେ ରାଣ ପକେଇଛି । ନ ଗଲେ ଆଉଦିନେ ଚିଠି ଦେବନି ବୋଲି ଅଭିମାନ ମଧ୍ୟ କରିଛି ।

 

ମିନି ଚିଠି ଦୁଇଖଣ୍ଡରୁ ତାରିଖ ଦେଖି ପ୍ରଥମ ଚିଠିଟି ପ୍ରଥମେ ସୁଧାଂଶୁ ଖୋଲିଲା–ମିନି ଚିଠି ସହିତ–ତା’ ବୋଉଙ୍କର ମଧ୍ୟ ଏକ ଚିଠିଥିଲା । ବୋଉ ତା’ର ସୁଧାଂଶୁର ବିଭାଘର ପାଇଁ ଭାରି ବ୍ୟସ୍ତ । ସେଥିପାଇଁ ବହୁବୁଝାବୁଝି କରି ଏଇ ବୈଶାଖରେ ବିଭାଘର ପାଇଁ ସୁଧାଂଶୁର ମତ ଲୋଡ଼ିଛନ୍ତି । ସେ ଚିଠିଖଣ୍ଡି ପଢ଼ି ସୁଧାଂଶୁ ଟିକେ ହସିଲା । ତା’ପରେ ମିନି ଚିଠି ଆରମ୍ଭ କଲା–ମିନି ଲେଖିଛି–

 

–ବୋଉ ତୁମ ବିଭାଘର ନେଇ ଭାରି ବ୍ୟସ୍ତ । ବାପା କିନ୍ତୁ ନାହିଁ କରୁଛନ୍ତି ବର୍ତ୍ତମାନ ବିଭାଘର ପାଇଁ । ସେଥିପାଇଁ ବାପାବୋଉଙ୍କ ଭିତରେ ଭାରି ଯୁକ୍ତିତର୍କ ହୋଇ ଶେଷକୁ ବୋଉ ତୁମ ପାଖକୁ ଲେଖୁଛି । ଯଦି ତୁମେ ରାଜି ହୋଇଯାଅ ତେବେ ବାପା ଆଉ ଆପତ୍ତି କରିବେନି । ମୁଁ ଗୀତି କଥା ବୋଉକୁ କହିଥାନ୍ତି । କିନ୍ତୁ ତୁମଠୁ କିଛି ନ ଜାଣିଲା ପର୍ଯ୍ୟନ୍ତ କିମିତି କହିବି ? –ତୁମ ମତ ଶୀଘ୍ର ଲେଖିବ ।

 

ମିନିର ଅନ୍ୟ ଚିଠିଖଣ୍ଡି ସୁଧାଂଶୁ ଖୋଲିଲା–

 

ଭାଇନା–ତୁମେ ଚିଠି ନଦେଇ ନୀରବ ରହିବାରୁ ବୋଉକୁ ସୁବିଧା ମିଳିଗଲା–ସେ ବାପାଙ୍କୁ ବୁଝେଇଦେଇଛି,’’ ବୁଢ଼ାର ଇଚ୍ଛା ନଥିଲେ ସେ ନିଶ୍ଚୟ ଚିଠିଦିଅନ୍ତାଣି । ସେ କ’ଣ ଆଉ କାହା ପୁଅ ଭଳି ବିଭାଘର କଥା ବାପାବୋଉଙ୍କ ପାଖକୁ ଲେଖିବ ?”–ବାପାବି ବୋଉକଥାରେ ଭୁଲି ଯାଇଛନ୍ତି । ପାତ୍ରୀ ଯୋଗାଡ଼ ଜୋର୍‍ସୋର୍‍ରେ ଚାଲିଛି । ଆଜି କିଏ ସବୁ ଆସିଥିଲେ । ଜାତକ ଭଲ ଶୁଝିଛି । ଖୁବ୍ ଦବାନବା କରିବ ? ଏସବୁ ଶୁଣି ଶୁଣି ମତେ କିଛି ଭଲ ଲାଗୁନି । ତୁମେ କାହିଁକି ନୀରବ ରହିଛ; ଅନ୍ତତଃ ମତେ ଲେଖିବ । ଜରୁରୀ । ଇତି । ସ୍ନେହର ମିନି ।

 

ଚିଠି ଖଣ୍ଡି ପଢ଼ିସାରିଲାବେଳକୁ ସୁଧାଂଶୁ ମୁଣ୍ଡରେ ଆଉ କିଛି ନଥିଲା । ସେ ସାଙ୍ଗେ ସାଙ୍ଗେ ପ୍ୟାଡ଼୍ ଧରି, ବାପା, ବୋଉ ଓ ମିନି ପାଖକୁ ସ୍ଵତନ୍ତ୍ର ତିନିଖଣ୍ଡ ଚିଠି ଲେଖିଲା । ସେଥିରେ ସେ ସ୍ପଷ୍ଟ ମନା କରିଦେଲା ଏମ୍.ଏ. ପାସ୍ କଲା ପୂର୍ବରୁ ସେ କଦାପି ବିଭା ହୋଇନପାରେ । ଜବରଦସ୍ତି କଲେ ସେ କଦାପି ଘରକୁ ଆଉ ଯିବନି ।–

 

ଚିଠିଖଣ୍ଡି ଡାକରେ ପକେଇସାରି ସେ କିଛିଟା ଆଶ୍ଵସ୍ତ ହେଲା । ତଥାପି ତା’ର ମନସ୍ଥିର ହେଲାନି । କେଇଦିନ ସେ ଆଉ ଏମିତି ଭୁଲେଇ ରଖିବ ତା’ ବୋଉଙ୍କୁ । ଯାହାହେଉ ଗୀତି ବିଷୟରେ ତାକୁ କିଛି ଗୋଟେ ନିଷ୍ପତ୍ତି ନେବାକୁ ହେବ ।

 

ତା’ ତରଫରୁ ଅବଶ୍ୟ ଗୀତିପାଇଁ କୌଣସି ଆପତ୍ତିନାହିଁ । କିନ୍ତୁ ସେ ନିଜେ ଇଚ୍ଛାକଲେ ତ ବିଭାଘର ହୋଇ ନପାରେ । ବାପାଙ୍କର ରକ୍ତଚକ୍ଷୁ ତା’ର ମନେପଡ଼ିଲା । ସାରା ଜୀବନ ହାକିମି କରି ଆସି ତାଙ୍କ ମିଜାଜ ସେହିଭଳି ହୋଇ ଯାଉଚି । ସେ ଚାହାନ୍ତି ସମାନସ୍କନ୍ଧ ବନ୍ଧୁ । ଆଉ ଆଜିକାଲିର ପାଞ୍ଚଜଣଙ୍କ ଝିଅପରି ବୋହୂଟି ଶିକ୍ଷିତା ହୋଇଥିବା ଉଚିତ ।

 

ଆଉ ତା’ ବୋଉ ଚାହାନ୍ତି ପ୍ରଚୁର ଯୌତୁକ । ଗାଁରେ ଯେତେ ବୋହୂ ଆସିଛନ୍ତି ତାଙ୍କ ବୋହୂ ଯିମିତି ସବୁଠୁ ସରସ ହେବ । ପଟ୍ଟନାୟକ ଘର ବୋହୂ ଆସିଲାଦିନ ଯୌତୁକ ଜିନିଷ ଆଠଦଶ ଖଣ୍ଡ ଶଗଡ଼ରେ ବୋଝେଇ ହୋଇ ଆସିଥିଲା । ମୋ ବୋହୂ ପଛରେ ଟ୍ରକ୍‍ ଆସିବ ଯିମିତି । ନହେଲେ ଉଚ୍ଚମୁଣ୍ଡ ମୋର ତଳକୁ ହେବ ।

 

ସୁଧାଂଶୁର ମୁଣ୍ଡ ଖରାପ ହୋଇଯାଏ । ବାପା ବୋଉ କାହାରିକୁ ସନ୍ତୁଷ୍ଟ କଲାଭଳି କ୍ଷମତା ଗୀତି କିମ୍ବା ତା’ ପରିବାର କାହାରି ନାହିଁ । କେଉଁ ସାହସରେ ବା ସେ ଏକଥା ବୋଉ ପାଖକୁ ଲେଖିବ ?

 

କିଛି କୁଳକିନାରା ପାଏନି ସୁଧାଂଶୁ । ଫାଶି ଲଗେଇ ଆତ୍ମହତ୍ୟା କରୁଥିବା ଲୋକ ଜୀବନ ବିକଳରେ ଆଶ୍ରୟପାଇଁ ହାତ ଗୋଡ଼ ଛାଟିଲାଭଳି ସେ ଅକୁଳ ମନରେ ଚାରିଆଡ଼କୁ ଚାହେଁ-। କିନ୍ତୁ ସବୁଠୁ ସେ ନିରାଶ ହୁଏ ।

 

ବସିଲା ଜାଗାରୁ ଉଠିଯାଇ ଚିତ୍ ହୋଇ ଶୋଇପଡ଼େ । ସେଠୁ ଉଠି ଘରର ଏମୁଣ୍ଡସେମୁଣ୍ଡ ପଦଚାରଣ କରେ । ବୁଲି ବୁଲି ଗୋଡ଼ ଥକି ପଡ଼ିଲେ ପୁଣି ଚେୟାର ଉପରେ ବସେ-। ଟେବୁଲ ଉପରେ ମୁଣ୍ଡଥୋଇ ଚିନ୍ତାକରେ ସେ ।

 

ବୁଡ଼ିଗଲା ଲୋକ କୁଟାଖିଅକୁ ଆଶ୍ରାକଲାପରି ସାମାନ୍ୟ କିଛି ଉପାୟ ପାଇଲେ ଚେୟାର ଉପରେ ସିଧା ହୋଇ ବସେ ସେ । ଚିନ୍ତାକରେ, ହୋଇପାରିବକିନା । ଏଥିରେ ତା’ର ଉଦ୍ଦେଶ୍ୟ କେତେଦୂର ଫଳବତୀ ହେବ ।

 

ତା’ରି ଭିତରେ ସେ ଠିକ୍ କରିଥିଲା ଗୀତି ଯଦି ଆଉଟିକେ ଅଧିକ ପଢ଼ନ୍ତା ବାପାଙ୍କୁ ହୁଏତ ଅଧାଅଧି ସନ୍ତୁଷ୍ଟ କରିହୁଅନ୍ତା । କୌଣସି ପ୍ରକାର ପ୍ରାଇଭେଟ୍ ଛାତ୍ରୀ କରି ଗୀତିକୁ ଦଶମ ଶ୍ରେଣୀରେ ନାଁ ଲେଖେଇ ଦେଲେ ତା’ର ଏମ୍.ଏ. ସରିଲାବେଳକୁ ଗୀତି ଅନ୍ତତଃ ମାଟ୍ରିକ୍‍ଟା ପାସ୍ କରିଯା’ନ୍ତା–ତେବେ ଅନ୍ୟ ସବୁ ଅସୁବିଧା ବିଷୟ ଚେଷ୍ଟା କରିହୁଅନ୍ତା–

 

ଶୁଭସ୍ୟ ଶୀଘ୍ରଂ–ସେ ସାଙ୍ଗେ ସାଙ୍ଗେ ଗୀତି ବାପାଙ୍କ ପାଖକୁ ଏ ବିଷୟରେ ଚିଠି ଲେଖି ବସିଲା । ସେ ଗୀତିର ସମସ୍ତ ଖବର ବୁଝିବ । ଦି’ଟା ବର୍ଷ ଦିଦିନ ଭଳି କଟିଯିବ ।

 

କିନ୍ତୁ ଚିଠିଟି ଅଧାଅଧି ଲେଖିସାରିଲା ପରେ ସେ ଭାବିଲା ଚିଠିରୁ ଯଦି କିଛି ଅନ୍ୟ ଅର୍ଥ ସେମାନେ ବାହାର କରନ୍ତି ସମସ୍ତ ଚେଷ୍ଟା ତା’ର ବିଫଳ ହେବ ।

 

ପରିଣତିସ୍ୱରୂପ ଗୀତିକୁ ଯଦି ସେ ନପାଏ ତା’ର ସାରା ଜୀବନ ବ୍ୟର୍ଥ ହୋଇଯିବ ।–

 

ନାଃ–ସେ ନିଜେ ତାଙ୍କ ଘରକୁ ଯିବ । ଚେଷ୍ଟା କରି ପ୍ରଭାବିତ କରିବ ମଉସା ଆଉ ମାଉସୀଙ୍କୁ ।–

 

ପରୀକ୍ଷାଫଳ ବାହାରିବା ପର୍ଯ୍ୟନ୍ତ ସୁଧାଂଶୁ କଟକରେ ରହିଥିଲା । ତା’ରି ଭିତରେ ସେ ନିଜ ବୋଉଙ୍କଠୁ ଆହୁରି ଖଣ୍ଡେ ଚିଠି ପାଇଥିଲା । ତା’ ଚିଠି ପାଇ ଚିଠି ଦେଇଥିଲେ ତା’ ବୋଉ–

 

“–ତୁ ମିନି ପାଖକୁ ଦେଇଥିବା ଚିଠି ପାଇଲି । ତୁ ଲେଖିଛୁ ଘରକୁ ଆଉ ଆସିବୁନି ବୋଲି । କିନ୍ତୁ କାହିଁକି, ନହେଉ ପଛେ ଏଇନେ ବିଭାଘର; କିନ୍ତୁ ତତେ ନ ଦେଖିଲେ ମୋ ଆଖି ଫୁଟିଯିବ । ତୋ ପରୀକ୍ଷା ମାସକରୁ ବେଶି ହେବ ସରିଲାଣି । ତୁ କାହିଁକି କଟକରେ ବସିଛୁ ? ଚିଠିପାଇ ଶୀଘ୍ର ନ ଆସିଲେ ମୁଁ ନିଜେ ଆଣିବାକୁ ଯିବି ।

 

ଚିଠି ପଢ଼ି ସୁଧାଂଶୁର ବୁଦ୍ଧି ହଜିଗଲା । ଯଦି ବୋଉ ଚାଲିଆସନ୍ତି ଗୀତି ଘରବାଟେ ଆଉ ଯାଇ ହେବନି । କେତେ ରାଣପକେଇ ଗୀତି ଯିବାକୁ ଲେଖିଚି । ତା’ରବି କମ୍ ଲୋଭ ନୁହେଁ ସେଠିକି ଯିବାକୁ ।

 

ସେଇଦିନ ସେ ଟେଲିଗ୍ରାମ୍ କଲା ବୋଉ ପାଖକୁ । ତା’ର ପାସ୍ ଖବର ଓ ତା’ ସଙ୍ଗେ ସଙ୍ଗେ ଘରକୁ ଯିବା କଥାବି ସେଥିରେ ଜଣେଇ ଦେଲା ।

 

ତା’ପରେ ସ୍ଵସ୍ତିର ନିଃଶ୍ଵାସ ମାରିଥିଲା ସେ । ଟେଲିଗ୍ରାମ୍ ପାଇ ବୋଉ କେବେ ନିକଟରେ ଆଉ କଟକ ଆସୁନାହାନ୍ତି । ଗୀତି ଘରକୁ ଯିବାକୁ ସଜ ହେଲା ସେ ।–

 

ସୁଧାଂଶୁ ସେଦିନ ଗୀତି ଘରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତା’ ଯିବା ଆଗରୁ ସେ ଜଣେଇ ନଥିଲା । ଇଚ୍ଛାକରି ଜଣେଇ ନଥିଲା ସେ । ଆକସ୍ମିକ ଭାବରେ ପହଞ୍ଚି ଗୀତିକୁ ଚମକେଇ ଦେବା ତା’ର ଉଦ୍ଦେଶ୍ୟ ଥିଲା ।

 

ରାତ୍ରିର ବହଳ ଅନ୍ଧାର ଆସି ନଥାଏ । ସୂର୍ଯ୍ୟ କିନ୍ତୁ ଅନେକବେଳୁ ଚଣ୍ଡୀଖୋଲତଳେ ମୁହଁ ଲୁଚେଇ ସାରିଥିଲେ । ଗୀତି ବୋଉ ଦିଅଁଙ୍କ ପାଖରେ ସନ୍ଧ୍ୟା ଦୀପ ଦେଇ ନମସ୍କାର କରୁଥାନ୍ତି; ଆଉ ଗୀତି ବସିଥାଏ ତା’ ଶୋଇବାଘରେ ।

 

ଘରଭିତରେ ପତଳା ଅନ୍ଧାରର ଆସ୍ତରଣ । ତା’ ଭିତରେ ନିଜକୁ ହଜେଇଦେଇ ଗୀତି ସୁଧାଂଶୁର କଥା ଚିନ୍ତା କରୁଥିଲା । ତାଙ୍କର ପରୀକ୍ଷା ସରିଲେ ଆସିବେ ବୋଲି ଲେଖିଥିଲେ । ତା’ପରେ ସେ ଦିଖଣ୍ଡ ଚିଠି ଦେଇଥିଲେବି କୌଣସି ଉତ୍ତର ଦେଇ ନାହାନ୍ତି । କେତେଥର କେତେ ଆଳରେ କୁଆକୁ ସେ ଆଧାର ଦେଇଛି । ନିଆଁଲଗା କୁଆଗୁଡ଼ା କିନ୍ତୁ ନ ଖାଇ ଉଡ଼ିଯାନ୍ତି ।

 

ଆଜି କୁଆଟା କିନ୍ତୁ ଚାଉଳତକ ସବୁ ଖାଇଦେଇ ଗଲା । ସେ ଚାଉଳ ଖାଉଥିଲାବେଳେ ଗୀତି ନିଠେଇ ନିଠେଇ ସେ କୁଆକୁ ଚାହିଁଥାଏ । ବାଡ଼ିପଟରୁ ତା’ ବୋଉ ଆସି ଦେଖିଥିଲେ । ତା’ର କୁଆକୁ ଆଧାର ଦେବା ଦେଖି ମୁରୁକି ମୁରୁକି ହସିଥିଲେ ବୋଉ । ତାଙ୍କ ହସରେ ଗୀତି ସରମିଯାଇ ନିଜ ଶୋଇଲା ଘରକୁ ପଳେଇଥିଲା । ସେତିକିବେଳକୁ ତା’ ବାଁ ଆଖିଟା ଡେଇଁଲା ତିନି ଚାରିଥର ।

 

ବୋଉ ନିଶ୍ଚେ ତା’ର ମନକଥା ଜାଣିପାରିଛି । ନହେଲେ ହସିଲା କାହିଁକି ସେ । ସୁଧାଂଶୁବି ସେମିତି ହଟିଆ ଲୋକ । ନ ଆସିଲେ ନାହିଁ ଚିଠି ଖଣ୍ଡେ ଦେଇ ପାରନ୍ତେ ନାହିଁ । ତାଙ୍କରିପାଇଁ ସେ କେତେଜଣଙ୍କ ପାଖରେ ଅପଦସ୍ତ ହେଲାଣି ।

 

କାଲି ସରନୂଆବୋଉ ପଚାରିଲେ–

 

–‘‘ଗୀତି, ତୁମେ ରାତିରେ ଶୋଉନ କି ?”

 

ତାଙ୍କ କଥାରେ ହସି ହସି ସେ କହିଥିଲା–

 

“କାହିଁକି, କ’ଣ ହୋଇଛିକି ?”

 

“–ନାହିଁ ତୁମ ଆଖି ଦି’ଟା ସେମିତି ଦିଶୁଛି । କାହାକଥା ଏତେ ଭାବୁଛ ମ ?”

 

ବାଁରେଇ ତାଙ୍କପାଖରୁ ପଳେଇ ଆସିଥିଲା ଗୀତି; କିନ୍ତୁ ଯେତେ ଚେଷ୍ଟା କଲେବି ସୁଧାଂଶୁ ଚିନ୍ତାରୁ ସେ ଦୂରକୁ ପଳେଇ ପାରୁନି ।

 

ଦାଣ୍ଡଦୁଆରେ ବାପାଙ୍କର ଅତର୍ଚ୍ଛ ଡାକ ଶୁଭିଲା–

 

–‘‘ଗୀତି, କୁଆଡ଼େ ସବୁ ଗଲକି ? ଦାଣ୍ଡଘରକୁ ଗୋଟେ ଲଣ୍ଠନ ଆଣ । ଆଉ କିଏ ଆସିଛି ଦେଖିବ ଆସ ।’’

 

ହଠାତ୍ ତା’ ବାଁ ଆଖିଟା ପୁଣି ଡେଇଁ ଉଠିଲା । ଛାତି ତଳେ ଢିଙ୍କି ପାହାର ପଡ଼ିଲା । କିଏ ଆଉ ହୋଇଥିବେ । ସେ ନୁହନ୍ତି ତ ।

 

ଏରୁଣ୍ଡି ଡେଇଁ ପଦାକୁ ଆସିଲା ସେ । ବୋଉ ତା’ର ଲଣ୍ଠନଟା ଧରି ଲସରପସର ହୋଇ ଧାଇଁଛନ୍ତି । ବୋଉ ପଛେ ପଛେ ଚାଲିଲା ସେ । ଘରଭିତରେ ପଶୁ ପଶୁ ବୋଉ କହିଉଠିଲେ–

 

–‘‘ଇରେ ମୋ ବାପାଟାରେ । ମୋ ଘର ଆଜି ହସି–ଉଠିଲା ମୋ ଧନର ପାଦଧୂଳି ଆଜି ମୋ ଘରେ ପଡ଼ିଛି ।’’

 

ସୁଧାଂଶୁ ନଇଁପଡ଼ି ବୋଉର ପାଦଧୂଳି ନେଲେ । ଗୀତି କିନ୍ତୁ ଜଡ଼ ପାଲଟି ଯାଇଥାଏ । ଅତ୍ୟଧିକ ଦୁଃଖ ଯେମିତି ମଣିଷ ସହିପାରେନା ଅତିବେଶି ଆନନ୍ଦବି ତା’ ପାଖରେ ଅସହ୍ୟ ହୁଏ । ଗୀତି ଅବସ୍ଥା ସେହିଭଳି ହୋଇଥାଏ ।

 

ତା’ ବୋଉଙ୍କ ପାଟିରେ ତା’ର ଧ୍ୟାନ ଭାଙ୍ଗିଲା ।

 

–‘‘ଖୁଣ୍ଟଟି ଭଳି ଠିଆ ହେଲୁ କ’ଣ ? ଭାଇନାଙ୍କୁ ଗୋଡ଼ ଧୋଇବାକୁ ପାଣି ଦେ ।’’

 

ତା’ର ହୋସ ହେଲା । ସେତେବେଳଯାଏ ନମସ୍କାର ପର୍ଯ୍ୟନ୍ତ ସେ କରିନି । ସୁଧାଂଶୁର ପାଦଛୁଇଁବାକୁ ଇଚ୍ଛାଥିଲେବି ବାପା ବୋଉଙ୍କ ଆଗରେ ସେତକ ସେ କରିପାରିଲାନି । କେବଳ ମୁଣ୍ଡନୁଆଁଇ ସୁଧାଂଶୁକୁ ନମସ୍କାର କରି ସେଠୁ ପଳେଇଲା ! ଘରୁ ବାହାରି ଆସୁ ଆସୁ ସେ ଶୁଣିଲା-। ବୋଉ କହୁଛନ୍ତି–

 

–‘‘ଝିଅ ମୋର ଆଜି କୁଆକୁ ଆଧାର ଦେଉଥିଲା ।’’

 

ତା’ କାନମୂଳ ପୋଡ଼ିଗଲା ଭଳି ଲାଗିଲା । ଛିଃ ବୋଉଟା ଓଲିଟାଏ । କାହାକୁ କ’ଣ କହିବାକୁ ହେବ ତା’ର ବିଚାର ନାହିଁ ।

 

ସେକଥା ଶୁଣିସାରିଲା ପରେ ଆଉ ସୁଧାଂଶୁ ଆଗକୁ ଯିବାକୁ ତାକୁ ଲାଜ ଲାଗିଲା । ସେ ଢାଳେ ପାଣି ଆଣି ଟିକିଏ ଶବ୍ଦ ହେଲା ଭଳି ଦାଣ୍ଡଘର ଦୁଆରମୁହଁରେ ରଖି ସେଠୁ ଖସି ଆସିଲା ।

 

ସୁଧାଂଶୁ ଗୋଡ଼ ଧୋଇବାକୁ ଦାଣ୍ଡ ପଥର ପାହାଚ ଉପରକୁ ଫେରିଗଲେ । ସୁଧାଂଶୁର ବ୍ୟାଗ୍ ଆଉ ଗୋଟେ ପ୍ୟାକେଟ୍ ଆଣି ଗୀତି ହାତକୁ ବଢ଼େଇ ଦେଇଥିଲେ ତା’ ବାପା । ତା’ପରେ ସୁଧାଂଶୁକୁ ଜଳଖିଆ ବରାଦ କରି ଗାଁମୁଣ୍ଡ ଦୋକାନକୁ ବାହାରିଯାଇଥିଲେ ।

 

ଗୀତି ବ୍ୟାଗ୍‍ଟା ଧରି ନିଜ ଶୋଇବା ଘରକୁ ଗଲା । ଟ୍ରଙ୍କ୍‍ରୁ କାଢ଼ି ବାସିଧୋବ ବିଛଣା ଚଦରଟାଏ ଖଟଉପରେ ପକେଇ ଦେଲା । ତା’ପରେ ଆଲଣାରୁ ନିଜଶାଢ଼ି ପ୍ରଭୃତି ଆଡ଼େଇ ଦେଇ ସୁଧାଂଶୁର ବ୍ୟାଗ୍‍ରୁ ଲୁଙ୍ଗି ପ୍ରଭୃତି କାଢ଼ି ସେଥିରେ ସଜେଇ ଦେଇଥିଲା ସେ ।

 

ଅତିକମ୍‍ରେ ସୁଧାଂଶୁକୁ ଚାରିଦିନରୁ କମ୍‍ରେ ସେ ଛାଡ଼ିବନି ଏଥର ।

 

ଦାଣ୍ଡଘରୁ ବୋଉ ଡାକ ଛାଡ଼ିଲେ–‘‘ପୁଅର ଲୁଙ୍ଗି ସେ ବ୍ୟାଗ୍‍ରୁ ଆଣ ।’’ ଗୀତି ସେଠି ପହଞ୍ଚି କହିଲା–

 

“ସେହି ଘରକୁ ଡାକିନେ । ସେଇଠି ଲୁଗା ବଦଳନ୍ତୁ ।

 

“ଝିଅଙ୍କର ବୁଦ୍ଧି ଦେଖ, ତୁ ଡାକି ନଉନୁ ।’’

 

ବିରକ୍ତ ହୋଇଥିଲେ ବୁଢ଼ୀ, ଗୀତି କିନ୍ତୁ ସେଠୁ ପଳେଇ ଯାଇ ଅନ୍ଧାରଘରେ ବସିଥାଏ ।

 

ତା’ ବୋଉର ପାଦଶବ୍ଦ ରନ୍ଧାଘର ବାରଣ୍ଡାରେ ଶୁଭିଲା । ମିଛେ ମିଛେ ଫୁଙ୍କନଳୀଟାରେ ଚୁଲି ଫୁଙ୍କି ବସିଲା ଗୀତି ।

 

–‘‘ଥାଉ, ଥାଉ, ଜଳିଲା ଚୁଲିକୁ ଆଉ ଫୁଙ୍କୁନା, ମୁଁ ଜଳଖିଆନେଇ ଯାଉଛି । ପୁଅଟା ଏକୁଟିଆ ବସିଛି, ତୁ ସେଠିକି ଟିକିଏ ଯା–’’

 

ତା’ର ସବୁ ଅଭିନୟ ତା’ ବୋଉଙ୍କ ଆଖିରେ ଧରା ପଡ଼ି ଯାଉଛି । ତାଙ୍କରିଠୁ ଜନମ ହୋଇ ତାଙ୍କ ଆଖିକୁ ଫାଙ୍କିଦେବ ସେ କିମିତି ?

 

ବୋଉ ପାଖରେ ଯେତିକି ସେ ଧରାପଡ଼ୁଥାଏ ତାକୁ ସେତିକି ବେଶି ବେଶି ଲାଜ ଲାଗୁଥାଏ । ଚୁଲିପାଖରୁ ନ ଉଠି ଫୁଙ୍କନଳୀଟାରେ ଚୁଲି ମୁହଁକୁ ଥିର ଥିର କରି ବାଡ଼ୋଉଥାଏ ସେ–

 

–‘‘ତତେ ପରା ମୁଁ କହିଲି ଯିବାକୁ । ଆଉ କେଉଁ ଦିନ ରାନ୍ଧିଥିଲୁ ନା ଆଜି ଆସିଛୁ ?”

 

ବାଧ୍ୟ ହୋଇ ଗୀତି ବାହାରକୁ ଆସିଲା । ଲାଜ ଲାଗୁଥିଲେବି ବୋଉ ଡରରେ ଚାଲିଲା ଚାଲିଲା ହୋଇ ସୁଧାଂଶୁ ବସିଥିବା ଘର ଦୁଆରମୁହଁଯାକେ ଗଲା; କିନ୍ତୁ ଏରୁଣ୍ଡି ଡେଇଁବାକୁ ତା’ ଗୋଡ଼ ଦି’ଟାକୁ ଯେମିତି କିଏ ବାହାରୁ ଟାଣିଧରିଲା । ଦୁଆରବନ୍ଧକୁ ଆଉଜି ଠିଆ ହୋଇ ରହିଲା ସେ ।

 

ପ୍ରଥମେ ମୁହଁ ଖୋଲିଲା ସୁଧାଂଶୁ–

 

–ମୋ ଉପରେ ରାଗିଛ ?

 

–‘‘କିମିତି ଜାଣିଲ ?”

 

–‘‘ତୁମ ବ୍ୟବହାରରୁ–’’

 

–‘‘ତୁମ ପରୀକ୍ଷା କେବେଠୁ ସରିଲାଣି ?” ଗୀତି ପଚାରିଲା ।

 

ହସିଉଠିଥିଲା ସୁଧାଂଶୁ–

 

–‘‘ଓ–ସେଥିପାଇଁ ଅଭିମାନ କରିଛ; କିନ୍ତୁ ପରୀକ୍ଷାଫଳ ନ ଜାଣି ଆସନ୍ତି କିମିତି ?”

 

ଆସ୍ତେ କଥାବାର୍ତ୍ତା ସହଜ ହୋଇ ଆସୁଥାଏ । ଗୀତିର ସଙ୍କୋଚ କମି ଆସୁଥାଏ–ଦୁହିଁଙ୍କ ଆଳାପ ଭିତରେ ।

 

ତା’ପରେ ଗୀତି ଆରମ୍ଭ କଲା–

 

–‘‘ଆପଣଙ୍କର ଆମଘରକୁ ଆସିବା କେବଳ ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ । ଆପଣଙ୍କୁ ବାଧ୍ୟ କରିବା ବା ସେଥିପାଇଁ ଅଭିମାନ କରିବାର ଅଧିକାର କ’ଣ ଆମର ଅଛି ।’’

 

–‘‘ଯଦି କେବଳ ମୋରି ଇଚ୍ଛାରେଇ ମୁଁ ଏଠିକି ଆସିଛି, ତାହାହେଲେ ଚାଲିଯିବାବି ମୋର ଇଚ୍ଛା ଭିତରର ନିଶ୍ଚୟ । ସେଥିରେ କହିବାର ଅଧିକାର କାହାରି କେବେ ନଥିବ । ବର୍ତ୍ତମାନବି ଯାଜପୁର ପାଇଁ ଗାଡ଼ି ଅଛି ।’’

 

ସୁଧାଂଶୁ ଖଟଉପରକୁ ଉଠି ପଡ଼ିଲା । ଆଲଣାରୁ ନିଜ ପ୍ୟାଣ୍ଟ ଆଣି ପିନ୍ଧିବାକୁ ଆରମ୍ଭ କଲା ସେ ।

 

ତା’ର ଏ ଢଙ୍ଗ ଦେଖି ଗୀତିର ବୁଦ୍ଧି ଶୂନ୍ୟ ହୋଇଗଲା । ଲାଜ ସଙ୍କୋଚ ମୁହୂର୍ତ୍ତକରେ ତା’ର କୁଆଡ଼େ ଉଭେଇଗଲା । ସେ ଦଉଡ଼ି ଯାଇ ସୁଧାଂଶୁ ହାତରୁ ପ୍ୟାଣ୍ଟଟା ଛଡ଼େଇ ନେଇ ଆଲଣାରେ ରଖିଦେଲା । ତା’ପରେ ସୁଧାଂଶୁର ହାତ ଧରି କହିଲା–

 

“–ମୁଁ କହିଲା ପୂର୍ବରୁ ଆଉଥରେ ଯିବାକୁ ବାହାରିଲେ ମୋ ମୁଣ୍ଡ ନିଶ୍ଚୟ ଖାଇବ । ତୁମରିପାଇଁ ତ ଲଜ୍ଜା ସଙ୍କୋଚ ସବୁ ଛାଡ଼ି ସାରିଛି । ଆଉ ଡରିବି କାହିଁକି ? ତୁମରି ଆଗରେ ମୁଣ୍ଡ ପିଟି ମରିବି ।’’

 

କଥା ଶେଷକୁ ତା’ କଣ୍ଠ ବାଷ୍ପାକୁଳ ହୋଇ ଆସିଲା । ଆଖି ଫଟେଇ ଲୁହ ଦି’ଧାର ତଳକୁ ଗଡ଼ି ଆସିଲା ।–

 

ସେମାନଙ୍କ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ଦେଇ ଗୀତିବୋଉ ଜଳଖିଆ ଧରି ସେଠିକି ଆସିଥିଲେ । ବୋଉର ପାଦଶବ୍ଦ ଶୁଣି ଅଲଗା ହୋଇ ଯାଇଥିଲା ଗୀତି ।–

 

ତଳେ ଆସନ ପକେଇ ଜଳଖିଆ ପାଇଁ ଜାଗା କରିଥିଲା ।

 

ସେହିଦିନ ସୁଧାଂଶୁ ଗୀତି ପଢ଼ା ବିଷୟରେ ପ୍ରସ୍ତାବ ଦେଇଥିଲା । ପ୍ରସ୍ତାବ ଶୁଣୁ ଶୁଣୁ ଗୀତି ବୋଉ ନାହିଁ କରିଥିଲେ ।

 

–‘‘ସେକଥା ବାପା ତୁମେ କୁହନା । ଆଉ ଏଦିନେ ଝିଅ ପାଠପଢ଼ିଲେ ସୁନ୍ଦର ଦିଶିବ ?”

 

ସୁଧାଂଶୁ ବହୁ ଯୁକ୍ତି କରିଥିଲା । ଆଜି ଦୁନିଆର ଅବସ୍ଥା ସମ୍ପର୍କରେ ବହୁ ସମୟ ବୁଝେଇଥିଲା । ଶେଷରେ ବାଧ୍ୟ ହୋଇ କହିଲା ।

 

“ଆପଣଙ୍କର ଗୋଟିଏ ବୋଲି ଝିଅ । ଆପଣଙ୍କର ମନ ନିଶ୍ଚୟ ଚାହୁଁଥିବ ଟିକେ ଭଲ ଜାଗାରେ ଝିଅଟିକି ବିଭାଦେବେ । ଶିକ୍ଷିତ ଜୋଇଁଟିଏ ଆପଣ ନିଶ୍ଚୟ ଚାହୁଁଥିବେ; କିନ୍ତୁ ଆଜିକାଲିକାର ପାଠୁଆ ପିଲା ସମସ୍ତେ ଇଚ୍ଛା କରୁଛନ୍ତି ନିଜ ସ୍ତ୍ରୀଟି ଶିକ୍ଷିତା ହୋଇଥାଉ । ସେ କ୍ଷେତ୍ରରେ ଆପଣ ଆଶାନୁରୂପ ଜୋଇଁ ପାଇବେନି ।’’

 

ତା’ କଥାର ସାରବତ୍ତା ବୃଦ୍ଧ ତ୍ରିପାଠୀ ବୁଝିଥିଲେ । ଝିଅ ବିଭାଘର ସମ୍ପର୍କରେ ସେ ଯେତେ ଜାଗା ଯାଇଚନ୍ତି ତାଙ୍କର ଅନୁଭୂତି ସହିତ ସୁଧାଂଶୁର ଯୁକ୍ତି ମିଶି ଯାଉଛି ।

 

ସୁଧାଂଶୁ କଥାରୁ ସେ ଅନ୍ୟ ଅର୍ଥ ଖୋଜିଥିଲେ । ଯେଉଁ କଥାକୁ ସେ ସୁଧାଂଶୁକୁ କହିବାକୁ ସାହସ କରୁ ନଥିଲେ ସୁଧାଂଶୁ ତରଫରୁ ସେକଥା ଆଗ ଆରମ୍ଭ ହେଉଛି । ଆନନ୍ଦରେ ଆତ୍ମହରା ହୋଇଥିଲେ ବୃଦ୍ଧ । ତା’ପରେ ସେ କହିଥିଲେ–

 

–‘‘ଏ ବିଷୟରେ ତୁମ ବାପାଙ୍କ ମତ ଟିକେ ନେଇଥିଲେ ଭଲ ହୋଇଥାନ୍ତା ।”

 

ସୁଧାଂଶୁ ତାଙ୍କ କହିବାର ଅର୍ଥ ବୁଝିପାରିଲା ।–ଲଜ୍ଜା ଆଉ ଆନନ୍ଦରେ ମୁଣ୍ଡ ତା’ର ତଳକୁ ହୋଇଥିଲା । ଅନୁଚ୍ଚ ସ୍ଵରରେ ସେ କହିଥିଲା–

 

–‘‘ସେ ସମୟ ଆସିଲେ ମୁଁ ଆପଣଙ୍କୁ କହିବି ।’’

 

ପାଠପଢ଼ା ସହିତ ବିଭାଘର ସମ୍ପର୍କ କଥା ଆଲୋଚନା ଆରମ୍ଭରୁ ସେଠୁ ଉଠିଯାଇ ନିଜ ଶୋଇବା ଘର କବାଟ କଣରେ ଗୀତି ଠିଆ ହୋଇଥିଲା । ସୁଧାଂଶୁ ଆଉ ତା’ ବାପାଙ୍କର ଶେଷକଥା ଦିପଦ ଶୁଣି ସାରିଲା ପରେ ତା’ର ବାହ୍ୟଜ୍ଞାନ ଲୋପ ହେଲାଭଳି ଲାଗିଲା ତାକୁ । ସେ ମାଟି ଉପରେ ଅଛି କି ଆକାଶରେ ଉଡ଼ୁଛି ସେ ଧାରଣା ମଧ୍ୟ ତା’ର ନଥିଲା । ଲଜ୍ଜା ଆଉ ଆନନ୍ଦ ଯୁଗପତ୍ ଭାବରେ ତା’ର ରୋମାଞ୍ଚ ସୃଷ୍ଟି କରିଥିଲା ।

 

କେତେ ସମୟ ସେଠି ସେ ଠିଆ ହୋଇଛି ତା’ର ଧାରଣା ନାହିଁ । ସୁଧାଂଶୁର କରସ୍ପର୍ଶରେ ତା’ର ବୋଧଶକ୍ତି ଫେରିଥିଲା । ସୁଧାଂଶୁକୁ ଆଗରେ ଦେଖି ଲଜ୍ଜାରେ ତା’ ମୁଣ୍ଡ ଆଉଟିକେ ତଳକୁ ହୋଇ ଯାଇଥିଲା ।

 

ବାରଣ୍ଡାରେ ତା’ ବୋଉଙ୍କର ପାଦଶବ୍ଦ ଶୁଭିଲା ।

 

ଗୀତି ଘରଭିତରୁ ବାହାରକୁ ବାହାରି ଆସିଥିଲା । ବୋଉଙ୍କ ଆଦେଶରେ ରାତ୍ରିଭୋଜନ ପାଇଁ ଜାଗା କରିଥିଲା ସେ ।

 

ତା’ ପରଦିନ ସକାଳ ଦଶଟା ।–

 

ସୁଧାଂଶୁ ଗାଧୋଇସାରି ଜଳଖିଆ ଖାଇ ସାରିଥାଏ । ଗୀତି ଯାଇଥାଏ ଗାଧୋଇବାକୁ । ସେ ଶୋଇ ଶୋଇ ଅଧାପଢ଼ା ଉପନ୍ୟାସଟା ସାରୁଥାଏ ।

 

ଖଞ୍ଜା ଭିତରେ ଆଉ କେହି ନଥାନ୍ତି । ଗୀତି ସାଙ୍ଗରେ ତା’ ବୋଉ ଯାଇଛନ୍ତି ଗାଧୋଇବାକୁ, ଆଉ ବାପା କୌଣସି କାମରେ ବାହାରକୁ ଯାଇଛନ୍ତି ।

 

ଦାଣ୍ଡ କବାଟ ବନ୍ଦ ଅଛି । ବାରିପଟ କବାଟକୁ ଆଉଜେଇ ନେଇ ଗାଧୋଇଲାବେଳେ ଗୀତି କହିଯାଇଥିଲା–

 

“ତୁମେ ଆମ ଘର ଜଗିଥାଅ, ଆମେ ସମସ୍ତେ ଯାଉଛୁ ।”

 

ଉପନ୍ୟାସ ଭିତରେ ସୁଧାଂଶୁ ନିଜକୁ ହଜେଇ ଦେଇଥାଏ । ଝରଣାର କଳନାଦ ପରି ଖିଲ୍ ଖିଲ୍ ହସରେ ଧ୍ୟାନ ଭାଙ୍ଗିଗଲା ତା’ର ।

 

ଦୁଆରମୁହଁକୁ ଦୃଷ୍ଟି ପକାଇଲା ସେ । ସଦ୍ୟସ୍ନାତା ଗୀତି ଠିଆ ହୋଇଛି । ମୁହଁରେ ପ୍ରାଣପୂର୍ଣ୍ଣ ହସ । ଦି’ହାତରେ ସେ ଜୋର କରି କାହାକୁ ଟାଣୁଛି ।

 

–‘‘ଉଁ ଛୋପରୀ, ଦେଖିବ ଦେଖିବ ବୋଲି ଜୀବନ ଛାଡ଼ି ଯାଉଥିଲା । ଏଠି ନବରଙ୍ଗ ବାହାରୁଛି ।”

 

ଜିଜ୍ଞାସୁ ଦୃଷ୍ଟିରେ ସୁଧାଂଶୁ ଚାହିଁଥିଲା ଗୀତିକୁ–

 

“କିଏ କି ?”

 

“ସର ନୂଆବୋଉ । ତୁମକୁ ଦେଖିବ ବୋଲି ପୋଖରୀ କୂଳଠୁ ମୋ ସାଙ୍ଗରେ ଆସିଲା-। ଏଠି ଲାଜ ଖାଇଯାଉଛି ।”

 

ଅଧା ଓଢ଼ଣାତଳୁ ସରନୂଆବୋଉ କହିଥିଲେ–

 

“ଛିଃ ଗୀତି, ଖୁଡ଼ୀ ଆସୁଥିବେ, ଛାଡ଼ ।”

 

–ଗୀତିବୋଉ ତେବେ ଆସିନାହାନ୍ତି ।–ସୁଧାଂଶୁ ଉଠି ଦୁଆରମୁହଁ ପର୍ଯ୍ୟନ୍ତ ଆସିଲା–ସର ନୂଆବୋଉ ଉଦ୍ଦେଶ୍ୟରେ ସେ କହିଲା ।

 

–‘‘ମତେ ଦେଖିବେ । କାହିଁକି ମୁଁ କ’ଣ କି ?”

 

–‘‘ଏ ଘରର ଭାବୀଜୋଇଁ । ଜୋଇଁ ଆସିଲେ ସାଇପଡ଼ିଶା ଦେଖନ୍ତି ।”

 

“କ’ଣ ଦେଇକରି ନାଁ ଖାଲି ଦେଖିବ ?”

 

–‘‘ଆମ ଗୀତିକୁ ଦେବୁ ।”

 

ସଂକ୍ରାମକ ରୋଗ ଭଳି ସରନୂଆବୋଉ ଲାଜ ଗୀତି ପାଖକୁ ଡେଇଁଥିଲା–ଛଳ କୋପକରି ସେ କହିଲା–

 

–‘‘ମରୁନଲୋ ପୋଡ଼ାମୁହିଁ–ଏଇ ସକାଶେ ଆସିଥିଲ ?”

 

କଥାବାର୍ତ୍ତା ଭିତରେ ସରନୂଆବୋଉ ଲାଜ ଛାଡ଼ି ଆସିଥିଲା ।

 

–ହଉ ଦେଖିବା ଯେ, ବେଦୀ ଉପରେ କଥାବାର୍ତ୍ତା ।

 

ତା’ପରେ ଗୀତି କହିଥିଲା–

 

“ହଉ ସେଦିନ ତ ଅଛି । ତୁମେ ଆଜି ଆସିବ ଖେଳିବା–’’

 

–ତାଙ୍କ ଥଟ୍ଟାଭିତରେ ସୁଧାଂଶୁର ଭାଗ ନେବାକୁ ଇଚ୍ଛାହେଲା–ସେ ଗୀତିକୁ କହିଲା–

 

–‘‘ତାଙ୍କୁ ଭାଇନା ଛାଡ଼ିଲେ ତ ସେ ଆସିବେ ?

 

ସୁଧାଂଶୁ କଥାର ଜବାବ ଗୀତି ଦେଇଥିଲା–

 

–“ଭାଇନା କ’ଣ ଏଠି ଅଛନ୍ତି କି । ସେ କଲିକତାରେ । ବର୍ଷକରେ ଆଠ ଦଶଦିନ ଆସିଲେ ଖୁବ୍ ବେଶି ।”

 

ଗୀତି କଥାରେ ସରନୂଆବୋଉର ମୁହଁ ଶୁଖିଗଲା । ପହିଲି ଆଷାଢ଼ର କଳାମେଘ ତାଙ୍କ ମୁହଁରେ ବୋଳି ହୋଇ ଯାଇଥିଲା । ଟିକିଏ ଆଗରୁ ଯେଉଁ ଆଖିତଳୁ କେତେ କୌତୁକ ଝରୁଥିଲା ସେ ଆଖିଦି’ଟାରୁ ଉଦାସ ଚାହାଣି ଝରିଲା–

 

ସୁଧାଂଶୁ ବୁଝିଲା–ସରନୂଆବୋଉର ବ୍ୟଥା କେଉଁଠି ? ସମବେଦନାରେ ତା’ ମନତଳ ଓଦା ହୋଇଥିଲା ।

 

କଥାର ମୋଡ଼ ଘୂରେଇ ସରନୂଆବୋଉ କହିଥିଲେ–

 

–‘‘ଏଠି କକେଇ ଅଛନ୍ତି । ତୁମେ ଦୁହେଁ ଯିବ, ଆମରି ଘରେ ଖେଳିବା ।”

 

–‘‘ଆଉ କାହାକୁ ଡାକିଥିବ ।” ଗୀତି ତାଙ୍କୁ କହିଥିଲା–’’

 

ସରନୂଆବୋଉ–ଚାଲି ଯାଇଥିଲେ । ସୁଧାଂଶୁ ମନକୁ କିନ୍ତୁ ଭାରାକ୍ରାନ୍ତ କରି ଦେଇଗଲେ ସେ ।

 

ଖୁବ୍ ବେଶି ହେଲେ ଗୀତିଠୁ ପାଞ୍ଚ ଛ’ବର୍ଷ ବୟସ ବେଶି ହେବ । ଦେହରେ ଦୁଧ ଅଳତାର ରଙ୍ଗ । ଟଣା ଟଣା ଆଖି ଦିଓଟି ସୁନ୍ଦର ମାନୁଛି ସେ ମୁହଁକୁ; କିନ୍ତୁ ଏତେ ସୌନ୍ଦର୍ଯ୍ୟ ଥାଇବି ତାଙ୍କ ଯୌବନ ବିଫଳ ହୋଇଛି । ସ୍ଵାମୀ ଥାଇବି ବୈଧବ୍ୟ ଯନ୍ତ୍ରଣା ଭୋଗୁଛନ୍ତି ସେ ।–

 

ସୁଧାଂଶୁ ଖଟଉପରେ ଶୋଇ ରହି ଚିନ୍ତା କରୁଥାଏ । ତା’ ମନକଥା ବୁଝିପାରିଲା ଭଳି–ଗୀତି କହିଲା–

 

–‘‘ବଡ଼ ଅଭାଗୀ ଆମର ଏ ସରନୂଆବୋଉ ।”

 

–‘କ’ଣ ?’ ଆଶ୍ଚର୍ଯ୍ୟରେ ପଚାରିଥିଲା ସୁଧାଂଶୁ ।

 

–‘‘ରାମ ଭାଇନା ଆମର ସମ୍ବନ୍ଧରେ ଭାଇନା ହେଲେବି ବୟସରେ ବାପାଙ୍କ ସାଙ୍ଗର ସେ । ତିନିତିନି ଥର ସଂସାର କଲେବି କୌଣସି ସ୍ତ୍ରୀ ତାଙ୍କର ବଞ୍ଚିଲେନି, କି ଗୋଟେ ପିଲାବି କେହି ରହିଲେନି । କୁଳରକ୍ଷା ପାଇଁ ସାତଶହ ଟଙ୍କ କନ୍ୟାସୁନା ଦେଇ ଅଠଚାଳିଶବର୍ଷରେ ତେରବର୍ଷର ସର ନୂଆବୋଉ ହାତ ସେ ଧରିଛନ୍ତି । ସେହି ଦିନଠୁ ସେ କଲିକତାରେ ଅଛନ୍ତି । କେଉଁଠି ପୂଜାରି ଚାକିରିକରି ମାସକୁ ପଚିଶ ଟଙ୍କାକରି ପଠାନ୍ତି । ସେଥିରେ ଏ ଜଣେ ମଣିଷ ଚଳିବ । ଆଜି ଯାଏଁ କେବଳ କରଜ ଟଙ୍କାରେ ସୁଧଦିଆ ଚାଲିଛି, ମୂଳରେ ହାତ ବାଜିନି । ଘରକୁ ଆସିଲେ ମହାଜନ ପିଆଦା ତା’ ଦୁଆରକୁ ଚାଲିଲେ । ଚାରି ଆଠଦିନ ରହି ବିଚରା ପୁଣି କଲିକତା ପଳାଏ । ଏଣେ ଏକୁଟିଆ ମାଇପିଟା ଦହଗଞ୍ଜ ହୋଇ ମରୁଛି ।”

 

–‘‘ଛାତି ଫଟେଇ ସୁଧାଂଶୁର ଏକ ଦୀର୍ଘନିଃଶ୍ଵାସ ବାହାରି ଆସିଲା ।”

 

ସେହିଦିନ ଖରାବେଳେ ସରନୂଆବୋଉ ଘରେ ତାସଖେଳ ହୋଇଥିଲା । ଗୀତିର ଗୋଟିଏ ସାଇଭିତର ସାନଭାଇ ରବି ଆଉ ଗୀତି ଏକାଠି ହେଲେ । ସରନୂଆବୋଉ ସାଙ୍ଗରେ ସୁଧାଂଶୁ ବସିଲା । ଖେଳ ଆରମ୍ଭର ଖୁବ୍ କମ୍ ସମୟ ଭିତରେ ଗୀତି ଆଉ ରବି ଜିତିଗଲେ । ଯେତେଚେଷ୍ଟା କଲେବି ସୁଧାଂଶୁ କୌଣସି ପ୍ରକାର ଗୀତିକୁ ହରେଇ ପାରୁ ନଥାଏ । ଗୀତି ପାଖରେ ପରାଜୟର ଗ୍ଳାନି ତା’ ମନକୁ ଛୋଟକରି ଦେଉଥାଏ ।

 

ସରନୂଆବୋଉ କିନ୍ତୁ ଯେମିତି ଖେଳୁଥାନ୍ତି ସେଥିରେ ହାରିବା ନିଶ୍ଚିତ । ଖେଳଭିତରେ ବଡ଼ ଅନ୍ୟମନସ୍କ ସେ ହୋଇ ପଡ଼ୁଥାନ୍ତି । ସୁଧାଂଶୁ ଯେତେବେଳେ ତାଙ୍କ ମୁହଁକୁ ଚାହିଁଛି ଦେଖିଛି ସେ ତା’ରି ମୁହଁକୁଇ ଚାହିଁଛନ୍ତି । ଆଖିତଳେ ତାଙ୍କର ଆଖିଏ ଭୋକ, ମୁହଁଟି ଉଦାସ ହୋଇପଡ଼ିଥାଏ ।

 

ସୁଧାଂଶୁର ଭୟହେଲା । ଗୀତି ଯଦି ଏତକ ଲକ୍ଷ୍ୟକରେ ସେ ସୁଧାଂଶୁକୁ ଖରାପ ଭାବିବ । କଥାଛଳରେ ସରନୂଆବୋଉଙ୍କ ମନକୁ ଯେତେ ଖେଳ ଭିତରକୁ ଟାଣିଲେବି ସେ ଅନ୍ୟମନସ୍କ ହୋଇ ପଡ଼ୁଥାନ୍ତି । ବାଧ୍ୟ ହୋଇ ଶେଷରେ ସୁଧାଂଶୁ କହିଲା–

 

–‘‘ଆଜି ଏତିକି ଥାଉ । କାଲିପୁଣି ଖେଳିବା ପଛେ । ଆଜି ଆଉ ଭଲଲାଗୁନି ।”

 

ଥଟ୍ଟାକରି ଗୀତି କହିଥିଲା–

 

–‘‘ସେ କଥାନୁହେଁ ଯେ, ଆଉ ବେଶି ବୋଝ ସମ୍ଭାଳିବାର ଶକ୍ତି ନାହିଁ, ସେଇଆ କହ ।”

 

–‘‘ହେଲେ ହେଲା ଯା”–ସୁଧାଂଶୁ ତାସ ରଖିଦେଇ ଉଠି ଠିଆ ହେଲା ।

 

ଖେଳ ଭାଙ୍ଗିବାର ଦେଖି ରବି ସରନୂଆବୋଉ ବାରିକୁ ପିଜୁଳି ଆଶାରେ ପଳେଇଥିଲା-। ଗୀତି ତାସ ଗୋଟଉଥାଏ ।

 

ସୁଧାଂଶୁ ଠିଆ ହୋଇଥିବାର ଦେଖି ସରନୂଆବୋଉ ତା’ ହାତ ଧରି ବସେଇ ଦେଲେ ।

 

–‘‘ହଉ ଖେଳ ନ ହେଲା ନାହିଁ ବସ । ନୂଆମଣିଷ ଆମ ଘରକୁ ଆସିଛ । ଗରିବ ଘରେ ଆମର କ’ଣ ଅଛି । ତଥାପି ଚା’ ଟିକେ ନଦେଇ ଛାଡ଼ିଲେ ଗୀତି କ’ଣ କହିବେ ।”

 

ସୁଧାଂଶୁ ବସି ସାରିଥିଲେବି ସରନୂଆବୋଉ ତା’ ହାତ ଛାଡ଼ି ନଥାନ୍ତି । ସରନୂଆବୋଉ ଦିହର ତାତି ହାତ ବାଟେ ସୁଧାଂଶୁ ଦିହକୁ ଆସିଥିଲା ।

 

ସରନୂଆବୋଉ କଥାରେ ପ୍ରତିବାଦ କରି ଗୀତି କହିଥିଲା–

 

–‘‘ତୁମେ ଚା’ ଦେଲେ ନ ଦେଲେ ମୁଁ କାହିଁକି କ’ଣ ଭାବିବି ? ଆଉ କେଉଁଦିନ ଗୀତିକୁ ଏମିତି ଚର୍ଚ୍ଚା କରିଥିଲ ନା ଆଜିମ ।”

 

–ତୁମକୁ ଚର୍ଚ୍ଚାନକଲେ ତୁମେ କ’ଣ କିଛି ଭାବିବ ? କିନ୍ତୁ ତୁମର ସେ କ’ଣ ଭାବିବେ–

 

ହସି ହସି ଗୀତି କହିଥିଲା–

 

–‘‘ମୋର କାହିଁକି ସେ ହେବେ । ତୁମର ହଉ ନାହାନ୍ତି ।’’

 

–ଲାଜରେ ଉଠିଯାଉ ଯାଉ ସରନୂଆବୋଉ ସୁଧାଂଶୁକୁ ଚାହିଁଥିଲେ । ଆଖିରେ ତାଙ୍କର ଆତ୍ମସମର୍ପଣର ମିନତି ।

ସୁଧାଂଶୁ କହିଥିଲା–

–“ମୁଁ ଚା’ ଖାଇବିନି ନୂଆବୋଉ । ମୋପାଇଁ କରିବନି । ଏ ଗରମରେ କିଏ କ’ଣ ଚା’ ଖାଏ ?”

“–ସରବତ ହେଲେ ଆପତ୍ତି କରିବନି ନିଶ୍ଚୟ ।”

ସରନୂଆବୋଉ ତାଙ୍କ ପାଖରୁ ଉଠି ଯାଇଥିଲେ । ଗୀତି ମନ୍ତବ୍ୟ କରିଥିଲା–

–‘‘ଭାରି ଭଲ ମଣିଷ ଏ ସରନୂଆବୋଉ । ଗାଁ ଭିତରେ ମୁଁ ତାକୁ ସବୁଠୁ ବେଶି ଭଲ ପାଏ ।

ଦି’ଟା କାଚଗ୍ଲାସ୍‍ରେ ଦି’ଗ୍ଲାସ୍ ସରବତ ଆଣି ସରନୂଆବୋଉ ସେଠିକୁ ଆସିଲେ । ସାନଗ୍ଲାସ୍‍ଟା ଗୀତିକୁ ଦେଇ ବଡ଼ଗ୍ଲାସ୍‍ଟା ସୁଧାଂଶୁ ଆଗରେ ସେ ରଖିଲେ ।

ଗ୍ଲାସ୍‍ଟା ପ୍ରକୃତରେ ବଡ଼ଥିଲା । ସୁଧାଂଶୁ ଆପତ୍ତି କରିଥିଲା ସେ ଏତେ ସରବତ ପିଇପାରିବନି ବୋଲି; କିନ୍ତୁ ତା’ ଆପତ୍ତି ନ ଶୁଣି ସରବତ ଗ୍ଲାସ୍‍କୁ ସୁଧାଂଶୁ ମୁହଁପାଖରେ ଧରିଥିଲେ ସରନୂଆବୋଉ । ବହୁକଷ୍ଟରେ ଅଧେ ସରବତ ପିଇ ସୁଧାଂଶୁ ଗ୍ଲାସ୍‍ଟା ତଳେ ରଖିଥିଲା-

ପିଜୁଳି ଗଛରୁ ରବି ଡାକିଲା–

–‘‘ଗୀତି ନାନୀ, ପିଜୁଳି ନେବୁ ଆ, ବହୁତ ପାଚିଛି ।

କିଶୋରୀ ବାଳିକା ଭଳି ନିଜର ଦୀର୍ଘବେଣୀ ନଚେଇ ନଚେଇ ଗୀତି ଯାଇଥିଲା ବାରିପଟକୁ । ଗଲାବେଳେ ଆଖିରେ ସେ ସୁଧାଂଶୁଠୁ ଅନୁମତି ମାଗିନେଇଥିଲା ।–

ତାକୁ ପଛରୁ ଡାକି ସରନୂଆବୋଉ କହିଥିଲେ–

–‘‘ପୋଷା ନ ମାନିବା ଆଗରୁ ସୁଧାଂଶୁବାବୁଙ୍କୁ ଏମିତି ଛାଡ଼ି ଯାଅନି ଗୀତି !

ହସି ହସି ଗୀତି କିନ୍ତୁ ଚାଲିଯାଇଥିଲା–

ଗୀତି ଗଲାପରେ ସୁଧାଂଶୁ ଆଉ ସରନୂଆବୋଉ ବସିରହିଥିଲେ । କାହାରି ମୁହଁରେ କିଛି କଥା ନାହିଁ । କେତେ ସମୟ ନୀରବତା ଭିତରେ କଟିଲା । ସୁଧାଂଶୁର ଏ ନୀରବତା ଅସହ୍ୟହେଲା । ସରନୂଆବୋଉ ତଳକୁ ଚାହିଁ ନଖରେ ଭୂଇଁ ଉପରେ ଗାର କାଟୁଛନ୍ତି । ମୁହଁକୁ ଚାହିଁଲେ ସେ ସିନା କିଛି କହନ୍ତା ।

ଅଗଣାରେ ଉଷୁନାଧାନଗୁଡ଼େ ଶୁଖୁଥାଏ । ପଞ୍ଝାଏ ବଣି ଆଉ କୁଆ ମେଳା କରିଥାନ୍ତି ସେଠି । ଯେତିକି ଧାନ ଖାଉଥାନ୍ତି ତା’ର ତିନିଚାରି ଗୁଣ ବିଞ୍ଚିଦେଉଥାନ୍ତି ।

 

ସୁଧାଂଶୁ ହାତ ହଲେଇ ସେମାନଙ୍କୁ ଉଡ଼େଇଦେଲା । ନିଜ ପକ୍ଷରେ ଝଡ଼ ସୃଷ୍ଟିକରି ଉଡ଼ିଗଲେ ସମସ୍ତେ ।

 

ସେ ଶବ୍ଦରେ ସରନୂଆବୋଉ ମୁହଁ ଟେକି ସୁଧାଂଶୁକୁ ଚାହିଁଲେ । ଆଖିତଳେ ତାଙ୍କର କାରୁଣ୍ୟର ଆଭା ସ୍ପଷ୍ଟ ହୋଇଥିଲା ।

 

ତା’ପରେ ଅଧା ସରବତ ଗ୍ଲାସ୍‍ଟାକୁ ତଳୁ ଉଠେଇ ନେଇଥିଲେ । ସୁଧାଂଶୁର ଓଠ ଚିହ୍ନ ଯେଉଁଠି ସୁସ୍ପଷ୍ଟ ଥିଲା ତା’ରି ଉପରେ ନିଜ ଓଠ ସେ ଲଗେଇଥିଲେ ।

 

ନିର୍ବିକାର ଚିତ୍ତରେ ସୁଧାଂଶୁର ଅଇଁଠା ସରବତତକ ପିଇସାରି ଗ୍ଲାସ୍‍ଟା ତଳେ ରଖି ସେ କହିଥିଲେ–

 

–‘‘ଭାରି ଶୋଷ ।”

 

ଗୀତି ଆଉ ରବି ଆସି ପହଞ୍ଚିଗଲେ । ସରନୂଆବୋଉର କଥା ଅଧାରହିଲା । ଦୁନିଆରେ ଏମିତି ଅନେକ କଥା ଅଧାରହେ ।

 

ଗୀତି ହାତରେ ଚାରିଟା ପାଚିଲା ପିଜୁଳି । ସେ ସୁଧାଂଶୁ ହାତକୁ ଦି’ଟା ବଢ଼େଇ ଦେଇ କହିଥିଲା–

 

–‘‘ଚାଲ ଘରକୁ ଯିବା ବୋଉ ଖୋଜୁଥିବ ।”

 

ଯିବା ଉଦ୍ଦେଶ୍ୟରେ ଉଠି ଠିଆହେଲା ସୁଧାଂଶୁ । ସରନୂଆବୋଉ କହିଲେ–

 

–‘‘କାଲି ଆସିବ, ଆଜି ବୋଝ ସୁଝେଇ ଦେବା ।”

 

ଗୀତିକୁ ଚାହିଁ ଏତକ ସେ କହିଥିଲେ ମଧ୍ୟ କାହାକୁ ସେ ଏକଥା କହିଲେ ସୁଧାଂଶୁ ବୁଝିପାରିଥିଲା ।

 

ତା’ ପରଦିନ ସୁଧାଂଶୁ ଆଉ କିନ୍ତୁ ଖେଳିବାକୁ ଗଲାନି । ସରନୂଆବୋଉ ନିଜେ ଡାକିବାକୁ ଆସିଥିଲେ । କେତେ ଆଳ ଦେଖାଇ ସୁଧାଂଶୁ ତାଙ୍କୁ ଫେରେଇଦେଇଥିଲା ।

 

ପ୍ରକୃତରେ ତାକୁ ନିଦଲାଗୁଥିଲା ସେତେବେଳେ । ପୂର୍ବଦିନ ରାତିରେ ବହୁ ସମୟ ପର୍ଯ୍ୟନ୍ତ ସେ ଶୋଇ ପାରି ନଥିଲା ।

 

ସେଦିନ ଭୀଷଣ ଗରମ ପଡ଼ିଥାଏ । ଚୈତ୍ରର ସୂର୍ଯ୍ୟ ଉପରୁ ଅଗ୍ନି ବୃଷ୍ଟି କରୁଥାଏ । ଝରକାର ପରଦା ଠେଲି ଯେଉଁ ଦମକାଏ ଦମକାଏ ପବନ ଘରଭିତରକୁ ଆସୁଥାଏ ସେଥିରେ ଦେହ ପୋଡ଼ିଗଲାଭଳି ଲାଗୁଥାଏ ।

 

ଘରର ସମସ୍ତେ ଶୋଇପଡ଼ିଥାନ୍ତି । ଶୋଇବାକୁ ଚେଷ୍ଟା କରିବି ସୁଧାଂଶୁ ଶୋଇ ପାରି ନଥାଏ । ଟିକିଏ ନିଦ ଲାଗିଗଲେ ତା’ ସର୍ବାଙ୍ଗରୁ ଝାଳ ବୋହି ଉଠି ପଡ଼େ ସେ । ବିଛଣା ତକିଆ ପ୍ରଭୃତି ଝାଳରେ ଜୁଡ଼ୁବୁଡ଼ୁ ହୋଇଗଲାଣି । ସେହି ଅଧା ଓଦା ବିଛଣା ଉପରେ ଆଖିବୁଜି ପଡ଼ିଥାଏ ସେ ।

 

ଦୁଆରମୁହଁରେ କାହାର ମୃଦୁ ପାଦ ଶବ୍ଦ ଶୁଭିଲା । ଗୀତି ଆସୁଛି ପ୍ରାୟ । ତାକୁବି ନିଦ ହୋଇ ନଥିବ । ଆସୁ; ଗପ ଭିତରେ ହେଲେ ଖରାବେଳଟା କଟିଯିବ ।

 

ମୁହଁ ବୁଲେଇ ଶୋଇଲା ସୁଧାଂଶୁ; କିନ୍ତୁ କବାଟ ଫାଙ୍କରେ ଯାହାର ମୁହଁ ଦିଶିଲା ସେ ତ ଗୀତି ନୁହେଁ । ସରନୂଆବୋଉ । ଏ ନିର୍ଜନ ଖରାବେଳେ ସେ କାହିଁକି ଆସିଛନ୍ତି ? କେତେ ପ୍ରକାର ଆଶଙ୍କା ହେଲା ସୁଧାଂଶୁର । ସେ ଆଖିବୁଜି ତୁନି ହୋଇ ପଡ଼ିରହିଲା ।

 

ତୁନି ତୁନି ଘରଭିତରକୁ ସରନୂଆବୋଉ ଆସିଲେ । ଖଟକୁ ଆଉଜି ଠିଆ ହେଲେ ପ୍ରାୟ-। ଖଟଟିକେ ହଲିଗଲା । ଆଖି ବୁଜିଥିବାରୁ ସୁଧାଂଶୁ କିଛି ଦେଖିପାରୁ ନଥାଏ ।

 

କେତୋଟି ମୁହୂର୍ତ୍ତ ସେମିତି କଟିଲା । ଅସହ୍ୟ ଗରମରେ ସୁଧାଂଶୁର ସର୍ବାଙ୍ଗ ଝାଳରେ ଜୁଡ଼ୁବୁଡ଼ୁ ହୋଇଗଲାଣି । ତଥାପି ବିଞ୍ଚଣାଟା ଧରି ସେ ବିଞ୍ଚି ହୋଇପାରୁନି । ଗଭୀର ନିଦର ଛଳନା ସେ କରୁଛି ।

 

ଖଟଧାରରୁ ବିଞ୍ଚଣାଟା ଧରି ସରନୂଆବୋଉ ତାକୁ ବିଞ୍ଚିବାକୁ ଆରମ୍ଭ କଲେ । ଝାଳବୁହା ଦେହରେ ପବନ ବାଜି ଭାରି ଭଲ ଲାଗିଲା ତାକୁ । ଗଭୀର ନିଦର ଛଳନା କରି ସେ ଘୁଙ୍ଗୁଡ଼ି ମାରିବାକୁ ଆରମ୍ଭ କଲା ।

 

ସରନୂଆବୋଉ କିନ୍ତୁ ସେଠୁ ଫେରି ଯାଇଥିଲେ । ଆଖିକୁ ଅଳ୍ପ ଖୋଲି ଦେଖିଥିଲା ସୁଧାଂଶୁ । ପାଦ ଚିପି ଚିପି ଘରୁ ବାହାରି ଯାଉଛନ୍ତି ସରନୂଆବୋଉ । ପଛରୁ ଡାକିବ ବୋଲି ତା’ର ପ୍ରବଳ ଇଚ୍ଛା ହେଲା । ସେତେବେଳକୁ କିନ୍ତୁ ସେ ଏରୁଣ୍ଡି ଡେଇଁ ପଦାକୁ ଚାଲିଗଲେଣି । ପଛରୁ ତାଙ୍କୁ ଡାକିବ କି ନାହିଁ ଆହୁରି ଥରେ ଚିନ୍ତାକଲା ସୁଧାଂଶୁ । ତା’ ଚିନ୍ତାରେ ବାଧା ଦେଇ ସରନୂଆବୋଉ ପୁଣି ଘର ଭିତରକୁ ଆସିଲେ ।

 

ସେ ବୋଧେ ବାହାରକୁ ତାଙ୍କୁ କିଏ ଲକ୍ଷ୍ୟ କରୁଚି କି ନାହିଁ ଦେଖିବାକୁ ଯାଇଥିଲେ, ଏଥର ଘରଭିତରକୁ ଆସିଲା ପରେ କବାଟ ଆଉଜେଇଲେ ସେ । ଆଗଥର ଅପେକ୍ଷା ଆହୁରି ଗୋଡ଼ ଚିପି ଚିପି ଖଟ ପାଖକୁ ଆସିଥିଲେ ସେ–ତା’ପରେ ପୁଣି ସେ ସୁଧାଂଶୁକୁ ବିଞ୍ଚି ଦେଇଥିଲେ ।

 

କେତୋଟି ମୁହୂର୍ତ୍ତ ଅତିବାହିତ ହେଲା । ତାଙ୍କର କ୍ରିୟାକଳାପରେ ସୁଧାଂଶୁର ଭୟ ହେଲାଣି ସେତେବେଳକୁ । ତା’ ଦେହରୁ ଥରକୁଥର ଝାଳ ବୋହି ଯାଉଥାଏ–ଗୀତି କଥା ତା’ର ମନେ ପଡ଼ିଲା–

 

–‘‘ସରନୂଆବୋଉ ଭାରି ଭଲ ମଣିଷ ।”

 

ଅଗଣାରେ କ’ଣ ଗୋଟେ ଖଟ୍‍ କରି ପଡ଼ିବାର ଶବ୍ଦହେଲା । ମଣିଷମରା ଆସାମୀପରି ସରନୂଆବୋଉର ମୁହଁ କଳା ପଡ଼ିଗଲା । ଖଟ ଉପରୁ ଖସି ଆସି ବେତ୍ରାଘାତ ହେଲାପରି ସେଘରୁ ଚାଲିଯାଇଥିଲେ ସେ ।

 

ସେହିଦିନ ସୁଧାଂଶୁ ନିଜ ଘରକୁ ଫେରିଯାଇଥିଲା । ଗୀତିର ଛଳଛଳ ଆଖି, ତା’ ବାପା ବୋଉଙ୍କର ସମସ୍ତ ଅନୁରୋଧ ତା’ ପାଖରେ ନିଷ୍ଫଳ ହୋଇଥିଲା ।

 

ଗଲାପୂର୍ବରୁ ସେ ଗୀତି ପଢ଼ାପଢ଼ି ବିଷୟରେ ସମସ୍ତ ବ୍ୟବସ୍ଥା କରିଯାଇଥିଲା ।

 

ଗୀତିକୁ ପ୍ରବୋଧ ଦେବାକୁ ଯାଇ ସେ କହିଲା–

 

–‘‘କଟକ ଗଲେତ ସବୁଦିନେ ଦେଖା । ଦିନେଅଧେ ପାଇଁ ଏତେ ବ୍ୟସ୍ତ କାହିଁକି ?”

 

ତା’ ବିଦାୟବେଳେ ସରନୂଆବୋଉ ଆସି ପହଞ୍ଚିଥିଲେ । ମଧ୍ୟାହ୍ନର ରାକ୍ଷସୀ ଅପରାହ୍‍ଣରେ ତାଙ୍କ ପାଖରେ ଆଉ ନଥିଲା । ସେତେବେଳେ ସେ ଗୀତିର ଭାରି ଭଲମଣିଷ ସରନୂଆବୋଉ ହୋଇ ଆସିଥିଲେ ।

 

ସୁଧାଂଶୁ ଚାଲିଯିବାର ଦେଖି ସେ ମନକଷ୍ଟ କରିଥିଲେ । ଆଖି କଣରେ କରୁଣତା ଫୁଟେଇ କହିଥିଲେ–

 

–‘‘ଆମ ଉପରେ ରାଗି ଯାଉନାଁ ତ ?”

 

ସୁଧାଂଶୁ ତାଙ୍କ ମୁହଁକୁ ଚାହିଁ ହସିଥିଲା–

 

ଆତ୍ମୀୟତାର ହସ–

 

ମୁହଁ ଫିଟେଇ କହିଥିଲା–‘‘ନା”

 

ଘରେ ପହଞ୍ଚି ସୁଧାଂଶୁ ବୋଉର ପାଦଧୂଳି ନେଇଥିଲା । ବୋଉ କିନ୍ତୁ ତା’ର ତାକୁ ପାଟି ଫିଟେଇ ନଥିଲେ ।

 

ମନେମନେ ହସିଥିଲା ସୁଧାଂଶୁ । ବୋଉର ଅଭିମାନର କାରଣ ସେ ଜାଣେ । ଆଉ ସେ ଅଭିମାନ ଭାଙ୍ଗିବାର ଉପାୟ ମଧ୍ୟ ତାକୁ ଜଣା ।

 

ଅନେକଦିନ ପରେ ଭାଇନାକୁ ପାଖରେ ପାଇ ମିନିର ଆନନ୍ଦ ସେଦିନ ଘର ଧରି ନଥିଲା । ଭାଇଭଉଣୀ ଦୁହେଁ ବୋଉର ଓହଳା ମୁହଁକୁ ଦେଖି ଲୁଚି ଲୁଚି ହସିଥିଲେ ।

 

ଭାଇଭଉଣୀ ଦୁହିଁଙ୍କ ଭିତରେ ଗୋପନ ଆଲୋଚନା ହୋଇଥିଲା । ଦୁଇଜଣଯାକ ଏକାଜାଗାକେ ବସି ଗପ କରୁଥାନ୍ତି । ପୂଝାରି ଆଣି ଜଳଖିଆ ଦେଇଗଲା ।

 

ତାଙ୍କ ଘରେ ଆଜି ନୂଆକଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ସୁଧାଂଶୁ । ଯେତେ ପୂଝାରି ଥିଲେ ତା’ ବୋଉ ତାକୁ ସବୁଦିନ ଖାଇବାକୁ ଦେଇ ଆସିଛନ୍ତି । ଆଜି ଅଭିମାନ କରି ପୂଝାରି ହାତରେ ଜଳଖିଆ ପଠେଇଲେବି ନିଜେ ଦୁଆରମୁହଁରେ ଲୁଚିକରି ଠିଆ ହୋଇଥିବେ ଏକଥାବି ସୁଧାଂଶୁ ଜାଣେ । ବିରକ୍ତି ହେଲାଭଳି ବଡ଼ପାଟିରେ ସେ ପୂଝାରିକୁ କହିଥିଲା ।–

 

–‘‘ଉଠା ଏ ଜଳଖିଆ । ମୁଁ କିଛି ଖାଇବିନି । ଘରକୁ ଆସିଲେ ଟିକେ ଶାନ୍ତିରେ ବସେଇ ଦେବେନି । ଯଦି ମୁଁ ଘରକୁ ଆସିବା କାହାକୁ ଖରାପ ଲାଗୁଛି ତେବେ କାଲି ସକାଳୁ ମୁଁ କଟକ ଚାଲିଯାଉଛି ।”

 

ଘରଭିତରକୁ ପଶି ଆସିଲେ ସୁମିତ୍ରା ଦେବୀ ।

 

–‘‘ହଁ କାହିଁକି ପଳେଇବୁନି ? ଆମେ ତ ସବୁଦିନ ପାଇଁ ଲେଖି ଦେଇଛୁ ତୁମ ଘରଦ୍ୱାର ଚଳେଇବୁ ? ଯଦି କଟକ ଯିବୁ ଏ ଘରର ବ୍ୟବସ୍ଥା କ’ଣ କରିଦେଇ ଯା । ମୁଁ ଆଉ ଏତେ ଦହଗଞ୍ଜ ହୋଇପାରିବିନି ।”

 

ସୁଧାଂଶୁ ଦେଖିଲା ଓଷଦ ଠିକ୍ ଧରିଛି । ମିନି ମୁହଁରେ ଲୁଗା ଦେଲା । ସୁମିତ୍ରାଦେବୀ ପୁଣି ଆରମ୍ଭ କଲେ–

 

–‘‘ବାପ, ପୁଅ, ଝିଅ ସମସ୍ତଙ୍କର ଏକ ତାଳ । ମୁଁ ଯେମିତି ଏ ଘରେ କେହି ନୁହେଁ । ହଉ ବାବୁ । ତୁମ ଇଚ୍ଛା ତୁମେ ଯାହା କରୁଛ କର । ମତେ କିନ୍ତୁ ଏଥର ଛୁଟି ଦିଅ ।”

Unknown

 

ସୁଧାଂଶୁ ଜଳଖିଆ ଖାଇବା ଆରମ୍ଭ କରିଥାଏ । ବୋଉ କଥା ଯେମିତି କିଛି ତାକୁ ଶୁଭୁନି । ନିର୍ବିକାର ଭାବରେ ଖାଇଚାଲିଥାଏ ସେ ।

 

ସୁମିତ୍ରା ଦେବୀ ଦେଖିଲେ ସେ ଯାହା କହିଲେବି ସୁଧାଂଶୁ କିଛି କହୁନି । ତା’ପରେ ସେ ମିନିକୁ ଶୁଣେଇ କହିଲେ–

 

–‘‘ମିନି, ଭାଇନାକୁ କହିଦେ । ବିଭାଘର ଏ ବୈଶାଖରେ ନିଶ୍ଚୟ ହେବ । ଆମର ଆଉ ପାଠ ପଢ଼ା ଦରକାର ନାହିଁ ।”

 

ସୁଧାଂଶୁବି ମିନିକୁ କହିଲା–

 

–‘‘ମିନି, ବୋଉକୁ କହିଦେ, କାଲି ଭୋରୁ ମୁଁ କଟକ ଯିବି ।”

 

“ଆଉ, ତୁ କ’ଣ ଜାଣିଛୁ କି, ସେଇ ଡରାଣତକ ତ ଜାଣିଛୁ ।” ସୁମିତ୍ରା ଦେବୀଙ୍କ କଣ୍ଠ ଅନୁ–ନାସିକ ହୋଇଥିଲା ।

 

ସୁଧାଂଶୁ ଦେଖିଲା ବୋଉ ତା’ର ଶେଷ ଅସ୍ତ୍ର ପ୍ରୟୋଗ କରୁଛନ୍ତି । ନିଜ ବସିଲା ଜାଗାରୁ ଉଠି ଯାଇଥିଲା ସେ । ତା’ପରେ ଛୋଟଛୁଆଟିଏ ଭଳି ବୋଉ ବେକରେ ଓହଳି ପଡ଼ି କହିଥିଲା–

 

–‘‘ମୋ ସୁନା ବୋଉଟା ପରା, ମୁଁ କ’ଣ କେଉଁଦିନ ତୋ କଥାରେ ଅବାଧ ହୋଇଛି । ଏତେ ଦିନ ଗଲାଣି, ଆଉ ଦି’ଟା ବର୍ଷ ଅପେକ୍ଷା କର । ତା’ପରେ ମୁଁ ଆଉ ଜମା ଆପତ୍ତି କରିବିନି-।”

 

ସୁଧାଂଶୁର ପିଲାଳିଆ ବୁଦ୍ଧିଦେଖି ବୋଉ ତା’ର ହସିଥିଲେ । ତାଙ୍କ ରାଗ କୁଆଡ଼େ ଉଭେଇ ଯାଇଥିଲା । ବାଧ୍ୟହୋଇ ଶେଷକୁ ସେ ସୁଧାଂଶୁ କଥାରେ ଏକମତ ହୋଇଥିଲେ ।

 

ତା’ପରେ ସେ ଯେତେଦିନ ଘରେ ଥିଲା ଆଉ ତା’ର ବିଭାଘର ପ୍ରସ୍ତାବ ଆସିନି । ହସଖୁସି ଭିତରେ ଦିନ କେଇଟା କଟେଇଦେଇ ଗ୍ରୀଷ୍ମାବକାଶ ପରେ ସେ କଟକ ଫେରିଥିଲା ।

 

ସୁଧାଂଶୁର ପ୍ରସ୍ତାବ ଅନୁସାରେ ଗୀତି ତା’ ବାପାଙ୍କ ସହିତ ଆସି କଟକରେ ପହଞ୍ଚିଲା । ସୁଧାଂଶୁ ଘରେ ପ୍ରଥମେ ଆସି ସେମାନେ ପହଞ୍ଚିଥିଲେ । ସୁଧାଂଶୁ ଘରର ଆଭିଜାତ୍ୟ ଦେଖି ଗୀତି ଶଙ୍କିତା ହୋଇଥିଲା । ତା’ ଭାଗ୍ୟ କ’ଣ ଏତେ ଭଲ ? ବିଶ୍ୱାସ ହେଲାନି ତା’ର । ସେ ଠକି ଯିବନି ତ ?

 

ସୁଧାଂଶୁ ମୁହଁକୁ ଚାହିଁଥିଲା ସେ । ସେଠି କିନ୍ତୁ ଅବିଶ୍ୱାସର ଚିହ୍ନ ପର୍ଯ୍ୟନ୍ତ ନାହିଁ । ଆଶ୍ୱସ୍ତ ହୋଇଥିଲା ଗୀତି ।

 

ଗାର୍ଲସ୍‍ସ୍କୁଲ୍‍ର ହେଡ଼୍‍ମିଷ୍ଟ୍ରେସ୍ ସୁଧାଂଶୁର ପୂର୍ବପରିଚିତା । ତାଙ୍କ ଭାଇ ସୁଧାଂଶୁର ଏକଦା ବନ୍ଧୁଥିଲା । ଅନେକଥରବି ସେ ତାଙ୍କ ଘରକୁ ଯାଇଛି । ନିଜର ସାନଭାଇ ଭଳି ସେ ସୁଧାଂଶୁକୁ ସ୍ନେହ କରନ୍ତି ।

 

ସୁଧାଂଶୁର ଅନୁରୋଧରେ ଗୀତିକୁ ପରୀକ୍ଷା କରି ସେ ଦଶମ ଶ୍ରେଣୀରେ ଆଡ଼୍‍ମିସନ୍ କରେଇ ଦେଇଥିଲେ । କିନ୍ତୁ ଉପଦେଶ ଦେଇଥିଲେ–

 

–‘‘ଘରେ ଯେତେ ପଢ଼ିଲେବି ଏ ଦି’ବର୍ଷ ଅକ୍ଳାନ୍ତ ପରିଶ୍ରମ କରିବାକୁ ଗୀତିକୁ ପଡ଼ିବ । ତା’ ନହେଲେ ପାରିବନି ସେ ।”

 

ତାଙ୍କ ପରାମର୍ଶ ଅନୁଶାରେ ସୁଧାଂଶୁ ଜଣେ ଶିକ୍ଷୟିତ୍ରୀଙ୍କୁ ଗୀତିକୁ ଟିଉସନ୍‍ କରିବାକୁ କହିଥିଲା । ଗୀତିର ହଷ୍ଟେଲ୍‍ରେ ରହିବାର ସମସ୍ତ ବନ୍ଦୋବସ୍ତ ହୋଇଥିଲା ।

 

ଗୀତିକୁ ହଷ୍ଟେଲ୍‍ରେ ଛାଡ଼ି ତାଙ୍କ ବାପା ବିଦାହୋଇ ଗଲାବେଳେ ସୁଧାଂଶୁର ହାତ ଧରି କାନ୍ଦି କାନ୍ଦି କହିଥିଲେ–

 

–‘‘ବାପା, କେବଳ ତୁମରି ଭରସାରେ ଛାତିକି ପଥର କରି ଆମେ ଗୀତିକୁ ପାଖରୁ ଛାଡ଼ିଛୁ । ତା’ର ଭଲମନ୍ଦ ସବୁଖବର ଟିକେ ବୁଝିବ ।”

 

ସୁଧାଂଶୁ ତାଙ୍କୁ ଆଶ୍ୱାସନା ଦେଇ ବିଦା କରିଥିଲା ।

 

ସହରର ନୂଆ ପରିବେଶ ଆଉ ନୂଆଚଳଣି ଗୀତିକୁ ପ୍ରଥମେ ପ୍ରଥମେ ଟିକେ ଖାପଛଡ଼ା ଲାଗିଥିଲା; କିନ୍ତୁ ଖୁବ୍ କମ୍ ସମୟ ଭିତରେ ନିଜକୁ ତା’ ଭିତରେ ଭିତରେ ମିଶେଇ ନେଇଥିଲା ସେ-

 

ମଝିରେ ମଝିରେ ସୁଧାଂଶୁ ତା’ ପାଖକୁ ଆସନ୍ତି । ଅନ୍ୟମାନଙ୍କ ପରି ଭିଜିଟର୍ସ ରୁମ୍‍ରେ ତାଙ୍କୁ ଅପେକ୍ଷା କରିବାକୁ ପଡ଼େନି । ହେଡ଼୍ ମିଷ୍ଟ୍ରେସ୍‍ଙ୍କ ଶ୍ରଦ୍ଧା ଯୋଗୁଁ ସୁଧାଂଶୁକୁ ହଷ୍ଟେଲ୍‍ ପର୍ଯ୍ୟନ୍ତ ଆସିବାର ଅନୁମତି ମିଳିଥାଏ ।

 

ଆଶ୍ଚର୍ଯ୍ୟ ହୁଏ ଗୀତି । ହଷ୍ଟେଲ୍‍ଭିତରେ ଯେତେ ନିରୋଳା ହେଲେ ମଧ୍ୟ ସୁଧାଂଶୁ ଆଉ ଉଚ୍ଛୃଙ୍ଖଳିତ ହୁଅନ୍ତିନି । ସଂଯତ ଭାବରେ ବସି ତା’ର ପଢ଼ାପଢ଼ି ଭଲମନ୍ଦ ଖବର ବୁଝି ଫେରିଯାନ୍ତି ସେ ।

 

ମଝିରେ ମଝିରେ ରବିବାର କିମ୍ବା ଅନ୍ୟଛୁଟି ଦିନେ ସୁଧାଂଶୁ ଗୀତିକୁ ତାଙ୍କ ଘରକୁ ନେଇଯାଏ । ସେଦିନ ତାଙ୍କ ଘରେ ଖାଏ ଗୀତି । ସୁଧାଂଶୁର ବାରଣ ନ ମାନି ନିଜେ ରାନ୍ଧେ ସେ । ପାଖରେ ବସି ସୁଧାଂଶୁକୁ ଖୁଆଏ । ସନ୍ଧ୍ୟା ପୂର୍ବରୁ ହଷ୍ଟେଲ୍‍କୁ ଫେରିଆସେ ।

 

ମଝିରେ କିଛିଦିନ ଅଭ୍ୟାସ ଛାଡ଼ି ଯାଇଥିବାରୁ ଗୀତିକୁ ଭାରି କଷ୍ଟ ଲାଗୁଥାଏ । ପାଠରେ ସେ ସମସ୍ତଙ୍କ ପଛରେ ଥିବାରୁ ବହୁ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥିଲା ତାକୁ । ଯେତେ କଷ୍ଟ ହେଲେବି ସୁଧାଂଶୁର ଇଚ୍ଛା ଗୀତି ପାଠ ପଢ଼ୁ ଏଇଥିଯୋଗୁଁ ନିଜର ସମସ୍ତ ସୁଖ ପାଠପାଇଁ ଛାଡ଼ିଥିଲା ସେ ।

 

ସବୁ ଶିକ୍ଷୟିତ୍ରୀଙ୍କୁ ଗୀତି ଅତିବେଶି ସମ୍ମାନ କରେ । ତା’ ବ୍ୟବହାରରେ ମୁଗ୍ଧହୋଇ ସମସ୍ତେବି ତାକୁ ଆଦର କରନ୍ତି । ପାରୁଲ୍ ଦି’ଙ୍କୁ କିନ୍ତୁ ଗୀତି ଭଲ ପାଇପାରେନି ।

 

ପାରୁଲ୍ ଦି’ ।

 

ନାଁଟା ବଙ୍ଗାଳି ଘରର ହେଲେବି ଖ୍ରୀଷ୍ଟିଆନ ମହିଳା ସେ । ସୁଧାଂଶୁର ଅନୁରୋଧରେ ଗୀତିକୁ ଟିଉସନ୍‍ ସେ କରୁଥିଲେ । ସୁନ୍ଦର ଇଂରାଜୀ ସେ ପଢ଼ାନ୍ତି । ତାଙ୍କରି ଚେଷ୍ଟାରୁ ଗୀତି ଇଂରାଜୀରେ ସବୁଠୁ ଭଲ କରୁଥିଲା ।

 

ଟିଉସନ୍‍ ବାବଦରେ ସୁଧାଂଶୁଠୁ ଯାହା ସେ ନେଉଥିଲେ ତା’ର ତିନି ଗୁଣ କରି ଗୀତିକୁ ସେ ଉପହାର ଆକାରରେ ଦେଇ ଦେଉଥିଲେ । କୌଣସି ଉପହାର ତାଙ୍କଠୁଁ ଗୀତି ଗ୍ରହଣ କରିବାକୁ ଅନିଚ୍ଛୁକ ହେଲେ ମୁହଁ ଶୁଖୁଥିଲା ତାଙ୍କର ।

 

ଗୀତି ଜାଣିଥିଲା ତାକୁ ସେ ସାନଭଉଣୀ ଭଳି ଶ୍ରଦ୍ଧା କରନ୍ତି । ସେଇଥିପାଇଁକି ସେ ବି ପ୍ରଥମେ ପ୍ରଥମେ ତାଙ୍କୁ ଭାରି ଭକ୍ତି କରୁଥିଲା । ତାଙ୍କ ପ୍ରଶଂସାରେ ଗୀତି ଶତମୁଖ ହୋଇ ଯାଉଥିଲା । ଗୀତିକୁ ସେ ଅନେକଥର ତାଙ୍କ ଘରକୁ ଡାକିନିଅନ୍ତି । ଘରେ ତାଙ୍କର ମା’ବୁଢ଼ୀଟି ବ୍ୟତୀତ ଅନ୍ୟ କେହି ନଥାନ୍ତି । ତାଙ୍କରି ମୁହଁର କଥା ଅନୁସାରେ ସେ ବି ତାଙ୍କର ନିଜର ମା’ ନୁହେଁ-। ମା’ ତାଙ୍କର ବହୁତ ଆଗରୁ ମରି ଯାଇଚନ୍ତି । ସେ ବୁଢ଼ୀଟି ତାଙ୍କର ଆୟା । ବାପା ତାଙ୍କର କଲିକତାରେ ରହନ୍ତି । କନ୍‍ଭେଣ୍ଟରେ ପଢ଼ିଲାବେଳେ ମଝିରେ ମଝିରେ ବାପା ତାଙ୍କୁ ଦେଖିବାକୁ ଆସୁଥିଲେ । ଏବେ ପ୍ରାୟ ଆଉ ଆସନ୍ତିନି । ସେଇ ବୁଢ଼ୀଟି ବ୍ୟତୀତ ସଂସାରରେ ତାଙ୍କର ଆତ୍ମୀୟ ଆଉ କେହି ନଥିଲେ ।

 

ପାରୁଲ୍ ଦି’ ନିଜେ ଏ ସବୁ ଗୀତି ଆଗରେ କହନ୍ତି । ଗୀତିର ଇଚ୍ଛା ନଥିଲେବି ସେ ଜବରଦସ୍ତି ଗୀତିକୁ ତାଙ୍କ ଘରେ ଖୁଆନ୍ତି । ଦିନେ ଦିନେ ବହୁତ ରାତି ଯାଏଁ ସେ ବସି ଗପ କରନ୍ତି । ତାଙ୍କରି ଘରେ ଖାଇ ତାଙ୍କରି ପାଖରେ ଗୀତି ଶୋଇପଡ଼େ ସେ ଦିନ ।

 

ସେହିଭଳି ଦିନମାନଙ୍କରେ ଯଦି ରାତିରେ କେବେ ଗୀତିର ନିଦ ଭାଙ୍ଗିଯାଏ ସେ ପାରୁଲ୍‍ଦି’ଙ୍କ କ୍ରିୟାକଳାପରେ ଆଶ୍ଚର୍ଯ୍ୟ ହୁଏ । ରାତିଅଧରେ ସେ ତାଙ୍କ ଡ୍ରେସିଙ୍ଗ୍ ଟେବୁଲ୍ ପାଖରେ ବସି ପ୍ରସାଧନରେ ଲାଗିଥାନ୍ତି । ଅଧା ଗୋରା ମୁହଁଟାରେ ସ୍ନୋ ଘଷିଘଷି ଧଳା ସରସର କରି ଦିଅନ୍ତି । ଓଠରେ ଲିପ୍‍ଷ୍ଟିକ୍ ଲଗାନ୍ତି । ଦାମୀ ସେଣ୍ଟ ସବୁ କାଢ଼ି ନିଜ ଉପରେ ଛିଞ୍ଚି ହୁଅନ୍ତି । ଟ୍ରଙ୍କ୍ ଫିଟେଇ ଇସ୍ତ୍ରୀ ଶାଢ଼ି ବ୍ଲାଉଜ୍ କାଢ଼ି ପିନ୍ଧନ୍ତି ସେ ।

 

ତାଙ୍କର ସେ କାରବାରରେ ଗୀତି ଆଶ୍ଚର୍ଯ୍ୟ ହୁଏ । ସେତେବେଳେ ସେ ସବୁର ଦରକାର କ’ଣ ସେ ବିଷୟରେ ସେ ଚିନ୍ତାକରେ । ତା’ର ନିଦ ଭାଙ୍ଗିବାର ଦେଖିଲେ ପାରୁଲ୍ ଦି’ ତା’ ପାଖକୁ ଫେରି ଆସନ୍ତି । ପିଲାଙ୍କ ଭଳି ଗୀତି ମୁହଁରେ ମୁହଁ ରଖି ଗେଲ କରନ୍ତି ସେ ।

 

ଗୀତିକୁ ନିଜ ଛାତିରେ ଖୁବ୍ ଜୋରରେ ଭିଡ଼ିଧରନ୍ତି । ତା’ ପଞ୍ଜରାହାଡ଼ସବୁ ଭାଙ୍ଗି ଗଲାଭଳି ଲାଗେ । ତା’ପରେ ଗୀତି ଗଣ୍ତରେ ସେ ଘନଘନ ଚୁମ୍ବନ ଦିଅନ୍ତି ।

 

ପୋଷା ବିରାଡ଼ି ପାଖରେ ଗୋଡ଼ ଘଷି ହେଲାଭଳି ଗୀତି ଚିବୁକ ପାଖରେ ନିଜର ସ୍ନୋବୋଳା ଗାଲଟାକୁ ସେ ଘୋଷାରନ୍ତି । ଉଦ୍ଦେଶ୍ୟ ତାଙ୍କର ଗୀତି ବୁଝିପାରେ । କିନ୍ତୁ କୌଣସି ଦିନ ତାଙ୍କ ଇଚ୍ଛା ସେ ପୂରଣ କରି ପାରିନି । ତାଙ୍କ ଇଚ୍ଛା ପୂରଣ କରିବାକୁ ଗୀତିକୁ ଘୃଣା ଲାଗେ ।

 

ତାଙ୍କର ସମସ୍ତ ଶରୀରକୁ ଗୀତି ଘୃଣା କରୁଥିଲା ସେହିଦିନ, ଯେଉଁଦିନ ସେ ସେହିଭଳି ଅବସ୍ଥାରେ ଗୀତିକୁ ଛାତିରେ ଭିଡ଼ିଧରି କହିଥିଲେ,

 

–‘‘ଗୀତି, ତୁମ ସୁଧାଂଶୁବାବୁଟି ଭାରି ସୁନ୍ଦର ନା ? କାହିଁ ଆମ ଘରକୁ ତ ସେ କେବେ ଆସନ୍ତିନି ?”

 

ଗୀତି ଚାହିଁଥିଲା ତାଙ୍କ ମୁହଁକୁ । ତାଙ୍କ ଆଖି ଦି’ଟା ସେତେବେଳକୁ ଅଧା ବୁଜିହୋଇ ଯାଇଛି । ଛାତି ଉପରେ ହାତଛନ୍ଦି ଖଟଉପରେ ଚିତ୍‍ହୋଇ ଶୋଇ ଯାଇଛନ୍ତି ସେ ।

 

ଘୃଣାରେ ତାଙ୍କ ମୁହଁକୁ ଛେପ ପକେଇବାକୁ ଗୀତିର ଇଚ୍ଛା ହୋଇଥିଲା । ବୁଢ଼ୀମା କାହାଣୀରେ ଯେଉଁ ଜିଅନ୍ତା ଡାହାଣୀ କଥା ସେ ଶୁଣିଥିଲା ପାରୁଲ୍ ଦି’ ତା’ର ସେଇଆ ନୁହଁନ୍ତି ତ ।

 

ଦିହ ତା’ର ଶୀତେଇ ଉଠେ । ଆଖି ବୁଜି ସେ ମା’ ମଙ୍ଗଳାଙ୍କୁ ଡାକେ । ସୁଧାଂଶୁର ମଙ୍ଗଳପାଇଁ କେତେ ଦିଅଁଦେବତାଙ୍କ ଶରଣ ପଶେ ।

 

ସୁଧାଂଶୁ ଆଗରେ ଗୀତି କେତେଥର ଏକଥା କହିବ କହିବ ହୋଇଛି । କିନ୍ତୁ କହି ପାରିନି ଦିନର ପାରୁଲ୍‍ଦି’ଙ୍କୁ ଦେଖି । ଦିନରେ ସେ ଏତେ ଭଲ ମଣିଷ ହୁଅନ୍ତି ସେମିତି ମଣିଷ ସେ ଆଉ କେଉଁଠି ଦେଖିନି । ତାଙ୍କର ସ୍ନେହଶ୍ରଦ୍ଧା, ପାଠପଢ଼ା କୌଣସିଥିରେ ଅନ୍ୟ କୌଣସି ଶିକ୍ଷୟିତ୍ରୀ ସମାନ ହେବେନି । କ୍ଲାସ୍‍ରେ କାହାକୁ ସେ କେବେ ମାରନ୍ତିନି । ତାଙ୍କ କ୍ଲାସ୍‍ର ଶୃଙ୍ଖଳା କିନ୍ତୁ ଅନ୍ୟ କାହାରି କ୍ଲାସ୍‍ରେ ନଥାଏ । ପାଠ ଭିତରେ ପିଲାଙ୍କର ନିଜତ୍ୱ ପର୍ଯ୍ୟନ୍ତ ସେ ନେଇ ଯାଆନ୍ତି ।

 

ଗୀତି ଦିନେ ଦିନେ ଭାବେ, ପାରୁଲ୍ ଦି’ ବିଭା କାହିଁକି ହେଉନାହାନ୍ତି । ତାଙ୍କୁ ପଚାରିବ ବୋଲି ହୁଏ । ତାଙ୍କ ମୁହଁକୁ ଚାହିଁଲେ କିନ୍ତୁ ସେ ପଚାରିପାରେନି । କେବେ କିମିତି ରାତିର ସେ ଅସ୍ୱାଭାବିକ ସମୟ ବ୍ୟତୀତ ଦିନରେ ସେ ସବୁବେଳେ ଗମ୍ଭୀର ରହୁଥିଲେ । ସେ ଗମ୍ଭୀର ପ୍ରଶାନ୍ତ ମୁହଁକୁ ଅନେକ ଥର ଚାହିଁରହେ । ସେଇ ମୁହଁଦେଇ ପେଟ ଭିତରକୁ କଥା ତାଙ୍କର ଜାଣିବାକୁ ଇଚ୍ଛା କରେ ।

 

ସେ ମୁହଁ ଟେକି ଗୀତି ମୁହଁକୁ ଚାହାନ୍ତି । ଆଖିରେ ଆଖି ମିଶିଗଲେ ମୁହଁ ଫଟେଇ ହସ ଝରେ ସେ ମୁହଁରୁ ।

 

ଆତ୍ମୀୟତାର ହସ–

 

ସ୍ନେହ ଆଉ ଶ୍ରଦ୍ଧାର ହସ ।

 

ଗୀତି ସହିତ ସୁଧାଂଶୁର ପରିଚୟ ପରେ ପୃଥିବୀ ସୂର୍ଯ୍ୟଙ୍କ ଚାରିପାଖରେ ଥରଟିଏ ଘୂରି ସାରିଛି । କଟକ ସହର ରାସ୍ତା ଉପରେ ଶହ ଶହ ଯାତ୍ରୀ ଚାଲିଛନ୍ତି । ଧବଳେଶ୍ୱର ଯାତ୍ରୀ ସେମାନେ-। ପ୍ରତିବର୍ଷ ଏହି ମାସରେ କଟକ ରାସ୍ତାର ଗହଳିକୁ ଏହିମାନେ ଦ୍ୱିଗୁଣିତ କରନ୍ତି ।

 

ତାଙ୍କୁ ଦେଖିଲାପରେ ସୁଧାଂଶୁର ଗଲାବର୍ଷର ସମସ୍ତ କଥା ମନେପଡ଼େ । ଏହି ଯାତ୍ରୀଙ୍କ ଭିଡ଼ ଯୋଗୁଁ ଗୀତିର ଦୁର୍ଯୋଗ ଆରମ୍ଭ ହୋଇଥିଲା । ସେହି ଦୁର୍ଯୋଗଇ ତା’ ପାଖରେ ପରମ ସୁଯୋଗ ହୋଇଛି । ଗୀତି ସହିତ ତା’ର ପରିଚୟ ମୂଳରେ ଏଇ ଯାତ୍ରୀମାନଙ୍କର ସାହଚର୍ଯ୍ୟ ଅଛି । ଧବଳେଶ୍ୱରଙ୍କ ଉଦ୍ଦେଶ୍ୟରେ ମୁଣ୍ତ ନୁଆଁଏ ସୁଧାଂଶୁ ।

 

ସେଦିନ ବସାକୁ ଫେରି ସୁଧାଂଶୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ତାଙ୍କ ଘରେ ଅତିଥି ହୋଇଛନ୍ତି ଗୀତିର ବାପାବୋଉ ଆଉ ସରନୂଆବୋଉ । ସେମାନଙ୍କ ଆସିବା ସମ୍ପର୍କରେ ସେ ଆଗରୁ କିଛି ଜାଣି ନଥିଲା । ପ୍ରକୃତରେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ସେ ।

 

ସେ ଚିନ୍ତା କରିଥିଲା ସେମାନେ ତାଙ୍କ ଘରେ ରହିବେ କି ଅନ୍ୟତ୍ର ତାଙ୍କପାଇଁ ସେ ବନ୍ଦୋବସ୍ତ କରିବ ? କାର୍ତ୍ତିକ ପୂର୍ଣ୍ଣିମାକୁ ବର୍ଷେ ବର୍ଷେ ତା’ ବୋଉ କଟକ ଆସନ୍ତି । ମିନିରବି ବାଲିଯାତ୍ରା ଲୋଭ କମ୍ ନୁହେଁ । ଯଦି ସେମାନେ ହଠାତ୍ ଆସି ପହଞ୍ଚିଯାନ୍ତି ତେବେ ସୁଧାଂଶୁ ସେମାନଙ୍କୁ କି କୈଫିୟତ ଦେବ ? ଆହୁରି ମଧ୍ୟ ତାଙ୍କର ଏତେ ଘର ଥାଇକରି ସେ ଯଦି ସେମାନଙ୍କୁ ଅନ୍ୟତ୍ର ରହିବାର ବ୍ୟବସ୍ଥା କରିଦିଏ ତେବେ ସେମାନେ ଅନ୍ୟକିଛି ଭାବିପାରନ୍ତି । ନିହାତି ଅପରିଚିତ ଥିବା ଅବସ୍ଥାରେ ସେମାନେ ତା’ ପ୍ରତି ଯେଉଁ ଆତ୍ମୀୟତା ଦେଖେଇଛନ୍ତି ତା’ର ପ୍ରତିଦାନ କ’ଣ ଏଇଆ ହେବ ?

 

ତା’ପରେ ଗୀତି । ସେ ଯଦି ସୁଧାଂଶୁ ବ୍ୟବହାରର ତ୍ରୁଟିରେ ତାକୁ ଅବିଶ୍ୱାସ କରେ ସେ ତ ତା’ ବରଦାସ୍ତ କରିପାରିବନି । ଗଲା ବର୍ଷକଧରି ଗୀତି ତା’ ହୃଦୟର ଯେଉଁ ସ୍ଥାନ ଅଧିକାର କରି ବସିଛି ତା’ଠୁ ଟିକିଏ ଶ୍ରଦ୍ଧା କମିଲେ ସୁଧାଂଶୁ ସହିପାରିବନି । ଯାହା ହେଉ ସେମାନେ ତାଙ୍କରି ଘରେଇ ରହିବେ ।

 

ସେହିମାନଙ୍କ ଯୋଗୁଁ ଗୀତିର ସାନ୍ନିଧ୍ୟ ହେଲେ ଦି’ଚାରିଦିନ ପାଇଁ ମିଳିବ । ଅନ୍ୟଥର ଯେତେ ଚେଷ୍ଟା କଲେବି ଗୀତି କେବେ ତା’ ପାଖରେ ରହିନି । ଲୋକାପବାଦ ଭୟରେ ସୁଧାଂଶୁବି ବାଧ୍ୟ କରିନି ତାକୁ । ସରନୂଆବୋଉ ଆଉ ଗୀତିର ମିଳିତ ସାନ୍ନିଧ୍ୟ ଅମୃତମୟ ନିଶ୍ଚୟ ହେବ ।

 

ସେହିଦିନ ସେ ବୋଉ ପାଖକୁ ତା’ର ଚିଠି ଲେଖିଥିଲା । ତା’ର ଜଣେ ନିହାତି ଅନ୍ତରଙ୍ଗ ବନ୍ଧୁର ବାପାବୋଉ ପ୍ରଭୃତି ଗାଁରୁ ଆସିଛନ୍ତି । ଧବଳେଶ୍ୱର ଦର୍ଶନ କରି ଦି’ତିନିଦିନ ରହି ବାହାରିଯିବେ ସେମାନେ । ବନ୍ଧୁଜଣକ ହଷ୍ଟେଲ୍‍ରେ ଥିବାରୁ ସେ ଅନ୍ୟ କେଉଁଠି ସେମାନଙ୍କ ରହିବାର ବନ୍ଦୋବସ୍ତ କରିନପାରି ମତେ ଅନୁରୋଧ କଲେ । ତାଙ୍କର କଥା ଭାଙ୍ଗି ନ ପାରି ଆମରି ଘରେ ସେମାନଙ୍କୁ ସ୍ଥାନ ଦେଇଛି–ଇତ୍ୟାଦି ।

 

ନଟକୁବି ସେହିକଥା ସୁଧାଂଶୁ ବୁଝେଇ ଦେଲା ।

 

ଗୀତିବାପା ନିଜେ ଯାଇ ହଷ୍ଟେଲ୍‍ରୁ ଗୀତିକୁ ଆଣିଥିଲେ । ନଟ କି ସୁଧାଂଶୁ କାହାରିକଥା ନ ମାନି ସରନୂଆବୋଉ ରନ୍ଧାଘରେ ପଶିଥିଲେ । ସବୁଠୁ କିନ୍ତୁ ବେଶି ତତ୍ପର ଗୀତି ହୋଇ ପଡ଼ିଥାଏ । ସତେ ଯେମିତି ଅନ୍ୟମାନେ ତା’ ଘରର ଅତିଥି । ସମସ୍ତଙ୍କ ତତ୍ତ୍ୱ ବୁଝିବା ଯେମିତି ତା’ର କର୍ତ୍ତବ୍ୟ ।

 

ସର ନୂଆବୋଉ ଥଟ୍ଟା କରି କହିଥିଲେ–

 

–‘‘ତୁମେ ତ ଏ ଘରେ ପକ୍କା ଘରଣୀ ହେଲଣି ଗୀତି ।”

 

“କାହିଁକି ତୁମର ଈର୍ଷା ହେଉଛି କି ?” ଗୀତି କହିଥିଲା ।”

 

–‘‘ଈର୍ଷା ନୁହେଁ ଯେ–ବାଜା ରୋଶଣି, ଭୋଜିଭାତ କିଛି ନ ଥାଇ ତୁମେ କେମିତି ଏତେ ଆଗେଇଗଲ ସେହିକଥା ମୁଁ ଭାବୁଛି ।”

 

ସରନୂଆବୋଉ ମୁହଁକୁ ଚାହିଁଥିଲା ଗୀତି । ସେ ତାଙ୍କ କଥାର ଅର୍ଥ ବୁଝିପାରିଛି । ତାକୁ ଅପେକ୍ଷା କରୁଛନ୍ତି ସେ ।

 

ହସିଲା ମୁହଁଟି ତା’ର ଶୁଖିଗଲା । ସୁଧାଂଶୁ ଆଉ ତା’ ବାପା ଖାଇସାରି ଉଠି ଯାଇଥିଲେ-। ସେଇ ଅଇଁଠା ବାସନ ଦିଖଣ୍ତ ଉଠଉଥିଲା ଗୀତି । ତା’ ହାତ ସେ ଅଇଁଠା ଉପରେ ସ୍ଥିର ହୋଇ ରହିଗଲା । ସେ ଚାହିଁଲା ସରନୂଆବୋଉ ଆକ୍ଷେପକୁ ଆଉ କିଏ ଶୁଣିଛନ୍ତି କି ନାହିଁ ?

 

ତା’ ଶୁଖିଲା ମୁହଁ ସରନୂଆବୋଉ ଆଖିରୁ ବାଦ ଗଲାନି । ଗେଲମାଡ଼ ବେଳେବେଳେବି କାଟେ । ସେକଥା ବୁଝିପାରିଲେ ସେ । ଉଠିଆସି ଗୀତିର ଅଇଁଠା ବୋଳା ହାତଟା ସେ ଧରିଥିଲେ-। ତା’ପରେ ଗୀତିପାଖରୁ ତାଙ୍କ କଥାପାଇଁ କ୍ଷମାମାଗିଥିଲେ ।

 

ଦୁହିଁଙ୍କ ଆଖିକଣ ଓଦା ହୋଇଗଲା । ଗୀତି ବୋଉ ସେଠି ପହଞ୍ଚିଯିବାରୁ ଆଖି ପୋଛି ମୁହଁରେ ହସ ଫୁଟେଇଥିଲେ ଦୁହେଁ ।

 

ସମସ୍ତେ ଖାଇ ସାରିଲା ପରେ ନଟକୁ ବାଢ଼ିଦେଇ ଗୋଟାଏ ଥାଳିରେ ଗୀତି ତା’ର ଆଉ ସରନୂଆବୋଉ ଦୁହିଁଙ୍କର ଏକାଠି ଭାତ ଆଣିଲା । ବିଭିନ୍ନ ଗପ୍‍ସପ୍, ହସକୌତୁକ ଭିତରେ ଖାଇବା ସରିବାକୁ ପ୍ରାୟ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଲାଗିଥିଲା ।

 

ଅନ୍ୟମାନେ ଯେ ଯୁଆଡ଼େ ସେତେବେଳକୁ ଶୋଇପଡ଼ିଲେଣି । ନଟ ଖାଇସାରି ହାତଟେକି ବସିଥାଏ । ତାକୁ ସରନୂଆବୋଉ କହିଲେ–

 

–‘‘ତୁମେ ଉଠିଯାଅ ନଟ–ଆମର ସରୁ ସରୁ ଡେରି ହେବ ।”

 

–‘‘ନାହିଁ ମା’ ମୁଁ ବସିଛି ଏଇଠି । ଏକାଠି ଥାଳି ଦିଖଣ୍ତ ଧୋଇ ପକେଇ ଯାଇ ଶୋଇବି-।”

 

ସରନୂଆବୋଉ ପ୍ରତିବାଦ କଲେ–

 

–‘‘ମରଦପୁଅଟା କ’ଣ ଥାଳି ଧୋଇବ ମ । ଛିଃ ଲାଜକଥାଟା–କାହିଁକି ଥାଳି କ’ଣ ଆମେ ଧୋଇ ପାରିବୁନିକି ? ତୁମେ ଯାଅ ଶୋଇବ ।”

–‘‘ନଟ ଶୋଇବାକୁ ଯାଉ ଯାଉ ଭାବିଲା–ଥାଳି ଉଠେଇବା ମରଦଙ୍କର କାମ ନୁହେଁ । ତେବେ ସେ କ’ଣ ?”–

 

ଅଇଁଠାଥାଳି ଧୋଇସାରି ଘରେ ରଖି ସରନୂଆବୋଉ ପାନ ଭାଙ୍ଗିଥିଲେ । ଗୀତି ନାହିଁ ନାହିଁ କରୁଥିଲେବି ତାକୁ ସେ ଖଣ୍ତେ ସାଦା ପାନ ଖୋଇଥିଲେ । ଆଉ ଦିଖଣ୍ତ ସାଦା ପାନ ଭାଙ୍ଗି ସୁଧାଂଶୁକୁ ଦେଇ ଆସିବାକୁ ସେ ଗୀତିକୁ ବାଧ୍ୟ କରିଥିଲେ ।

 

ଗୀତି କିନ୍ତୁ ପ୍ରତିବାଦ କରିଥିଲା–‘‘ନା ସେ ଶୋଇପଡ଼ିବେଣି ।”

 

–‘‘ଜମା ସେ ଶୋଇ ନଥିବେ । ଦେଖ ମୋକଥା ସତ କି ମିଛ ?”

 

ଦୁହେଁ ଜିଦି ପକାପକି ହୋଇ ସୁଧାଂଶୁ ପାଖକୁ ଗୀତି ପାନ ନେଇ ଯାଇଥିଲା । ସୁଧାଂଶୁ ପାଖରେ ଗୀତି ନଇଁପଡ଼ି ଖଣ୍ତେ ପାନ ଦେଉଛି ପଛଆଡ଼ୁ କବାଟ ବନ୍ଦ ହେବାର ଶବ୍ଦ ଶୁଭିଲା । ଚମକିପଡ଼ି ପଛକୁ ଫେରି ଚାହିଁଲା । କବାଟ ସେ ପାଖରେ ସରନୂଆବୋଉ ହସ ଶୁଭୁଛି ।

 

ଗୀତି କବାଟରେ ହାତମାରି ସରନୂଆବୋଉକୁ ଡାକୁଥାଏ । କେତେ ରାଣନିୟମ ପକଉଥାଏ । ସବୁ କିନ୍ତୁ ସେହି କବାଟ ପାଖରୁ ଫେରି ଆସୁଥାଏ ।

 

ଗୀତି ଶେଷକୁ କାନ୍ଦ କାନ୍ଦ ହୋଇ ସରନୂଆବୋଉକୁ ଡାକିଥିଲା । ଯାହାଫଳରେ ସେ ବାଧ୍ୟ ହୋଇ କବାଟ ଫିଟେଇଥିଲେ ।

 

ଗୀତି ବାହାରକୁ ଆସି ନିଃଶ୍ୱାସ ନେଲା । ସରନୂଆବୋଉକୁ କହିଲା–‘‘ସେମିତି ହେଲେ ଆଉ ଦିନେ ପାଟି ଫିଟେଇବିନି ଜାଣିଥା ।”

 

ପୂର୍ଣ୍ଣମୀଦିନ ପାଞ୍ଚଟାବେଳକୁ ସମସ୍ତେ ବାଲିଯାତ୍ରା ଦେଖି ବାହାରିଲେ । ସରନୂଆବୋଉ କିନ୍ତୁ ମନାକଲେ । ପୂର୍ବଦିନ ଖରାରେ ସେ ଧବଳେଶ୍ୱର ଯାଇଥିଲେ । ଆଜିବି ସକାଳୁ ମୁଣ୍ତ ଧୋଇ ଗାଧେଇଥିବାରୁ ମୁଣ୍ତଭାରି ବିନ୍ଧୁଛି ବୋଲି କହି ସେ ଯିବାକୁ ନାହିଁ କଲେ । ଯେତେ ଯେ ବୁଝେଇଲେବି ତାଙ୍କର ଏକାଜିଦ୍ ସେ ଯିବେନି ।

 

ସୁଧାଂଶୁ କହିଲା–ନଟବି ଯିବ । ଆମେ ଫେରୁ ଫେରୁ ଅନେକ ରାତି ହେବ । ତୁମେ ଏକା ରହିବ ତ ?

 

ସେଥିରେବି ସେ ନ ଡରି ଏକା ରହିବାକୁ ରାଜି ହୋଇଥିଲେ । ତେଣୁ ବାଧ୍ୟହୋଇ ତାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଯାତ୍ରାକୁ ଯାଇଥିଲେ । ଯାତ୍ରା ପାଖରେ ପହଞ୍ଚି ଗୀତି କହିଲା–

 

–ଦେଖିଲ କେତେ ଲୋକ ଆସିଛନ୍ତି । ଅଥଚ ନୂଆବୋଉ ଆସିଲେନି ।”

 

–‘‘ସେ କ’ଣ ଆସି ନଥାନ୍ତା । ତା’ ପାଖରେ ଆଉ ପଇସା ନଥିବ । ଖାଲି ହାତରେ ଯାତ୍ରାକୁ କିମିତି ଆସିବ ?” ଗୀତିବୋଉ ମନ୍ତବ୍ୟ କରିଥିଲେ ।

 

ସୁଧାଂଶୁର ଯାତ୍ରାକୁ ଆସିବାରେ ଆଗରୁ ଇଚ୍ଛା ନଥିଲା । ସରନୂଆବୋଉ ନ ଆସିବାରୁବି ତା’ ମନ ଟିକିଏ ବ୍ୟଥିତ ହୋଇଥିଲା–ଗୀତିବୋଉଙ୍କର ମନ୍ତବ୍ୟ ଶୁଣି ତାକୁ ଆହୁରି ଖରାପ ଲାଗିଲା । ତାକୁ ଆଉ ଯାତ୍ରାରେ ବୁଲିବାକୁ ଭଲ ଲାଗିଲାନି । ଜରୁରୀ କାମ ବାହାନା କରି ତାଙ୍କ ପାଖରୁ ସେ ବାହାରି ଆସିଲା ।

 

ସେମାନଙ୍କ ପାଖରୁ ଆସି ସୁଧାଂଶୁ ନଈକୂଳରେ ଯାଇ ବସିଲା । ସେଠି ସେ ବେଶି ସମୟ ବସିପାରିଲାନି । ସରନୂଆବୋଉର ଛଳଛଳ ଆଖି ତା’ ଆଖି ଆଗରେ ଭାସିଉଠିଲା । ଅନ୍ୟମନସ୍କ ଭାବରେ ସେ ରିକ୍ସା ଖଣ୍ତକରେ ଉଠି ନିଜ ଘର ଉଦ୍ଦେଶ୍ୟରେ ଚାଲିଲା ।

 

ଘରପାଖରେ ପହଞ୍ଚିଲାବେଳକୁ ସମ୍ପୂର୍ଣ୍ଣ ରାତି ହୋଇଗଲାଣି । ରାସ୍ତାଘାଟରେ ବିଜୁଳି ଆଲୁଅ ସବୁ ଜଳି ଉଠିଲାଣି । ଦିନର କୋଳାହଳ ଅନେକ ପରିମାଣରେ କମି ଗଲାଣି ।

 

ଦାଣ୍ତ କବାଟରେ ହାତମାରିଲା ସୁଧାଂଶୁ । ଭିତରୁ କବାଟ ଦିଆହୋଇଛି । ସରନୂଆବୋଉର ଅଲକ୍ଷ୍ୟରେ ସେ କ’ଣ କରୁଛନ୍ତି ସେ କଥା ଦେଖିବାକୁ ସୁଧାଂଶୁର ପ୍ରବଳ ଆଗ୍ରହ ହେଲା । ବାହାର କଡ଼େ ରହି କିମିତି କବାଟ ଖୋଲିବାକୁ ହୁଏ ସେ କୌଶଳ ତାକୁ ଜଣା । ନଟର ଶଗଡ଼ଚଢ଼ା ନିଦପାଇଁ ସେତକ ବୁଦ୍ଧି ସେ ବାହାର କରିଛି । ନହେଲେ କେବେ କିମିତି ସେକେଣ୍ତ ସୋ ସିନେମା ଗଲେ ତେଣୁ ଆସି ସାରା ରାତି ବାହାରେ ଶୋଇବାକୁ ପଡ଼ନ୍ତା ।

 

ଘରଭିତରକୁ ପଶିଲା ସୁଧାଂଶୁ । ନିଜ ଘର ଭିତରେ ନିଜେ କିନ୍ତୁ ଚୋରଭଳି ପାଦ ଚିପି ଚିପି ଯାଉଥାଏ । ସବୁ ଘର ଅନ୍ଧାର, କେବଳ ତା’ରି ଶୋଇବା ଘରେ ଆଲୁଅ ଜଳୁଛି । ଆଡ଼େଇ ହୋଇ ଘରକୁ ଚାହିଁଲା ସେ । ଝରକାକୁ ଧରି ସରନୂଆବୋଉ ଠିଆହୋଇଛନ୍ତି । ସକାଳର ମୁଣ୍ତଧୁଆ ଯୋଗୁଁ ପିଠିଯାକ ତାଙ୍କ ଖେଳେଇହୋଇ ପଡ଼ିଛି ଘନକୃଷ୍ଣ କବରୀ । ଘରଭିତରେ ଆଉ କେହି ନଥିବାରୁ ନିଃସଙ୍କୋଚ ଭାବରେ ଠିଆହୋଇଛନ୍ତି ସେ । ପାଦ ଚିପିଚିପି ସୁଧାଂଶୁ ଯାଇ ତାଙ୍କ ପଛପାଖରେ ଠିଆହେଲା । ସମ୍ପୂର୍ଣ୍ଣ ଅନ୍ୟମନସ୍କ ସେ ଥିଲେ । ସେଇଥିପାଇଁ ସୁଧାଂଶୁର ଉପସ୍ଥିତି ପର୍ଯ୍ୟନ୍ତ ସେ ଲକ୍ଷ୍ୟ କରିପାରିଲେନି ।

 

ପଛରୁ ସୁଧାଂଶୁ ଡାକିଲା–‘‘ନୂଆବୋଉ”

 

ଚମକି ପଡ଼ି ପଛକୁ ଚାହିଁଲେ ସେ । ଆଗରେ ସୁଧାଂଶୁକୁ ଦେଖି ତାଙ୍କ ଶିଥିଳ ପରିଧେୟକୁ ସଜାଡ଼ି ନେଇଥିଲେ; କିନ୍ତୁ ଯେତିକି ସମୟ ଉନ୍ମୁକ୍ତ ଦେହ ତାଙ୍କର ସୁଧାଂଶୁ ଆଖିରେ ପଡ଼ିଛି ସେଇଥିରେ ତା’ ରକ୍ତରେ ନିଆଁ ଲାଗି ସରିଛି । ସେ ସ୍ୱୀକାର କରିଛି ଗୀତି ଅପେକ୍ଷା ସରନୂଆବୋଉର ସୌନ୍ଦର୍ଯ୍ୟ ଅଧିକ ।

 

ପରମ ଆବେଗରେ ସେ ସରନୂଆବୋଉର କରଧାରଣ କରିଥିଲା । ତା’ର ଉଦ୍ଦେଶ୍ୟ ସରନୂଆବୋଉ ବୁଝିପାରିଥିଲେ । ସୁଧାଂଶୁଠୁ ଦୂରେଇ ଯାଇ ସେ କହିଲେ–

 

“ଭଗବାନ ମତେ ନିଃସ୍ୱ କରିଛନ୍ତି । ସୁଖ କ’ଣ ମୋ ଜୀବନରେ ଜାଣିପାରିନି । ତା’ ବୋଲି ପର ଜିନିଷ ଚୋରିକରି ମୁଁ ସୁଖୀ ହେବାକୁ ଚାହେଁନା । ଆହୁରିବି ଗୀତି ସାଙ୍ଗରେ ମୁଁ ବିଶ୍ୱାସଘାତକତା କରିପାରିବିନି । ବିବାହିତ ଜୀବନରେ ସେହି ମୋର ଥିଲା ଏକମାତ୍ର ଆଶ୍ୱାସନା । ପ୍ରାଣଭରି ସେ ମତେ ଭଲପାଏ । ତା’ର କ’ଣ ଏଇ ପ୍ରତିଦାନ ମୁଁ ତାକୁ ଦେବି ?

 

“ଥରଟିଏ ତୁମେ ମୋର ଦୁର୍ବଳତା ଧରିପାରିଥିବ । ପୁରୁଷ ପାଖରେ ନାରୀର ଦୁର୍ବଳତା ଧରିବା ସହଜ ନୁହେଁ । ଜଣେ ନାରୀ ଅନ୍ୟ ଜଣଙ୍କର ମନକଥା ଖୁବ୍ ସହଜରେ ଜାଣିପାରେ । ଗୀତିକୁ ମୁଁ ଯାହା ଜାଣେ କୌଣସି ପୁରୁଷର ଛାଇ ପର୍ଯ୍ୟନ୍ତ ତା’ ମନରେ ପଡ଼ିନି କି କୌଣସି ପ୍ରଲୋଭନ ତାକୁ ପଥହୁଡ଼ା କରିନି । ସେଇଥିପାଇଁ ମୁଁ ତାକୁ ଡାକେ ଋଷିକୁମାରୀ । ସେଇ ମୋର ପ୍ରିୟ ଋଷିକୁମାରୀର ମନକୁ ଯେଉଁ ମୁହଁ ଭୁଲେଇ ପାରିଛି ତାକୁ ଏକାନ୍ତରେ ଥରେ ଦେଖିବାକୁ ମୋର ପ୍ରବଳ ଲୋଭ ହୋଇଥିଲା । ସେଇଥିପାଇଁ ମୁଁ ସେଦିନ ଖରାବେଳେ ତୁମ ପାଖକୁ ଯାଇଥିଲି ।

 

“ତୁମକୁ ଯେ ମୁଁ ଭଲପାଏନି ଏ କଥା ଭାବନି । ତୁମର ରୂପ ଯେ ମୋ ମନତଳେ ତରଙ୍ଗ ସୃଷ୍ଟି ନ କରିଛି ସେ କଥା ନୁହେଁ । କିନ୍ତୁ ତୁମେ ଗୀତିର । ଗୀତିର ଭାଗ୍ୟରେ ମୋର ଈର୍ଷା ହେଉନି । ବରଂ ମୁଁ ତୁମ ଦୁହିଁଙ୍କୁ ଆଶୀର୍ବାଦ କରୁଛି, ତୁମେ ସୁଖୀହୁଅ ।”

 

କଥାଶେଷବେଳକୁ ସରନୂଆବୋଉଙ୍କର ଦୁଇ ଗଣ୍ତ ପ୍ଳାବି ଲୁହ ବନ୍ୟା ଛୁଟି ଚାଲିଥାଏ ।

 

ସେଦିନ ରାତିରେ ସରନୂଆବୋଉ କି ସୁଧାଂଶୁ କେହି କିଛି ଖାଇ ନଥିଲେ । ତା’ ପରଦିନ ସୁଧାଂଶୁ ଘରର ସମସ୍ତ କୋଳାହଳକୁ କମେଇ ଦେଇ ସରନୂଆବୋଉ ପ୍ରଭୃତି ଗାଁକୁ ଫେରି ଯାଇଥିଲେ ।

Image

 

 

 

 

 

 

 

 

 

 

 

 

 

 

ସନ୍ଧ୍ୟା

 

ଗ୍ରୀଷ୍ମାବକାଶ ପରେ ସ୍କୁଲ୍‍କୁ ଫେରି ଗୀତି ଦେଖିଲା ହଷ୍ଟେଲ୍‍ରେ ତା’କୁ ଗୋଟିଏ ଜଣିକିଆ ରୁମ୍ ଦିଆଯାଇଅଛି । ହଷ୍ଟେଲ୍‍ ଭିତରେ ସର୍ବମୋଟ ଚାରୋଟି ଜଣିକିଆ ରୁମ୍ ଅଛି, ସବୁଠୁ ଭଲଛାତ୍ରୀଙ୍କୁ ସେ ରୁମ୍ ସବୁ ଦିଆଯାଏ ।

 

ନିଜର ଅକ୍ଳାନ୍ତ ପରିଶ୍ରମଫଳରେ ସେ ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଏକାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛି । ଇଂଲିଶ୍‍ରେ କିନ୍ତୁ କ୍ଲାସ୍‍ରେ ସମସ୍ତଙ୍କଠୁ ସେ ଭଲକରିଛି ।

 

ତା’ର ଏ ସୁନାମରେ ସୁଧାଂଶୁ ଖୁବ୍ ଆନନ୍ଦିତ ହୋଇଥିଲା । ପରୀକ୍ଷାଫଳ ବାହାରିଲା ଦିନ କେତେ ପ୍ରକାରର ଉପହାର ତାକୁ ସେ ଆଣି ଦେଇଥିଲା । ଗୀତିର ଅନିଚ୍ଛା ସତ୍ତ୍ୱେ ସେ ତାକୁ ଜୋରକରି ସେଦିନ ସିନେମା ନେଇ ଯାଇଥିଲା । ସୁଧାଂଶୁ ସହିତ ଜୀବନର ପ୍ରଥମ ସିନେମା ଦେଖା ତା’ର ସେଦିନ । ସିନେମା ଭାଙ୍ଗିବା ପରେ ଦୁହେଁଯାକ ସାଙ୍ଗ ହୋଇ ଗୋଟେ ରିକ୍ସାରେ ଘରକୁ ଫେରିଥିଲେ । ଦ୍ୱାଦଶ ଚନ୍ଦ୍ରର ଶୁଭ ଜ୍ୟୋତ୍ସ୍ନା ଭିତରେ ପହଁରି ପହଁରି ରିକ୍ସା ଚାଲିଥିଲା । ସୁଧାଂଶୁ ବାହୁଉପରେ ମୁଣ୍ତରଖି କେତେ ସ୍ୱପ୍ନ ଗୀତି ଦେଖିଥିଲା ସେ ଦିନ । ମନ ତଳେ ତା’ର ନୂଆ ନୂଆ ରଙ୍ଗ ଲାଗିଥିଲା ।

 

ରିକ୍ସା କିନ୍ତୁ ଯେତେବେଳେ ହଷ୍ଟେଲ୍‍ ନଯାଇ ସୁଧାଂଶୁ ଘରପାଖରେ ଆସି ପହଞ୍ଚିଲା ଗୀତିର ସ୍ୱପ୍ନ ଭାଙ୍ଗିଥିଲା । ରାତି ସେତେବେଳକୁ ଦଶଟା ବାଜିବ । ଏତେ ରାତିରେ ଏକୁଟିଆଘରେ ସୁଧାଂଶୁ ପାଖରେ ରହିବାକୁ ସେ ଭୟ କରିଥିଲା ସେଦିନ । ସୁଧାଂଶୁ ତା’ର ହାତଧରି ରିକ୍ସାଉପରୁ ଯେତେବେଳେ ଓହ୍ଲେଇ ଆଣିଲା ସେଥିରେ ସର୍ବାଙ୍ଗରେ ବିଦ୍ୟୁତ ଖେଳିଥିଲା ତା’ର । ନିଜେ ସେ କେବେ ସେଦିନ ଭଳି ଦୁର୍ବଳ ହୋଇ ନଥିଲା । ତେଣୁ ସୁଧାଂଶୁ ଅପେକ୍ଷା ନିଜ ଉପରେ ତା’ର ବେଶି ଅବିଶ୍ୱାସ ହୋଇଥିଲା ।

 

ରାତ୍ରିଭୋଜନ ପରେ ସୁଧାଂଶୁ କିନ୍ତୁ ସେଦିନ ନିହାତି ଶାନ୍ତ ସରଳ ପିଲାଭଳି ତାକୁ ଆଣି ହଷ୍ଟେଲ୍‍ରେ ଛାଡ଼ି ଦେଇ ଯାଇଥିଲା । ଗୀତି ପାଖରୁ ବିଦାହୋଇ ଗଲାବେଳେ ସେ କେବଳ ଗୀତିକୁ କହିଥିଲା ।

 

–‘‘ଆଉ କେଇଟା ଦିନ ଆମକୁ ଏ ଅଭିଶପ୍ତ ଜୀବନ କଟେଇବାକୁ ପଡ଼ିବ । ତା’ପରେ ସାରା ଜୀବନର ଦୁଃଖକୁ ଉପହାସ କରି ତୁମେ ଆସିବ ମୋପାଖକୁ । ଆଉଗୋଟିଏ ଅନୁରୋଧ ମୋର ଗୀତି, ଏବର୍ଷର ସୁନାମ ଯେମିତି ତୁମର ନ କମେ ।”

 

ସୁଧାଂଶୁର ପରିବର୍ତ୍ତନରେ ଗୀତି ସେଦିନ ଆଶ୍ଚର୍ଯ୍ୟ ହୋଇଥିଲା । ତା’ର ପରୀକ୍ଷାଫଳର ସୁନାମ ଯେ ସୁଧାଂଶୁକୁ ଏପରି ଶାନ୍ତ ସରଳକରି ପାରିଛି ସେକଥା ବୁଝିବାକୁ ତା’ର ବାକି ନଥିଲା ।

 

ଆଜି ସେଦିନର କଥା ଗୀତିର ମନେପଡ଼େ । କେବଳ ସୁଧାଂଶୁ ନୁହେଁ ସ୍କୁଲ୍‍ର ପ୍ରତ୍ୟେକ ଶିକ୍ଷୟିତ୍ରୀ ତାକୁ ସେଦିନ ଆଦର କରିଥିଲେ । କେହି ବିଶ୍ୱାସ କରି ନଥିଲେ ଗୀତି ଏତେ ଭଲ କରିବ ବୋଲି । ହେଡ଼୍‍ମିଷ୍ଟ୍ରେସ୍ କହିଥିଲେ, ‘‘ଗୀତି ଯଦି ଅଷ୍ଟମ ଶ୍ରେଣୀଠୁ ଏଠି ପାଠ ଆରମ୍ଭ କରିଥାନ୍ତା ସେ ସ୍କୁଲ୍‍ର ମୁଖ ଉଜ୍ଜ୍ୱଳ କରିଥାନ୍ତା ।”

 

ଗୀତି କିନ୍ତୁ ଜାଣେ ତା’ର ଏ ସୁନାମ କେବଳ ପାରୁଲ୍‍ଦି’ଙ୍କ ଯୋଗୁଁଇ ସମ୍ଭବ ହୋଇଛି । ତା’ ନହେଲେ ସାଧାରଣ ପାସ୍‍ବି ତା’ ପକ୍ଷରେ ଅସମ୍ଭବ ହୋଇଥାନ୍ତା । ଶ୍ରଦ୍ଧା ଆଉ ଭକ୍ତିରେ ପାରୁଲ୍‍ଦି’ଙ୍କ ଉଦ୍ଦେଶ୍ୟରେ ମୁଣ୍ତ ନଇଁଯାଏ ତା’ର । ତାଙ୍କ ସ୍ନେହଶ୍ରଦ୍ଧା କଥା ନିଜର ଏକୁଟିଆ ରୁମ୍‍ଟିରେ ବସି ଗୀତି ଆଜି ଭାବୁଛି । ପରୀକ୍ଷାର ମାସକ ଆଗରୁ ସେ ଆଉ ତାଙ୍କ ଘରକୁ ଯାଇନି । ଥରେ ଦି’ଥର ସେ ଗୀତିକୁ ଯିବାପାଇଁ କହିଥିଲେ; କିନ୍ତୁ ପଢ଼ାପଢ଼ିର ଆଳକରି ଗୀତି ଯିବାକୁ ନାହିଁକରି ଦେଇଥିଲା । ସେ ବି ବିଶେଷ ବାଧ୍ୟ କରି ନଥିଲେ ।

 

ଛୁଟିରୁ ଫେରିବି ସେ ତାଙ୍କ ଘରକୁ ଯାଇନି । ଆଜି କ୍ଲାସ୍‍ରେ ଦେଖାହେଲା ପରେ କେତେ ଅଭିମାନ ସେ କରିଥିଲେ । ତାଙ୍କ ଅଭିମାନରେ ଅନୁତାପ କରିଥିଲା ଗୀତି । ସ୍କୁଲ୍ ଛୁଟି ପରେ ସେ ତାଙ୍କୁ ଖୋଜିଥିଲା; କିନ୍ତୁ ଅଫିସ୍‍ରୁ ବୁଝିଲା ଚାରିଟା ପୂର୍ବରୁ ସେ ସ୍କୁଲ୍‍ରୁ ଚାଲି ଯାଇଛନ୍ତି-

 

ତାଙ୍କପାଇଁ ଗୀତିର ମନ ବ୍ୟସ୍ତ ହୋଇଥିଲା । ପ୍ରକୃତରେ ଛୁଟିରୁ ଫେରି ତାଙ୍କ ଘରକୁ ସେ ନ ଯାଇ ଭୁଲ କରିଛି । ସେ ଭୁଲର ସଂଶୋଧନ କରିବାକୁ ନିଜ ବସିଲା ଜାଗାରୁ ଉଠି ଠିଆହେଲା ଗୀତି । ହେଡ଼୍‍ମିଷ୍ଟ୍ରେସ୍‍ଙ୍କଠୁ ଅନୁମତି ଆଣି ତାଙ୍କଘର ଉଦ୍ଦେଶ୍ୟରେ ସେ ବାହାରିଲା ।

 

ଏକା କେବେ କୁଆଡ଼େ ସେ ଯାଇନି । ତଥାପି ଆଉକାହାକୁ ସାଙ୍ଗରେ ନେବାକୁ ତାକୁ ଖରାପ ଲାଗିଲା । ରାସ୍ତାକୁ ଆସି ରିକ୍ସା ଖଣ୍ତେ ଧରି ତାଙ୍କ ଘର ଅଭିମୁଖରେ ଚାଲିଥିଲା ସେ । ଖୁବ୍ କମ୍ ସମୟ ଭିତରେ ରିକ୍ସାଯାଇ ତାଙ୍କ ମିସନ ରୋଡ଼୍‍ର ଘର ଆଗରେ ଠିଆ ହେଲା ।

 

ଶେଷ ସୂର୍ଯ୍ୟର ରକ୍ତ କିରଣ ସେତେବେଳକୁ ଗଛପତ୍ରରେ ସିନ୍ଦୁର ବୋଳିଛି । ଆକାଶରେ ନୀଡ଼ ବାହୁଡ଼ା ପକ୍ଷୀ ଦଳଦଳ ହୋଇ ଉଡ଼ି ଚାଲିଛନ୍ତି । ନିତିଦିନର ସନ୍ଧ୍ୟା ଭଳି ରାସ୍ତା ଉପରେ କୋଳାହଳ ବଢ଼ିଛି । ଦିବସର କର୍ମକ୍ଳାନ୍ତ ମଣିଷ ଘରକୁ ଫେରୁଛନ୍ତି । ସାଇକେଲ ଆଉ ରିକ୍ସା ଘଣ୍ଟିରେ ରାସ୍ତା ମୁଖରିତ ହୋଇ ଉଠୁଛି ।

 

ଫାଟକ ଫିଟେଇ ଗୀତି ପାରୁଲ୍‍ଦି’ଙ୍କ ବାରଣ୍ତାକୁ ଉଠିଥିଲା । ସମସ୍ତ କୋଳାହଳ ସହିତ ଅସହଯୋଗ କରି ପାରୁଲ୍‍ଦି’ଙ୍କ କୋଠାଟି ନୀରବରେ ଠିଆ ହୋଇଛି । ତା’ ଭିତରେ କୌଣସି ଜୀବନ୍ତ ପ୍ରାଣୀ ଥିଲା ପରି ମନେ ହେଲାନି ତା’ର ।

 

ଦାଣ୍ତ କବାଟରେ ହାତ ମାରିଲା ସେ । ନିଃଶବ୍ଦରେ କବାଟଟା ଖୋଲିଗଲା । ଘର ଭିତରକୁ ଆସିଲା ଗୀତି । ସେଠାରେବି କେହି ନାହାନ୍ତି । ଅଗଣା ଭିତରୁ ଦିଓଟି ଘରଚଟିଆ ଚଢ଼େଇ ଫୁର୍‍ର୍ କରି ଉଡ଼ିଗଲେ । ସେ ଶବ୍ଦରେ ଚମକି ଉଠିଲା ଗୀତି । ପାରୁଲ୍‍ଦି’ଙ୍କ ଶୋଇବା ଘର ଉଦ୍ଦେଶ୍ୟରେ ସେ ଚାଲିଲା । ସେ ଘର କିନ୍ତୁ ବାହାରୁ ବନ୍ଦ ଅଛି । ତେବେ ସେ ସ୍କୁଲ୍‍ରୁ ଆସି ଅନ୍ୟ କୁଆଡ଼େ ଯାଇଛନ୍ତି ? ମନରେ ସନ୍ଦେହ ହେଲା ତା’ର ।

 

ବାରିପଟ କବାଟ ଖୋଲା ଅଛି । ବୁଢ଼ୀଟି ବୋଧହୁଏ ବାରିପଟେ ଅଛି । ତାକୁ ପଚାରିବା ଉଦ୍ଦେଶ୍ୟରେ ବାରିପଟକୁ ଯାଇଥିଲା ଗୀତି ।

 

କିନ୍ତୁ କବାଟ ଖୋଲିବା ପରେ ସେ ଯାହା ଦେଖିଲା ସେଥିରେ ନିଜକୁ ସରମି ଗଲା ଗୀତି । ବାରିପଟର କ୍ଷୁଦ୍ର ବଗିଚା ଭିତରେ ଗୋଟେ ପୁରୁଣା ଟଗର ଗଛ ତଳେ ବସିଛନ୍ତି ଜଣେ ଭଦ୍ରଲୋକ ଆଉ ତାଙ୍କରି କୋଳରେ ମୁଣ୍ତ ଥୋଇ ଶୋଇଛନ୍ତି ପାରୁଲ୍‍ଦି’ । ତା’ ଆଡ଼କୁ ପଛ କରି ବସିଥିବାରୁ ସେ ଭଦ୍ରଲୋକଙ୍କର ମୁହଁଟା ଦେଖିପାରି ନଥିଲା ।

 

ପାରୁଲ୍‍ଦି’ଙ୍କୁ ସେ ଅବସ୍ଥାରେ ଦେଖି ଗୀତି କ’ଣ କରିବ କିଛି ଠିକ୍ କରି ପାରିଲାନି । ଲଜ୍ଜାରେ ତା’ର ଗୋଡ଼ହାତ ଅଚଳ ହୋଇଗଲା ଭଳି ତାକୁ ଲାଗିଲା । ନିଜକୁ ଯଥେଷ୍ଟ ସଂଯତ କରି ପାଦ ଫେରେଇଲା ସେ; କିନ୍ତୁ ଦୁର୍ଯୋଗ ଯୋଗୁଁ ବଗିଚା ଭିତରୁ ପାହାଚ ଉପରକୁ ଉଠୁ ଉଠୁ ଗୋଡ଼ ଖସିଗଲା ତା’ର । ମୁଣ୍ତଟା ତା’ର କବାଟ ଦେହରେ ବାଜିଲା । ସେ ଉଠି ଚଞ୍ଚଳ ପଦକ୍ଷେପରେ ଅଗଣା ଭିତରକୁ ଚାଲି ଆସିଲା ।

 

କିନ୍ତୁ ତା’ ପଡ଼ିଯିବା ଶବ୍ଦରେ ପାରୁଲ୍‍ଦି’ଙ୍କ ଦୃଷ୍ଟି ତା’ ଉପରେ ପଡ଼ିଲା । ସେ ପଛଆଡ଼ୁ ଦଉଡ଼ି ଆସି ତା’ ହାତକୁ ଧରିନେଲେ । ଗୀତିକୁ ନିଜ କୋଳରେ ଆନନ୍ଦରେ ଟେକି ନେଇଥିଲେ ସେ । ତାଙ୍କର ପିଲାଳିଆ ବ୍ୟବହାରରେ ଗୀତି ଆଶ୍ଚର୍ଯ୍ୟ ହୋଇଥିଲା । ମୁହଁ ଟେକି ସେ ପାରୁଲ୍‍ଦି’ଙ୍କ ମୁହଁକୁ ଚାହିଁଥିଲା । ବୟସ ତାଙ୍କର ଯଥେଷ୍ଟ କମିଗଲା ଭଳି ଜଣାଯାଉଛି । ସଦା ଉଦାସ ଦୃଷ୍ଟି ତାଙ୍କର ହରିଣ ଶିଶୁର ଦୃଷ୍ଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି । ମୁହଁରେ ପ୍ରାଣପୂର୍ଣ୍ଣ ହସ ।

 

ତା’ପରେ ଜଣେ ସଙ୍ଗିନୀ ଭଳି ଗୀତି ବାହୁ ସହିତ ନିଜ ବାହୁକୁ ଛନ୍ଦି ଦେଇ ବଗିଚା ଭିତରକୁ ଫେରିଥିଲେ ସେ । ଚାଲିରେ ତାଙ୍କର ନୃତ୍ୟର ଲକ୍ଷଣ ପରିସ୍ଫୁଟ ହେଉଥାଏ । ବଗିଚା ଭିତରର ସେ ଟଗର ଗଛ ମୂଳକୁ ଯାଇଥିଲେ ସେ । ଗଛମୂଳର ଘାସ ଉପରେ ବସି ପଡ଼ୁ ପଡ଼ୁ ଗୀତି ହାତଟାଣି ସେଇଠି ବସେଇ ଦେଇଥିଲେ । ତା’ପରେ ସେ–ଉଭୟଙ୍କ ମଧ୍ୟରେ ପରିଚୟର ସୂତ୍ରପାତ କରିଥିଲେ–

 

–‘‘ଏଇ ମୋର ପ୍ରିୟଛାତ୍ରୀ ଗୀତି । ଯାହା କଥା ମୁଁ ଆପଣଙ୍କୁ ଅନେକଥର କହିଥିବି, ଆଉ ଏ ହେଉଛନ୍ତି ଶୁଭନାରାୟଣ ମହାପାତ୍ର, ଆମ ସ୍କୁଲ୍ ନବମଶ୍ରେଣୀ ସୁଜାତାର ବଡ଼ଭାଇ । ବାପାଙ୍କର ବିରାଟ ବ୍ୟବସାୟ ଅଛି ଏ ସହରରେ । ସରସ୍ୱତୀଙ୍କ ଅପେକ୍ଷା ତାଙ୍କ ପାଖରେ ଲକ୍ଷ୍ମୀଙ୍କ ଆଦର ବେଶି ହେବାରୁ ସେ ପାଠପାଖରୁ ବିଦାୟନେଇ ଏବେ ବ୍ୟବସାୟ ବୁଝାବୁଝି କରୁଛନ୍ତି ।

 

ଗୀତି ହାତ ଉଠେଇ ଶୁଭବାବୁଙ୍କୁ ନମସ୍କାର କଲା । ହସି ହସି ପ୍ରତିନମସ୍କାର ସେ ମଧ୍ୟ କରିଥିଲେ ।

 

ଶୁଭନାରାୟଣଙ୍କ ସହିତ ତାଙ୍କ ବନ୍ଧୁତ୍ୱର ଇତିହାସ ଗପିଥିଲେ ପାରୁଲ୍‍ଦି’ ।

 

–ଉଭୟେ ଆମେ ସାଙ୍ଗହୋଇ କନ୍‍ଭେଣ୍ଟରେ ପଢ଼ୁଥିଲୁ । ଏଠି ବୟସେକ୍‍ସନ୍ ନଥିବାରୁ ବେଶିଦିନ ଶୁଭବାବୁ ପଢ଼ିପାରି ନଥିଲେ । ତା’ପରେ ଦୁହିଁଙ୍କ ଭିତରୁ ପ୍ରାୟ ଆଉ ସାକ୍ଷାତ ହୋଇନି । ସୁଜାତାର ଜନ୍ମଦିନକୁ ସେ ମତେ ନିମନ୍ତ୍ରଣ କରିଥିଲା । ସେଇଠି ଉଭୟ ଉଭୟଙ୍କୁ ଚିହ୍ନା ଚିହ୍ନା ଆଖିରେ ଚାହିଁ ରହିଥିଲୁ । କୈଶୋରର ସେ ଦେହ ଆଉ ମନ ତ କୁଆଡ଼େ ହଜି ଯାଇଛି । ସହଜରେ ଚିହ୍ନି ହେଉଚୁ କେଉଁଠୁଁ ? ପ୍ରଥମେ କିନ୍ତୁ ଶୁଭବାବୁ ମତେ ଚିହ୍ନିପାରିଥିଲେ ।–ପୁରୁଣା ବନ୍ଧୁତ୍ୱ ନୂଆ ହୋଇଛି । ମଝିରେ ମଝିରେ ଶୁଭବାବୁ ଦୟାକରି ଏ କୁଡ଼ିଆକୁ ଆସନ୍ତି ।

 

ପାରୁଲ୍‍ଦି’ଙ୍କ ଆୟା ବୁଢ଼ୀଟି ଆଣି ଚା’ ସେଠି ରଖିଦେଇଗଲା । ନିଜେ ପାରୁଲ୍‍ଦି’ ସମସ୍ତଙ୍କୁ ଚା’ ପରଷି ଥିଲେ । ଚା’ ଖିଆ ଭିତରେବି ପାରୁଲ୍‍ଦି’ ଶୁଭବାବୁଙ୍କ ବିଷୟରେ ସବୁ କିଛି ଗପି ଚାଲିଥାନ୍ତି । ଗୀତି ତାଙ୍କ ମୁହଁକୁ ଚାହିଁ କଥା ଶୁଣୁଥାଏ । ହଠାତ୍ ତା’ର ଖିଆଲ ହେଲା, ତାଙ୍କ କଥାଭିତରେ ଶୁଭବାବୁ ନୀରବ ରହିଛନ୍ତି କାହିଁକି ? କୌଣସି ପଦୁଟିଏ କଥା ତ ତାଙ୍କ ମୁହଁରୁ ଏପର୍ଯ୍ୟନ୍ତ ସେ ଶୁଣିନି ।

 

ସେ ମୁହଁ ବୁଲେଇ ଶୁଭବାବୁଙ୍କ ମୁହଁକୁ ଚାହିଁଲା । ତାଙ୍କ ଦୃଷ୍ଟି କିନ୍ତୁ ଗୀତି ମୁହଁରେ ଲାଖିରହିଥିଲା । ଗୀତି ତାଙ୍କୁ ଚାହିଁଲା ପରେବି ସେ ଆଖି ଫେରେଇ ନେଲେନି । ସେଭଳି ଅଶ୍ଳୀଳ ଦୃଷ୍ଟିରେ କେହି କେବେ ଗୀତିକୁ ଚାହିଁଥିବା କଥା ତା’ର ମନେ ହେଲାନି । ବିରକ୍ତିରେ ମୁହଁ ବୁଲେଇଲା ସେ ।

 

ତା’ର ବିରକ୍ତି ଶୁଭବାବୁ ଲକ୍ଷ୍ୟ କରି ପାରିଲେ ପ୍ରାୟ । ଖାଲି କପ୍‍ଟା ତଳେ ରଖିଦେଇ ସେ ପାରୁଲ୍‍ଦି’ଙ୍କଠୁ ଯିବାପାଇଁ ଅନୁମତି ମାଗିଥିଲେ ।

 

ସମସ୍ତେ ସାଙ୍ଗ ହୋଇ ଘରଭିତରକୁ ଆସିଲେ । ଶୁଭବାବୁ ଘରଭିତରେ ଆଉ ନ ବସି ଚାଲିଯାଇଥିଲେ ।

 

ତା’ପରେ ଗୀତିକୁ ଧରି ପାରୁଲ୍‍ଦି’ କେତେ ପ୍ରକାରର ଗପ ଆରମ୍ଭ କରିଥିଲେ । ଗୀତି କିନ୍ତୁ ବସି ବସି ତାଙ୍କ ପରିବର୍ତ୍ତନକୁ ଲକ୍ଷ୍ୟ କରୁଥାଏ । କଥାବାର୍ତ୍ତା ସହିତ ତାଙ୍କ ପୋଷାକ ପତ୍ରରବି ଅଦ୍ଭୁତ ପରିବର୍ତ୍ତନ ହୋଇଛି । ହାତକଟା ବ୍ଲାଉଜ୍ ତଳୁ ଶୁଭ୍ର ବ୍ରେସାରୀ ତାଙ୍କର ଆତ୍ମପ୍ରକାଶ କରୁଥାଏ । ପତଳା ନାଇଲନ ଶାଢ଼ି ଖଣ୍ଡ ତାଙ୍କ ଛାତି ଉପରୁ ଅନେକ ଥର ଖସିପଡ଼ୁଥାଏ ।

 

ଅନେକ ସମୟ କଥାବାର୍ତ୍ତା ପରେ ଗୀତି ହଷ୍ଟେଲ୍‍ ବାହାରିଲା । ପାରୁଲ୍‍ଦି’ କିନ୍ତୁ ତାକୁ ସେ ରାତିରେ ହଷ୍ଟେଲ୍‍କୁ ଛାଡ଼ିବାକୁ ରାଜି ନଥିଲେ । ବହୁତ କୁହାବୋଲା ପରେ ଗୀତିକୁ ଛୁଟି ମିଳିଥିଲା ସେଦିନ ।

 

ରବିବାରର ଏକ ଅଳସ ମଧ୍ୟାହ୍ନ ।

 

ସୁଧାଂଶୁ ଖଟ ଉପରେ ଅଧାଶୁଆ ଅବସ୍ଥାରେ ବସି ଗୋଟେ ପୁରୁଣା ମାଗାଜିନ୍ ଉପରେ ଆଖି ବୁଲଉଥାଏ । ଟେଷ୍ଟ ସରିଯାଇଛି । ଆଉ ମାସ କେଇଟା ପରେ ଫାଇନାଲ୍ ପରୀକ୍ଷା ତା’ର । ସେଇଥିପାଇଁ ସେ ପୂଜାଛୁଟିରେ ଘରକୁ ଯାଇନି । ଦିଦିନ ତଳେ ବୋଉଠୁ ଖଣ୍ଡେ ଚିଠି ସେ ପାଇଛି । ପୂଜାଛୁଟିରେ ଘରକୁ ଯାଇ ନଥିବାରୁ ଅଭିମାନ କରିଛନ୍ତି ସେ ।

 

ବୋଉଙ୍କର ପୁରୁଣା ରୋଗ ପୁଣି ବାହାରିଛି । ଏଥର ସେ କନ୍ୟା ଯୋଗାଡ଼ କରିସାରିଛନ୍ତି । ପରୀକ୍ଷା ପରେ ସୁଧାଂଶୁର ଆଉ କୌଣସି ଆପତ୍ତି ଶୁଣାଯିବନି ବୋଲି ଲେଖିଛନ୍ତି-। ଚିଠି ସହିତ ପାସପୋର୍ଟ ସାଇଜର ଛୋଟ ଫଟୋ ଖଣ୍ଡିଏବି ସେ ପଠେଇଛନ୍ତି-। ତାଙ୍କର ମନୋନୀତା ବଧୂର ଫଟୋ ସେ । ତା’ର ମତାମତ ସେ ଜାଣିବାକୁ ଚାହିଁଛନ୍ତି ।

 

ସୁଧାଂଶୁ ତାଙ୍କୁ ଉତ୍ତର ଲେଖି ଦେଇଛି । ବିଭାଘରର ଏତେ ଆଗରୁ କୌଣସି ବନ୍ଦୋବସ୍ତ କରନା । ପରୀକ୍ଷାପାଇଁ ମୁଁ ବର୍ତ୍ତମାନ ବ୍ୟସ୍ତ ଅଛି । ଏ ଅବସ୍ଥାରେ କୌଣସି ପ୍ରକାର ମତାମତ ମୁଁ ଦେଇ ପାରିବିନି । ଯଦି ତା’ ମତଦେବା ଆଗରୁ କିଛି ବ୍ୟବସ୍ଥା ହୁଏ ତେବେ ଅପଦସ୍ତ ହେବ ସମସ୍ତେ ।

 

ଚିଠି ଖଣ୍ଡି ପଠେଇ ସାରିଲା ପରେ ସୁଧାଂଶୁ ନିଶ୍ଚିନ୍ତ ହୋଇଛି । ଫଟୋଖଣ୍ଡବି ସେ ଭଲ କରି ଦେଖିନି । ଦେଖିବାର ଆବଶ୍ୟକତାବି ସେ ଉପଲବ୍ଧି କରି ପାରିନି ।

 

ହଠାତ୍ ତା’ର କାହିଁକି ସେ ଫଟୋଖଣ୍ଡି ଦେଖିବାର ଆଗ୍ରହ ହେଲା । ବସିଲା ଜାଗାରୁ ଉଠି ପଡ଼ି ଟେବୁଲ ଡ୍ରରୁ ଫଟୋ ଖଣ୍ଡି ବାହାରକୁ ଆଣିଲା ସେ । ଛୋଟ ହେଲେବି ପରିଷ୍କାର ହୋଇଛି ଫଟୋଟି । ଫଟୋତଳେ ସୁନ୍ଦର ହସ୍ତାକ୍ଷରରେ ଲେଖାହୋଇଛି–‘କୁମାରୀ କଳ୍ପନା’ । ଝିଅଟିର ନିଜ ହାତର ଅକ୍ଷର ସେ ବୋଧହୁଏ ।

 

ଫଟୋଟି ମୁହଁ ଉପରେ ଆହୁରି ଥରେ ଆଖି ବୁଲେଇ ଆଣିଲା ସୁଧାଂଶୁ । ଅସାମାନ୍ୟ ନହେଲେବି ଝିଅଟି ନିଶ୍ଚୟ ସୁନ୍ଦରୀ ଏକଥା ଫଟୋଟିକୁ ନିରୀକ୍ଷଣ କରି ଯେ କେହି କହିପାରିବ ।

 

ସୁଧାଂଶୁର ସମସ୍ତ ଭାବନାରେ ପ୍ରତିବନ୍ଧକ ସୃଷ୍ଟିକରି ଗୀତିର କଣ୍ଠସ୍ଵର ଦାଣ୍ଡଘରୁ ଭାସି ଆସିଲା ।

 

–‘‘ତୁମ ବାବୁ ନାହାନ୍ତି କି ନଟ ?”

 

ସୁଧାଂଶୁ ତରତରରେ ଫଟୋଟି ଟେବୁଲ ଡ୍ରଭିତରେ ରଖିଦେଲା ।

 

ଘରଭିତରକୁ ଆସିଲା ଗୀତି । ତା’ ମୁହଁକୁ ଚାହିଁ କିନ୍ତୁ ସୁଧାଂଶୁ ଭୟଭୀତ ହୋଇ ପଡ଼ିଥିଲା । ରାହୁଗ୍ରସ୍ତ ଚନ୍ଦ୍ରପରି ଗୀତିର ମୁହଁଟି ଶୁଖିଯାଇଛି । ଅନ୍ୟ ଦିନର ଚପଳତା ଆଜି ତା’ ପାଖରେ ନାହିଁ । ଆଶଙ୍କାଜଡ଼ିତ କଣ୍ଠରେ ସୁଧାଂଶୁ ଗୀତିକୁ ପଚାରିଲା–

 

–‘‘ତୁମର କ’ଣ ହୋଇଛି ଗୀତି ।”

 

–‘‘କିଛିନାହିଁ ।” ଉଦାସ କଣ୍ଠରେ ଉତ୍ତର ଦେଇଥିଲା ସେ ।

 

–‘‘ଏମିତି କାହିଁକି ଦିଶୁଛ ।”

 

–‘‘ଘରୁ ଗୋଟେ ଚିଠିପାଇଲି । ମନ ଭଲନାହିଁ ।’’

 

–‘‘ବାପା ବୋଉଙ୍କ ଦେହ ଭଲ ଅଛିତ ?”

 

–‘‘ହଁ ।”

 

–‘‘ତେବେ ଆଉ ହୋଇଛି କ’ଣ ?”

 

–‘‘କିଛି ହୋଇନି, ହେବ କିନ୍ତୁ ।”

 

–‘‘କ’ଣ ?”

 

–‘‘ସରନୂଆବୋଉର ପିଲା ।” ଗମ୍ଭୀର ହୋଇ ଗୀତି କହିଥିଲା ।

 

–‘‘ଏଥିରେ ଖୁସି ହେବା କଥା, ଦୁଃଖ କାହିଁକି କରୁଛ ?”

 

–‘‘ରାମଭାଇନା କିନ୍ତୁ ଆରବର୍ଷ ପୂଜାଠୁ ଘରକୁ ଆସିନାହାନ୍ତି ।”

 

ଆକାଶରୁ ପଡ଼ିଲାଭଳି ଲାଗିଲା ସୁଧାଂଶୁକୁ । ତା’ର ଭୟବି ହେଲା । ଗୀତି ଆଉ ତାକୁ ସନ୍ଦେହ କରୁନାହିଁ ତ ? ତା’ ମୁହଁ କଳା ପଡ଼ିଗଲା । ସେ ଥରିଲା କଣ୍ଠରେ ପୁଣି ପଚାରିଲା–

 

“ତୁମେ ଆଉ କ’ଣ ଭାବୁଛ ?”

 

ଗୀତି କଣ୍ଠ ଥରି ଉଠିଥିଲା । ଆଖିଫଟେଇ ଲୁହଧାର ଝରିଥିଲା ତଳକୁ । ଅସ୍ପଷ୍ଟ କଣ୍ଠରେ ସେ କହିଥିଲା–

 

–‘‘ମୁଁ ଖାଲି ଭାବୁଛି ସରନୂଆବୋଉ କଥା । ସମସ୍ତଙ୍କର ନିନ୍ଦା ଅପମାନ ତା’ ଉପରେ ବର୍ଷୁଥିବ । ବିଚରା କାନ୍ଦି କାନ୍ଦି, ଦିନ ତା’ର ସରୁ ନଥିବ । ତା’ ଦୁଃଖରେ ସମବେଦନା ଜଣେଇବାକୁ ତା’ ପାଖରେ ଏଇନେ କେହି ନଥିବେ ।”

 

ଗୀତି ଆଉ କିଛି କହିପାରିଲାନି । ତକିଆ ଉପରେ ମୁହଁ ରଖି ଫୁଲି ଫୁଲି କାନ୍ଦୁଥିଲା ସେ ।

 

ସୁଧାଂଶୁ ଉପରକୁ ଚାହିଁ ବସିଥିଲା । ଘରର କଡ଼ିବରଗାଗୁଡ଼ିକ ଚକ୍ରାକାରରେ ଘୂରିଲା ଭଳି ତାକୁ ଜଣାଗଲା । ବୁଲି ବୁଲି ସତେ ଯେମିତି ତା’ ମୁଣ୍ଡ ଉପରେ ଛାତଟାଯାକ ଏଇନେ ଅଜାଡ଼ି ହୋଇପଡ଼ିବ ସେମିତି ଲାଗିଲା ତାକୁ । ସେ ଆଖିବୁଜି ସରନୂଆବୋଉର ଲୁହଧୁଆମୁହଁକୁ ମନେପକେଇବାକୁ ଚେଷ୍ଟା କଲା ।

 

ଜାଗ୍ରତ ଅବସ୍ଥାରେ ସ୍ଵପ୍ନ ଦେଖିଲା ସେ–

 

ଘର କଣରେ ତଳକୁ ମୁହଁକରି ସରନୂଆବୋଉ ବସିଛନ୍ତି । ମୁହଁଟି ତାଙ୍କର ଶୁଖି କଳା ଖପରାଭଳି ଦିଶୁଛି । ଜଣେ ଜୀର୍ଣ୍ଣକାୟ ବୃଦ୍ଧ (ସେ ପ୍ରାୟ ଗୀତିର ରାମଭାଇନା, ସୁଧାଂଶୁ ତାଙ୍କୁ କେବେ ଦେଖିନି) ସରନୂଆବୋଉ ଉଦ୍ଦେଶ୍ୟରେ ଅଶ୍ଳୀଳ ଗାଳି ବର୍ଷଣ କରୁଛନ୍ତି । ତା’ପରେ ସେହି ବୃଦ୍ଧ ଉଠି ତାଙ୍କୁ ନିର୍ମମଭାବରେ ପ୍ରହାର କରୁଛନ୍ତି । ଦାଣ୍ଡରେ ଘାଟରେ ସରନୂଆବୋଉର ଅପନିନ୍ଦା ପ୍ରଚାର ହେଉଛି । ଅନେକ ସରନୂଆବୋଉ ସହିତ ତା’ ନାଁଟା ଯୋଡ଼ି ଦେଇଛନ୍ତି ।

 

ଚମକି ଉଠିଲା ସୁଧାଂଶୁ । ସେ ପୁଣି ସ୍ଵପ୍ନ ଦେଖିଲା–

 

ଅଧରାତି । କୁଆପକ୍ଷୀ ଭଳି ବହଳ ଅନ୍ଧାର । ତା’ରି ଭିତରେ ସରନୂଆବୋଉ ଚାଲିଛନ୍ତି-। ଗାଁମୁଣ୍ଡ ବରଗଛ ତଳେ ଯାଇ ଠିଆ ହେଲେ ସେ । ତା’ପରେ ନିଜ ପିନ୍ଧା ଲୁଗା କାନିକୁ ମୋଡ଼ି ମୋଡ଼ି ଫାଶ ତିଆରି କଲେ । ସେଇ ଲୁଗାକାନିକି ଗଛଡ଼ାଳରେ ବାନ୍ଧି ଅନ୍ୟ ମୁଣ୍ଡ ତାଙ୍କ ବେକରେ ଲଗେଇ ତଳକୁ ଓହଳି ପଡ଼ିଲେ । କେତେ ସମୟ ଛାଟିପିଟି ହେବାପରେ ସବୁ ଥିର ହୋଇଗଲା-। ସରନୂଆବୋଉର ମଲାଦେହଟା ଗଛ ଦେହରେ ଖାଲି ଓହଳି ରହିଲା ।

 

ବଡ଼ ଭୟଙ୍କର ରୂପ ସେ ମୁର୍ଦ୍ଦାରର । ମୁଣ୍ଡବାଳ ଫିଟି ପବନରେ ଉଡ଼ୁଛି । ଜିଭଟା ପଦାକୁ ବାହାରି ପଡ଼ିଛି । ଆଖିଦିଟାରେ ସେ ଡ଼ବଡ଼ବ କରି ଚାହିଁଛି । ସତେକି ସାରା ସଂସାରକୁ ସେ ଖାଇଯିବ ।

 

ଭୟରେ ଚିତ୍କାର କରିଉଠିଲା ସୁଧାଂଶୁ । ତା’ ପାଟିରେ ଚମକି ଗୀତି ଆସି ତା’ ହାତ ଧରି ହଲେଇଦେଲା । ଆଖି ମେଲାକରି ସୁଧାଂଶୁ ଚାହିଁଲା । ଆଖିଆଗରେ ଗୀତି ତା’ ଆଖିକୁ ଆଉ ଦିଶିଲାନି । ତାକୁ ଚାରିଆଡ଼େ ଖାଲି ସରନୂଆବୋଉ ଶବଟା ଦିଶିଲା । ସତେ ଯେମିତି ଘରସାରା ସବୁଠି ସେ ଶବ ଓହଳିଛି ।–

 

ଗୀତି ଡାକରେ ସେ ପ୍ରକୃତିସ୍ଥ ହେଲା । ତଥାପି ସେହିଭଳି ଅବସ୍ଥାରେ ସେ ବସିରହି କହିଲା–

 

–‘‘ସରନୂଆବୋଉ ଯାହାକରିଛି ତା’ କେବେ ଅସ୍ଵାଭାବିକ ନୁହେଁ । ତଥାପି ବହୁତ ଦିନ ସେ ଧୈର୍ଯ୍ୟ ଧରି ଅପେକ୍ଷା କରିଛି; ସେଥିପାଇଁ ତାକୁ ଧନ୍ୟବାଦ ଦେବାକଥା ।”

 

ଲୁହବତୁରା କଣ୍ଠରେ ଗୀତି କହିଲା–

 

ତୁମର ଏ ତତ୍ତ୍ଵକଥା ଶୁଣିବାକୁ କେହି ଆସିବେନି । ନିଷ୍ଠୁର ସମାଜପତିମାନେ ତା’ପାଇଁ କି ବ୍ୟବସ୍ଥା କରୁଥିବେ ଜାଣ ? ନାରୀଜନ୍ମରେ ୟାଠୁ କଳଙ୍କ ଆଉକିଛି ନାହିଁ । ଏ ସମାଜ ପୁରୁଷ ପରିଚାଳିତ । ଏଥିରେ ନାରୀ ସପକ୍ଷରେ ଲଢ଼ିବାକୁ କେହି ନାହିଁ ।

 

ସୁଧାଂଶୁ ପ୍ରବୋଧ ଦେଇଥିଲା ଗୀତିକୁ–

 

–‘‘ତଥାପି ତା’ପାଇଁ ଆମେ କ’ଣ କରିପାରିବା ସେ ବିଷୟରେ ମୁଁ ଚିନ୍ତାକରୁଛି । ତୁମେ ବ୍ୟସ୍ତ ହୁଅନି ।”

 

ଆକୁଳ ହୋଇ ଗୀତି କହିଥିଲା–

 

–‘‘ମତେ ତୁମେ ଚାରିଟା ଦିନପାଇଁ ଘରକୁ ଛାଡ଼ି ଦେଇ ଆସ । ତା’ର ଏ ଦୁର୍ଦ୍ଦିନରେ ମୁଁ ତା’ ପାଖରେ ହେଲେ ଦି’ଟୋପା ଲୁହ ଗଡ଼େଇ ଆସିବି ।”

 

–‘‘ତୁମ ଲୁହରେ ଯଦି ତା’ ଦୁଃଖ କମିଯାନ୍ତା ତେବେ ତୁମକୁ ଘରକୁ ପଠେଇବାରେ ମୁଁ ମୋତେ ଆପତ୍ତି କରନ୍ତିନି । ଆଉ ମାତ୍ର ଆଠଦିନ ରହିଲା ତୁମର ଟେଷ୍ଟ ପରୀକ୍ଷା । ଦୁଇବର୍ଷର ପରିଶ୍ରମ ତୁମର ବିଫଳ ହୋଇଯିବ । ମୋ କଥାମାନ । ଯାହା କରିବାର କଥା ମୁଁ କରୁଛି । ତୁମ ପରୀକ୍ଷା ପରେ ସାଙ୍ଗହୋଇ ତୁମ ଗାଁକୁ ଯିବା ।”

 

ସେହି ନିଷ୍ପତ୍ତି ନେବା ପରେ ଗୀତି ସେଦିନ ହଷ୍ଟେଲ୍‍ ଫେରିଯାଇଥିଲା ।

 

ସୁଧାଂଶୁର କିନ୍ତୁ ଖାଇବା ଶୋଇବା ସବୁଥିରେ ବ୍ୟତିକ୍ରମ ହୋଇଥିଲା ସେଦିନ । ଗୀତି ବିଦାହୋଇ ଗଲାଠାରୁ ସେ ଆଉ ସେ ବିଛଣାରୁ ଉଠିନି । ରାତିରେ ନଟ ଜଳଖିଆ ଆଣି ଟେବୁଲ ଉପରେ ରଖିଦେଇ ଯାଇଥିଲା । ସେମିତି ସେ ଥୁଆହୋଇଛି । ସରନୂଆବୋଉର ଦୁର୍ଗତି ତା’ ଜୀବନରେ ଚରମ ବିପର୍ଯ୍ୟୟ ସୃଷ୍ଟି କରିଛି ।

 

ତା’ର ଇଚ୍ଛା ହେଲା–ଯଦି ସୁବିଧାହୁଅନ୍ତା ସେ ରାତିରାତି ଯାଇ ସରନୂଆବୋଉକୁ କଟକ ନେଇଆସନ୍ତା । କୌଣସି ଅନାଥାଶ୍ରମରେ ତାଙ୍କୁ ରଖି ଗର୍ଭସ୍ଥ ଶିଶୁଟିକୁ ପୃଥିବୀର ଆଲୋକ ଦେଖିବାର ସୁଯୋଗ ଦିଅନ୍ତା । ଏହାଦ୍ୱାରା ଅବଶ୍ୟ ଦୁଇଟି ମହାପ୍ରାଣୀ ଆସନ୍ନ ମୃତ୍ୟୁମୁଖରୁ ବଞ୍ଚିଯାଆନ୍ତେ ।

 

କିନ୍ତୁ ଏତକ କରିବାଦ୍ୱାରା ଗୀତିର ସନ୍ଦେହ ତା’ ଉପରେ ନିଶ୍ଚୟ ଦୃଢ଼ୀଭୂତ ହେବ । ସରନୂଆବୋଉର ଗର୍ଭସ୍ଥ ସନ୍ତାନପାଇଁ ଗୀତି ତାକୁଇ ଦାୟୀ କରିବ । ସଂସାର ତା’ ଆଡ଼କୁ ଆଙ୍ଗୁଠି ଦେଖେଇ ସମାଲୋଚନା କରିବ । ସମସ୍ତଙ୍କର ଉପହାସର ପାତ୍ର ହେବ ସେ । ଫଳରେ ସବୁଦିନ ପାଇଁ ଗୀତିକୁ ତାକୁ ଛାଡ଼ିବାକୁ ପଡ଼ିବ ।

 

ନିଜକୁ ବଡ଼ ଅସହାୟ ମନେକଲା ସେ । ତା’ର କର୍ତ୍ତବ୍ୟ ସେ କିଛି ସ୍ଥିର କରିପାରିଲାନି । ଏଇ ଅସହାୟତା ଭିତରେ ତାକୁ ନିଦ ଲାଗିଗଲା ।

 

ଶୋଇ ଶୋଇ ସେ ଦିନର ସ୍ଵପ୍ନଟାକୁ ପୁଣି ଦେଖିବାକୁ ଲାଗିଲା । ସରନୂଆବୋଉର ମୁର୍ଦ୍ଦାରଟା ସେମିତି ଗଛରେ ଝୁଲୁଚି । ତା’ ଢୋବା ଢୋବା ଆଖିରୁ କେତେବେଳେ ଅଗ୍ନି ସ୍ଫୁଲିଙ୍ଗ ବାହାରୁଛି ତ ଆଉ କେତେବେଳେ ସେଥିରୁ ଅବିଶ୍ରାନ୍ତ ଲୁହଝରୁଛି । ବେଳେବେଳେ ସେ ମୁର୍ଦ୍ଦାରଟା ମଲ୍ଲୀ କଢ଼ ଭଳି ଦାନ୍ତଗୁଡ଼ାକ ଦେଖେଇ ହିଁହିଁ ହେଇ ହସୁଛି । ବାଟରେ ଯାଉଥିବା କୌଣସି ବାଟୋଇ ତା’ ଆଡ଼କୁ ଚାହିଁଲେ ଦାନ୍ତ ଦେଖେଇ ଝିଙ୍କାରି ଉଠୁଛି ସେମାନଙ୍କ ଉପରକୁ ।

 

ସୁଧାଂଶୁ ଦେଖୁଚି–ପଞ୍ଝାଏ ଲୋକ ଆସି ସେ ଶବଟାକୁ ଗଛରୁ କାଟିନେଇ ନଈବାଲିରେ ଫୋପାଡ଼ି ଦେଇ ଆସିଲେ ।

 

ତଥାପି ସୁଧାଂଶୁ ସେ ମୁର୍ଦ୍ଦାର ପାଖଛାଡ଼ି ଆସି ପାରୁନି । ଦଳଦଳ ହୋଇ ଶାଗୁଣା ଆଉ ବିଲୁଆ ଆସିଲେ । ମୁର୍ଦ୍ଦାରର ପେଟଭିତରୁ ଲମ୍ବା ଲମ୍ବା ନାଡ଼ଗୁଡ଼ାକ ଟାଣି ମହାନନ୍ଦରେ ବିଲୁଆ ଶାଗୁଣା ଖାଉଥାନ୍ତି । ସରନୂଆବୋଉର ନୀଳକଇଁଭଳି ଆଖି ଦି’ଟାକୁ ଗୋଟେ କୁଆ ଖୁମ୍ପି ଖୁମ୍ପି କଣା କରିଦେଲା । ଆଖିର ସେ କୋରଡ଼ ଦି’ଟାକୁ ଚାହିଁ ସୁଧାଂଶୁ ଦେହ ଶିହରିଉଠିଲା ।

 

ତା’ପରେ ସୁଧାଂଶୁ ଚାହିଁଛି–ସେହି ମୁର୍ଦ୍ଦାର ଭିତରୁ ସରନୂଆବୋଉ ନିଜ ରୂପଧରି ଉଠି ଠିଆହେଲେ । ଆଶ୍ଚର୍ଯ୍ୟରେ ସୁଧାଂଶୁ ତାଙ୍କୁ ଚାହିଁଥାଏ । ସେ ଆସି ସୁଧାଂଶୁ ଆଗରେ ଠିଆହେଲେ-। ମୁହଁଟି ଶୁଖି କଳା ପଡ଼ିଯାଇଛି । ଲମ୍ବା ଲମ୍ବା ଆଖି ଦି’ଟାରୁ ଅନବରତ ଲୁହ ବୋହି ଚାଲିଛି । ସୁଧାଂଶୁର ଗୋଟେ ହାତକୁ ତାଙ୍କ ବରଫପରି ଥଣ୍ଡା ହାତରେ ଧରି କହିଲେ–

 

“ମତେ ଭୁଲ ବୁଝିବନି ସୁଧାଂଶୁ । ଗୀତିକୁ କହିବ ମୁଁ ଏବେ ମଧ୍ୟ ନିଷ୍ପାପ ଅଛି । କେବଳ ସମାଜର ଅତ୍ୟାଚାର ସହି ନ ପାରି ଆତ୍ମହତ୍ୟା କଲି ।” ତା’ପରେ ସେ ଖୁବ୍ ଜୋରରେ କାନ୍ଦି ଉଠିଲେ ।

 

ହଠାତ୍ ସୁଧାଂଶୁର ନିଦ ଭାଙ୍ଗିଗଲା । ସେ ଘରଭିତରେ ତାକୁ ସୁଁ ସୁଁ ହୋଇ କିଏ କାନ୍ଦିଲା ଭଳି ଜଣାଗଲା । ସରନୂଆବୋଉ ସତେ ଯେମିତି କେଉଁଠି ଠିଆ ହୋଇ କାନ୍ଦୁଛନ୍ତି ତାକୁ ସେମିତି ଲାଗିଲା । ସେ ଚାରିଆଡ଼କୁ ଆଖି ବୁଲେଇଲା । କବାଟକୁ ଆଉଜି ନଟଠିଆହୋଇ କାନ୍ଦୁଛି-। ଆଶ୍ଚର୍ଯ୍ୟ ହେଲା ସୁଧାଂଶୁ; ପଚାରିଲା–

 

–‘‘କିରେ ନଟ କାନ୍ଦୁଛୁ କାହିଁକି ?”

 

“ଘଣ୍ଟାଏ ହେଲା ଆପଣ ବିଳିବିଳଉଛନ୍ତି । ପାଟି କରୁଛନ୍ତି । ମୁଁ ଯେତେ ଡାକିଲେବି ଉଠିଲେନାହିଁ । ମତେ ଡରମାଡ଼ିଲା ।”

 

ଅନୁନାସିକ କଣ୍ଠରେ କହିଲା ନଟ । ତା’ କଥା ଶୁଣି ହସିଥିଲା ସୁଧାଂଶୁ । ତା’ପରେ ତାକୁ ପ୍ରବୋଧ ଦେଇ ବାହାରକୁ ଆସିଲା ସେ ।

 

ରାତି ସେତେବେଳକୁ ସରି ଆସିଲାଣି ।

 

ତା’ ପରଦିନ ସେହି ଭାରାକ୍ରାନ୍ତ ମନ ନେଇ ସୁଧାଂଶୁ କଲେଜ ଯାଇଥିଲା । ସେଦିନ ତା’ର ଯାହା ମାନସିକ ଅବସ୍ଥା ସେଥିରେ ପାଠ ପଢ଼ିବା କେବେ ସମ୍ଭବ ନୁହେଁ । ଘରେ ବସିଲେ ସରନୂଆବୋଉ ଭୂତ ବେଶି ମୁଣ୍ଡରେ ପଶିବ, ସେହି ଆଶଙ୍କାରେ କେବଳ ସେ କଲେଜ ପଳେଇ ଯାଇଥିଲା । କିଛି ହେଲେ ମନର ପରିବର୍ତ୍ତନ ହେବ ।

 

କଲେଜରେ ତା’ର ପ୍ରତ୍ୟେକ ବନ୍ଧୁ ତାକୁ ଦେଖି ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ । ତା’ର ନିଷ୍ପ୍ରଭ ଆଖି, ଋକ୍ଷ କେଶ ଆଉ ଅଯତ୍ନ ପରିଧେୟ ତାକୁ ଦୀର୍ଘଦିନର ବ୍ୟାଧିଗ୍ରସ୍ତ ଭଳି କରିଥାଏ ।

 

କଲେଜ ଶେଷ ପର୍ଯ୍ୟନ୍ତ ସୁଧାଂଶୁ କଲେଜରେ ରହିପାରିଲାନି । ଅସ୍ଥିର ମନକୁ ସେ କୌଣସି ପ୍ରକାର ଆୟତ୍ତ କରିପାରି ନଥିଲା । ବାଧ୍ୟ ହୋଇ ସେ ଉଠି ଘରକୁ ବାହାରିଲା । ରାସ୍ତାଉପରକୁ ଆସି ଅନ୍ୟମନସ୍କ ଭାବରେ ସେ ରାସ୍ତା ଉପରେ ଚାଲିବାକୁ ଲାଗିଲା । ଦ୍ଵିପ୍ରହରର ନିର୍ଜନତା ରାସ୍ତା ଉପରେବି ବିରାଜୁଛି । ସେହି ନୀରବତା ସୁଧାଂଶୁକୁ ଅଧିକ ଚିନ୍ତା କରିବାରେ ସାହାଯ୍ୟ କଲା । ଏତେ ଅନ୍ୟମନସ୍କ ସେ ହୋଇପଡ଼ିଥାଏ ଯେ ରିକ୍ସା ଖଣ୍ଡେ ଡାକି ବସିବାକୁ ତା’ର ଖିଆଲ ନାହିଁ । ପାଦ ଘୋଷାରି ଘୋଷାରି ଚାଲିଛି ସେ ।

 

କଲେଜ ଗେଟ୍‍ଠୁ ମାତ୍ର ଅଳ୍ପବାଟ ଯାଇଛି ଗୋଟେ କାର୍ ତା’ ପଛରେ ବ୍ରେକ୍ ଦେଇ ରହିଗଲା । ତା’ ଉଦ୍ଦେଶ୍ୟରେ ଡ୍ରାଇଭର ମୁହଁରୁ ବାହାରୁଥିବା ମଧୁର ଉର୍ତ୍ସନାରେ ଧ୍ୟାନଭଙ୍ଗ ହେଲା ତା’ର । ସେ ଅନ୍ୟମନସ୍କ ହୋଇ ରାସ୍ତା ମଝିକୁ ଚାଲି ଆସିଛି । ଆଉ ଟିକକରେ ଆକ୍‍ସିଡ଼େଣ୍ଟ ହୋଇଥାନ୍ତା । ଭୁଲ ତା’ର । କ୍ଷମା ଚାହିଁବାପାଇଁ ସେ କାର୍ ଉଦ୍ଦେଶ୍ୟରେ ମୁହଁ ବୁଲେଇଲା ।

 

ସୁଧାଂଶୁ ଡ୍ରାଇଭରକୁ କିଛି କହିଲା ପୂର୍ବରୁ କାର୍‍ର ଏକମାତ୍ର ଆରୋହିଣୀ ତଳକୁ ଓହ୍ଲେଇ ସାରିଥିଲେ । ତାଙ୍କୁ ଆଗରେ ଦେଖି ସୁଧାଂଶୁ ସମ୍ଭ୍ରମର ସହିତ କହିଲା–

 

–‘‘କ୍ଷମା କରିବେ । ମୁଁ ଟିକେ ଅନ୍ୟମନସ୍କ ହୋଇ ପଡ଼ିଥିଲି ।”

 

–‘‘ଆପଣଙ୍କର ଏଇଟା ଏମ୍.ଏ. ଫାଇନାଲ୍ ବୋଧହୁଏ ।”

 

ଆଖିର ତରୁଣୀସୁଲଭ ଲଜ୍ଜା ଫୁଟେଇ ତରୁଣୀ ଜଣକ ସୁଧାଂଶୁକୁ ପଚାରିଥିଲେ । ସୁଧାଂଶୁକୁ ତରୁଣୀଜଣକ ଚିହ୍ନିଥିବାର ଜାଣି ସେ ପଚାରିଥିଲା–

 

–‘‘ଆପଣ ?”

 

“ଏଇ କଲେଜରେ ଡିଗ୍ରୀକୋର୍ସ ଆରମ୍ଭ କରିଛି ଏବର୍ଷ ମୁଁ ।”

 

ତା’ପରେ ପୁଣି ସୁଧାଂଶୁ ଉଦ୍ଦେଶ୍ୟରେ ସେ ପଚାରିଥିଲେ–

 

–‘‘ଆପଣ ଅସୁସ୍ଥ ନିଶ୍ଚୟ ।”

 

–‘ହଁ’,

 

–‘‘କେଉଁ ପର୍ଯ୍ୟନ୍ତ ଯିବେ ?”

 

“କାଠଗଡ଼ା ସାହି ।” ସୁଧାଂଶୁର ତରୁଣୀ ଜଣଙ୍କ ସହିତ ଆଳାପ କରିବାକୁ ଇଚ୍ଛା ନଥିଲା-। ତେଣୁ ଯଥାତଥା ତରୁଣୀ ଜଣକ ପ୍ରଶ୍ନର ଉତ୍ତର ଦେଇ ସେ ମୁହଁ ବୁଲେଇଥିଲା । ଦି’ପାଦ ଆଗକୁ ଯାଇଛି ପଛରୁ ଶୁଣିଲା–

 

–‘ଶୁଣନ୍ତୁ ।’ ସେହି ତରୁଣୀଙ୍କର ଅନୁନୟ ।

 

ମୁହଁ ବୁଲେଇଲା ସୁଧାଂଶୁ ।

 

–‘‘କିଛି ଯଦି ମନେ ନ କରନ୍ତି । ଆସନ୍ତୁ ଆମରି ଗାଡ଼ିରେ ଚାଲିଯିବେ ।”

 

–‘‘ନା ନା, ଆପଣ କାହିଁକି ମୋପାଇଁ କଷ୍ଟ କରିବେ । ରିକ୍ସାରେ ଚାଲିଯିବି ମୁଁ ।” ସୁଧାଂଶୁ କଣ୍ଠରେ ଅପୂର୍ବ ଦୃଢ଼ତା । ତରୁଣୀଜଣକ ପୁଣି ମୁହଁ ଖୋଲିଲେ–

 

“ଏଥିରେ କଷ୍ଟ କ’ଣ ? ମୁଁ ତ ପୁରୀଘାଟ ଯିବି । ବାଟରେ ଆପଣଙ୍କୁ ଛାଡ଼ିଦେଇ ଗଲେ କ୍ଷତି ତ କିଛି ହେବନି ।

 

ତରୁଣୀ ଜଣକ ଏଥର କାର୍‍ର ଦରଜା ଖୋଲି ଧରିଲେ ।

 

–‘‘ଆସନ୍ତୁ ।”

 

ସୁଧାଂଶୁ ଆଉ ପ୍ରତିବାଦ ନ କରି ଯାଇ ସିଟ୍‍ରେ ବସିଲା । ତରୁଣୀ ଜଣକ ତା’ଠୁ ଯଥେଷ୍ଟ ବ୍ୟବଧାନ ରଖି ସେହି ସିଟ୍‍ରେ ବସିଲେ । ବାଟରେ ଆଉ କାହାରି ମୁହଁରେ କିଛି କଥାନାହିଁ । ଖୁବ୍ କମ୍ ସମୟ ଭିତରେ କାର୍ ଆସି ସୁଧାଂଶୁ ଘର ଦୁଆରମୁହଁରେ ବ୍ରେକ୍ ଦେଲା । ନିଜ ହାତରେ କବାଟ ଖୋଲି ସୁଧାଂଶୁ ବାହାରକୁ ଆସିଲା ।

 

କାର୍‍ଭିତରୁ ମୁହଁ ଗଳେଇ ତରୁଣୀ ଜଣକ କହିଲେ–

 

“ଆପଣଙ୍କ ଘର ଦେଖିଯିବାକୁ ତ ଡାକିଲେନି ?”

 

ଅପ୍ରତିଭ ହେଲା ସୁଧାଂଶୁ । ସାଧାରଣ ଶିଷ୍ଟାଚାର ଭୁଲିଛି ସେ । ଯିଏ ତାକୁ ଏତେବଡ଼ ସାହାଯ୍ୟ କଲେ ଲୌକିକତା ଦୃଷ୍ଟିରୁ ତାଙ୍କ ପରିଚୟବି ସେ ଏପର୍ଯ୍ୟନ୍ତ ପଚାରିପାରିନି ।

 

ଅପରାଧୀ କଣ୍ଠରେ ସେ କହିଲା–‘‘ଆସନ୍ତୁ ।”

 

ତରୁଣୀ ଜଣକ କାର୍‍ରୁ ଓହ୍ଲେଇ ତଳକୁ ଆସିଲେ । ଅପୂର୍ବ ଆନନ୍ଦରେ ସେ ସୁଧାଂଶୁ ସହିତ ଚାଲିଥିଲେ; କିନ୍ତୁ ଗେଟ୍ ପାର ହେଲାପରେ ତାଙ୍କର ଅଦ୍ଭୁତ ପରିବର୍ତ୍ତନ ହେଲା । ଗ୍ରାମ୍ୟବଧୂର ଲଜ୍ଜାଘେନି ସୁଧାଂଶୁ ଘରେ ପ୍ରବେଶ କଲେ ସେ ।

 

ନିଜର ଶୋଇବା ଘରକୁ ସୁଧାଂଶୁ ତାଙ୍କୁ ନେଇଯାଇଥିଲା । ବହି କେଇଖଣ୍ଡ ଟେବୁଲ ଉପରେ ରଖିଦେଇ ନିଜର କ୍ଳାନ୍ତ ଶରୀରକୁ ଖଟଉପରେ ଅଜାଡ଼ି ଦେଉଦେଉ ସୁଧାଂଶୁ ଗୋଟେ ଚେୟାରରେ ଆଗନ୍ତୁକାଙ୍କୁ ବସିବାକୁ ଅନୁରୋଧ କରିଥିଲା; କିନ୍ତୁ ନ ବସି ସୁଧାଂଶୁର ଟେବୁଲ ପାଖରେ ଯାଇ ଠିଆହୋଇଥିଲେ ସେ । ବିକ୍ଷିପ୍ତ ବହିଗୁଡ଼ିକ ସଜାଡ଼ୁ ସଜାଡ଼ୁ ତଳକୁ ମୁହଁପୋତି କହିଲେ–‘‘ଆପଣ–ସୁଧାଂଶୁଭୂଷଣ ମହାପାତ୍ର ।”

 

ନିଜ ନାଁକୁ ଜଣେ ଅପରିଚିତାଙ୍କ ମୁହଁରେ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲା ସୁଧାଂଶୁ । ତା’ପରେ ସେ ଆଶ୍ଚର୍ଯ୍ୟରେ ତାଙ୍କ ମୁହଁକୁ ଚାହିଁ ପଚାରିଥିଲା–

 

–‘‘ଆପଣ କିମିତି ଜାଣିଲେ ?”

 

ନିଜର ଲଜ୍ଜାବନତ ମୁହଁକୁ ଆହୁରି ତିରିଶଡ଼ିଗ୍ରୀ ତଳକୁ କରି ତରୁଣୀ ଜଣକ ପଚାରିଲେ–

 

–‘‘ଆପଣଙ୍କ ଘର ଯାଜପୁର ନୁହେଁ ?”

 

–‘‘କିନ୍ତୁ ଆପଣ କିମିତି ଜାଣିଲେ ?”

 

–‘‘ମୋ ନାଁ କଳ୍ପନା ଦାସ । ଡକ୍ଟର ଶଶାଙ୍କ ଦାସଙ୍କ ଝିଅ ମୁଁ ।”

 

ନାଁ ଦି’ଟା ସୁଧାଂଶୁ ମନେ ପକେଇବାକୁ ଚେଷ୍ଟା କରିଥିଲା । ଶଶାଙ୍କବାବୁ ଡାକ୍ତରଙ୍କ କଥା ବୋଉ ଚିଠିରେ ଲେଖିଥିଲା । ଆଉ ସେହି ବୋଉ ପଠେଇଥିବା ଫଟୋତଳେ ଲେଖାହୋଇଥିଲା–“କୁମାରୀ କଳ୍ପନା ।” ସେ ଫଟୋଟିକୁ ସୁଧାଂଶୁ ଭଲ କରି ଦେଖିନି । କଳ୍ପନାଙ୍କ ମୁହଁକୁ ମୁଣ୍ଡ ଟେକି ଚାହିଁଲା ସେ । ତଳକୁ ମୁଣ୍ଡ ପୋତି ସେ ଟେବୁଲ ପାଖରେ ଠିଆ ହୋଇଛନ୍ତି । ସୁଧାଂଶୁ ମୁହଁ ଖୋଲିଲା–

 

–‘‘ଆପଣ ଠିଆହୋଇ ରହିଲେ କଳ୍ପନା ଦେବୀ, ବସନ୍ତୁ ।”

 

କଳ୍ପନା ହସିଥିଲେ । ମୃଦୁ ଅଥଚ ମଧୁର ହସ ।

 

–‘‘ଏତେ ସମ୍ମାନ ନ ଦେଲେ କ’ଣ ଚଳିବ ନାହିଁ । ଖାଲି କଳ୍ପନା କୁହନ୍ତୁ ।”

 

ସୁଧାଂଶୁ ଚାହିଁଥିଲା କଳ୍ପନାଙ୍କ ମୁହଁକୁ । ସାରଲ୍ୟ ଝରୁଛି ସେଥିରୁ । ମୁକ୍ତା ବିନ୍ଦୁ ଭଳି କପାଳରେ କେତେ ବିନ୍ଦୁ ଝାଳ ତଳକୁ ଝୁଲି ପଡ଼ିଲାଣି । ସରଳା ଝିଅଟି ସହିତ ଖେଳିବାକୁ ତା’ର ଇଚ୍ଛା ହେଲାନି । ତଥାପି ପରିସ୍ଥିତିକୁ ସହିଯିବା ଉଦ୍ଦେଶ୍ୟରେ ସେ ସହଜ ଗଳାରେ କହିଲା–

 

–‘‘ହଉ ବସ ।”

 

ନଟ ଆଣି କଫି ଦେଇଗଲା । ନିଜ ହାତରେ କଫି ତିଆରି କରି କଳ୍ପନା ସୁଧାଂଶୁକୁ ଆଗ ଗୋଟିଏ କପ୍ ବଢ଼େଇଥିଲେ । ସୁଧାଂଶୁ କିନ୍ତୁ ପ୍ରତିବାଦ କରି କହିଲା–

 

“ନା ନା, ତୁମେ ଏ ଘରର ଅତିଥି । ତୁମେ ଆଗନେବା ଉଚିତ ନା ।

 

–‘‘ହସିଥିଲେ କଳ୍ପନା–ଲଜ୍ଜାଧୁଆ ହସ ତାଙ୍କର ଭାରି ସୁନ୍ଦର ମାନୁଥିଲା ସେ ମୁହଁକୁ ।”

 

ସେ ହସ ଭିତରେ ସେ ଯେମିତି କହିଲେ, ‘‘ମୁଁ ଏଘରର ଅତିଥି ନୁହେଁ । ମୋ କର୍ତ୍ତବ୍ୟ ମୁଁ କରୁଛି ।” ଅନୁତାପ କରିଥିଲା ସୁଧାଂଶୁ ତାଙ୍କ ସହିତ ଆତ୍ମୀୟତା କରିବାକୁ ଚେଷ୍ଟା କରିଛି ବୋଲି-। ଯଥାଶୀଘ୍ର ତାଙ୍କୁ ବିଦାକରିବାକୁ ସୁଧାଂଶୁ ଇଚ୍ଛା କରିଥିଲା । ତା’ପରେ ଅସ୍ଵାଭାବିକ ଭାବରେ ଗମ୍ଭୀର ହୋଇଯାଇଥିଲା ସେ ।

ଖୁବ୍ କମ୍ ସମୟ ଭିତରେ କଳ୍ପନାବି ଚାଲିଯାଇଥିଲେ । ଗଲାବେଳେ ସୁଧାଂଶୁକୁ ତାଙ୍କ ଘରକୁ ଯିବାକୁ ଅନୁରୋଧ ସେ କରିଯାଇଥିଲେ ।

କଳ୍ପନା ଚାଲିଯାଇଥିଲେ; କିନ୍ତୁ ତାଙ୍କରି ପ୍ରଭାବରେ ସୁଧାଂଶୁ ମନରୁ ସରନୂଆବୋଉ ଚିନ୍ତା ଅନେକ ପରିମାଣରେ କମିଯାଇଥିଲା । ସେ ଚାଲିଗଲା ପରେ ତାଙ୍କ ମୁହଁକୁ ଆଉଥରେ ମନେପକେଇବାକୁ ଚେଷ୍ଟା କରିଥିଲା ସୁଧାଂଶୁ । ତା’ପରେ ଟେବୁଲ ଡ୍ରରୁ ଫଟୋଟିକୁ ସେ କାଢ଼ିଥିଲା । ଗୋଟେ ପତଳା ଧୂଳିର ଆସ୍ତରଣ ସେ ଫଟୋ ଉପରେ ପଡ଼ି ଯାଇଛି । ନିଜ ରୁମାଲରେ ଫଟୋଟିରୁ ଧୂଳି ଝାଡ଼ିଦେଲା ସୁଧାଂଶୁ । ତା’ପରେ ଫଟୋଟିକୁ ଟେବୁଲ ଉପରେ ରଖି ଏକଲୟରେ ତାକୁ ଚାହିଁ ରହିଥିଲା । ସତେ ଯେମିତି ତା’ ଭିତରୁ ସେ କ’ଣ ଖୋଜିବାକୁ ଚେଷ୍ଟା କରୁଛି । ଫଟୋଟିର ଓଠ କଣରେ ସେହି ସୁନ୍ଦର ହସଟିକକ ଲାଗି ରହିଛି; ଯେଉଁ ହସ ପୁରୁଷ ଛାତିରେ ନିଆଁ ଜାଳେ, କେତେ ପୁରୁଷଙ୍କ ମୁହଁରେ ହସ ଫୁଟାଏ ଆଉ କେତେ ପୁରୁଷଙ୍କ ମୁହଁରୁ ହସ ଚୋରିକରେ । ସେହି ହସ, ଯାହାକୁ କି କେଇଟି ମୁହୂର୍ତ୍ତ ପୂର୍ବରୁ କଳ୍ପନାଙ୍କ ଓଠ କଣରେ ଦେଖିଥିଲା ସୁଧାଂଶୁ ।

କେତେବେଳେ ସେ ଫଟୋକୁ ଚାହିଁରହିଲା ପରେ ତା’ର କେମିତି ଗୋଟେ ମାୟା ଲାଗିଥିଲା ସେ ଫଟୋଠି । ତାକୁ ନେଇ ଟେବୁଲ ଉପରେ ନିଜ ଫଟୋ ପାଖରେ ଏକାଠି ମିଶେଇ ଧରିଥିଲା ସୁଧାଂଶୁ । ଦୁଇଟିଯାକ ଫଟୋକୁ ଏକାଠି ଚାହିଁ ରହିଥିଲା ସେ । ତା’ପରେ ସେ ଫଟୋକୁ ସେଠୁ କାଢ଼ିନେଇ ଭାବିଥିଲା ଗୀତିର ଗୋଟେ ଫଟୋଥିଲେ ତୁଳନା ସେ କରିଥାନ୍ତା । ତା’ ଫଟୋପାଖରେ କାହାର ଫଟୋ ବେଶି ସୁନ୍ଦର ଦିଶୁଛି ।

କିନ୍ତୁ ଦି’ବର୍ଷ ଭିତରେ ଗୀତିର କୌଣସି ଫଟୋ ସେ ରଖିପାରିନି । ଅନେକଥର ଅବଶ୍ୟ ଫଟୋ ଉଠେଇବାଲାଗି ଗୀତିକୁ କହିଛି । ଗୀତି କିନ୍ତୁ ପରିଷ୍କାର ମନା କରିଦେଇଛି । ଯୁକ୍ତି ବାଢ଼ିଛି–

–‘‘ଫଟୋଗୋଟେ କ’ଣ ହେବ ? ଶୁଖିଲା କାଗଜ ଖଣ୍ଡ କେବେ କ’ଣ ମଣିଷକୁ ଶାନ୍ତିଦେଇପାରେ ? ମୋର ଯେତେବେଳେ ତୁମକୁ ଦେଖିବାର ପ୍ରବଳ ଆଗ୍ରହ ହେବ ସେ ଆଗ୍ରହ କ’ଣ କେବେ ଫଟୋରେ ପରିତୃପ୍ତ ହେବ ? ମରୀଚିକା ଜଳର ଆକାର ଧାରଣ କଲେବି ସେ କେବେ ଜଳ ହୋଇପାରେନା କି କୌଣସି ତୃଷାର୍ତ୍ତକୁ ସେ ଶାନ୍ତି ଦେଇପାରେନା; ବରଂ ମରୀଚିକା ପଛରେ ଧାଇଁ ତୃଷାର୍ତ୍ତ ନିଜର ଜୀବନ ପର୍ଯ୍ୟନ୍ତ ଦିଏ ।”

ସୁଧାଂଶୁ ଗୀତି କଥାକୁ କାଟି କହିଥିଲା ସେଦିନ–

–‘‘ମୁଁ ଅଛି ବୋଲି ସିନା ତୁମେ ମତେ ଦେଖିବାକୁ ପାଇବ । ଯଦି ମୋର ଆକସ୍ମିକ ମୃତ୍ୟୁହୁଏ ଏବଂ ତା’ପରେ ଯଦି କେବେ ମତେ ତୁମେ ଦେଖିବାକୁ ଇଚ୍ଛାକର ତେବେ ସେତେବେଳେ କ’ଣ କରିବ ?”

–‘‘ସେତେବେଳେ ମୁଁ ମଧ୍ୟ ଆଉ ଦେଖିବାକୁ ନଥିବି । ତୁମ ସାଙ୍ଗେସାଙ୍ଗେ ହସି ହସି ମରିପାରିବି ମୁଁ । ତା’ କରିନପାରିଲେ ପ୍ରକୃତରେ ତୁମକୁ ମୁଁ ଭଲ ପାଇ ନଥିଲି । ପ୍ରତାରଣା କରୁଥିଲି କେବଳ । ତେଣୁ ତୁମ ଫଟୋର ମଧ୍ୟ ଆବଶ୍ୟକତା ନଥିବ ।”

ଗୀତିର ଯୁକ୍ତି ଶୁଣି ସୁଧାଂଶୁ ସେଦିନ ମୂକ ପାଲଟିଥିଲା । ବେଶି ଆଶ୍ଚର୍ଯ୍ୟ ହୋଇଥିଲା–ଗୀତି ମୁହଁରେ ଏ ଅଦ୍ଭୁତ ଯୁକ୍ତି ଶୁଣି ।

ଆଜିର ଅଳସ ଅପରାହ୍‍ଣରେ ଗୀତି କଥା ମନେପଡ଼ିବାରୁ ତା’ ମୁହଁଟି ଆଖି ଆଗରେ ଭାସିଉଠିଲା । ସେ ମୁହଁରୁବି ହସ ଝରୁଛି । କିନ୍ତୁ କଳ୍ପନା ହସଠୁ ସେ ହସ ଭିତରେ ପ୍ରଭେଦ ଅନେକ-। କଳ୍ପନାଙ୍କ ହସ ନିଆଁ ଲଗାଏ ଆଉ ଗୀତି ହସ ଜଳିଲା ନିଆଁକୁ କାକର କରେ । ଦୁହିଁଙ୍କ ଭିତରେ ତଫାତ୍ ଅନେକ । ଗୀତି, ଗୀତି ଆଉ କଳ୍ପନା କଳ୍ପନା । କେହି କାହା ସହିତ ସମାନ ହୋଇ ପାରିବେନି । କଳ୍ପନା କେବଳ କଳ୍ପନାରେ ରହନ୍ତୁ । ବାସ୍ତବତା ଭିତରକୁ ସେ ଆସିଲେ ସବୁ ଓଲଟପାଲଟ ହୋଇଯିବ । ତା’ ସହିତ ସୁଧାଂଶୁର ଜୀବନର ସମସ୍ତ ସୁଖବି ଓଲଟିଯିବ-

ନିଜ ବସିଲା ଜାଗାରୁ ଉଠି ଠିଆହେଲା ସୁଧାଂଶୁ । କଳ୍ପନାଙ୍କ ଫଟୋ ଖଣ୍ଡିକ ଟେବୁଲ ଉପରେ ପଡ଼ିରହିଲା ।

ଟେଷ୍ଟପରୀକ୍ଷା ସରିଥିଲେବି ଫଳ ଜଣା ପଡ଼ି ନଥିବାରୁ ଗୀତି ମନ ଭାରାକ୍ରାନ୍ତ ଥାଏ । ସରନୂଆବୋଉ କଥା ବେଳେବେଳେ ତା’ର ମନେପଡ଼େ । କେବଳ ବୋଉ ପାଖରୁ ସରନୂଆବୋଉର ଦୁର୍ଗତି ସମ୍ପର୍କରେ ଥରଟିଏ ମାତ୍ର ଚିଠି ପାଇବା ବ୍ୟତୀତ ସେ ବିଷୟରେ ସେ ଆଉ ବିଶେଷ କିଛି ଜାଣିନି । ସରନୂଆବୋଉଙ୍କ ପାଖକୁ ନିଜେ ଖଣ୍ଡେ ଚିଠି ଲେଖିବ ଲେଖିବ ବୋଲି ଅନେକ ଥର ଭାବିଛି, କିନ୍ତୁ କ’ଣ ଲେଖି ତା’ ମନରେ ସେ ସାନ୍ତ୍ଵନା ଦେବ ? ସେଇକଥା ଚିନ୍ତାକରି ସେ ଆଜି ପର୍ଯ୍ୟନ୍ତ ଚିଠିଖଣ୍ଡେ ଦେଇନି । ସରନୂଆବୋଉବି ସେମିତି ମଣିଷ ? ସେ ବି ଖଣ୍ଡେ ଚିଠି ଗୀତି ପାଖକୁ ଲେଖିନି ।

ତାଙ୍କର ପ୍ରତ୍ୟେକ ଅବସ୍ଥା ଜାଣିବାକୁ ଗୀତି ମନ ବ୍ୟାକୁଳ ହୋଇ ଉଠିଲା । ସେ ସେହିଦିନ ବସି ଦିଖଣ୍ଡ ଚିଠି ଲେଖିଲା । ଖଣ୍ଡେ ବୋଉ ପାଖକୁ, ଆଉ ଖଣ୍ଡେ ସରନୂଆବୋଉ ପାଖକୁ । ଚିଠି ଦୁଇଖଣ୍ଡି ଲେଖିସାରି ନିଜେ ଯାଇ ହଷ୍ଟେଲ୍‍ ଗେଟ୍ ପାଖ ଚିଠି ବାକ୍‍ସରେ ପକେଇଲା ।

ଚିଠି ଦୁଇଖଣ୍ଡି ପଠେଇସାରିବା ପରେ ତା’ ମନ ଟିକିଏ ହାଲୁକା ଲାଗିଲା । ହଷ୍ଟେଲ୍‍ ଉଦ୍ଦେଶ୍ୟରେ ସେ ବଡ଼ବଡ଼ ପାଦ ପକେଇ ଚାଲିଥାଏ । ପଛରୁ ତା’ ନାଁ ଧରି କିଏ ଡାକୁଥିବାର ସେ ଶୁଣିଲା । ମୁହଁବୁଲେଇ ପଛକୁ ଚାହିଁଲା ସେ । ପାରୁଲ୍‍ଦି’ କମନ୍‍ରୁମ୍ ବାରଣ୍ଡାରେ ଠିଆହୋଇ ତାକୁ ଡାକୁଛନ୍ତି । ପାଖକୁ ଗଲା ସେ–

–‘‘ରେଜଲ୍‍ଟ ଜାଣିଲଣି’’ ମୁହଁରେ ଉଛୁଳା ହସ ତାଙ୍କର । ‘‘ନା, ଆଜି ବାହାରୁଚି ନା କ’ଣ ?” ଶଙ୍କିତା ଗୀତି ପ୍ରଶ୍ନ କରିଥିଲା ।

–‘‘ନୋଟିସ୍‍ବୋର୍ଡ଼ରେ ମରାସରିଲାଣି ।’’

“ମୁଁ ପାସ୍ କରିଛି ତ ?” ଗୀତି ପୁଣି ପଚାରିଲା–

–‘‘କ’ଣ ଦେବ କହ ?” ଆଖିରେ ତାଙ୍କର କୌତୁକ ।

–‘‘ଯାହା ମାଗିବେ ।” କିଛି ନ ଭାବି ଉତ୍ତର ଦେଇଥିଲା ଗୀତି ।

–‘‘କ୍ଲାସ୍‍ରେ ଫାଷ୍ଟ ହୋଇଛ ତୁମେ ।”

‘‘ଗୀତି ଆନନ୍ଦରେ ମୁଣ୍ଡତଳକୁ କରିଥିଲା । ତା’ ଭଲଫଳରେ କିନ୍ତୁ ତା’ଠୁ ବେଶି ଖୁସି ହୋଇଥିଲେ ପାରୁଲ୍‍ଦି’ ।”

ସେତେବେଳକୁ ସ୍କୁଲ୍ ଛୁଟି ହୋଇସାରିଲାଣି । ଆଉ କେହି କୁଆଡ଼େ ନଥାନ୍ତି । ଯେ କେତେଜଣ ପିଲା ସ୍କୁଲ୍‍ରେ ଥିଲେ ସମସ୍ତେ ଅଫିସ୍ ଦୁଆରମୁହଁରେ ରେଜଲ୍‍ଟ ଦେଖିବାକୁ ଠେଲାପେଲା ଲଗେଇଛନ୍ତି । ଗୀତି ହାତ ଧରି ପାରୁଲ୍‍ଦି’ କମନ୍‍ରୁମ୍ ଭିତରକୁ ନେଲେ । କହିଲେ–

–‘‘ମୋ ପୁରସ୍କାର ଦିଅ ।’’

–‘‘କ’ଣ ?”

–‘‘ଯାହା ମାଗିବି ଏଇନେ ସତ୍ୟ କରିଛ ?”

–ଆଶଙ୍କାରେ ଗୀତି ଛାତି ତଳ ଥରିଉଠିଲା । କ’ଣ ଆଉ ମାଗିବେ ପାରୁଲ୍‍ଦି’ । ଡରିଡ଼ରି କହିଲା, ‘‘କୁହନ୍ତୁ ।”

ତା’ ମୁହଁରୁ କଥାସରିନି । ପାରୁଲ୍‍ଦି’ ନିଜଗାଲଟାକୁ ଗୀତି ମୁହଁପାଖରେ ଲଗେଇ କହିଲେ–‘ଦିଅ’ । ତାଙ୍କ ପାଗଳାମିରେ ଗୀତି ଆଶ୍ଚର୍ଯ୍ୟ ହେଲାନି । ସେ ତାଙ୍କର ଏ ପାଗଳାମିରେ ଆଗରୁ ଅଭ୍ୟସ୍ତ । ସେଦିନ କିନ୍ତୁ ସେ ଆଉ ପାରୁଲ୍‍ଦି’ଙ୍କୁ ଘୃଣା କରିପାରିଲାନି । ଲାଜ ଲାଜ ହୋଇ ତାଙ୍କ ଇଚ୍ଛା ସେ ପୂରଣ କରିଥିଲା ।

ପାରୁଲ୍‍ଦି’ଙ୍କ ପାଖରୁ ଫେରି ଗୀତି ଆଉ ଅଫିସ୍ ଆଡ଼େ ଗଲାନି । ତା’ ରେଜଲ୍‍ଟ ତ ସେ ପାରୁଲ୍‍ଦି’ଙ୍କ ମୁହଁରୁ ଶୁଣି ସାରିଛି । ହଷ୍ଟେଲ୍‍ ଆଡ଼କୁ ଚାଲିଲା । ଆନନ୍ଦରେ ଗୋଡ଼ ତା’ର ତଳେ ଲାଗୁ ନଥାଏ ।

ମଣିଷର ପ୍ରକୃତି ନିଜର ଦୁଃଖବେଳେ ସେ ତା’ର ଆତ୍ମୀୟଙ୍କର ସହଯୋଗ ଲୋଡ଼େ, ସେମିତି ଅପରିସୀମ ଆନନ୍ଦରେବି ନିଜ ଲୋକଙ୍କ କଥା ମନରେ ପଡ଼େ ତା’ର । ସେହି ନିୟମ ଅନୁସାରେ ସେଦିନର ଆନନ୍ଦ ଭିତରେ ଗୀତି ସୁଧାଂଶୁର ଅଭାବ ଅନୁଭବ କରିଥିଲା । କେଇଦିନ ହେବ ସେ ଆଉ ଆସିନାହାନ୍ତି । ମୁଣ୍ଡ ଉପରେ ପରୀକ୍ଷା–ସେଇଥିପାଇଁ ବ୍ୟସ୍ତ ଅଛନ୍ତି । ଗୀତିବି ସେଥିପାଇଁ ଅଭିମାନ କରିନି । ତା’ର ହଠାତ୍ ଇଚ୍ଛା ହେଲା ସୁଧାଂଶୁକୁ ଦେଖିବାକୁ । ଆକାଶକୁ ଚାହିଁଲା । ଦିନର ଆଲୁଅ ସରିନି । ସେ ଖୁସିରେ ସନ୍ଧ୍ୟା ପୂର୍ବରୁ ଫେରି ଆସିପାରିବ । ନିଜ ଶାଢ଼ି ବଦଳିବାକୁ ହଷ୍ଟେଲ୍‍କୁ ଯାଇଥିଲା ସେ ।

ତା’ ରୁମ୍‍ପାଖରେ ସେ ପହଞ୍ଚିଲା ପରେ ପାଖ ରୁମ୍‍ର ହେମ ତା’ର ଆସିଥିବା ଚିଠି ଦିଖଣ୍ଡ ତା’ ହାତକୁ ଦେଇଗଲା । ଏକାଥରକେ ଦିଖଣ୍ଡ ଚିଠିପାଇ ଟିକିଏ ବିବ୍ରତ ହୋଇପଡ଼ିଲା ସେ-। ଠିକଣା ଦେଖିଲା । ଖଣ୍ଡିଏ ତା’ ବୋଉଙ୍କ ପାଖରୁ ଆସିଛି । ଆରଖଣ୍ଡିକର ହସ୍ତାକ୍ଷର ପରିଷ୍କାର ଜଣା ନ ପଡ଼ିଲେବି ସରନୂଆବୋଉ ଅକ୍ଷର ଭଳି ଦିଶୁଛି । ସେ ତରତର କରି ଘରଭିତରକୁ ପଶିଯାଇ ପ୍ରଥମେ ବୋଉ ଚିଠି ଖଣ୍ଡିକୁ ପଢ଼ିଲା ।

ଖୁବ୍ ଛୋଟ ଚିଠିଟିଏ । କିନ୍ତୁ ତା’ଭିତରେ ଯେ ଏଭଳି ମର୍ମବିଦାରକ ସମ୍ବାଦ ଥାଇପାରେ ସେ କଥା ଗୀତି ବିଶ୍ଵାସ କରି ନଥିଲା । ଚିଠିଟା ପଢ଼ିବା ସାଙ୍ଗେ ସାଙ୍ଗେ ସେ ବଡ଼ପାଟିକରି କାନ୍ଦି ଉଠିଲା । ପାଖରୁମ୍‍ର ପିଲାସବୁ ଆସି ତା’ ରୁମ୍‍ରେ ଭିଡ଼କଲେ । ଗୀତିକୁ ନାନା କଥା ପଚାରୁଥାନ୍ତି । ସେ କିନ୍ତୁ କାହାରି ପ୍ରଶ୍ନର ଉତ୍ତର ଦେବା ଅବସ୍ଥାରେ ନଥିଲା । ଖଟଉପରେ ପାଗଳୀଙ୍କ ଭଳି ଗଡ଼ଗଡ଼ କଇଁକଇଁ ହୋଇ କାନ୍ଦୁଥାଏ ସେ ।

 

ଅନେକବେଳ କାନ୍ଦିଲା ପରେ ତା’ ମନର ଶୋକୋଚ୍ଛ୍ୱାସ ସାମାନ୍ୟ କମି ଆସିଥିଲା । ଆସନ୍ନ ସନ୍ଧ୍ୟାର ମ୍ଳାନ ଆଲୁଅ ଭିତରେ ସେ ଚିଠିର ଅକ୍ଷରଗୁଡ଼ାକୁ ପୁଣି ଚାହିଁଥିଲା । ଠିକ୍ ସେଇକଥାଇ ଲେଖା ହୋଇଛି, ସେ ପ୍ରଥମରୁ ପଢ଼ିଛି ।

 

–‘‘ସର ଖବରତ ଆଗରୁ ଲେଖିଥିଲି, ଶୁଣିଥିବୁ । କଳଙ୍କିନୀ କାଲିରାତିରେ ଘର ଓରାରେ ଦଉଡ଼ିଦେଇ ଆତ୍ମହତ୍ୟା କରିଛି । ଶେଷକୁ ତା’ପାଇଁ ଆଉ କ’ଣ ବାଟଥିଲା ?”

 

ଆହୁରି କେତେକଅଣ ସେ ଚିଠିରେ ଲେଖା ହୋଇଛି । ଗୀତି କିନ୍ତୁ ଆଉ ପଢ଼ିପାରିଲାନି-। ତା’ ଆଖି ଆଗରେ ସରନୂଆବୋଉର ମୁହଁଟା ଖାଲି ଦିଶିଗଲା । ଡରିଡ଼ରି ଆରଚିଠି ଖଣ୍ଡି ଫିଟେଇଲା ସେ । ସେ ଖଣ୍ଡି ସରନୂଆବୋଉ ନିଜେ ଲେଖିଛନ୍ତି । ଜୀବନଦୀପ ତାଙ୍କର ଲିଭିଯିବାର ପୂର୍ବ ମୁହୂର୍ତ୍ତର ଲେଖା ସେ । ଗୀତି ପଢ଼ିଲା–

 

ଆଦରର ଗୀତି,

 

ଜୀବନରେ ମୋର ଯାହାକିଛି ସ୍ନେହଶ୍ରଦ୍ଧା ତା’ ତୁମେ ଲୁଟି ନେଇଛ । ଆଜି ଆଉ କ’ଣ ତୁମକୁ ଦେବି ? ତଥାପି ଜୀବନର ଶେଷ ମୁହୂର୍ତ୍ତରେ ମୋର ସ୍ନେହ ଭଣ୍ଡାରରେ ଯାହାକିଛି ଅବଶିଷ୍ଟ ଅଛି ତା’ ତୁମକୁ ଦେଉଛି ।

 

ନାରୀଜନ୍ମର ସାର୍ଥକତା ହେଉଛି, ନିଜର ସ୍ନେହ ପ୍ରେମ ଯାହାକିଛି ସବୁ ନିଜର ସ୍ଵାମୀ ପାଖରେ ହସି ହସି ସମର୍ପଣ କରିବା । ଆଉ ନାରୀ ଜନ୍ମର ଅହଂକାର ସ୍ୱାମୀର ସ୍ନେହଶ୍ରଦ୍ଧା ପାଇବା; କିନ୍ତୁ ତୁମେ ସବୁ ଜାଣ । ଏ ଦୁଇଟାରୁ ମୁଁ ସବୁଥିରୁ ବଞ୍ଚିତା । ମୁଁ ମୋ ସ୍ଵାମୀଙ୍କଠୁଁ ସ୍ନେହ ପାଇନି କି ତାଙ୍କୁ ପ୍ରେମ କରିବାର ଅବକାଶ ପାଇନି । ମୋର ବିବାହିତ ଜୀବନର ଏକମାତ୍ର ଆଶ୍ଵାସନା ଥିଲ ତୁମେ । ତେଣୁ ଜୀବନର ଶେଷଦିନରେ ତୁମକୁ ସବୁ ଲେଖିଯିବାକୁ ସ୍ଥିର କରିଛି ।

 

ମୋର ଦୁର୍ଗତି କଥା ତୁମେ ସବୁ ଶୁଣିପାରିଥିବ । ପାରିଥିବ କାହିଁକି ନିଶ୍ଚୟ ଶୁଣିଥିବ । ସେଇଥିପାଇଁ ଘୃଣାରେବି ତୁମେ ଚିଠି ଖଣ୍ଡେ ଦେଇନ । କି ଭାଗ୍ୟନେଇ ମୁଁ ଜନ୍ମ ହୋଇଥିଲି ସମସ୍ତଙ୍କଠୁ କେବଳ ଘୃଣା ଆଉ ଅପବାଦ ଶୁଣି ଶୁଣି ଯାଉଛି । ଖୁଡ଼ୀ ଏବେ ଆଉ ଆମ ଘରକୁ ଆସନ୍ତିନି । ମୋର କ’ଣ ମନେହେଲା ଆଠଦିନ ତଳେ ତୁମ ଘରକୁ ଥରଟିଏ ପାଇଁ ଯାଇଥିଲି; କିନ୍ତୁ ଖୁଡ଼ୀ ମୁହଁ ସୁଖେଇ ଟାଉଟାଉ କରି କେତେ କଥା କହିଲେ । ବେଶି ଦୁଃଖର କଥା ମତେ ଟିକେ ଠିଆବି କରେଇ ଦେଲେନି । ମୁଁ ଯାହା ତାଙ୍କୁ କହିବାକୁ ଯାଇଥିଲି ମୋ କଥା ମୋ ପେଟରେ ରଖି ଫେରି ଆସିଲି ।

 

ପ୍ରାୟ ପନ୍ଦରଦିନରୁ ବେଶି ହେବ ତୁମ ଭାବନା କଲିକତାରୁ ଆସିଲେଣି । ସେ ଆସିବା ପୂର୍ବରୁ କେବଳ ମୁଁ ମୋ ବିରୁଦ୍ଧରେ ଗୁଡ଼େ ବଦନାମ ଶୁଣୁଥିଲି । ସେ ଆସିଲା ପରଠାରୁ ପ୍ରତ୍ୟେକଦିନ ବିଭିନ୍ନ ଅସଭ୍ୟ ଗାଳି ଆଉ ନିର୍ମମ ମାଡ଼ ମୋ ଭାଗ୍ୟରେ ଯୁଟୁଛି । ଯାହା ହେଉ ମୋ ଭାଇଭାଉଜଙ୍କୁ ସାତଶହଟଙ୍କା ଦେଇ ମତେ ବିଭା ହୋଇଥିଲେ । ଅନ୍ୟ କୌଣସିଥିରେ ତ କେବେ ସ୍ଵାମିତ୍ଵ ତାଙ୍କର ଜାହିର କରି ନଥିଲେ, ଏଇଥିରେ ହେଲେ ତାଙ୍କର ମନ ତୃପ୍ତ ହେଉ ।

 

ଆଜି ତୁମ ପାଖକୁ ଏ ଚିଠି ଲେଖିବାର ଅସଲ ଉଦ୍ଦେଶ୍ୟ ମୁଁ ଏପର୍ଯ୍ୟନ୍ତ ତୁମ ପାଖକୁ ଲେଖିନି । ଅସଲ ଉଦ୍ଦେଶ୍ୟ ହେଉଚି ତୁମେ ଯାହାଶୁଣିଛ ସେକଥା ସମ୍ପୂର୍ଣ୍ଣ ମିଛ । ତୁମେ ଏ ଚିଠି ପାଇବା ପୂର୍ବରୁ ମୋ ଜୀବନ ଚାଲିଯାଇସାରିଥିବ । ତା’ର ବ୍ୟବସ୍ଥା ମୁଁ ସବୁ କରି ସାରିଛି । ମୁଁ ମଲାପରେ ତୁମେ ମୋର ନିନ୍ଦା ଗାଉଚ କି ପ୍ରଶସ୍ତି କରୁଛ ସେକଥା ଶୁଣିବାକୁ ଆଉ ମୁଁ ନଥିବି । ଜୀବନର ଶେଷ ମୁହୂର୍ତ୍ତରେ ଏତେ ବଡ଼ ମିଛ କଥା ମୁଁ ବା ତୁମ ପାଖକୁ କାହିଁକି ଲେଖନ୍ତି । ବିଶ୍ଵାସ କରିବ ମୁଁ ଏ ସମ୍ପର୍କରେ କିଛି ଜାଣେନା ।

 

ବୟସର ବୋଝ ବୁହାଇ ମୋ ମନତଳେ ଯେ ନିଆଁ ନ ଜଳିଛି ସେ କଥାନୁହେଁ । ତଥାପି ମୁଁ ବଳ ସଂଗ୍ରହ କରି ସେ ନିଆଁ ପାଖରୁ ଦୂରେଇ ରହିଛି । ମୋ ଜ୍ଞାତସାରରେ ମୋ ସ୍ୱାମୀଙ୍କ ବ୍ୟତୀତ ଆଉ କାହାପାଖରେ ମୋ ଦେହକୁ ଉଜାଡ଼ି ଦେଇନି ।

 

କେହି ମୋ କଥା ବିଶ୍ଵାସ କରିବେନି ମୁଁ ଜାଣେ । ଯାହାଙ୍କ ହାତ ଧରିଥିଲି ସେ ତ ସତ ମଣିଲେ ନାହିଁ । କେତେ କାନ୍ଦିଛି, କାନ୍ଦି କାନ୍ଦି ମୋ ଆଖିଲୁହରେ ତାଙ୍କ ପାଦଦି’ଟା ଧୋଇ ଦେଇଛି-। କିନ୍ତୁ ପ୍ରତିଦାନରେ ପାଇଛି ତାଙ୍କଠୁ ଗୋଇଠା । ଆଉ ଅନ୍ୟମାନଙ୍କ କଥା । ସେମାନେ ତ କେହି ମୋ କଥା ଶୁଣିଲେନି ପର୍ଯ୍ୟନ୍ତ ।

 

କେହି ନ ଶୁଣନ୍ତୁ, କେହି ନ ବୁଝନ୍ତୁ ମୋର ଆଉ ଦୁଃଖନାହିଁ । ମୋ ବ୍ୟବସ୍ଥା ମୁଁ କରିସାରିଲିଣି । କେବଳ ଏତିକି ଦୁଃଖ ଯେ ଗୁଡ଼ାଏ କଳଙ୍କର ବୋଝ ନେଇ ମୁଁ ମରୁଛି । ସେଥିରେବି ମୋର ଦୁଃଖ ନାହିଁ । ମୋର କେବଳ ଶେଷ ଅନୁରୋଧ ତୁମେ ମତେ ଭୁଲ ବୁଝିବନି । ସୁଧାଂଶୁବାବୁଙ୍କୁବି ମୋପାଇଁ କହିବ । ସେ ଯେମିତି ମତେ ଭୁଲ ନ ବୁଝନ୍ତି ।

 

ବାହାରିଲି ଗୀତି । ଏ ଜୀବନରେ ଆଉ ଦେଖା ହୋଇ ପାରିବନି । ତୁମରି ଚାନ୍ଦମୁହଁଟି କଥା ମନେ ପଡ଼ି ଆଖିରେ ଲୁହ ଭର୍ତ୍ତି ହୋଇଗଲାଣି । କିଛି ଆଉ ଦିଶୁନି, ଯାଉଛି । ଆହୁରି ଥରେ ଅନୁରୋଧ କରୁଛି ତୁମ ବିଭାଘରଦିନ ମୋତେ ମନେପକାଇବ । ମୋପାଇଁ ଦି’ଟୋପା ଆଖିଲୁହ ଦେବ । ଦୁନିଆରେ ଜଣେ ହେଲେ ମତେ ଭୁଲ ବୁଝିନି ଏତିକି ଜାଣିଲେ ଆରପାରିରେ ହେଲେବି ମୋ ଆତ୍ମାକୁ ଟିକେ ଶାନ୍ତି ମିଳିବ । ବିଦାୟ ଗୀତି । ତୁମର ଅଭାଗୀନି ।

 

ସରନୂଆବୋଉ

 

ଚିଠି ଖଣ୍ଡି ପଢ଼ିସାରିଲାବେଳକୁ ଗୀତିର ଯାହା ଅବସ୍ଥା ସେଥିରେ ତାକୁ ଯେ କେହି ପାଗଳୀ ବୋଲି କହିବ । ବସିଲା ଜାଗାରୁ ଉଠି ଠିଆହେଲା ସେ । କେଶବାସ ବିତ୍ରସ୍ତ । ଆଖି ଦି’ଟାକୁ ସତେ ଯେମିତି ରକ୍ତ ବୋହି ପଡ଼ୁଛି । ସିଧାହୋଇ ସେ ଠିଆହୋଇ ପାରୁନି । ସେମିତି ଟଳି ଟଳି ସେ ହଷ୍ଟେଲ୍‍ରୁ ବାହାରି ଯାଇଥିଲା ।

 

ସୁଧାଂଶୁ ସେଦିନ ହଠାତ୍ ଗୀତିକୁ ସେଭଳି ଅବସ୍ଥାରେ ଦେଖି ପ୍ରଥମେ ଚିହ୍ନି ପାରି ନଥିଲା । ଗୀତି କିନ୍ତୁ ସୁଧାଂଶୁକୁ ଚିହ୍ନିବାରେ ଟିକିଏବି ଭୁଲ କରି ନଥିଲା–‘‘ମୋ ସରନୂଆବୋଉକୁ ମାରିଦେଲେ” କହି ଗୀତି ଚିତ୍କାର କରି କାନ୍ଦି ଉଠିଥିଲା ।

 

ସୁଧାଂଶୁ ଗୀତିକୁ ଆଶ୍ଵାସନା ଦେବାକୁ ଚେଷ୍ଟା କରିଥିଲା; କିନ୍ତୁ ତା’ର ପ୍ରତ୍ୟେକ ଆଶ୍ଵାସନା ନିରର୍ଥକ ହେଲା । କୌଣସି କଥାରେ ଗୀତି ଭୁଲ ନଥାଏ । ଖଟବାଡ଼ାକୁ ଆଉଜି ଫୁଲି ଫୁଲି କାନ୍ଦୁଥାଏ ସେ ।

 

ଗୀତି ହାତରୁ ସୁଧାଂଶୁ ଚିଠି ଦିଖଣ୍ଡ ନେଇ ପଢ଼ିଥିଲା । ସେ ଆଗରୁ ଜାଣିଥିଲା ସରନୂଆବୋଉର ଅନ୍ତିମ ପରିଣତିଇ ଏଇଆ । ଏ ଅନ୍ଧ ସମାଜ ଭିତରେ ତା’ପାଇଁ କିଛି କରି ହୋଇ ନଥାନ୍ତା । ତା’ପରେ ସରନୂଆବୋଉ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଅପେକ୍ଷା ଏ ମୃତ୍ୟୁ ନିଶ୍ଚୟ ଆରାମ ଦେଇଛି ସରନୂଆବୋଉକୁ । ସେହିକଥା ଭାବି ସ୍ଥିର ରହିଥିଲା ସେ । ଗୀତି ଭଳି ସେ ଅଧୈର୍ଯ୍ୟ ହୋଇନି । ତଥାପି ସାରା ରାତି ତାକୁ ଗୀତିକୁ ଜଗିରହିବାକୁ ପଡ଼ିଛି ।

 

ସ୍ଥିର ଜଳକୁ ଟେକାଟିଏ ପକେଇଲେ ଗୁଡ଼େ ଢେଉ ଉଠେ; ସେ ଢେଉଗୁଡ଼ାକ କିଛି ସମୟ ପରେ ପୁଣି ମିଳେଇ ଯାଏଁ । ସେମିତିବି ମଣିଷ ସମାଜର କଥା । କୌଣସି ଘଟଣା ଘଟିଲେ କିଛିଦିନ ସେ ବିଷୟରେ ଖୁବ୍ ଆଲୋଚନା ଚାଲେ, ତା’ପରେ ସବୁ ତୁନି ପଡ଼େ । ଭୁଲିଯାନ୍ତି ସମସ୍ତେ ସେ ଘଟଣାକୁ । ସତେ ଯେମିତି କିଛି ଘଟିନି । ପୃଥିବୀର ରଥଚକ ଆଗଭଳି ସାବଲୀଳ ଗତିରେ ଗଡ଼ିଚାଲେ ।

 

ସରନୂଆବୋଉ ଘଟଣା ସେଇପରି ଆସ୍ତେ ଆସ୍ତେ ସମସ୍ତେ ଭୁଲିଯିବାକୁ ଲାଗିଲେ । ବସନ୍ତ ରୋଗୀର ଯନ୍ତ୍ରଣା ରୋଗ ଛାଡ଼ିବା ପରେ କମିଯାଏ । କିଛିଦିନ ପରେ ତାକୁ ଯେ ଦିନେ ବସନ୍ତ ହୋଇଥିଲା ସେ କଥାବି ରୋଗୀ ଭୁଲିଯାଏ । କେବଳ ରୋଗୀ ମୁହଁରେ ଥିବା ଦାଗଗୁଡ଼ାକ କେବେ କିମିତି ତା’ ଦୃଷ୍ଟିରେ ପଡ଼ିଲେ ରୋଗ କଥା ତା’ର ମନେପଡ଼େ । ସେମିତି ସରନୂଆବୋଉର ମୃତ୍ୟୁ ଦୁଃଖକୁ ସୁଧାଂଶୁ ଆଉ ଗୀତି ଅନେକ ପରିମାଣରେ ଭୁଲି ଯାଇଥିଲେବି ଛାତିତଳର ଦାଗଟା ସରନୂଆବୋଉକୁ ସ୍ମରଣ କରେଇଦିଏ ।

 

ସୁଧାଂଶୁର ପରୀକ୍ଷା ସରିଯାଇଥାଏ । ଗୀତି ପାଖକୁ ମଝିରେ ମଝିରେ ଥରେ ଅଧେ ଯାଇ ପଢ଼ାପଢ଼ି କଥା ବୁଝି ଆସିବା ବ୍ୟତୀତ ସୁଧାଂଶୁ ହାତରେ ବିଶେଷ କିଛି କାମ ନଥାଏ । ବାହାରେ ବେଶି ବୁଲାବୁଲି କରିବାର ଅଭ୍ୟାସ ତା’ର କେବେ ନଥିଲା । ବିଶେଷ ବନ୍ଧୁବାନ୍ଧବଙ୍କ ସହିତବି ସେ ମିଶେନି । ସବୁବେଳେ ଘରଟି ଭିତରେ ବସି ରହିଥାଏ ସେ ।

 

ବୋଉ ଦି’ ତିନିଖଣ୍ଡ ଚିଠି ଲେଖି ସାରିଲେଣି । ‘‘ପରୀକ୍ଷା ତ ସରିଲା; କଟକରେ ଆଉ ବସିଛୁ କାହିଁକି ? ଶଶାଙ୍କବାବୁ ବ୍ୟସ୍ତ ହୋଇ ଚିଠି ଲେଖୁଛନ୍ତି । ତୋଠୁ କିଛି ନ ଜାଣି ମୁଁ ତାକୁ ଜବାବ ଦେଇପାରୁନି । ଶୀଘ୍ର ଘରକୁ ଆ, ନାହିଁ ତ ଜବାବ ଦେ ।’’

 

ସବୁ ଚିଠିରେ ପ୍ରାୟ ଏକା କଥା । ମାତୃହୃଦୟର ଆକୁଳତା ଚିଠିର ପ୍ରତ୍ୟେକ ଅକ୍ଷରରୁ ଝରେ । ସୁଧାଂଶୁ ଉତ୍ତର ଦିଏ ।–‘‘ଅପେକ୍ଷା କର କିଛିଦିନ, ମୁଁ ବଳେ ଲେଖିବି ।’’

 

ଗୀତି ବାପାବି ଖଣ୍ଡେ ଚିଠି ଲେଖିଥିଲେ–‘‘ଗୀତିର ପରୀକ୍ଷା ତ ସରିଲା । ତୁମର କଥା ଅନୁସାରେ ମୋର ସାମର୍ଥ୍ୟ ଥାଉ ନ ଥାଉ ତାକୁ ପଢ଼େଇଲି । ଅନ୍ୟ ବ୍ୟବସ୍ଥା କ’ଣ ହେବ ଶୀଘ୍ର ଲେଖିବ ।”

 

ସୁଧାଂଶୁରବି ପ୍ରବଳ ଆଗ୍ରହ ହୁଏ । ଆଉ ଅପେକ୍ଷା କରି ଲାଭନାହିଁ । ଏଥର ସେ ମିନିକୁ ଲେଖିବ । ଯାହା ଯେମିତି କରିବାକୁ ହେବ ସେ ବ୍ୟବସ୍ଥା ତାକୁ କରିବାକୁ ପଡ଼ିବ । ତା’ର ବିଶ୍ଵାସ ଅଛି ତା’ ଶୁଖିଲା ମୁହଁ ଦେଖିଲେ ବୋଉ ତା’ର କୌଣସି କଥାକୁ ଅରାଜି ହେବେନି । ବାପାବି ଏ ବିଷୟରେ କୌଣସି ମତ ଦେବେନି ବୋଲି ସେ ଆଗରୁ ଜାଣିଛି ।

 

ଗୀତିର ଆଜି ପରୀକ୍ଷା ସରୁଛି । ପରୀକ୍ଷା ପରେ ପରେ ସେ ଗାଁକୁ ଚାଲିଯିବାକୁ ତା’ ବୋଉ ଲେଖିଛନ୍ତି । ସୁଧାଂଶୁ କିନ୍ତୁ ଗୀତିକୁ କହିଛି ପରୀକ୍ଷା ପରେ ଦଶପନ୍ଦର ଦିନ କଟକରେ ରହି ଗାଁକୁ ଯିବ । ଗୀତିବି ସେଥିରେ ସମ୍ମତ ହୋଇଛି । ସେ କଟକ ଆସିଲାଦିନୁ ପାଠ ବହି ବ୍ୟତୀତ ଅନ୍ୟ କିଛି ଜାଣିନି । ପରୀକ୍ଷା ପରେ ସୁଧାଂଶୁ ସହିତ କିଛିଦିନ ବୁଲାବୁଲି କରି ଗାଁକୁ ଯିବ ବୋଲି ବୋଉ ପାଖକୁ ଲେଖିଛି ।

 

ସୁଧାଂଶୁ ମିନି ପାଖକୁ ଚିଠି ଲେଖିଲା–‘ତୁ ମତେ ଜବାବ ଦେଇଥିଲୁ ଗୀତି ବିଷୟରେ ବୋଉକୁ ବୁଝେଇବା ଦାୟିତ୍ଵ ତୋର ବୋଲି । ତୋରି କଥା ଅନୁସାରେ ଏତେ ବଡ଼ ଗୁରୁଦାୟିତ୍ଵ ତୋ ଉପରେ ଲଦି ଦେଇ କଟକରେ ବସି ରହିଲି ମୁଁ । ବୋଉର ମତ ବୁଝି ମତେ ଲେଖିଲେ ମୁଁ ଘରକୁ ଯିବି, ଇତ୍ୟାଦି ।’

 

ତା’ପରେ ବୋଉ ପାଖକୁ ଖଣ୍ଡେ ଚିଠି ଲେଖିବାକୁ ଆରମ୍ଭ କରୁଛି ଦାଣ୍ଡରେ ତା’ର କାର୍ ରହିବାର ଶବ୍ଦ ହେଲା । ଆଶ୍ଚର୍ଯ୍ୟ ହେଲା ସୁଧାଂଶୁ । କାର୍‍ରେ ଆସିଲା ଭଳି ବନ୍ଧୁ ତା’ର ବର୍ତ୍ତମାନ କେହି ନାହାନ୍ତି । କିଏ ଆଉ ହୋଇଥିବ ?

 

ସୁଧାଂଶୁର ସନ୍ଦେହ ମୋଚନ କରି କଳ୍ପନାଙ୍କ କଣ୍ଠସ୍ଵର ଶୁଭିଲା–

 

–‘‘ଅନୁମତି ନ ନେଇ ଆପଣଙ୍କ ଘର ଭିତରକୁ ଚାଲି ଆସିଛି । କ୍ଷମା କରିବେ ।”

 

ତରତର କରି ସୁଧାଂଶୁ ଚିଠି ଦିଖଣ୍ଡ ଡ୍ରଭିତରେ ରଖିଦେଲା । ଜୋରକରି ମୁହଁରେ ଟିକେ ହସ ଉକୁଟେଇ କହିଲା–

 

–ଆସନ୍ତୁ, ଏଥିରେ ଭାବିବାର କ’ଣ ଅଛି ?”

 

ଘର ଭିତରକୁ ପଶିଆସି କଳ୍ପନା ପଚାରିଥିଲେ–

 

–‘‘ଆପଣଙ୍କ ପରୀକ୍ଷା ତ କେବେଠୁ ସରିଲାଣି ।”

 

–‘‘ହ”

 

–‘‘ଗାଁକୁ ଯାଇନାହାନ୍ତି ?”

 

–‘‘ରେଜଲ୍‍ଟକୁ ଅପେକ୍ଷା କରିଛି ।”

 

ନଟ ଆଣି ଚା’ ଦି’ କପ୍ ରଖି ଦେଇଗଲା । ଟ୍ରେରୁ ଗୋଟେ କପ୍ ଚା’ କଳ୍ପନା ନେଇ ସୁଧାଂଶୁ ହାତକୁ ବଢ଼େଇ ଦେଇଥିଲେ । ନିଜ କପ୍‍ରେ ଚିବୁକ ସ୍ପର୍ଶ କରି କଳ୍ପନା ପୁଣି ପଚାରିଲେ-

 

–ଏ ଘଟଣା ଭିତରେ ସବୁବେଳେ କ’ଣ କରୁଛନ୍ତି ?

 

“କୁଆଡ଼କୁ ଯେତେବେଳେ ଯିବାର ନାହିଁ, ଆଉ କ’ଣ କରନ୍ତି ?” ନିର୍ଲିପ୍ତ ଭାବରେ ଉତ୍ତର ଦେଇଥିଲା ସୁଧାଂଶୁ । ତା’ର ଇଚ୍ଛା ନଥିଲା କଳ୍ପନାଙ୍କ ସାଙ୍ଗରେ କୌଣସି ବନ୍ଧୁତ୍ଵ କରିବାକୁ । କିନ୍ତୁ ବେଶ୍ ବନ୍ଧୁତ୍ଵପୂର୍ଣ୍ଣ ଗଳାରେ କଳ୍ପନା କହିଲେ–

 

–ଆପଣଙ୍କୁ ପରା ମୁଁ ନିମନ୍ତ୍ରଣ କରି ଯାଇଥିଲି । ଆମ ଘରକୁ ଯିବାକୁ ।’’

 

–‘‘ପରୀକ୍ଷା ଭିତରେ ଭୁଲି ଯାଇଥିଲି ।’’

 

–‘‘ଆସନ୍ତୁ କୁଆଡ଼େ ଆଜି ଟିକେ ବୁଲିଯିବା ।’’

 

–ମହାଅଡ଼ୁଆରେ ସୁଧାଂଶୁ ପଡ଼ିଲା । ତା’ର ଇଚ୍ଛା ବିରୁଦ୍ଧରେ କଳ୍ପନା ବହୁତ ଆଗେଇ ଚାଲିଛନ୍ତି । ସେ ପ୍ରତିବାଦ କରିଥିଲା–

 

–‘‘କ୍ଷମା କରିବେ । ମୋ ଦେହ ଭଲଲାଗୁନି ।’’

 

‘‘ଗୋଟାଏ ଜାଗାରେ ଏମିତି ବସିରହିଲେ ତ ଦେହ ନିଶ୍ଚୟ ଖରାପ ହେବ । ଟିକିଏ ବୁଲି ଆସନ୍ତୁ–ଦେଖିବେ କିମିତି ଫୁର୍ତ୍ତି ଲାଗିବ ।’’

 

କଳ୍ପନା ଉଠି ଠିଆ ହେଲେ । ସୁଧାଂଶୁ କିନ୍ତୁ ଉଠୁ ନଥାଏ । କଳ୍ପନା ର୍ୟାକରୁ ସୁଧାଂଶୁର ସିଲ୍କ ପଞ୍ଜାବିଖଣ୍ଡ ଆଣି ସୁଧାଂଶୁର ହାତରେ ଦେଇ କହିଲେ–

 

–‘‘ଉଠନ୍ତୁ ।’’

 

ବାଧ୍ୟହୋଇ ଉଠିଥିଲା ସୁଧାଂଶୁ । ତା’ର ଭୟବି ହୋଇଥିଲା । ଗୀତିର ପରୀକ୍ଷା ସରିବଣି । ସେ ଯଦି ସ୍କୁଲ୍‍ରୁ ଏଣେ ବାହାରି ଆସେ ଏବଂ କଳ୍ପନାଙ୍କୁ ତା’ ପାଖରେ ଦେଖେ ତେବେ ସର୍ବନାଶ ହେବ । ତରତର କରି ପଞ୍ଜାବିଖଣ୍ଡ ଦେହରେ ଗଳେଇ ବାହାରିଥିଲା ସେ ।

 

ସୁଧାଂଶୁ ନିଜେ ଯାଇ ମଟର ଆଗସିଟ୍‍ରେ ବସିପଡ଼ିଲା । ଇଚ୍ଛାକରି କଳ୍ପନାଙ୍କ ପାଖରୁ ଦୂରେଇ ରହୁଥିଲା ସେ; କିନ୍ତୁ ସେ ଦେଖି ଆଶ୍ଚର୍ଯ୍ୟ ହେଲା ଡ୍ରାଇଭର ସିଟ୍‍ରେ ଆସି କଳ୍ପନା ବସିଲା-। ଡ୍ରାଇଭର ଆସିନି । ନିଜେ ଡ୍ରାଇଭ୍ କରି ଆସିଥିଲେ ସେ ।

 

ଷ୍ଟାର୍ଟ୍ ଦେବା ସାଙ୍ଗେ ସାଙ୍ଗେ ଗାଡ଼ିର ସ୍ପିଡ଼୍ ବଢ଼େଇ ଦେଲେ କଳ୍ପନା । ପବନ ବେଗରେ ଗାଡ଼ି ଚାଲିବାକୁ ଆରମ୍ଭକଲା । ଗୋଟେ ରିକ୍ସା କଟଉ କଟଉ ଆରମ୍ଭ କଲେ କଳ୍ପନା–

 

–‘‘ଆପଣ ମୋ ଉପରେ ରାଗିଛନ୍ତି ?”

 

–‘‘କିମିତି ଜାଣିଲ ?”

 

–‘‘କିଛି କହୁନାହାନ୍ତି, ମୁହଁଫୁଲେଇ ବସିଛନ୍ତି ।” ଏତକ କହି ସୁଧାଂଶୁକୁ ଚାହିଁଥିଲେ କଳ୍ପନା । ଆଖିକଣରେ ଥିଲା ନିମନ୍ତ୍ରଣର ଇଙ୍ଗିତ, ଆଉ ଓଠରେ ଥିଲା ମନମତାଣିଆ ହସର ତରଙ୍ଗ । ଆତ୍ମବିସ୍ମୃତ ହେଉଥିଲା ସୁଧାଂଶୁ । ବିବେକର ଅନୁଶାସନରୁ ମନ ମୁକ୍ତି ଚାହୁଁଥିଲା । ବନ୍ଧୁତ୍ୱପୂର୍ଣ୍ଣ ଗଳାରେ ସୁଧାଂଶୁ ଆରମ୍ଭ କରିଥିଲା–

 

–‘‘କି ଗାଡ଼ି ଏଇଟା ।”

 

–‘‘ଫିଆଟ୍, ଛ’ବର୍ଷ ତଳେ ବୁକ୍‍ ହୋଇଥିଲା । ମାତ୍ର ତିନିଦିନ ତଳେ ଗାଡ଼ି ଖଣ୍ତ ମିଳିଛି-।”

 

–‘‘ସେଦିନ ଯେଉଁଟା ଆଣିଥିଲ”–ପଚାରିଥିଲା ସୁଧାଂଶୁ ।

 

–‘‘ସେଇଟା ବାପାଙ୍କ ଗାଡ଼ି ।”

 

–‘‘ଆଉ ଏଗାଡ଼ି କାହାର ?”

 

–‘‘ଆପଣଙ୍କର ।” ହସିଥିଲା କଳ୍ପନା–ଅର୍ଥପୂର୍ଣ୍ଣହସ ।

 

ଅପ୍ରତିଭ ହୋଇଥିଲା ସୁଧାଂଶୁ । କଳ୍ପନା ତାକୁ ଥଟ୍ଟା କରୁନି ତ । ସହଜ ଗଳାରେ ସେ ପୁଣି ପଚାରିଥିଲା–

 

–‘‘ମୋର ମାନେ ?”

 

–କୁଣ୍ଠିତଭାବରେ କଳ୍ପନା ଏଥର ଉତ୍ତର ଦେଇଥିଲେ–

 

–‘‘ବାପା ତାଙ୍କର ଭାବୀ ଜାମାତାଙ୍କ ପାଇଁ ଏ ଗାଡ଼ି ଖଣ୍ତ କିଣିଛନ୍ତି ।” ଏତକ କହିଲାବେଳକୁ ଆଖିପତା ତା’ର ତଳକୁ ଲାଜରେ ନଇଁ ଆସିଥିଲା ।

 

ସୁଧାଂଶୁ ବୁଝିଲା–କଳ୍ପନା ଆପଣଙ୍କର ଗାଡ଼ି ବୋଲି କାହିଁକି କହିଥିଲେ । ଶଶାଙ୍କବାବୁ ପ୍ରସ୍ତୁତ ହେଉଚନ୍ତି ନିଶ୍ଚୟ । ତା’ ବୋଉ ବୋଧହୁଏ ପୂର୍ଣ୍ଣଜବାବ ଦେଇସାରିଲେଣି । ନହେଲେ କଳ୍ପନା ଏତେ ଆଗେଇ ଯାଉଛନ୍ତି କିମିତି ? ଆଉ କଥା ବଢ଼େଇବାକୁ ସୁଧାଂଶୁର ଇଚ୍ଛା ହେଲାନି । ଚୁପ୍‍କରି ବସିରହିଲା ସେ ।

 

କଳ୍ପନା ମଝିରେ ଥରେଅଧେ ସୁଧାଂଶୁକୁ ଚାହିଁଛନ୍ତି । ସୁଧାଂଶୁ କିନ୍ତୁ ନିର୍ଲିପ୍ତ ଭାବରେ ବସିଥାଏ । ଚୈତ୍ର ଅପରାହ୍‍ଣର ପବନ କାର୍‍ ଭିତରେ ଝଡ଼ ସୃଷ୍ଟି କରୁଥାଏ । କଳ୍ପନାଙ୍କ ଶାଢ଼ିର ଅଗ୍ରଭାଗ ଉଡ଼ିଆସି ସୁଧାଂଶୁର ମୁହଁ ଉପରେ ପିଟି ହେଉଥାଏ । କି ଗୋଟେ ଦାମୀ ସେଣ୍ଟର ଗନ୍ଧ ଆସୁଥାଏ ସେଥିରୁ । କଳ୍ପନା ନିଜେ ଚେଷ୍ଟାକରି ସୁଧାଂଶୁ ଆଉ ତାଙ୍କ ଭିତରେ ଥିବା ବ୍ୟବଧାନକୁ ଯଥେଷ୍ଟ କମେଇ ଦେଇଥାନ୍ତି । ସୁଧାଂଶୁର ଦୀର୍ଘଶ୍ୱାସ ତାଙ୍କଠି ବାଜୁଥାଏ, ଆଉ ତାଙ୍କ କବରୀର ଗନ୍ଧ ସୁଧାଂଶୁ ବିବେକର ଶକ୍ତି ପରୀକ୍ଷା କରୁଥାଏ ।

 

କାର୍ ଆସି ଏକ ଦ୍ୱିତଳପ୍ରାସାଦ ଆଗରେ ରହିଲା । କଳ୍ପନା ନିଜେ ଓହ୍ଲେଇପଡ଼ି ସୁଧାଂଶୁକୁ ଡାକିଥିଲେ । ସୁଧାଂଶୁ କଳ୍ପନାଙ୍କ ସହିତ ବୁଲିଯିବା ପାଇଁ ବାଧ୍ୟ ହୋଇ ଆସିଥିଲା । ତାଙ୍କ ଘରେ ଅତିଥିହେବାପାଇଁ ତା’ର ଆଦୌ ଇଚ୍ଛା ନଥିଲା; କିନ୍ତୁ ପ୍ରତିବାଦ କରିବାର କୌଣସି ଉପାୟ ନ ପାଇ ବାଧ୍ୟ ହୋଇ କାର୍‍ରୁ ଓହ୍ଲେଇଥିଲା ସେ ।

 

ଘରଭିତରର ପ୍ରବେଶପଥରେ ସୁଧାଂଶୁ ପ୍ରଥମେ ଶଶାଙ୍କବାବୁଙ୍କୁଇ ଭେଟିଥିଲା । ସେ ତରତର ହୋଇ ଗୋଟେ କଲ୍‍ରେ ଯାଉଥାନ୍ତି । ସୁଧାଂଶୁର ପରିଚୟ ପାଇ ଖୁବ୍ ଆନନ୍ଦିତ ହୋଇଥିଲେ ସେ । ନିଜେ ରହିପାରୁ ନଥିବାରୁ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ । ତା’ପରେ କଳ୍ପନାଙ୍କ ଘରର ଆଉ କାହା ସହିତ ସୁଧାଂଶୁର ଭେଟ ହୋଇନି । ମା’ ତାଙ୍କର ଅନେକଦିନୁ ସଂସାର ତ୍ୟାଗ କରିଛନ୍ତି । ଆଉ ଭାଇ ଦି’ଜଣଯାକ ବିଲାତ ଫେରନ୍ତା । ଜଣେ ଡାକ୍ତର ଆଉ ଜଣେ ଇଞ୍ଜିନିୟର୍ । ସୁଧାଂଶୁ ତାଙ୍କୁ ଅବଶ୍ୟ ଘରେ ଦେଖିଥିଲା, କିନ୍ତୁ ସେମାନଙ୍କ ସହିତ ସୁଧାଂଶୁର ଆଳାପ ହୋଇ ପାରିନି । ସାନ୍ଧ୍ୟଭ୍ରମଣ ଉଦ୍ଦେଶ୍ୟରେ ଉଭୟ ସ୍ୱତନ୍ତ୍ର ଭାବରେ ନିଜ ନିଜ ପତ୍ନୀଙ୍କ ସହିତ ବାହାରି ଚାଲିଯାଇଥିଲେ । ତାଙ୍କ ଯିବା ବାଟରେ ସୁଧାଂଶୁ ବସିଥିଲେ ମଧ୍ୟ ମୁହଁ ବୁଲେଇ ତାକୁ କେହି ଚାହିଁ ନଥିଲେ ।

 

ସୁଧାଂଶୁ ଆଘାତ ପାଇଥିଲା ସେମାନଙ୍କ ବ୍ୟବହାରରେ । ପ୍ରଚୁର ବିଭବ ଭିତରେ ଅହଂକାରୀ ହୋଇଛନ୍ତି ସମସ୍ତେ । ପାରିବାରିକ ଶୃଙ୍ଖଳାଜ୍ଞାନ କାହାରି ନାହିଁ । କଳ୍ପନାଙ୍କ ବ୍ୟବହାର ଭିତରେ ଯେ ପ୍ରଚ୍ଛନ୍ନ ଅହଂକାର ଭରି ରହିଛି ସେକଥା ଲକ୍ଷ୍ୟ କରିଥିଲା ସୁଧାଂଶୁ । ଆଜି ନୂଆ କାର୍ ନେଇ ତାକୁ ନିମନ୍ତ୍ରଣ କରି ଆଣିବାକୁ ଅର୍ଥ ଦେଖାଇ ହେବା ବ୍ୟତୀତ ଅନ୍ୟକିଛି ନୁହେଁ ବୋଲି ସୁଧାଂଶୁର ଦୃଢ଼ଧାରଣା ହୋଇଥିଲା । ଡାକ୍ତର ଦାଶଙ୍କ ବ୍ୟବହାରକୁ ମନେ ପକେଇଥିଲା ସେ । ଯେତେ ବଡ଼ ରୋଗୀ ଥିଲେବି ନିଜର ଭାବୀ–ଜାମାତାଙ୍କ ପ୍ରଥମ ଥର ନିମନ୍ତ୍ରଣରେ ତାଙ୍କର କ’ଣ କିଛି କର୍ତ୍ତବ୍ୟ ନଥିଲା ? କେବଳ ଲୋକାଚାର ଦୃଷ୍ଟିରୁ, ମୁଁ ଦୁଃଖିତ କହିଦେଲେ ହୋଇଗଲା ।

 

ସୁଧାଂଶୁର ମନ ବିଷେଇ ଉଠିଲା ସେମାନଙ୍କ ବ୍ୟବହାରରେ । କଳ୍ପନାବି ତାକୁ ଅନେକବେଳୁ ଡ୍ରଇଂରୁମ୍‍ରେ ବସେଇ ଦେଇ ଯାଇ ଭିତରେ ଅଛନ୍ତି । ଏକୁଟିଆ ବସିବାକୁ ଖରାପ ଲାଗିଲା ତାକୁ । ଜଣେ ଭଦ୍ରଲୋକଙ୍କ ଘରୁ ସେମାନଙ୍କ ଅନୁପସ୍ଥିତିରେ ସେ ଚାଲିଆସୁଛି ବା କେମିତି ? ସେ ଉଠି ଘରଭିତରେ ପଦଚାରଣ କରିବାକୁ ଲାଗିଲା । ତଥାପି କଳ୍ପନାଙ୍କର ଦର୍ଶନ ନାହିଁ । ତା’ପରେ ସେ ଲମ୍ବା ଲମ୍ବା ପାଦ ପକେଇ ତାଙ୍କ ବଗିଚା ଭିତରୁ ବାହାରକୁ ବାହାରି ଆସିଥିଲା ।

 

କଳ୍ପନାଙ୍କ ଘରୁ ଚାଲି ଆସିବା ପରେ ସୁଧାଂଶୁର ଧାରଣା ହେଲା କଳ୍ପନା ତାକୁ ଖୋଜିବାକୁ ନିଶ୍ଚୟ ଆସିବେ । ସୁଧାଂଶୁର କଳ୍ପନାଙ୍କ ପାଖରୁ ଆତ୍ମଗୋପନ କରିବାକୁ ପ୍ରବଳ ଇଚ୍ଛା ହେଲା । ସେ ଖାଲି ରିକ୍ସାଟେ ଦେଖି ତା’ଉପରେ ଉଠିପଡ଼ି ନିଜ ଘର ଉଦ୍ଦେଶ୍ୟରେ ରିକ୍ସାକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା ।

 

କିଛିବାଟ ଆସିଲା ପରେ ତା’ର ମନେ ହେଲା କଳ୍ପନାଙ୍କ ପାଖରୁ ଲୁଚି ରହିବାକୁ ହେଲେ ଘର ମଧ୍ୟ ତା’ପାଇଁ ନିରାପଦ ନୁହେଁ । ସେଇଥିପାଇଁ ଘରକୁ ନଯାଇ ଗୀତି ହଷ୍ଟେଲ୍‍ ଉଦ୍ଦେଶ୍ୟରେ ଯିବାକୁ ରିକ୍ସାକୁ ନିର୍ଦ୍ଦେଶ ଦେଇଥିଲା ସେ ।

 

ଗୀତି ପାଖକୁ ଯିବା ବାଟରେ ସୁଧାଂଶୁ ଚିନ୍ତା କରିଥିଲା, ଏ ଅଭିନୟର ଯବନିକା ଶୀଘ୍ର ଟାଣିବାକୁ ହେବ । ସେ ଆଜି ଗୀତି ସହିତ ସମସ୍ତ କଥାବାର୍ତ୍ତା କରି ଘରକୁ ଆଉ ଗୀତି ବାପାଙ୍କ ପାଖକୁ ଚିଠି ଲେଖି ଦେବ ।

 

ହଷ୍ଟେଲ୍‍ରେ ପହଞ୍ଚି ସୁଧାଂଶୁ ଦେଖିଲା ଗୀତି ହଷ୍ଟେଲ୍‍ରେ ନାହିଁ । ପରୀକ୍ଷା ହଲ୍‍ରୁ ଆସି ସେ କୁଆଡ଼େ ବାହାରକୁ ଯାଇଛି । ପଚାରି ବୁଝିଲା ହେଡ଼୍‍ମିଷ୍ଟ୍ରେସ୍‍ଙ୍କୁ କହି ଯାଇଛି ସେ ପାରୁଲ୍‍ଦି’ଙ୍କ ଘରକୁ ଯାଇଛି ବୋଲି ।

 

ସୁଧାଂଶୁର ମନ ଭୀଷଣ କଷ୍ଟ ହେଲା । ଘରକୁ ଫେରିଯିବାର ଉପାୟ ନାହିଁ । ଗୀତିବି ହଷ୍ଟେଲ୍‍ରେ ନାହିଁ । କ’ଣ କରିବ କିଛି ଠିକ୍ କରିପାରିଲାନି ସେ । ବାଧ୍ୟ ହେଇ ରିକ୍ସା ଉପରକୁ ଫେରି ଆସିଲା । ରିକ୍ସାବାଲାର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲା, ‘ପ୍ରଭାତ ସିନେମା ଚାଲ ।’

 

ସିନେମାହଲ୍ ପାଖରେ ପହଞ୍ଚିଲାବେଳକୁ ଅନ୍ଧାର ହୋଇ ସାରିଲାଣି । ରାସ୍ତା ବତିଗୁଡ଼ା ଜଳି ଉଠିଲାଣି । ସିନେମା ଆରମ୍ଭ ହେଲାଣି କେତେବେଳୁ । ସୁଧାଂଶୁର ସିନେମାରେ ତ କେବେ ଆଗ୍ରହ ନଥାଏ । ତେଣୁ ସିନେମା ଆରମ୍ଭ ବା ଅଧାରେ ତା’ର ଲାଭକ୍ଷତି କିଛି ନାହିଁ । ସେ କେବଳ କେତେ ସମୟ ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ବାଲ୍‍କୋନି ଟିକେଟ ଖଣ୍ତେ କରି ଉପରକୁ ଯାଇଥିଲା ।

 

ହଲ୍‍ର କୌଣସି ସିଟ୍ ପ୍ରାୟ ଖାଲି ନଥାଏ । କେବଳ ତା’ ଆଗସିଟ୍‍ରେ କେହି ଲୋକ ନଥାନ୍ତି । ବୋଧହୁଏ କେହିଉଠି ବାହାରକୁ ଯାଇଛନ୍ତି । ଖାଲିସିଟ୍‍ର ପାଖସିଟ୍‍ରେ ଜଣେ ଭଦ୍ରମହିଳା ବସିଥାନ୍ତି । ତାଙ୍କୁ ଚାହିଁବା ଅସୌଜନ୍ୟ ହେବ ବୋଲି ତାଙ୍କ ଉପରୁ ଆଖି ଫେରାଇ ପରଦାକୁ ଚାହିଁଲା ସେ ।

 

ହାଫ୍‍ଟାଇମ୍‍ରେ ସେ ଉଠି ବାହାରକୁ ଯାଇଥିଲା । ତେଣୁ ଫେରି ନିଜ ସିଟ୍‍ଉପରେ ବସିବାକୁ ଯାଉଛି ଆଗସିଟ୍‍ର ତରୁଣୀ ଜଣକ ତା’ ଆଡ଼କୁ ମୁହଁ ବୁଲେଇଲେ । ହଠାତ୍ କିନ୍ତୁ ଲାଇଟ୍ ଅଫ୍ ହୋଇଗଲା । ସୁଧାଂଶୁ ମୁହଁଟାକୁ ଭଲକରି ଚାହିଁ ପାରିନି । ତଥାପି ତାକୁ ମୁହଁଟା ଚିହ୍ନା ଚିହ୍ନା ଜଣାପଡ଼ିଲା । କିଏ ସେ ତରୁଣୀ ଜଣକ ସେଇଚିନ୍ତା ଭିତରେ ବୁଡ଼ି ରହିଲା ସେ ।

 

ତରୁଣୀ ଜଣଙ୍କ ପାଖରେ ବସିଥିବା ଭଦ୍ରଲୋକ ତୁନି କରି କହିଲେ–

 

–‘‘ଗୀତି, ସାଦାପାନ ନବ ।”

 

ଗୀତି ନାଁଟା ଶୁଣି ସୁଧାଂଶୁ ମନରେ ସନ୍ଦେହ ହୋଇଥିଲା । ସାଙ୍ଗେ ସାଙ୍ଗେ ଗୀତିର କଣ୍ଠସ୍ୱରବି ତା’ ସନ୍ଦେହ ମୋଚନ କଲା ।

 

–‘‘ନା ମୁଁ ପାନ ଖାଏନି ।”

 

ଅତି ପରିଚିତ କଣ୍ଠସ୍ୱର ସେ ସୁଧାଂଶୁର । ଗୀତି ଯେ ଆଜି ଅନ୍ୟ କାହା ସହିତ ସିନେମା ଆସିଛି ସେ କଥା ବୁଝିବାକୁ ବାକି ରହିଲାନି ତା’ର । ଅଥଚ ହଷ୍ଟେଲ୍‍ରେ କହିଦେଇ ଆସିଚି ପାରୁଲ୍‍ଦି’ଙ୍କ ଘରକୁ ଯାଉଚି ବୋଲି ।

 

ସୁଧାଂଶୁର ମୁଣ୍ତ ଘୂରିଗଲା । ଆଖିକୁ ଝାପ୍‍ସା ଦିଶିଲା । ପରଦା ଉପରର ଛବିଗୁଡ଼ା ତାକୁ ଆଉ କିଛି ଦିଶିଲାନି । ସେ କ’ଣ କରିବ କିଛି ଠିକ୍ କରିପାରିଲାନି । ତା’ର ଇଚ୍ଛା ହେଲା ଗୀତିର ଲମ୍ବା ବେଣୀଟାକୁ ଧରି ଘୋଷାଡ଼ି ଘୋଷାଡ଼ି ଏଠୁ ବାହାର କରିନେବ । ତାକୁ ମନ ଇଚ୍ଛା ପ୍ରହାର କରିବ ତଳେଯାଇ । ତେବେ ଅବା ତା’ ମନର କ୍ରୋଧ କମିଯିବ ।

 

ସେଠି ଆଉ ତାକୁ ବସିବାକୁ ଭଲ ଲାଗିଲାନି । ବାହାରକୁ ବାହାରି ଆସିଲା ସେ । ବାହାରେ ଆସି ହଲ୍‍ରେ ପୋର୍ଟିକୋ ଭିତରେ ଅପେକ୍ଷା କଲା । ତା’ର ଆଗ୍ରହ ହେଲା ସେମାନଙ୍କୁ ଲକ୍ଷ୍ୟ କରିବା । ଏଠୁ ବାହାରି ସେମାନେ କେଉଁଠିକୁ ଯିବେ କେବଳ ସେତିକି ଜାଣିବାକୁ ସେ ଅପେକ୍ଷାକରି ରହିଲା । ଗୋଟିଏ ମିନିଟ ତାକୁ ସେତେବେଳେ ଘଣ୍ଟାଏ ଭଳି ଲାଗୁଥାଏ । ବାରମ୍ବାର ହାତଘଡ଼ିକୁ ଚାହୁଁଥାଏ ସେ । ନଅଟା ବାଜିବାକୁ ଆହୁରି କୋଡ଼ିଏ ମିନିଟ ବାକି ଅଛି । ତା’ର ଧୈର୍ଯ୍ୟ ସରିଆସୁଛି ।

 

ହଠାତ୍ ସେ ଦେଖିଲା ବାଲ୍‍କୋନି ସିଡ଼ି ଉପରେ ଗୀତି ଆସୁଛି । ଅନ୍ଧାର ଭିତରେ ଆତ୍ମଗୋପନ କରି ଲକ୍ଷ୍ୟକଲା ସୁଧାଂଶୁ । ସାଙ୍ଗରେ ତା’ର ଶୁଭକାନ୍ତ । ତାକୁ ସେ ଭଲକରି ଚିହ୍ନିଛି-। କଲେଜରେ ସେ ବହୁ କୁମାରୀଙ୍କର ସର୍ବନାଶ କରିଥିବାର ସୁନାମ ତା’ର ଅଛି । ବି.ଏ.ରେ ତିନିଥର ଫେଲ୍ ହେବାପରେ ସେ ପଢ଼ା ଛାଡ଼ିଦେଇଛି । ଗୀତି ତା’ର ପାଲରେ ପଡ଼ିଛି । ଆଶ୍ଚର୍ଯ୍ୟ ହେଲା ସୁଧାଂଶୁ । ଗୀତିର ତା’ର ପ୍ରଥମ ପରିଚୟ ହେଲା କିପରି ? ଶୁଭ ଭଳି ପିଲା ପାଖରେ ସବୁ ସମ୍ଭବ ।

 

ସୁଧାଂଶୁର ସମସ୍ତ ଚିନ୍ତାରେ ବାଧାଦେଇ ତା’ ଆଗବାଟେ ଗୀତି ଆଉ ଶୁଭ ଚାଲିଗଲେ-। ଗୋଟେ ରିକ୍ସା ଉପରେ ଗୀତି ଯାଇ ବସିବା ପରେ ଶୁଭ ଉଠି ବସିଥିଲା । ସୁଧାଂଶୁ ଆଉ କିଛି ଦେଖିପାରିଲାନି । ହଠାତ୍ ତା’ ମୁଣ୍ତ ଘୂରିଗଲା । ଲଥ୍‍କରି ତଳେ ବସିପଡ଼ିଲା ସେ ।

 

ସିନେମା ଭାଙ୍ଗିଲା । ଲୋକ ଗହଳି ଆଉ ପାଟିତୁଣ୍ତରେ ସିନେମା ଆଗ ମୁଖରିତ ହୋଇ ଉଠିଲା । ସୁଧାଂଶୁର ଜ୍ଞାନୋଦୟ ହେଲା ସେତେବେଳେ । ଖଣ୍ତେ ରିକ୍ସା ଉପରକୁ ଥରି ଥରି ଉଠି ଯାଇଥିଲା ସେ । ଅସ୍ପଷ୍ଟ କଣ୍ଠରେ କହିଥିଲା–‘କାଠଗଡ଼ା ସାହି ।’

 

ଘରେ ପହଞ୍ଚି ସୁଧାଂଶୁ ନିଜ ଖଟଉପରେ ଲମ୍ବ ହୋଇ ଶୋଇ ଯାଇଥିଲା । ଗୀତି ସମ୍ପର୍କରେ କୌଣସି ଚିନ୍ତା କରିବାକୁ ତା’ ମୁଣ୍ତରେ ଆଉ ଶକ୍ତି ନଥିଲା । ଖୁବ୍ ବଡ଼ପାଟିକରି କାନ୍ଦିବାକୁ ଇଚ୍ଛା ହେଲା ତା’ର । ଜୀବନରେ ଏତେ ବଡ଼ ଧକ୍କା ସେ କେବେ ପାଇନି । ସମଗ୍ର ନାରୀ ଜାତି ବିରୁଦ୍ଧରେ ତା’ର ଅବିଶ୍ୱାସ ଆସିଲା–ସରନୂଆବୋଉ କଥା ତା’ର ମନେ ପଡ଼ିଲା–ନିଜେ ତ ଯୋଉ ସତୀ । ସେଥିରେ ସେ ପୁଣି ସାର୍ଟିଫିକେଟ୍ ଦେଇଥିଲେ–‘‘ଗୀତି ଋଷିକୁମାରୀ ।’’ ହୋହୋ ହୋଇ ହସି ଉଠିଲା ସୁଧାଂଶୁ । ଶୋଇବା ଜାଗାରୁ ଉଠି ବସିଲା ସେ । ପୁଣି ବସିବା ଜାଗାରୁ ଉଠି ପଡ଼ି ଘରଯାକ ପଦଚାରଣ କରିବାକୁ ଲାଗିଲା ।

 

ଟେବୁଲ ଉପରେ ଦୃଷ୍ଟି ପଡ଼ିଲା ତା’ର । ଖରାବେଳର ଲେଖା ଚିଠି ଦିଖଣ୍ତ ଟେବୁଲ ଉପରେ ଥୁଆ ହୋଇଛି । ପ୍ରବଳ ଉତ୍ତେଜନାରେ ଚିଠି ଦିଖଣ୍ତ ଚିରି ଟିକିଟିକି କରି ଫିଙ୍ଗିଦେଲା ସେ-। ଟେବୁଲ ଡ୍ରରୁ ସିଗାରେଟ ପ୍ୟାକେଟ୍ ଆଉ ଡିଆସିଲି ସେ କାଢ଼ିଲା । ଗୀତି ମନାକଲା ଦିନଠୁ ସିଗାରେଟ ସେ ଆଉ ଖାଇନି । କେବଳ ବନ୍ଧୁବାନ୍ଧବଙ୍କ ଉଦ୍ଦେଶ୍ୟରେ ପ୍ୟାକେଟ୍‍ଟାଏ ଥୁଆ ହୋଇଥାଏ । ବସି ବସି ସବୁଯାକ ସିଗାରେଟ ସେ ଟାଣି ଦେଲା । ସିଗାରେଟ ଧୂଆଁରେ ଘରଟା ଭର୍ତ୍ତି ହୋଇଗଲାଣି । ସେଥିପ୍ରତି ତା’ର ଦୃଷ୍ଟି ନାହିଁ ।

 

ଅତି ବେଶି ସିଗାରେଟ ଟାଣିଦେବା ଫଳରେ ତା’ ମୁଣ୍ତ ବୁଲେଇଗଲା । ଖଟ ଉପରେ ପଡ଼ିଗଲା ସେ । ତା’ରି ଭିତରେ ତାକୁ ନିଦ ଆସି ଯାଇଥିଲା ।

 

ପରଦିନ ସକାଳୁ ସୁଧାଂଶୁ ତା’ ବୋଉଙ୍କ ପାଖକୁ ଚିଠି ଲେଖିଲା–ମୁଁ କାଲି ଡାକ୍ତର ଦାଶଙ୍କ ଘରକୁ ଯାଇଥିଲି । ମୋର ଆଉ କୌଣସି ଆପତ୍ତି ନାହିଁ । ଏଥର ବିଭାଘର ପାଇଁ ମୁଁ ନାହିଁ କରିବି ନାହିଁ ।

 

ଚିଠି ଖଣ୍ଡ ଲଫାଫାରେ ଭର୍ତ୍ତି କରି ଦେଇ ନଟ ହାତରେ ପକେଇବାକୁ ପଠେଇ ଦେଲା-। ପୂର୍ବଦିନର ଅପରାଧ ପାଇଁ କଳ୍ପନାଙ୍କ ପାଖରେ କ୍ଷମା ମାଗିବାପାଇଁ ଇଚ୍ଛା ହୋଇଥିଲା ତା’ର-। ଜଣେ ଭଦ୍ରଲୋକଙ୍କ ଘରୁ ଯେଉଁଭଳି ଭାବରେ ସେ ଲୁଚି ପଳେଇ ଆସିଛି ତାହା ନିହାତି ଅସୁନ୍ଦର ଆଉ ଅଭଦ୍ର ଆଚରଣ । ନିଜ ଭୁଲର ସଂଶୋଧନ ପାଇଁ ସେ କଳ୍ପନାଙ୍କ ଘରକୁ ଯିବାକୁ ସ୍ଥିର କରିଥିଲା ।

 

ଚଞ୍ଚଳ ମନରେ ସୁଧାଂଶୁ ନିଜର ନିତ୍ୟକର୍ମ ସାରିଥିଲା । ବାଛି ବାଛି ସବୁଠୁ ଭଲ ପଞ୍ଜାବିଟି ପିନ୍ଧିଥିଲା ସେ । ମଣିବନ୍ଧରେ ଘଣ୍ଟାଟି ବାନ୍ଧିସାରି ଦର୍ପଣ ପାଖରେ ନିଜ ମୁଣ୍ତଟାକୁ ବାଗେଇ ନେଉଛି ପଛପଟୁ ଗୀତିର କଣ୍ଠସ୍ୱର ଶୁଭିଲା । ଚମକିଉଠି ପଛକୁ ଚାହିଁଥିଲା ସୁଧାଂଶୁ-। ଭାରି ଶୁଖିଲା ଦିଶୁଛି ଗୀତି । କାଲିରାତିରେ ବୋଧହୁଏ ବହୁରାତି ପର୍ଯ୍ୟନ୍ତ ଶୁଭ ସହିତ ବୁଲିଛି-। ଘୃଣାରେ ମୁହଁ ଫେରାଇଲା ସୁଧାଂଶୁ ।

 

ଗୀତି ଆଖିରୁ ସୁଧାଂଶୁର ମନୋଭାବ ଲୁଚି ରହିଲାନି । ତା’ର ଏ ପରିବର୍ତ୍ତନରେ ଗୀତି ଆଶ୍ଚର୍ଯ୍ୟ ହେଲା । ଡରିଲା କଣ୍ଠରେ ସେ ପଚାରିଲା–

 

–‘‘କାଲି ତୁମେ ହଷ୍ଟେଲ୍‍କୁ ମତେ ଖୋଜିବାକୁ ଯାଇଥିଲ ।”

 

ସୁଧାଂଶୁ କିନ୍ତୁ ଗୀତି ସହିତ କୌଣସି କଥା କହିବାକୁ ଇଚ୍ଛା କରି ନଥିଲା ! ମୁହଁ ବୁଲେଇ ବସିରହିଲା ସେ ।

ଡରିଡ଼ରି ଗୀତି ଯାଇ ତା’ ପାଖରେ ଠିଆହେଲା ।

 

–‘‘ମୋ ଉପରେ ରାଗିଛ ?”

 

‘‘ତଥାପି ସୁଧାଂଶୁ ନୀରବ ।”

 

–‘‘କାଲି କାହିଁକି ହଷ୍ଟେଲ୍‍ ଯାଇଥିଲ ?”

 

ଗୀତିର ଉପସ୍ଥିତି ସୁଧାଂଶୁକୁ ବିଷମୟ ବୋଧ ହେଉଥିଲା । ସେ ଜାଣିଲା ନିଜେ କିଛି ନ କହିଲା ପର୍ଯ୍ୟନ୍ତ ଗୀତି ତାକୁ ଛାଡ଼ି ଯାଉନି । ବାଧ୍ୟହୋଇ ମୁହଁ ଖୋଲିଥିଲା ସେ ।

 

–‘‘ଗୋଟେ ଖବର ତୁମକୁ ଦେବାକୁ ।”

 

–‘‘କି ଖବର ?” କେତେ ରକମର ଆଶଙ୍କା ଗୀତିର ହୋଇଥିଲା ।

 

–‘‘ମୋ ବିଭାଘର ବାପା ଅନ୍ୟତ୍ର ଠିକ୍ କରି ସାରିଛନ୍ତି ।”

 

ହସିଥିଲା ଗୀତି । ସେ ଭାବିଲା ସୁଧାଂଶୁ ତା’ ସହିତ ଅଭିନୟ କରୁଛି । ତା’ ମନର ସବୁ ସନ୍ଦେହ ଦୂର ହୋଇଥିଲା । ହସି ହସି କହିଥିଲା ସେ–

 

–‘‘ଏଇଥିପାଇଁ ମୋ ସାଙ୍ଗରେ କଥାବି କହୁନ । ବାପାଙ୍କ କଥା ଅନୁସାରେ ତୁମର ଅନ୍ୟତ୍ର ବିଭାଘର ହେଲେ ମଧ୍ୟ ମୋ ସାଙ୍ଗରେ କଥା କହିଲେ କ’ଣ ପାପ ଲାଗିଯିବ ।”

 

–‘‘ହଁ, ହଁ ପାପ ଲାଗିଯିବ । (ଚିତ୍କାର କରି ଉଠିଥିଲା ସୁଧାଂଶୁ) । ବାପାଙ୍କ ଚିଠିର ଉତ୍ତର ମୁଁ ରାଜି ଅଛି ବୋଲି ଦେଇସାରିଛି । ତେଣୁ ତୁମର ଆଉ ମୋ ଘରେ ରହିବା ଅନୁଚିତ ଓ ଅସୁନ୍ଦର ମଧ୍ୟ ।”

 

ସୁଧାଂଶୁର ବ୍ୟବହାରରେ ଗୀତି ଆଶ୍ଚର୍ଯ୍ୟ ହେଲା । ତା’ର ଏ ପରିବର୍ତ୍ତନକୁ ସେ କେବେ କଳ୍ପନା କରି ନଥିଲା । ଭୟାବହ ମୃତ୍ୟୁକୁ ଆଖି ଆଗରେ ଦେଖି ଯେତିକି ବିଚଳିତ ହେବା କଥା ଗୀତି ତା’ଠୁ ବେଶି ଭୟଭୀତ ହୋଇ ପଡ଼ିଥିଲା । ସୁଧାଂଶୁର ହାତ ଧରି ସେ ମିନତିଭରା କଣ୍ଠରେ କହିଲା–

 

–‘‘ମୋ ମୁହଁକୁ ଟିକିଏ ଚାହଁ, ସତ କହ ମତେ !”

 

ସୁଧାଂଶୁ ‘‘ଧେତ୍” କହି ଗୀତିର ହାତ ଛିଞ୍ଚାଡ଼ିଦେଇ ବସିଲା ଜାଗାରୁ ଉଠି ଯାଇଥିଲା । ସେ ପରିସ୍ଥିତିରେ ଗୀତି କ’ଣ କରିବ କିଛି ସ୍ଥିର କରିପାରିଲାନି । ଆଖି ଫଟେଇ ତା’ର ଅବିଶ୍ରାନ୍ତ ଲୁହଧାରା ବୋହିବାକୁ ଲାଗିଲା । ତାକୁ ଚାରିଆଡ଼ ଅନ୍ଧାର ଦିଶିଲା । ମୁଣ୍ତ ଘୂରିଗଲା ଭଳି ଲାଗିଲା-। ଲଥ୍‍କରି ତଳେ ସେମିତି ସେ ବସିପଡ଼ିଲା । ସେଠି ମଧ୍ୟ ତା’ର ନିସ୍ତାର ନାହିଁ ଘରର କାନ୍ଥଗୁଡ଼ାକ ତା’ ଚାରିପାଖରେ ବୁଲିଲାଭଳି ଜଣାଗଲା ତାକୁ । ତା’ରି ଭିତରେ ସେ ସୁଧାଂଶୁର ତୀବ୍ର କଣ୍ଠସ୍ୱର ପୁଣି ଶୁଣିଥିଲା–

 

“ବର୍ତ୍ତମାନ କନ୍ୟାପକ୍ଷର ଲୋକମାନେ ଏଠିକି ଆସିବା କଥା । ତେଣୁ ତୁମେ ଏଠି ରହିବା କଦାପି ସୁନ୍ଦର ନୁହେଁ । ତା’ପୂର୍ବରୁ ଚାଲିଗଲେ ଭଲ ହେବ ।”

 

ମୁଣ୍ତ ଟେକି ଚାହିଁଥିଲା ଗୀତି । ଗତ ଦି’ବର୍ଷ ଭିତରେ ଯାହାକୁ ସେ ଦେବତା ବୋଲି ଭାବିଥିଲା ସେହି ତା’ ଆଗରେ । ଲୁହଗୁଡ଼ା ଲେସି ହୋଇ ଯାଇଥିବାରୁ ତାଙ୍କ ମୁହଁଟା ସ୍ପଷ୍ଟ ଦିଶୁନି । ଯେ ଦିନେ ଗୀତିର ଉପସ୍ଥିତିକୁ ଅମୃତମୟ ମଣୁଥିଲେ, ସେ ତାକୁ ଆଜି ଘରୁ ତଡ଼ି ଦେଉଛନ୍ତି । ବସିଲା ଜାଗାରୁ ବଳ ସଂଗ୍ରହ କରି ଠିଆ ହେଲା ଗୀତି । ହାତ ଉଠେଇ ସୁଧାଂଶୁକୁ ନମସ୍କାର ସେ କରିଥିଲା । ତା’ପରେ ଥରିଲା ପାଦରେ ସେ ଘରୁ ଚାଲିଯାଇଥିଲା ।

 

ଗୀତି ଗଲାପରେ ସୁଧାଂଶୁର ଆଉ କଳ୍ପନାଙ୍କ ଘରକୁ ଯିବାକୁ ଇଚ୍ଛା ହେଲାନି । ପଞ୍ଜାବିଟା କାଢ଼ି ଆଲଣା ଉପରକୁ ଫୋପାଡ଼ି ଦେଇ ନିଜେ ଖଟ ଉପରେ ପଡ଼ିଯାଇଥିଲା ।

 

ହଷ୍ଟେଲ୍‍ ପର୍ଯ୍ୟନ୍ତ କିମିତି ଆସିଛି ଗୀତି ସେ କଥା ଜାଣିପାରିନି । ହଷ୍ଟେଲ୍‍ରେ ପହଞ୍ଚି ନିଜ ଖଟ ଉପରେ ଶୋଇପଡ଼ିଲା ସେ । ସୁଧାଂଶୁର ବ୍ୟବହାର ସମ୍ପର୍କରେ କୌଣସି କଥା ଚିନ୍ତା କରିବାକୁ ଶକ୍ତି ସେତେବେଳେ ସେ ହରେଇ ସାରିଥିଲା । ଶୂନ୍ୟକୁ ଚାହିଁ କେବଳ ଶୋଇ ରହିଥାଏ । ଅବିରତ ଭାବରେ ଆଖିରୁ ଲୁହଧାରା ବୋହି ଚାଲିଥାଏ ।

 

ଅନେକକ୍ଷଣ କାନ୍ଦିଲା ପରେ ମନରେ ଶକ୍ତି ସଂଗ୍ରହ କରିଥିଲା ଗୀତି । ନିଜେ ଉଠି ବିଛଣାପତ୍ର ସଜାଡ଼ିଥିଲା । ଅଫିସ୍‍କୁ ଯାଇ ନିଜର ସମସ୍ତ ଦେୟ ଦେଇ ଆସିଥିଲା । ଆସିଲାବେଳେ ଲୁହଧୁଆ ଆଖିରେ ସମସ୍ତଙ୍କ ପାଖରୁ ବିଦାୟ ନେଇଥିଲା । ତା’ପରେ ସେ ରିକ୍ସା ଖଣ୍ତେ ଧରି ଷ୍ଟେସନ୍‍ ଉଦ୍ଦେଶ୍ୟରେ ଯାଇଥିଲା ।

 

ବିପଦ ପଡ଼ିଲେ ମଣିଷ ସାହସୀ ହୁଏ । ଯେଉଁ ଗୀତି ଦିନେ ଏକୁଟିଆ ଟ୍ରେନ୍‍ରୁ ଓହ୍ଲେଇ ପାରି ନଥିଲା, ଆଜି ଏକା ଷ୍ଟେସନ୍‍ ଯାଇ ଟିକେଟ କରି ଗାଡ଼ିରେ ଉଠିଥିଲା । ହରିଦାସପୁରଠାରୁ ଶଗଡ଼ ଖଣ୍ତେ କରି ଘରେ ଯାଇ ପହଞ୍ଚିଲା ।

 

ତାକୁ ଏଭଳି ଅପ୍ରତ୍ୟାଶିତ ଭାବରେ ଏବଂ ଏକା ଆସିବାର ଦେଖି ଗୀତିର ବାପାବୋଉ ଆଶ୍ଚର୍ଯ୍ୟ ହୋଇଥିଲେ । ସେ କିନ୍ତୁ କାହାକୁ କିଛି ନକହି ଗମ୍ଭୀର ରହୁଥାଏ । କେବଳ ତା’ ବୋଉଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲା–

 

–‘‘ପରୀକ୍ଷା ସରିଲାରୁ ତୋ କଥା ମନେ ପଡ଼ିଲା । ପଳେଇ ଆସିଲି ।”

 

ବୋଉ ତା’ର ପଚାରିଥିଲେ–

 

–‘‘ସୁଧାଂଶୁକୁ କହିକରି ଆସିନୁ ?”

 

–‘‘ତାଙ୍କୁ କହିଥିଲେ ସେ କ’ଣ ଛାଡ଼ିଥାନ୍ତେ ?” କହି ଗୀତି ନିଜ ଶୋଇବା ଘରକୁ ଚାଲିଯାଇଥିଲା ।

 

ସୁଧାଂଶୁ ଚିଠି ଦେବାର ପରଦିନ ସନ୍ଧ୍ୟାରେ ଘରଠାରୁ ବାପା ବୋଉ ଆଉ ମିନି ପ୍ରଭୃତି ଆସି ପହଞ୍ଚିଲେ । ସେ ଯେମିତି ଆଗରୁ ପ୍ରସ୍ତୁତ ହୋଇ ବସିଥିଲେ । କେବଳ ସୁଧାଂଶୁର ଚିଠିକୁ ସେ ଅପେକ୍ଷା କରିଥିଲେ । ସୁଧାଂଶୁର କଟକ ଘର ଖଣ୍ତିକ ମୁଖରିତ ହୋଇ ଉଠିଲା । ଜୀବନର ଅଧିକାଂଶ ସମୟ ସୁମିତ୍ରାଦେବୀ ସେହି ଘରେ ତାଙ୍କ ସ୍ୱାମୀଙ୍କ ସହିତ ଅତିବାହିତ କରିଥିଲେ । ତାଙ୍କ ଉପସ୍ଥିତିରେ ତାଙ୍କର ସାହିପଡ଼ିଶାର ବହୁତ ଆତ୍ମୀୟ ଆସି ଗହଳି କରିଥିଲେ ।

 

ତା’ ପରଦିନ ଶଶାଙ୍କବାବୁ ଆସି ପହଞ୍ଚିଲେ । ବିଭାଘରର ଦିନ ପର୍ଯ୍ୟନ୍ତ ପ୍ରାୟ ସ୍ଥିର ହୋଇଗଲା । ବୈଶାଖର ପ୍ରଥମ ତିଥିରେ ବିଭାଘର ହେବ । ଶଶାଙ୍କବାବୁ ପ୍ରସ୍ତାବ ଦେଇଥିଲେ ଆପଣଙ୍କର ତ କଟକରେ ନିଜର ଘର ଏ । ଯାଜପୁରଠୁ କାହିଁକି ବର ବରଯାତ୍ରୀ ଧରି ଆସିବେ । ଏଠୁ ବିଭାଘର ସାରି ଫେରିଗଲେ ମନ୍ଦ କ’ଣ ହେବ ?

 

ତାଙ୍କରି କଥା ସ୍ଥିର ହୋଇଥିଲା । ବିଭାଘର କଟକରେ ହେବ । ସପ୍ତମଙ୍ଗଳା ପରେ ଯାଇ ପଛେ ଭୋଜି ପ୍ରଭୃତି କରିବେ । କେବଳ ଆଉଥରେ ସୁଧାଂଶୁ ବାପା ଗାଁକୁ ଯାଇ ବନ୍ଧୁବାନ୍ଧବ ନିମନ୍ତ୍ରଣ କରି ଫେରିବେ ।

 

ସମସ୍ତ ବ୍ୟବସ୍ଥା ସରିଲାପରେ ସୁମିତ୍ରା ଦେବୀ ବିଭାଘର ଆୟୋଜନରେ ଲାଗିଗଲେ । ଗୋଟିଏ ବୋଲି ପୁଅ । ଦାଣ୍ତକୁ ସୁନ୍ଦର ଦିଶିଲାଭଳି ବିଭାଘର ହେବା ଉଚିତ । ତାଙ୍କ ଗୋଡ଼ ତଳେ ଲାଗୁ ନଥାଏ । ଅନେକ ସମୟରେ ସ୍ୱାମୀଙ୍କ ସହିତ ତୁଚ୍ଛା କଥାଟାରେ କଳିକରି ବସନ୍ତି ସେ । ଅମୁକଟା ହବନାହିଁ ଅମୁକଟା ହବ । ବ୍ୟାଣ୍ତ୍ ପାର୍ଟି ଆସିଲେବି ତେଲିଙ୍ଗି ବାଜା ଆସିବ ଇତ୍ୟାଦି ସବୁ କଥା ସେ ଦେଖୁଥାନ୍ତି ।

 

ବିଭାଘର ଯେତିକି ନିକଟେଇ ଆସୁଥାଏ ଘରର କୋଳାହଳ ସେତିକି ବଢ଼ୁଥାଏ । ଘରଟା ଯେମିତି ନୂଆ ଜୀବନ ପାଇଲାଭଳି ଲାଗୁଥାଏ । ଏ ସବୁଥିରେ କିନ୍ତୁ ସୁଧାଂଶୁ ଅନ୍ୟମନସ୍କ ରହୁଥାଏ । ବିଶେଷକରି କାହାସହିତ ସେ ମିଶୁ ନଥାଏ । ମିନି ଥରେ ଦି’ଥର ତା’ର ଏ ଢଙ୍ଗ ଲକ୍ଷ୍ୟ କରି ପଚାରିଥିଲା । ଉତ୍ତରରେ ଭାଇନାର ଭୁରୁଙ୍ଗା ମୁହଁ ଆଉ ନାଲି ନାଲି ଆଖିଦେଖି ତା’ର ବିଶେଷ କିଛି ପଚାରିବାକୁ ସାହସ ହେଲାନି । ଗୀତି କଥା ପଚାରିବ ପଚାରିବ ହୋଇ ସେ ଆଉ କିଛି ପଚାରିପାରୁ ନଥାଏ । ସୁଧାଂଶୁକୁ କେବଳ ଲକ୍ଷ୍ୟ କରୁଥାଏ ସେ । ସୁବିଧା ଦେଖି ଗୀତି କଥା ପଚାରିବ ବୋଲି ଠିକ୍ କରିଥାଏ ।

 

ବିଭାଘର ଆଉ ଅଳ୍ପଦିନ ଅଛି । ସୁଧାଂଶୁ ଡାକରେ ଗୀତି ପାଖରୁ ଖଣ୍ତେ ଚିଠି ପାଇଲା-। ଉପର ଠିକଣାରୁ ଗୀତି ଅକ୍ଷର ଚିହ୍ନିପାରି ଚିଠି ଖଣ୍ତିକ ପଢ଼ିବ କି ନାହିଁ ଚିନ୍ତା କରିଥିଲା-। ତଥାପି ତା’ର କୌତୂହଳ ହୋଇଥିଲା । ସେ ନିଜ ଶୋଇବା ଘରକୁ ଯାଇ ଭିତରୁ କବାଟ ବନ୍ଦକରି ଚିଠି ଖୋଲିଲା । ଏକ ଦୀର୍ଘ ଚିଠି ସେ । ଧୈର୍ଯ୍ୟ ଧରି ପଢ଼ା ଆରମ୍ଭ କଲା–

 

ସୁଧାଂଶୁବାବୁ,

 

ନମସ୍କାର ! ଜୀବନରେ ଆଉ ଆପଣଙ୍କ ସହିତ କୌଣସି ସମ୍ପର୍କ ମୋର ନ ରହିବାର ବ୍ୟବସ୍ଥା ଆପଣଙ୍କ ଆଡ଼ୁ ହୋଇଛି । କେବେ ଆଉ ଆପଣଙ୍କ ସହିତ ମୋର ସାକ୍ଷାତ ହେବ ସେ ବିଶ୍ୱାସ ମୋର ନାହିଁ । ଆପଣ ମୋ ଜୀବନରେ ବହୁ ଉପକାର କରିଛନ୍ତି । ସେଇଥିପାଇଁ ବିନମ୍ର କୃତଜ୍ଞତା ଜଣାଉଛି ।

 

ଯେଉଁ ସମାଜରେ ସ୍ତ୍ରୀ ସ୍ୱାମୀକୁ ଦେବତା ଭଳି ଜ୍ଞାନ କରେ ସେହିଭଳି ସମାଜ ଭିତରେ ମୋର ଜନ୍ମ । ସେହିଭଳି ଶିକ୍ଷାଦୀକ୍ଷା ଭିତରେ ମୁଁ ପିଲାଦିନୁ ବଢ଼ି ଆସିଥିଲି । କେବଳ ସ୍ୱାମୀ ନୁହେଁ ପ୍ରତ୍ୟେକ ପୁରୁଷଙ୍କୁ ଆମ ସମାଜର ନାରୀ ଭକ୍ତି କରନ୍ତି । ତାଙ୍କର ଶାସନ ବା ନିଷ୍ପତ୍ତିକୁ ମୁଣ୍ତପାତି ସହି ନିଅନ୍ତି; କିନ୍ତୁ ମୋ ଆଖିରୁ ସେ ଅନ୍ଧପୁଟୁଳି କେବଳ ଆପଣଙ୍କ ଦୟାରୁ ଖସି ପଡ଼ିଛି । ପୁରୁଷ ଜାତି କ’ଣ ତା’ ମୁଁ ବୁଝିପାରିଛି ଏବଂ ସେଇଥିପାଇଁ ମୁଁ ପ୍ରତିଜ୍ଞା କରି ସାରିଛି ସାରା ଜୀବନ ଅବିବାହିତ ରହିବି ।

 

ମୋ ଜାଣିଥିବା ପୁରୁଷଙ୍କ ଭିତରେ ଗୋଟିଏ ରାମଭାଇନା । ତାଙ୍କରି ଯୋଗୁଁ ସରନୂଆବୋଉ ଜୀବନରେ ଯେ କି ଦୁର୍ଗତି ହୋଇଥିଲା, ସେକଥା ଆପଣଙ୍କୁ କିଛି ଅଜଣା ନୁହେଁ । ଦ୍ୱିତୀୟରେ ଆପଣ ନିଜେ । ମୋ ସହିତ ଆପଣ ଯାହା ଛଳନା କରିଛନ୍ତି ଅନ୍ୟ କୌଣସି ପୁରୁଷ ବୋଧହୁଏ ଏତେ ପ୍ରତାରଣା ଅନ୍ୟ କାହା ପାଖରେ କରି ନଥିବ । ନାରୀ ଜୀବନର ଯେଉଁତକ ଗର୍ବ ଆଉ ଗୌରବ ସେତକ ଲୁଟି ନେବାକୁ ମୋଠୁ ଆପଣ ବହୁଚେଷ୍ଟା କରିଛନ୍ତି । କିନ୍ତୁ ମୋର ଶିକ୍ଷାଦୀକ୍ଷା ଆଉ ଧୈର୍ଯ୍ୟ ବଳରେ ଆପଣଙ୍କ ପାଖରୁ ବଞ୍ଚି ରହିଛି ମୁଁ ।

 

ଆଉ ଜଣେ ଆପଣଙ୍କ ଭଳି ନଷ୍ଟଚରିତ୍ର ଲୋକ ସମ୍ପର୍କରେ ମୁଁ ଆସିଥିଲି । ସେ ହେଉଛନ୍ତି ଶୁଭକାନ୍ତ । ତାଙ୍କ କଥା ଆପଣଙ୍କୁ କେବେ ମୁଁ କହିନାହିଁ । ପାରୁଲ୍‍ଦି’ଙ୍କ ଘରେ ତାଙ୍କୁ ମୁଁ ଅନେକଥର ଦେଖେ । ପାରୁଲ୍‍ଦି’ ତାଙ୍କୁ ଭଲପାନ୍ତି; ମୁଁ ବି ସେ କଥା ଜାଣେ । ମୋ ଶିକ୍ଷୟିତ୍ରୀଙ୍କର ବନ୍ଧୁହିସାବରେ ମୁଁ ତାଙ୍କୁ କେବେ କେମିତି ପାରୁଲ୍‍ଦି’ଙ୍କ ଘରେ ଦେଖା ହେଲେ ସମ୍ମାନ ମଧ୍ୟ କରେ; କିନ୍ତୁ ପୁରୁଷ ଜାତି ଲମ୍ପଟ । ତାଙ୍କ କୀର୍ତ୍ତି ଶୁଣି ରଖନ୍ତୁ ।

 

“ମୋର ପରୀକ୍ଷା ଶେଷଦିନ ପାରୁଲ୍‍ଦି’ ମତେ ତାଙ୍କ ଘରକୁ ଡାକି ନେଇଥିଲେ । ଆମେ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ଶୁଭବାବୁ ମଧ୍ୟ ଆସି ସେଠି ବସିଥିଲେ । ଚା’ ଜଳଖିଆ ପରେ ଶୁଭବାବୁ ପାରୁଲ୍‍ଦି’ଙ୍କୁ ସିନେମା ଯିବାପାଇଁ କହିଥିଲେ । ପାରୁଲ୍‍ଦି’ ମତେବି ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ । ମୁଁ ଯେତେ ନାହିଁ କଲେବି ସେ ମାନିଲେନି । ଶେଷକୁ ବାଧ୍ୟ ହୋଇ ଆମେ ତିନିଜଣଯାକ ସିନେମା ଯାଇଥିଲୁ; କିନ୍ତୁ ଖେଳ ଆରମ୍ଭ ହେବା ପୂର୍ବରୁ ପାରୁଲ୍‍ଦି’ ମତେ ଡାକି ବାହାରକୁ ଆଣି ଆସିଲେ । ସେଠି ମତେ ଯେଉଁ ଅସୁବିଧା କଥା କହିଥିଲେ ସେଥିରେ ମୁଁ କାହିଁକି ଅନ୍ୟ କେହିବି ତାଙ୍କୁ ସିନେମା ଦେଖିବାକୁ ଅଟକେଇ ନଥାନ୍ତା । ଶୁଭକାନ୍ତ ଆମ ପଛେ ପଛେ ଉଠିଆସି ଆମପାଖରେ ଠିଆହେଲେ । ତାଙ୍କର ସେ ଅଶ୍ଳୀଳ ଚାହାଣିକୁ ଦେଖି ମତେ ଭାରି ଖରାପଲାଗିଲା । ମୁଁ ବି ପାରୁଲ୍‍ଦି’ଙ୍କ ସାଙ୍ଗରେ ଚାଲି ଆସିବାକୁ ବସିଲି । ପାରୁଲ୍‍ଦି’ କିନ୍ତୁ ମତେ ବହୁତ ବୁଝେଇଲେ । ଶୁଭବାବୁ ମନକଷ୍ଟ କରିବେ, ପଇସାଗୁଡ଼ା ନଷ୍ଟ ହେବ । ମାତ୍ର ଦି’ଘଣ୍ଟା ବସି ଚାଲିଯିବ କହି ମତେ ବାଧ୍ୟ କରିଥିଲେ ରହିବାକୁ । ମୁଁ ତାଙ୍କ ଅନୁରୋଧ ରଖି ମୋ ଚୌକିକୁ ଫେରି ଆସିଥିଲି ।

 

ହାଫ୍‍ଟାଇମ୍‍ରେ ଶୁଭକାନ୍ତ ନିଜ ଜାଗା ଛାଡ଼ି ପାରୁଲ୍‍ଦି’ଙ୍କ ସିଟ୍‍ରେ ବସିଲେ । ମୋର ସେତିକିବେଳଠୁ ତାଙ୍କପ୍ରତି ଖରାପ ଧାରଣା ହୋଇଥିଲା; ମାତ୍ର କେତେମିନିଟ ଭିତରେ ସେ ଧାରଣା ମୋର ତାଙ୍କ ବ୍ୟବହାରରେ ଦୃଢ଼ ହେଲା । ମତେ ସେଠି ଆଉ ବସିବାକୁବି ଖରାପ ଲାଗିଲା । ସେଠୁ ମୁଁ ଉଠି ଆସିଥିଲି ବାହାରକୁ । ସେ ବି ମୋ ପଛେ ପଛେ ଉଠି ଆସିଥିବା କଥା ମୁଁ ଜାଣିଛି । ତରତର ହୋଇ ମୁଁ ଗୋଟେ ଖାଲିରିକ୍ସା ଡାକି ତା’ ଉପରେ ବସିଛି ସେ ଆସି ସେହିଥିରେ ବସିଗଲେ । ରିକ୍ସା ଚାଲିଲା । ମୁଁ ଆଉ ସିନେମା ଆଗଟାରେ ଶହ ଶହ ଲୋକଙ୍କ ଆଗରେ ତାଙ୍କୁ କିଛି କହି ନିଜ ଇଜ୍ଜତ ପଦାରେ ପକେଇବାକୁ ଭଲ ମନେକରି ନଥିଲି । ବାଧ୍ୟହୋଇ ଚୁପ୍ ହୋଇ ବସିଥାଏ; କିନ୍ତୁ ମତେ ବେଶି ସମୟ ସେ ଚୁପ୍ ହୋଇ ବସିବାକୁ ଦେଲେନି । ମୋ ହାତଟାକୁ ଧରି ପକେଇ ମୋର ସ୍ତୁତିଗାନ ଆରମ୍ଭ କରିଦେଲେ ।

 

“ମୁଁ ସେତେବେଳେ ଏଭଳି ଉତ୍ତେଜିତ ହୋଇପଡ଼ିଲି ଯେ କ’ଣ ମୁଁ କରୁଛି ସେକଥା ଜାଣିପାରିଲିନି । ହାତଟା ତାଙ୍କଠୁ ଜୋର କରି ଟାଣିଆଣି ରିକ୍ସା ଉପରୁ ତଳକୁ ଡେଇଁପଡ଼ିଲି । ଭାଗ୍ୟକୁ ସେତେବେଳକୁ ଆଗରେ ଭିଡ଼ଥିବାରୁ ଆମ ରିକ୍ସାଟା ଠିଆହୋଇଥାଏ । ତା’ପରେ ଆଉଗୋଟେ ଖାଲି ରିକ୍ସାରେ ଉଠି ହଷ୍ଟେଲ୍‍ ଚାଲି ଆସିଥିଲି ।

 

“ମୋର କିନ୍ତୁ ତାଙ୍କ ବ୍ୟବହାର ବଡ଼ ଭୟହେଲା । ସେ ଯେଉଁଭଳି ଅଭଦ୍ରଲୋକ ମୋର କିଛିନା କିଛି ଅନିଷ୍ଟ କରିପାରନ୍ତି ଏହି ଆଶଙ୍କାରେ ସାରା ରାତି ମତେ ନିଦ ହୋଇନି । ସକାଳୁ ଉଠି ମୁଁ ଆପଣଙ୍କ ପାଖକୁ ସେହିକଥା କହିବାକୁ ଯାଇଥିଲି, କିନ୍ତୁ ସେଠି ଦେଖିଲି ଗୋଟେ ପଶୁର ଅତ୍ୟାଚାର ବିରୁଦ୍ଧରେ ମୁଁ ଆଉଗୋଟେ ପଶୁପାଖକୁ ଆପତ୍ତି କରିବାକୁ ଯାଇଛି ।

 

ସେ ଯାହାହେଉ, ଆପଣ ମୋର ଅଶେଷ ଉପକାର କରିଛନ୍ତି । ମୁଁ କେବଳ ଆପଣଙ୍କ ଦୟାରୁ ମାଟ୍ରିକ୍ ପାସ୍ କରିବାକୁ ଯାଉଚି । କିଛି ନହେଲେ ଗାଁ ସ୍କୁଲ୍‍ରେ ଶିକ୍ଷକତା କରି ମୋର ବାପାମା’ଙ୍କୁ ମୁଁ ସାହାଯ୍ୟ କରି ପାରିବି । ବାପାଙ୍କର ଯାହାକିଛି ସମ୍ବଳଥିଲା ସେ ବଡ଼ଲୋକ ଘରେ ବନ୍ଧୁ କରିବା ଆଶାରେ ମୋ ପାଠପଢ଼ାରେ ସାରିଛନ୍ତି । ଏଣିକି ଆପଣମାନଙ୍କ ବଜାରରେ ଯୌତୁକ ଦେଇ ନିଜ ଝିଅକୁ ବିଭାକରିବାଭଳି କ୍ଷମତା ତାଙ୍କର ଆଉ ନାହିଁ ।

 

ସୁଧାଂଶୁବାବୁ, ଆପଣଙ୍କର ବହୁମୂଲ୍ୟବାନ ସମୟ ନଷ୍ଟକଲି, କ୍ଷମାକରିବେ । ଦିନେ ଆପଣ ମୋର ସମସ୍ତ ଅନୁରୋଧ ରକ୍ଷା କରିଥିଲେ । ସେହି ଭରସାରେ ଲେଖୁଚି, ଯେଉଁ ଝିଅଟିକୁ ବିବାହପାଇଁ ଠିକ୍ କରିଛନ୍ତି ତା’ ସହିତ ଯେପରି ଆଉ ନ ଖେଳନ୍ତି । ଏତିକି ମୋର ଅନୁରୋଧ !

 

ଆପଣଙ୍କ ଘରେ ସେଦିନ ମୋପ୍ରତି କରିଥିବା ବ୍ୟବହାରକୁ ସ୍ମରଣ ରଖି ଆଉ ଆମ ଘରକୁ କେବେ ଆସିବେନି ବୋଲି ମୋର ବିଶ୍ୱାସ । ଚିଠି ମଧ୍ୟ ଆଉ ଦେବେନି । ଇତି ।

 

ଆପଣଙ୍କର

ଏକଦା ପରିଚିତା

ଗୀତି

 

ଚିଠି ଖଣ୍ତି ସମ୍ପୂର୍ଣ୍ଣ ପଢ଼ିସାରିଲାବେଳକୁ ସୁଧାଂଶୁର ମୁଣ୍ତରେ ଆଉ କିଛି ନଥିଲା । ସେ କ’ଣ କରିବ କିଛି ସ୍ଥିର କରିପାରିଲାନି । ତା’ର ସାମାନ୍ୟ ଭୁଲବୁଝାମଣା ଯୋଗୁଁ ସେ ଯେ କେତେବଡ଼ ସର୍ବନାଶ ତା’ର କରି ବସିଛି ସେ କଥା ଚିନ୍ତାକରି ତା’ ମୁଣ୍ତ ଘୂରିବାକୁ ଲାଗିଲା । ‘‘ମୁଁ କ’ଣ କଲି । କ’ଣ ହୋଇଗଲା” ଏହି ଦିପଦକୁ ବାରମ୍ବାର ବସି କହିହେଲା ସେ । ତାକୁ ଆଉ କିଛି ବୁଦ୍ଧି ଦିଶିଲାନି ।

 

ଚେୟାର ଉପରୁ ଉଠିଯାଇ ସେ ଖଟଉପରେ ଶୋଇପଡ଼ିଲା । ଗୀତି ସମ୍ପର୍କରେ ଥିବା ତା’ର ଖରାପ ଧାରଣା ଘୁଞ୍ଚିଯିବାରୁ ଗୀତିର ସରଳ ଢଳଢ଼ଳ ମୁହଁଟି ତା’ ଆଖିଆଗରେ ଭାସିଉଠିଲା-। ତା’ ସଙ୍ଗେ ସଙ୍ଗେ ସେ ଯେଉଁଦିନ ଗୀତି ପ୍ରତି ଦୁର୍ବ୍ୟବହାର କରିଥିଲା ସେଦିନର ଗୀତିର ମୁହଁ ମନେପଡ଼ିଲା ତା’ର । ଗୀତିର ସେ ବିକଳ ଅବସ୍ଥା ମନେପଡ଼ି ତା’ର ଛାତି ଫାଟିଗଲା ଭଳି ଲାଗିଲା-। ଗୀତିର ପ୍ରତ୍ୟେକ ବ୍ୟବହାର ମନେପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗକଲା ସେ ।

 

ଯେତେଯୁଆଡ଼ୁ ଚିନ୍ତାକଲେବି ଗୀତି ସହିତ ତା’ର ଏ ଜନ୍ମରେ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଭାବିଲାବେଳକୁ ତାକୁ ଚାରିଆଡ଼ ଅନ୍ଧାର ଦିଶିଲା । ଆଉ କୌଣସି ଉପାୟ ନାହିଁ । ଲେଡ଼ିଗୁଡ଼ କହୁଣୀକୁ ବୋହି ଯାଇଛି । ନିଜ କବର ନିଜ ହାତରେ ସେ ଖୋଳି ସାରିଛି । ଗୀତି ଭଳି ରତ୍ନ ବଦଳରେ ସେ କଳ୍ପନାକୁ ବିଭାହେବାକୁ ମତ ଦେଇସାରିଛି । ଆଉ ଦଶ ଦିନ ମାତ୍ର ବିଭାଘର । କେଉଁ ଭରସାରେ ବା ସେ ଆଉ ବାପା ବୋଉଙ୍କୁ ଗୀତିକଥା କହିବ ? ଆଉ ବାପାବି ଡକ୍ଟରଦାଶଙ୍କ ଘରଛାଡ଼ି କାହିଁକି ଅଗଣୀ ତ୍ରିପାଠୀଙ୍କ ଘରେ ବନ୍ଧୁ କରିବାକୁ ରାଜିହେବେ ।

 

ଯଦି ସେ କୌଣସି ପ୍ରକାର ବାପାବୋଉଙ୍କୁ ରାଜି କରେଇପାରେ ଆଉ କେଉଁ ମୁହଁରେ ଗୀତି ପାଖକୁ ସେ ଯିବ ? ଗୀତି ଚିଠିର ଶେଷ ଦି’ଧାଡ଼ି ମନେପଡ଼ିଲା ତା’ର । ଚିଠିଖଣ୍ତେ ଦେବାକୁବି ସେ ମନାକରିଛି । ତା’ରି କୁକର୍ମରୁ ଗୀତି ଭଳି ଝିଅ ସାରା ଜୀବନ ଅବିବାହିତ ରହିବ । ବାପା ବୋଉ ତା’ର ଆଖି ବୁଜିଲାପରେ ତା’ର ଯେ କି ଦୁର୍ଗତି ହେବ ସେକଥା ସୁଧାଂଶୁ ସ୍ପଷ୍ଟ ଅନୁମାନ କରିପାରିଥିଲା; କିନ୍ତୁ ଏ ଦୁର୍ଗତି କାହାଯୋଗୁଁ ଗୀତିର । ତା’ର ଅପରାଧ ସେ ସୁଧାଂଶୁକୁ ଭଲପାଇଥିଲା । ସେଇଥିପାଇଁ ସାରା ଜୀବନ ସେ ହାହାକାର କରି ମରିବ । କାହିଁକି ତାକୁ ସେ କଟକ ଆଣିଥିଲା ? ବିଭାଘରପାଇଁ ପାଠପଢ଼ାର କ’ଣ ପ୍ରୟୋଜନ ଥିଲା ? ସେ ପ୍ରଲୋଭନ ଦେଖେଇ ନଥିଲେ ତ ଗୀତି ବର୍ତ୍ତମାନ ତା’ର ସଂସାର କରିସାରନ୍ତାଣି ।

 

ସୁଧାଂଶୁ ଦେଖିଲା ଗୀତି ସହିତ ସାକ୍ଷାତ ତ ଜୀବନରେ କେବେ ଆଉ ହବନି; ନିଜ ଅପରାଧପାଇଁ ଗୀତି ପାଖରୁ କ୍ଷମାବି ମିଳିବନି । ସେ ଏଣେ ନିଜର ନବବିବାହିତା ପତ୍ନୀକୁ ଧରି ମଧୁବାସର କଟେଇଲାବେଳେ ଗୀତି ସାହାରା ବାଲିରେ ପଡ଼ି ଛଟପଟ ହେବ । ଗୀତି ନିଃଶ୍ୱାସରେ ସେ ପୋଡ଼ିଯିବ । ଭସ୍ମ ହୋଇଯିବ ତା’ର ସବୁ କିଛି । ସେ ବଡ଼ପାଟିକରି କାନ୍ଦିଉଠିଲା–‘‘ମତେ କ୍ଷମାକର ଗୀତି–ମତେ କ୍ଷମାକର ।” ଥରେ ଦି’ଥର ସେ କହିଛି, ତା’ପରେ ତା’ର ଆଉ କିଛି ମନେନାହିଁ । ଅତ୍ୟଧିକ ଉତ୍ତେଜନାଫଳରେ ସେ ସଂଜ୍ଞା ହରେଇଥିଲା ।

 

ବନ୍ଧୁବାନ୍ଧବଙ୍କ ଗହଳି ଭିତରେ କେହି କାହାକୁ ଲକ୍ଷ୍ୟ କରିବାକୁ ସମୟ ନାହିଁ । ସୁଧାଂଶୁ ଚାରିଟାବେଳରୁ ସେ ଘରେ ଶୋଇଛି । ରାତି ଆଠଟାବେଳକୁ ସୁମିତ୍ରା ଦେବୀ ସେବାଟେ ଯାଉ ଯାଉ ସୁଧାଂଶୁ ଘରଉପରେ ଦୃଷ୍ଟି ପଡ଼ିଥିଲା । ସେ ମିନିକୁ ପଚାରିଲେ–

 

–‘‘ଆରେ ଏଘର ଅନ୍ଧାର କାହିଁକି ହୋଇଛି ? ବୁଢ଼ା ନାହିଁକି ଘରେ ।”

 

ମିନି କବାଟ ଠେଲି ଘରଭିତରେ ପଶିଥିଲା । ଦରାଣ୍ତି କରି ସୁଇଚ ଟିପିଥିଲା ସେ । ଖଟଉପରକୁ ଚାହିଁ ଚମକି ପଡ଼ିଥିଲା ମିନି । ସୁଧାଂଶୁ ସେଠି ଶୋଇଛି । ବୋଉକୁ ଡାକପକେଇଥିଲା ସେ ।

 

–‘‘ବୋଉ ! ଭାଇନା କାହିଁକି ଏତେବେଳେ ଶୋଇଛନ୍ତି ?”

 

ସୁମିତ୍ରାଦେବୀ ଘରକୁ ପଶିଆସିଥିଲେ । ସୁଧାଂଶୁ ଦେହରେ ହାତଦେଇ ସେ ଚିତ୍କାର କରିଉଠିଲେ । ସୁଧାଂଶୁକୁ ଭୀଷଣଜର ହୋଇଛି । ମିନି ଦେଖିଲା ସୁଧାଂଶୁ ହାତମୁଠାରେ କ’ଣ ଗୋଟେ କାଗଜ ଧରା ହୋଇଛି । ସମସ୍ତଙ୍କ ଅଲକ୍ଷ୍ୟରେ ସେଇଟିକୁ କାଢ଼ି ନେଇଥିଲା ସେ ।

 

ବିଭାଘର ଆନନ୍ଦ ଉତ୍ସବ ମୁହୂର୍ତ୍ତକରେ ବନ୍ଦ ହୋଇଯାଇଥିଲା । ସୁମିତ୍ରାଦେବୀ ମୁଣ୍ତପିଟି କାନ୍ଦିଉଠିଥିଲେ । ଭକ୍ତଚରଣବାବୁ ଡାକ୍ତର ଡକେଇଥିଲେ । ଡାକ୍ତରଙ୍କର ଦୀର୍ଘ ଦୁଇଘଣ୍ଟା ପରିଶ୍ରମ ପରେ ସୁଧାଂଶୁର ଚେତା ହୋଇଥିଲା । ସେ ଆଖି ଖୋଲି ଚାହିଁଥିଲା । ତା’ପରେ ନିଜ ବୋଉ ହାତକୁ ଧରି ବିକଳହୋଇ କାନ୍ଦିଉଠିଥିଲା । ତା’ପରେ ସେ ଆଉ କ’ଣ କହିଲା କିଛି ବୁଝି ହେଲାନି ।

 

ଡାକ୍ତର ବିଦାହୋଇଗଲେ । ସାରା ରାତି ମିନି, ସୁମିତ୍ରାଦେବୀ ଆଉ ଭକ୍ତବାବୁ (ସୁଧାଂଶୁବାପା) ସୁଧାଂଶୁର ଶଯ୍ୟାଧାରରେ ବସିରହିଥିଲେ । ସକାଳକୁ ଜରର ପ୍ରକୋପ କମିବା ପରିବର୍ତ୍ତେ ବେଶି ବଢ଼ିଲା । ଭକ୍ତବାବୁ କହିଥିଲେ, ଡାକ୍ତର ଶଶାଙ୍କବାବୁଙ୍କୁ ଖବରଦେବାକୁ । କିନ୍ତୁ ସୁମିତ୍ରାଦେବୀ ଚିତ୍କାର କରିଉଠିଲେ–

 

–‘‘ନା ତାଙ୍କ ସହିତ ସମସ୍ତ ସମ୍ପର୍କ ଛିଣ୍ତେଇ ଦିଅ । ସେ ଝିଅଟାର ଗ୍ରହ ଭଲନୁହେଁ । ଦେଖୁଚ ବିଭାଘର ନ ହେଉଣୁ ପୁଅ ମୋର କିଛି କୁଆଡ଼ୁ ନଥାଇ କ’ଣ ହେଉଛି ?”

 

ଭକ୍ତବାବୁଙ୍କର ଏ ସବୁଥିଲେ ବିଶ୍ୱାସ ନଥିଲେବି ପରିସ୍ଥିତି ଦୃଷ୍ଟିରୁ ସବୁ ମାନିଯିବାକୁ ବାଧ୍ୟହେଲେ ।

 

ସୁଧାଂଶୁର ଅସୁସ୍ଥତା ଖବର ପାଇ ଶଶାଙ୍କବାବୁ ଦୌଡ଼ି ଆସିଲେ । ସାଙ୍ଗରେ କଳ୍ପନା ମଧ୍ୟ ଆସିଥାଏ । ନିବିଷ୍ଟଭାବରେ ବହୁ ସମୟ ଶଶାଙ୍କବାବୁ ସୁଧାଂଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜଣେ ପ୍ରବୀଣ ଚିକିତ୍ସକ ହିସାବରେ ସହରରେ ତାଙ୍କର ସୁନାମ ଅଛି । କିନ୍ତୁ ସୁଧାଂଶୁର ଜ୍ୱରର ନିଦାନ କରିବାକୁ ତାଙ୍କୁ ବହୁ ସମୟ ଲାଗିଥିଲା ।

 

ଅବଶେଷରେ ସେ କହିଥିଲେ ‘‘ଏ ଧରଣର ଜ୍ୱର କେବଳ ମାନସିକ ଅଶାନ୍ତିରୁଇ ଆରମ୍ଭ ହୋଇଥାଏ । ଏ ଜ୍ୱରକୁ ଭଲ କରିବାକୁ ହେଲେ ଏହାର ମୌଳିକ କାରଣ ଖୋଜିବାକୁ ପଡ଼ିବ । କିଛି ନ କରିବି ଏ ଜର ଦୁଇ ଚାରିଦିନ ଭିତରେ କମିଯାଇପାରେ; କିନ୍ତୁ ପରେ ପରେ ମାନସିକବ୍ୟାଧି କିମ୍ବା ରକ୍ତଚାପ ଭଳି ମାରାତ୍ମକ ବ୍ୟାଧିର ଆରମ୍ଭ ହୋଇପାରେ ।

 

ସୁମିତ୍ରାଦେବୀ ଆଉ ଭକ୍ତବାବୁ ସୁଧାଂଶୁର ଜ୍ୱରରେ ଯେତିକି ବ୍ୟଥିତ ହୋଇଥିଲେ ଶଶାଙ୍କବାବୁଙ୍କ କଥାରେ ତା’ ଅପେକ୍ଷା ବେଶି ଭୟଭୀତ ହୋଇ ପଡ଼ିଲେ । ସୁମିତ୍ରାଦେବୀଙ୍କର ଆଖିରୁ ଅନବରତ ଲୁହଧାର ବହୁଥାଏ । ସେ ସୁଧାଂଶୁର ଶଯ୍ୟାଧାର ଛାଡ଼ି ଅନ୍ୟତ୍ର ଯାଉ ନଥାନ୍ତି ।

 

ଦିପହରକୁ ଜର ଟିକିଏ କମିଥିଲା; କିନ୍ତୁ ସୂର୍ଯ୍ୟାସ୍ତ ପରେପରେ ଜରର ପ୍ରକୋପ ପୁଣି ବଢ଼ିବାକୁ ଲାଗିଲା । ରାତି ଦଶଟାବେଳକୁ ପ୍ରଳାପଭଳି ସୁଧାଂଶୁ କ’ଣ ଗୁଡ଼େ କହିଲା । ସେଥିରୁ ସବୁ ବୁଝି ହେଉ ନଥାଏ । ଉତ୍କର୍ଣ୍ଣ ହୋଇ ଭକ୍ତବାବୁ ଆଉ ସୁମିତ୍ରା ଦେବୀ ତା’ ମୁହଁପାଖରେ କାନ ଡେରିଥାନ୍ତି । ସେ ତା’ର ଦୁର୍ବଳ ହାତଦି’ଟାକୁ ଟେକି ଖାଲି କହୁଥାଏ–

 

“ମତେ କ୍ଷମାକର ଗୀତି; ମତେ କ୍ଷମାକର ।” ତା’ପରେ ଆଉ ଅସ୍ପଷ୍ଟ ହୋଇଯାଉଥାଏ । ଆଶ୍ଚର୍ଯ୍ୟ ହୋଇ ସୁମିତ୍ରା ଦେବୀ ଚାହିଁଥିଲେ ଭକ୍ତବାବୁଙ୍କ ମୁହଁକୁ ।

 

ପାଖରେ ମିନି ଠିଆହୋଇଥାଏ । ସେ ଗୀତିର ଚିଠି ପଢ଼ିଛି । ଆଗରୁ ମଧ୍ୟ ସୁଧାଂଶୁଠାରୁ ଗୀତିକଥା ସବୁ ଜାଣିଛି । ଗୀତିଚିଠିରୁ ସୁଧାଂଶୁ ଆଉଗୀତି ଭିତରେ ହୋଇଥିବା ମତାନ୍ତରର ଗୋଟେ ସୂକ୍ଷ୍ମଧାରଣା ମନ ଭିତରେ ଆଙ୍କିଛି ସେ । ଭାଇନାର ଏ ଧରଣର ପ୍ରଳାପର ଅର୍ଥ ସେହି ଏକା ବୁଝୁଛି । ତା’ ଆଖିର ଲୁହ ବାଧା ମାନୁନି ସେଇଥିପାଇଁ ।

 

ସୁମିତ୍ରା ଦେବୀ ମୁହଁଟେକି ତା’ ଆଡ଼କୁ ଚାହିଁଲେ । ତାକୁ ପଚାରିଥିଲେ, ‘‘ତୁ କିଛି ଜାଣିଛୁ ମା’ ?” –କାନ୍ଦି କାନ୍ଦି ମିନି ସବୁ କହିଥିଲା । ତାଙ୍କ ଗାଁ ଠିକଣାଟାବି ମିନି ଯାହା ଜାଣିଛି ସେତିକି କହିଥିଲା ଓ ଗୀତି ଚିଠି ସମ୍ପର୍କରେ ସାମାନ୍ୟ ଧାରଣା ମଧ୍ୟ ସେ ଦେଇଥିଲା ।

 

ସୁଧାଂଶୁର ପ୍ରଳାପରେ ଭୟଭୀତ ହୋଇ ଭକ୍ତବାବୁ ଶଶାଙ୍କବାବୁଙ୍କୁ ଫୋନ କରିଥିଲେ । ସେବି ଠିକ୍ ସେତିକିବେଳେ ଆସି ପହଞ୍ଚିଥାନ୍ତି । ଦିନରୁ କଳ୍ପନା ଆସି ଆଉ ଘରକୁବି ଫେରି ନଥାନ୍ତି-

 

ସେ ଉଭୟଙ୍କ ଉପସ୍ଥିତିରେ ଏତେ ସହଜରେ ଗୀତି କଥା ସବୁ କହିବା ମିନିର ଅନୁଚିତ ନିଶ୍ଚୟ ହୋଇଥିଲା; କିନ୍ତୁ ପିଲାମନ ତା’ର ଭାଇନାର ଅସୁସ୍ଥତାରେ ଏଭଳି ବିଚଳିତ ହୋଇ ପଡ଼ିଥିଲା ଯେ କ’ଣ କେଉଁଠି କହିବା ଉଚିତ ସେତକ ଚିନ୍ତା କରିବାର ଶକ୍ତି ହରେଇସାରିଥିଲା ।

 

ମିନିକଥାରେ କଳ୍ପନାଙ୍କ ମୁହଁ ସାଦା କାଗଜ ଭଳି ଶେତା ପଡ଼ିଗଲା । ଶଶାଙ୍କବାବୁ ଗମ୍ଭୀର ହୋଇ ନିଜ ଚେୟାର ଛାଡ଼ି ଉଠିଯାଇଥିଲେ । ଗଲାବେଳେ ଆଖି କଣରେ ଭକ୍ତବାବୁଙ୍କୁ ଡାକିନେଲେ ।

 

ଦୁଇ ପ୍ରାଜ୍ଞଙ୍କର ବହୁସମୟ ଗୋପନ ଆଲୋଚନା ହୋଇଥିଲା । ଅବଶେଷରେ ସେମାନେ ନିଷ୍ପତ୍ତିକୁ ଆସିଥିଲେ, ‘ସୁଧାଂଶୁର ମଙ୍ଗଳପାଇଁ ବାଧ୍ୟହୋଇ ଗୀତିକୁ ଆଣିବାକୁ ପଡ଼ିବ । ନଚେତ୍ ସୁଧାଂଶୁର ଜୀବନ ସଙ୍କଟମୟ ହେବ ।’

 

ଶଶାଙ୍କବାବୁ ଚେୟାରରୁ ଉଠୁ ଉଠୁ ଦୁଃଖରେ କହିଥିଲେ–‘‘ଏଥର ମୋ ଦାୟିତ୍ୱ ବଢ଼ିଲା-। କଳ୍ପନା ମୋର ଯଦି ଏ ଦୁଃଖରେ ଭାଙ୍ଗିପଡ଼େ ତା’ ମା’ର ଆତ୍ମା ପାଖରେ ମୋର ଆଉ କୌଣସି କୈଫିୟତ ରହିବନି । ତାଙ୍କ ଜୀବନର ଅନ୍ତିମ ଅନୁରୋଧ ଥିଲା କଳ୍ପନା ଆଖିରେ ଲୁହ ନଦେଖିବା-।”

 

ଏତକ କହିସାରିବାବେଳକୁ ଡାକ୍ତରବାବୁଙ୍କ ଆଖିକଣ ଓଦା ହୋଇ ସାରିଥିଲା ।

 

କଳ୍ପନା ଅନେକ ଆଗରୁ ଆସି ସେମାନଙ୍କ ଗୋପନ ପରାମର୍ଶ ଶୁଣୁଥିଲେ । ବାପାଙ୍କ ଶେଷକଥା କେଇ ପଦରେ ସେ ଆତ୍ମପ୍ରକାଶ କରି କହିଲେ–

 

–‘‘ଆପଣ ମୋପାଇଁ ଏତେ ବିବ୍ରତ ହୁଅନ୍ତୁନି ବାପା ! ଜୀବନରେ ବହୁ ଝଡ଼ଝଞ୍ଜା ସହିବାକୁ ହେବ–ସହିଛି ମଧ୍ୟ ମୁଁ, ତେଣୁ ଏଇ ସାମାନ୍ୟ କଥାରେ ମୁଁ କେବେ ମୋର ଧୈର୍ଯ୍ୟ ହରେଇବିନି । ତା’ପରେ ସୁଧାଂଶୁବାବୁଙ୍କର ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ଯାହା କରିବା ଉଚିତ ତା’ କରାଯାଉ । ମୋର ଏଥିରେ କୌଣସି ଆପତ୍ତି ନାହିଁ ବରଂ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେବି ।

 

ଭଲ ପାଇବା ଏବଂ ମଙ୍ଗଳ କରିବା କେବଳ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୀମିତ ନୁହେଁ । ଭାଇପାଇଁ ଭଉଣୀ ମଧ୍ୟ ମଙ୍ଗଳ କାମନା କରେ ।

 

କଥା ଶେଷବେଳକୁ ତାଙ୍କ ଗଣ୍ତପ୍ଳାବି ଅଶ୍ରୁବନ୍ୟା ବହୁଥାଏ । ଭକ୍ତବାବୁ କଳ୍ପନାଙ୍କ ଲୁହ ପୋଛି ଦେଇ ଆଶୀର୍ବାଦ କରିଥିଲେ ।

 

ସମସ୍ତଙ୍କ ପରାମର୍ଶ ଅନୁସାରେ ରାତିରାତି ଗୋଡ଼ିନେଇ ଭକ୍ତବାବୁ ଗୀତି ଘର ଉଦ୍ଦେଶ୍ୟରେ ବାହାରି ଯାଇଥିଲେ ।

 

ଘର ଖୋଜିବାକୁ ତାଙ୍କୁ ବିଶେଷ କଷ୍ଟ ପଡ଼ିଲାନି । ଭୋର ଭୋର ସେ ଯାଇ ଗୀତି ଘରପାଖରେ ପହଞ୍ଚିଲେ । ବୃଦ୍ଧ ତ୍ରିପାଠୀ ଉଠି ବାରଣ୍ଡାରେ ଆସି ବସୁଛନ୍ତି । ଦାଣ୍ତରେ ଗୋଟେ ମଟର ଥୁଆହେବାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସେ ।

 

ମଟରଭିତରୁ ଭକ୍ତବାବୁ ପଦାକୁ ଆସି ପଚାରିଲେ–

 

ଅଗଣିତ୍ରିପାଠୀଙ୍କ ଘର କେଉଁଟା ଦୟାକରି କହିବେ କି ?

 

ବୃଦ୍ଧ ତ୍ରିପାଠୀ ଆଶ୍ଚର୍ଯ୍ୟ ଆଉ ଆଶଙ୍କାରେ ତଳକୁ ଓହ୍ଲାଇ ଆସୁ ଆସୁ କହିଥିଲେ–‘‘ହଁ’ ମୁଁ ଅଗଣି ତ୍ରିପାଠୀ, କାହିଁକି ଖୋଜୁଛନ୍ତି ।”

 

ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଭକ୍ତବାବୁ ନିହାତି ଆତ୍ମୀୟଙ୍କ ଭଳି ଘରଭିତରକୁ ପଶି ଯାଇଥିଲେ–‘‘ଗୀତି କାହିଁ ? ମୋ ମା’ କାହିଁ ?” କହି ଦାଣ୍ତ ଘରଭିତରେ ଠିଆହୋଇଥିଲେ ସେ ।

 

ଆଶ୍ଚର୍ଯ୍ୟରେ ବୃଦ୍ଧ ତ୍ରିପାଠୀ ଚାହିଁଥାନ୍ତି । ଗୀତି ବୋଉ ମଧ୍ୟ ଆସି ଠିଆହୋଇଗଲେଣି । ସକାଳୁ ଦାଣ୍ତରେ ମଟରଶବ୍ଦ ଓ ତା’ ସାଙ୍ଗେ ସାଙ୍ଗେ ଗୀତି ନିଜ ନାଁ–ଧରି ଜଣେ କେହି ଅପରିଚିତ ଡାକୁଥିବାର ଶୁଣି ସେ ଆସି ବୋଉ ପାଖରେ ଠିଆ ହୋଇଗଲାଣି ।

 

ଭକ୍ତବାବୁ ଗୀତିକୁ ଚିହ୍ନିବାରେ ଭୁଲ ହେଲାନି । ସେ କହିଲେ–“ଆରେ ଆପଣମାନେ ଚାହିଁଛନ୍ତି କ’ଣ ? ସୁଧାଂଶୁର ବାପା ମୁଁ ।” ତା’ପରେ ସେ ଗୀତିର ହାତଧରି ପକେଇ କାନ୍ଦି କାନ୍ଦି କହିଥିଲେ,

 

–‘‘ମୋ ମା’ଟା ପରା, ତୁ ଶୀଘ୍ର କଟକ ଚାଲ । ତତେ କ’ଣ ରାଗରେ କହିଦେଇଥିଲା ବୋଲି ମୋ ପୁଅକୁ ତିନିଦିନ ହେଲା ଜର । ଆଖି ଫିଟେଇ ଚାହୁଁନି । ସବୁବେଳେ ତତେ ଖୋଜୁଚି । ମୁଁ ତୋ ବୁଢ଼ା ପୁଅଟାପରା; ସବୁ ଭୁଲି ଶୀଘ୍ର ଚାଲ ।”

 

ସୁଧାଂଶୁର ଅବସ୍ଥା କଥା ଗୀତି ଯେତିକି ଶୁଣିଲା ତାଙ୍କ ବାପାଙ୍କ ଅବସ୍ଥାରୁ ତା’ର ଆହୁରି ବେଶି ଭୟ ହେଲା । ତା’ର ସମସ୍ତ ରାଗ ମୁହୂର୍ତ୍ତକ ଭିତରେ କୁଆଡ଼େ ମିଳେଇଗଲା । ସେହି ଅବସ୍ଥାରେ ସେ କାନ୍ଦି କାନ୍ଦି ଯାଇ ମଟର ପଛରେ ବସିଲା । ଗଲାବେଳେ ଭକ୍ତବାବୁ କହିଗଲେ, ‘‘ମୋ ପୁଅଦେହ ଭଲ ହୋଇଗଲେ ମୁଁ ଆସି ଆପଣମାନଙ୍କୁ ନେଇଯିବି ।”

 

ଆଠଟା ନ ବାଜୁଣୁ ଗୀତି ପ୍ରଭୃତି ଆସି କଟକରେ ପହଞ୍ଚିଥିଲେ । ମଟରରୁ ଓହ୍ଲେଇବା ସଙ୍ଗେ ସଙ୍ଗେ କାହାମୁହଁକୁ ପର୍ଯ୍ୟନ୍ତ ନ ଚାହିଁ ଗୀତି ସୁଧାଂଶୁର ଶୋଇବା ଘରକୁ ଚାଲିଯାଇଥିଲା । ସୁଧାଂଶୁର ଶୀର୍ଣ୍ଣଦେହ ଆଉ ମଳିନ ମୁଖଶ୍ରୀ ଦେଖି ଧୈର୍ଯ୍ୟ ରହିଲାନି ତା’ର । ସୁଧାଂଶୁର ଗୋଡ଼ ଉପରେ ମୁଣ୍ତରଖି ପିଲାଙ୍କ ଭଳି କାନ୍ଦି ଉଠିଥିଲା ସେ ।

 

ଗୋଡ଼ ପାଖରୁ ଉଠିଯାଇ ସୁଧାଂଶୁର ଶଯ୍ୟାଧାରରେ ଗୀତି ବସିଥିଲା । ତା’ପରେ ସୁଧାଂଶୁର ପରିଚର୍ଯ୍ୟାରୁ ଅନ୍ୟମାନଙ୍କୁ ମୁକ୍ତି ଦେଇଥିଲା ସେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଠିକ୍ ସମୟରେ ଔଷଧ ଦେବା, ଫଳରସ ଟିକିଏ ଟିକିଏ କରି ସୁଧାଂଶୁକୁ ପିଆଇଦେବା ଓ ସୁଧାଂଶୁର ଦେହମୁଣ୍ତରେ ହାତ ବୁଲେଇବାରେ ବ୍ୟସ୍ତ ରହିଥିଲା ସେ । ଭକ୍ତବାବୁ ଜାଣନ୍ତି, ଗୀତି ସକାଳୁ ମୁହଁ ପର୍ଯ୍ୟନ୍ତ ନ ଧୋଇ ତାଙ୍କ ସାଙ୍ଗରେ ବାହାରି ଆସିଛି । ସେଥିପାଇଁ ସେ ତା’ ନିତ୍ୟକର୍ମ ସାରିବାକୁ ଗୀତିକୁ କହିଥିଲେ । ଗୀତି କିନ୍ତୁ କାହାରି ଅନୁରୋଧ ରଖିଲାନି । ସୁମିତ୍ରା ଦେବୀ, ମିନି, ଭକ୍ତବାବୁ ସମସ୍ତେ ଥକିଗଲେ । ପାଷାଣମୂର୍ତ୍ତି ଭଳି ସାରା ଦିନ ଅନାହାରରେ ସେଇଠି ବସିରହିଲା ଗୀତି ।

 

ରାତ୍ରି ଦଶଟା ପରେ ଜରର ପ୍ରକୋପ ଟିକିଏ କମିଲା । ଶେଷରାତ୍ରିକୁ ସୁଧାଂଶୁ ପରିଷ୍କାର ସମସ୍ତଙ୍କୁ ଚାହିଁ କଥାବାର୍ତ୍ତା କଲା । ସୁମିତ୍ରା ଦେବୀ ତା’ ପାଦ ପାଖରେ ବସିଥିଲେ । ତାଙ୍କୁ ପାଖକୁ ଡାକିଥିଲା ସୁଧାଂଶୁ । ରହି ରହି କହିଥିଲା–

 

“ତୁ କାନ୍ଦୁଛୁ ବୋଉ ! ମୋ ଦେହ ତ ଭଲ ଲାଗିଲାଣି । ତୁ ଆଉ ବ୍ୟସ୍ତ ହୁଅନା ।”

 

ସୁମିତ୍ରା ଦେବୀ ପଚାରିଥିଲେ

 

–‘‘କ’ଣ ଟିକେ ପିଇବୁ ?”

 

–‘‘ହଁ ଶୋଷ ହେଉଛି ।”

 

ସୁମିତ୍ରା ଦେବୀ ଗୀତି ଉଦ୍ଦେଶ୍ୟରେ ତା’ ବସିବା ଜାଗାକୁ ଚାହିଁଲେ, କିନ୍ତୁ ସେ କେତେବେଳେ ସେଠୁ ଉଠି ଯାଇଛି । ସୁଧାଂଶୁର ପିଠିତଳେ ତକିଆଟାଏ ଦେଇ ବସେଇଦେଲେ ସୁମିତ୍ରାଦେବୀ । କହିଲେ–

 

–‘‘ତୁ ଟିକେ ବସିଥା କି, ମୁଁ କ’ଣ ଆଣେ ।”

 

ବାହାରକୁ ଆସି ସୁମିତ୍ରାଦେବୀ ଦେଖିଲେ ଗୀତି ସୁଧାଂଶୁ ଘର ଦୁଆରମୁହଁରେ ଲୁଚି ଠିଆହୋଇ ଘରଭିତରକୁ ଚାହିଁଛି । ତାଙ୍କୁ ଦେଖିଲା ପରେ ଲାଜରେ ସେଠୁ ଘୁଞ୍ଚିଗଲା ସେ । ସୁମିତ୍ରାଦେବୀଙ୍କ ମାତୃହୃଦୟ ଗୀତିର ମନକଥା ବୁଝିବାକୁ କଷ୍ଟ ହେଲାନି । ମନେମନେ ଟିକେ ହସିଲେ ସେ । ତା’ପରେ ଟିକେ ଓଭାଲଟିନ୍ ଆଣି ଗୀତି ଚିବୁକ ଧରି କହିଥିଲେ–

 

–‘‘ମୋ ମା’ଟା ପରା, ଟିକେ ଗଲୁ ବୁଢ଼ାକୁ ଏତକ ପିଆଇଦେବୁ ।”

 

ଗୀତି କିନ୍ତୁ ଲାଜରେ ପଥର ଭଳି ଠିଆ ହୋଇ ରହିଲା । ସୁମିତ୍ରାଦେବୀ ତା’ ହାତ ଧରି ସୁଧାଂଶୁ ଘର ଦୁଆରମୁହଁ ଯାଏଁ ଆସିଲେ । ସେଇଠୁ ଗୀତିର ହାତଛାଡ଼ି ଅନ୍ୟ ଆଡ଼େ ଚାଲିଯାଇଥିଲେ ।

 

ଗୀତି ଦେଖିଲା ଆଉ କେହି କୁଆଡ଼େ ନାହାନ୍ତି । ବାଧ୍ୟହୋଇ ସୁଧାଂଶୁ ଘର ଭିତରକୁ ଗୋଡ଼ ବଢ଼େଇଲା ସେ । ଆଲୁଅଟା ପଛରୁ ପଡ଼ୁଥିବାରୁ ସୁଧାଂଶୁ ପ୍ରଥମେ ଗୀତିକୁ ଚିହ୍ନିପାରି ନଥିଲା । କିନ୍ତୁ ଯେତେବେଳେ ଗୀତି ନଇଁପଡ଼ି ତା’ ମୁହଁ ପାଖରେ ଗ୍ଲାସ୍‍ଟା ଧରେ ଉଜ୍ଜ୍ୱଳ ବିଜୁଳି ଆଲୁଅରେ ଗୀତିକୁ ଚିହ୍ନିବାକୁ ବାକି ରହିଲାନି ତା’ର । ପ୍ରଥମେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲାନି; କିନ୍ତୁ ଯେତେବେଳେ ସେ ଜାଣିଲା ଗୀତିଇ ତା’ ଆଗରେ ଠିଆ ହୋଇଛି ଅପୂର୍ବ ଆବେଗରେ ଗୀତିର ହାତ ଧରିଥିଲା ସେ–

 

–‘‘ପ୍ରଥମେ କୁହ, ତୁମେ ମତେ କ୍ଷମା କରିଛ ?”

 

ଆଖିଫଟେଇ ଦି’ଧାରା ଲୁହ ସୁଧାଂଶୁର ତଳକୁ ବୋହି ଆସିଥିଲା । ଗୀତି ଆଖିଲୁହବି ବାଧାମାନି ନଥିଲା । ପାଖରେ ବସିପଡ଼ି ସୁଧାଂଶୁର ଛାତି ଭିତରେ ମୁହଁ ଗୁଞ୍ଜି କଇଁକଇଁ ହୋଇ କାନ୍ଦି ଉଠିଥିଲା ସେ । ସେହି ଲୁହଭିଜା କଣ୍ଠରେ କହିଥିଲା–

 

–‘‘ଛିଃ ମୋ ସୁନାଟି ପରା । ସେମିତି ହୁଅନା । ଦେହ ବେଶି ଦୁର୍ବଳ ହେବ ।”

 

ଗୀତି କେଶର ଜଙ୍ଗଲଭିତରେ ସୁଧାଂଶୁ ମୁହଁ ଲୁଚେଇଥିଲା ।

 

ବିଷାଦ ରଜନୀର ତିମିର ଶେଷ ହେଉଥିଲା–

 

ଉଇଁ ଆସୁଥିଲା ନୂତନ ଦିନର ସୂର୍ଯ୍ୟ–

Image